Unknown

 

 

 

 

 

 

 

 

 

ସ୍ୱାମୀ ବିବେକାନନ୍ଦ

ଶ୍ରୀ ସୌରୀବନ୍ଧୁ କର

 

ଅଗ୍ରଲେଖ

 

ସୁଲେଖକ ଶ୍ରୀ ସୌରୀବନ୍ଧୁ କରଙ୍କ ଦ୍ଵାରା ଓଡ଼ିଆରେ ରଚିତ ସ୍ଵାମୀ ବିବାକାନନ୍ଦଙ୍କ ଜୀବନ ବୃତ୍ତିଟି ପାଠକ ମାନଙ୍କ ହାତରେ ସମର୍ପି ଓଡ଼ିଆ ସାହିତ୍ୟ ଏକାଡେମୀ ଗର୍ବ ଅନୁଭବ କରୁଛି-। ଉକ୍ତ ପୁସ୍ତକରେ କେବଳ ମାତ୍ର ଘଟଣା ପ୍ରବାହର କ୍ରମିକ ବିବରଣୀ ନାହିଁ, ତାହା ସହିତ ଭାରତୀୟ ସାଂସ୍କୃତିକ ପରମ୍ପରା, ଧର୍ମାଦର୍ଶ ଓ ସର୍ବୋପରି ସଂପ୍ରତି ଅଣନିଃଶ୍ଵାସୀ ହୋଇ ପଡ଼ୁଥିବା ବହୁଧା-ବିଭକ୍ତ ମାନବ ସମାଜକୁ ଏକ ଶାନ୍ତି-ପ୍ରୀତି-ମୈତ୍ରୀ ସୂତ୍ରରେ ବାନ୍ଧିରଖିବାର ପ୍ରବଳ ଅନୁରକ୍ତି ଏଥିରେ ବିଦ୍ୟମାନ । ମହାପୁରୁଷ ମାନଙ୍କର ଉତ୍ସର୍ଗୀକୃତ ସାଧନାପୂତ ଜୀବନ ଦେଶପାଇଁ, ସମାଜ ପାଇଁ ଉଦ୍ଧିଷ୍ଟ । ସୋମାନଙ୍କର ଦିବ୍ୟାନୁଭୂତି, ଉପଲବଧି ଓ ଭୁୟୋଦର୍ଶନ ଭବିଷ୍ୟତ ବଂଶଧରଙ୍କୁ ସୁସ୍ଥ ନିରାମୟ ଶୃଙ୍ଖଳିତ ଜୀବନଯାପନ ପାଇଁ ଅନେକାଂଶରେ ସାହାଯ୍ୟ କରିଥାଏ । ଆଶା ଉକ୍ତ ପୁସ୍ତକ ପାଠ କରି ସବୁ ଶ୍ରେଣୀର ପାଠକ ବିଶେଷତଃ ଯୁବପୀଢ଼ି ନୂତନ ପ୍ରେରଣା ଲାଭ କରିବେ ଏବଂ ସ୍ଵାମୀଜୀଙ୍କର ମୌଳିକ ରଚନାଗୁଡ଼ିକ ପଢ଼ିବା ପାଇଁ ଉତ୍କଣ୍ଠିତ ହେବେ ।

 

ରାଜକିଶୋର ମିଶ୍ର

୪ । ୬ । ୯୬

Image

 

ଅଭିମତ

 

ସ୍ଵାମୀ ବିବେକାନନ୍ଦଙ୍କର ଚିକାଗୋ ଧର୍ମ ମହାସଭାରେ ଯୋଗଦାନ କରିବାର ଏକଶହ ପୁର୍ତ୍ତି ଉପଲକ୍ଷେ ସମଗ୍ରବିଶ୍ଵରେ ତାଙ୍କୁ ସ୍ମରଣ କରି ନାନାଦି ଉତ୍ସବମାନ ଅନୁଷ୍ଠିତ ହେବା ଅବକାଶରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵର ତାଙ୍କ ଜୀବନୀ ଲେଖିବା ପାଇଁ ମୋତେ ଦାୟୀତ୍ଵ ଦେଇଥିଲେ । ସ୍ଵାମୀଜୀଙ୍କ ସମ୍ପର୍କରେ ଲେଖିବା ବଡ଼ ଦୁରୂହ କାର୍ଯ୍ୟ, କାରଣ କେଉଁ ଦୃଷ୍ଟିକୋଣରୁ ତାଙ୍କର ଜୀବନ ଓ ବ୍ୟକ୍ତିତ୍ଵକୁ ବିଚାର କରିବାକୁ ହେବ, ଏହା ସ୍ଥିର କରିବା ହିଁ କଷ୍ଟ । ସ୍ଵାମୀଜୀଙ୍କ ଉପରେ ଅନେକ ପ୍ରସ୍ତାବ ଲେଖା ହୋଇଛି । ତାହା ବୋଧହୁଏ ବିଶ୍ଵର ଅନ୍ୟ କୌଣସି ମହାପୁରୁଷଙ୍କ ଉପରେ ଲେଖା ହୋଇନି । କିନ୍ତୁ ଏହି ପୁସ୍ତକଗୁଡ଼ିକ ପଢ଼ି ସ୍ଵାମୀଜୀଙ୍କୁ ବୁଝିବା ମଧ୍ୟ ସହଜ ସାଧ୍ୟ ନୁହେଁ । ସ୍ଵାମୀଜୀ ହେଉଛନ୍ତି ବେଦାନ୍ତର ଜୀବନ୍ତଭାଷ୍ୟ । ସେ ହେଉଛନ୍ତି “ଆକାର ବିହୀନ ସ୍ଵର ।” ଯେଉଁ ବାର୍ତ୍ତା ଚିକାଗୋ ଧର୍ମ ମହାସମ୍ମେଳନରେ ୧୧ ସେପ୍ଟେମ୍ବର ୧୮୯୩ ମସିହାରେ ଗୁଞ୍ଜରିତ ହୋଇଉଠି ଥିଲା, ତାହାର ଗୁରୁତ୍ଵ ଶହେ ବର୍ଷ ପରେ ଆହୁରି ଅଧିକ ଅଧିକ ବୃଦ୍ଧି ପାଇବାରେ ଲାଗିଛି ଏବଂ ବିଶ୍ଵର ବହୁ ଲୋକେ ଏଥିରେ ଉଦ୍‌ବୁଦ୍ଧ ହେବାରେ ଲାଗିଛନ୍ତି । ସେହି ବାର୍ତ୍ତା ଥିଲା ଆଧ୍ୟାତ୍ମିକ ଶକ୍ତି ମିଶ୍ରିତ ଆଧୁନିକଯୁଗ ପାଇଁ ଉଦ୍ଧିଷ୍ଟ – ସାର୍ବଜନୀନ ଓ ସମନ୍ୱୟର ବାର୍ତ୍ତା । ଏହି ବାର୍ତ୍ତା ହଜାର ହଜାର ବର୍ଷର ଆଧ୍ୟାତ୍ମିକ ଚେତନାର ଅନୁଭୂତିରୁ ଉତ୍ପନ୍ନ ହୋଇଥିବା ହେତୁ, ଧର୍ମ ମହାସଭା ମଞ୍ଚରେ ସ୍ଵାମୀଜୀ ଜୀବନ୍ତ ମୂର୍ତ୍ତି ଭାବେ ଉଭାହେଲେ ।

 

ଚିକାଗୋ ଧର୍ମ ମହାସଭାରେ ସ୍ଵାମୀଜୀଙ୍କର ବକ୍ତବ୍ୟ ପରାଧୀନ ଭାରତରେ ଲୋକମାନଙ୍କ ମନରେ ସୃଷ୍ଟି କରିଥିଲା ନୂତନ ଉନ୍ମାଦନା – ସ୍ଵାଧିନତା ପାଇବାର ସ୍ଵପ୍ନ, ନିଜକୁ ଭାରତୀୟ ବୋଲି ଗର୍ବ କରିବାର ଅଭିପ୍‌ସା ଓ ସନାତନ ଧର୍ମ ଭିତରେ ସାର୍ବଜନୀନତା, ସର୍ବକାଳୀନତା, ସହନଶୀଳତା, ସହାବସ୍ଥାନ ଓ ସମନ୍ଵୟର ଶ୍ରେଷ୍ଠତା । ୩୦ ବର୍ଷ ବୟସର ଯୁବକ ନରେନ୍ଦ୍ରନାଥ ଓର୍‌ଫ ଓ ସ୍ଵାମୀ ବିବେକାନନ୍ଦଙ୍କର ଆଧ୍ୟାତ୍ମିକ ଅନୁଭୂତି, ଦେଶପ୍ରେମ ଓ ମାନବତାବାଦ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ହୋଇ ଉଠିଲା ପ୍ରିୟ । ଜାତିର ଜନକ ମହାତ୍ମାଗାନ୍ଧୀ କହିଥିଲେ ସ୍ଵାମୀଜୀଙ୍କ ବାଣୀ ଅଧ୍ୟୟନ କରି ତାଙ୍କର ଦେଶପ୍ରେମ ବହୁ ଗୁଣିତ ହୋଇଉଠିଲା । ଉଦ୍‌ବୁଦ୍ଧ ହେଲେ ଭାରତବାସୀ ସେହି ବାଣୀରେ ଏବଂ ତାଙ୍କର ଦେଶପ୍ରେମର ଅଗ୍ନିବର୍ଷିବାଣୀ ସମଗ୍ର ଭାରତରେ ତାଙ୍କର ଆମେରିକାରୁ ପ୍ରତ୍ୟାବର୍ତ୍ତନ ପରେ ତରଙ୍ଗ ସୃଷ୍ଟି କଲା । ଯୁବଚେତନାର ପ୍ରତୀକଭାବେ ସେ ଆଦୃତ ହେଲେ ଯୁବମାନସରେ, ଦେଶପ୍ରେମୀଙ୍କ ନିକଟରେ ସେ ଉଭା ହେଲେ ।

 

ମହାନ୍‌ ଦେଶପ୍ରେମୀ ରୂପେ, ସାଧାରଣ ଜନଗଣଙ୍କର ଆଶା, ଭରସା ଓ ବିଶ୍ଵାସର ପାତ୍ର ହୋଇ ସମଗ୍ର ଭାରତ ଜନନୀର ରୂପ-ପରିଗ୍ରହ କଲେ ।

 

ସେହି ରୂପ ଓ ସ୍ଵର ଶହେ ବର୍ଷ ପରେ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟ ତନ୍ତ୍ରୀରେ ସ୍ପନ୍ଦନ ସୃଷ୍ଟି କରେ ଏବଂ ସେହି ବାଣୀ ହିଁ ବର୍ତ୍ତମାନ ଅବକ୍ଷୟମାଣ ସମାଜର ନୈତିକ ମୁଲ୍ୟବୋଧକୁ ଜାଗ୍ରତ କରି ମଣିଷ ସମାଜକୁ ନୂତନ ଦିଗଦର୍ଶନ ଦେବାକୁ ସକ୍ଷମ ।

 

ଏଣୁ ସ୍ଵାମୀ ବିବେକାନନ୍ଦ ନିତ୍ୟ ନୂତନ, ନିତ୍ୟ ଆଧୁନିକ ଓ ବର୍ତ୍ତମାନର ଆବଶ୍ୟକତା ହେତୁ ତାଙ୍କର ଜୀବନୀ ଲେଖିବା ପ୍ରଚେଷ୍ଟା ମୋର ଅବ୍ୟାହତ ରହିଥିଲା ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ଦାୟିତ୍ଵ, କର୍ତ୍ତବ୍ୟ ସମ୍ପାଦନ କରିବା ପରି ମତେ ଅନୁଭୂତ ହେଲା ।

 

ସଂକ୍ଷିପ୍ତ ଜୀବନୀ ମାଧ୍ୟମରେ ସ୍ଵାମୀ ବିବେକାନନ୍ଦଙ୍କର ସଂପୂର୍ଣ୍ଣ ବ୍ୟକ୍ତିତ୍ଵକୁ ପ୍ରକାଶ କରିବାର ଧ୍ରୁଷ୍ଟତା ନକରି କେବଳ ଓଡ଼ିଆ ପାଠକଙ୍କ ନିକଟରେ ସିଂହଦ୍ଵାର ପ୍ରବେଶର ଭୂମିକା ନିଭେଇବାର ପ୍ରଯତ୍ନ କରିଛି ଏବଂ ଯଦି ଏହା ଆଦୃତ ହୁଏ, ତେବେ ତାହା ତାଙ୍କ ଗୌରବୋଜ୍ଜ୍ଵଳ ଗାଥା ଯୋଗୁ ସମ୍ଭବ ହେଲା ବୋଲି ବିଚାର କରିବି ।

 

ବୁଦ୍ଧପୂର୍ଣ୍ଣିମା

୩ । ୫ । ୧୯୯୬

ଶ୍ରୀ ସୌରୀବନ୍ଧୁ କର

Image

 

ଅନୁକ୍ରମ

 

୧.

ଇତିହାସର ଆବଶ୍ୟକତା

୨.

ବାଲ୍ୟ-ଜୀବନ

୩.

ଶ୍ରୀ ରାମକୃଷ୍ଣ ପରମହଂସ

୪.

ଶ୍ରୀ ରାମକୃଷ୍ଣଙ୍କ ସହିତ ସାକ୍ଷାତ୍‍

୫.

ଗୁରୁ ଓ ଶିଷ୍ୟ

୬.

କାଶୀପୁର ଉଦ୍ୟାନବାଟୀ

୭.

ରାମକୃଷ୍ଣ ସଙ୍ଘର ଭିତ୍ତିଭୂମି-ବରାହ ନଗର ମଠ

୮.

ଭାରତର ପଥପ୍ରାନ୍ତେ

୯.

ଆମେରିକା ଯାତ୍ରା

୧୦.

ଧର୍ମ ମହାସମ୍ମେଳନ

୧୧.

ପାଶ୍ଚାତ୍ୟ ଜଗତରେ ବେଦାନ୍ତ ପ୍ରଚାର

୧୨.

ସହସ୍ର ଦୀପୋଦ୍ୟାନରେ ଶିଷ୍ୟ ଶିଷ୍ୟାଙ୍କ ସହ

୧୩.

ଭାରତରେ ବିଜୟୋଲ୍ଲାସ

୧୪.

ଲଣ୍ଡନ ଯାତ୍ରା

୧୫.

ସ୍ଵଦେଶ ଅଭିମୁଖେ

୧୬.

ଉତ୍ତର ଭାରତ ଭ୍ରମଣ

୧୭.

ପାଶ୍ଚାତ୍ୟଦେଶ ପରିଭ୍ରମଣ

୧୮.

ବେଲୁଡ଼ ମଠରେ ଦୁର୍ଗାପୂଜା

୧୯.

ମହାସମାଧି

୨୦.

ଉପସଂହାର

Image

 

ଇତିହାସର ଆବଶ୍ୟକତା

 

ସ୍ଵାମୀ ବିବେକାନନ୍ଦ କହିଥିଲେ, “ମୁଁ ଏକ ଆକାରବିହୀନ ସ୍ଵର ।” ତାଙ୍କର ମହାସମାଧି ଲାଭ କରିବାର ଶହେବର୍ଷ ଅତିକ୍ରମ କରିବାର ସମୟ ନିକଟ ହେଉଥିବା ବେଳେ ବର୍ତ୍ତମାନ ସମଗ୍ର ଜଗତ ତାଙ୍କ ବାଣୀର ଆବଶ୍ୟକତାକୁ ଅଧିକ ଗୁରୁତ୍ଵର ସହ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି । ପ୍ରାଚୀନ ମୁନିଋଷିଙ୍କ କଣ୍ଠନିଃସୃତ ବେଦଧ୍ଵନି ଯେପରି ଗିରିଗୁହା ଅତିକ୍ରମ କରି ସମଗ୍ର ମାନବ ଜୀବନକୁ ଆଚ୍ଛନ୍ନ କରିଥାଏ, ଠିକ୍‌ସେହିପରି ସ୍ଵାମୀଜୀଙ୍କର ସେହି ସ୍ଵର ଆଜି ସମଗ୍ର ଜଗତର ପବନ ଓ ଜଳ, ସ୍ଥଳରେ ଓତଃପ୍ରୋତ ଭାବେ ମିଶିଯାଇ ତାହାକୁ ପୂର୍ଣ୍ଣରୂପରେ ଗ୍ରହଣ କରିବାକୁ ମାନବଜାତିକୁ ଆହ୍ଵାନ କରୁଛି । ଯେଉଁ ସ୍ଵର ଦିନେ ସମଗ୍ର ଜଗତକୁ ଚମତ୍‍କୃତ କରି ଆମେରିକାର ଚିକାଗୋ ସହରର ଧର୍ମସଭା ଦେଇ ସମୁଦ୍ରରୁ ଉତ୍‍ଥିତ ତରଙ୍ଗମାଳା ପଡ଼ିବା ପରି ମାନବଜାତି ଉପରେ ଚନ୍ଦନର ପୁଟ ପ୍ରଲେପ କରିଥିଲା, ଯେଉଁ ସ୍ଵରର ଆହ୍ଵାନ “ଆମେରିକାର ଭଉଣୀ ଓ ଭାଇମାନେ” ପ୍ରତ୍ୟେକ ମଣିଷ ହୃଦୟରେ ଏକ କମ୍ପନ ସୃଷ୍ଟି କରିଥିଲା, ଯେଉଁ ସ୍ଵର ପ୍ରତ୍ୟେକ ଧର୍ମ ମଧ୍ୟରେ ଥିବା ଏକ ସତ୍ୟକୁ ନିର୍ଭୀକ ଭାବରେ ଉପସ୍ଥାପିତ କରିବାକୁ ତିଳେହେଲେ କୁଣ୍ଠାବୋଧ କରି ନଥିଲା, ସେହି ସ୍ଵରର ତୀବ୍ରତା, ମଧୁରତା ଓ ଶୀତଳତା ଆଜି ବି କଣ୍ଣଗହ୍ଵରରେ ଝଂକୃତ ହୁଏ ଏବଂ ଚନ୍ଦନସଦୃଶ୍ୟ ବାଣୀର ଶୀତଳତାକୁ ପ୍ରଲେପ ଭାବେ ଲେପିହେବା ପାଇଁ ଇଚ୍ଛା କଲାବେଳେ, ତା’ର ତୀବ୍ରତା ଯେ ହୃଦୟକୁ ଖିନ୍‌ଭିନ୍‌କରିବାରେ ସମର୍ଥ ହୁଏ, ଏକଥା ଯେ କେହି ସେହି ବାଣୀକୁ ଛୁଇଁଦେବା ମାତ୍ରେ ଅନୁଭବ କରିପାରିବ ।

 

ସ୍ଵାମୀ ବିବେକାନନ୍ଦଙ୍କର ଜୀବନୀ ଓ ସେହି ବାଣୀକୁ ଉପସ୍ଥାପିତ କରିବା ଅର୍ଥ ଶତଧା-ବିଭକ୍ତ ବର୍ତ୍ତମାନ ମାନବ ସମାଜକୁ ଏକ ସୂତ୍ରରେ ବାନ୍ଧି, ସେଥିରେ ମାନବିକତାର ଆତ୍ମାକୁ ଜାଗ୍ରତ କରିବା । ଏହି ସଚେତନତା ଏକବିଂଶ ଶତାବ୍ଦୀରେ ପାଦ ରଖୁଥିବା ମଣିଷ ସମାଜ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ଭବିଷ୍ୟତ ପାଇଁ ସେହି ଜୀବନୀ ଓ ବାଣୀର ଆବଶ୍ୟକତା ଅନୁଭବ ହେବାବେଳେ ଅତୀତରେ କେଉଁ ପରିସ୍ଥିତିରେ, ପରିବେଶରେ ସେହି ଜୀବନ ଜାଜ୍ଵ୍ଵଲ୍ୟମାନ ହୋଇ ଗାରିମାରେ ବିମଣ୍ଡିତ ହୋଇପାରିଲା ଏବଂ ସେହି ବାଣୀ କିପରି ସମଗ୍ର ବିଶ୍ଵକୁ ଏକ ସୂତ୍ରରେ ଗୁନ୍ଥିପାରିଲା, ତାହା ଜାଣିବା ଆବଶ୍ୟକ କରେ ।

 

ଊନବିଂଶ ଶତାବ୍ଦୀରେ ଭାରତର ସମାଜ ବ୍ୟବସ୍ଥା ବ୍ରିଟିଶ ଶାସନ ଦ୍ଵାରା ନିୟନ୍ତ୍ରିତ ହୋଇ ଏକ ମଧ୍ୟବିତ୍ତ ଶ୍ରେଣୀର ଅଭ୍ୟୃତ୍‌ଥାନରେ ସାହାଯ୍ୟ କରିଥିଲା । ଯେଉଁମାନେ ସେହି ଶ୍ରେଣୀଭୁକ୍ତ ହୋଇଥିଲେ, ସେମାନେ ଥିଲେ ଜମି ମାଲିକ, ବୁଦ୍ଧିଜୀବି ଓ ବ୍ୟବସାୟୀ । ଏହି ନୂତନ ମଧ୍ୟବିତ୍ତଶ୍ରେଣୀ ଅର୍ଥନୈତିକ ବ୍ୟବସ୍ଥାଠାରୁ ପୃଥକ୍‍ ହୋଇ ରହିଥିଲେ ମଧ୍ୟ ଜାତିପ୍ରଥାର ସାମାଜିକ ବିଧି ବ୍ୟବସ୍ଥା ପ୍ରତି ଅଙ୍ଗୀକାରବଦ୍ଧ ଥିଲେ । ସେମାନେ ବ୍ରିଟିଶ ଶାସକମାନଙ୍କୁ ଅତି ନିକଟରୁ ଦେଖି, ସେମାନଙ୍କର ଜୀବନଯାପନର ଧାରାକୁ ଗଭୀର ନିରୀକ୍ଷଣ କରି, ନିଜର ଦୈନନ୍ଦିନ ଜୀବନର ପ୍ରକ୍ରିୟାକୁ ସେହି ଢଙ୍ଗରେ ପକାଇବାକୁ ଆରମ୍ଭ କରିଥିଲେ । ସେମାନଙ୍କର ସଂଖ୍ୟା ସୀମିତ ହୋଇଥିଲେ ମଧ୍ୟ, ସେମାନେ କ୍ରମଶଃ ନିଜର ଶକ୍ତି ବୃଦ୍ଧିକରି ନିଜର ପ୍ରଭାବକୁ ସମାଜବ୍ୟବସ୍ଥା ଉପରେ ଲଦିଦେବାକୁ ଆରମ୍ଭ କରିଥିଲେ । ସମାଜ ଉପରେ ଏହି ଚାପ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏମାନଙ୍କର ଅବଦାନ ବିଶେଷ ଭାବରେ ଇଂରେଜ ଶିକ୍ଷାପ୍ରାପ୍ତ ବ୍ୟକ୍ତିବିଶେଷଙ୍କଠାରୁ ଆସିଥିଲା ।

 

ଊନବିଂଶ ଶତାବ୍ଦୀର ପାରମ୍ଭରେ, ଇଂରାଜୀ ଶିକ୍ଷାର ଆରମ୍ଭ ହେତୁ ବୌଦ୍ଧିକ କ୍ଷେତ୍ରରେ ଏକ ନୂତନ ଭାବଧାରାରେ ପ୍ରକାଶ ଭାରତର ଶିକ୍ଷିତ ବୁଦ୍ଧିଜୀବୀଙ୍କ ମଧ୍ୟରେ ଦେଖା ଦେଇଥିଲା ଏବଂ ଅନ୍ୟପକ୍ଷରେ ହିନ୍ଦୁ ଧର୍ମ, ପରମ୍ପରା ପ୍ରଥା ଏବଂ ଭାରତୀୟ ଜୀବନ ଇତ୍ୟାଦି ଉପରେ ତୀବ୍ର ଆକ୍ରମଣ ଇଂରେଜ ଧର୍ମ-ପ୍ରଚାରକଙ୍କ ଦ୍ଵାରା ଆରମ୍ଭ ହୋଇ ଯାଇଥିଲା । ଫଳରେ ଭାରତୀୟମାନଙ୍କ ମନରେ ନିଜର ଧର୍ମବିଶ୍ଵାସ ପ୍ରତି ସନ୍ଦେହ ହେବାକୁ ଲାଗିଥିଲା । ସେମାନେ ହିନ୍ଦୁଧର୍ମର ଧାର୍ମିକ ବିଶ୍ଵାସ, ପ୍ରଥା, ପରମ୍ପରା ଇତ୍ୟାଦିକୁ ଭିନ୍ନ ଦୃଷ୍ଟିରେ ବିଚାର କରିବାକୁ ଆରମ୍ଭ କରିଥିଲେ । ଅନ୍ୟ କେତେକ ଜାତୀୟଭାବର ଉନ୍ମେଷ ଘଟାଇ ଭାରତୀୟ ଜୀବନଧାରାକୁ, ଆଦର୍ଶକୁ ବଞ୍ଚାଇ ରଖିବା ପାଇଁ ସଂଗ୍ରାମ ଆରମ୍ଭ କରିଦେଲେ । ଏହା ଫଳରେ ନାନାଦି ବୈପ୍ଳବିକ ଆନ୍ଦୋଳନମାନ ମୁଣ୍ଡଟେକି ଉଠିଲା । ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ସମାଜ ବ୍ୟବସ୍ଥାର ପରିବର୍ତ୍ତନ ଓ ପୁନର୍ଗଠନ । ଭାରତୀୟ ଜୀବନଧାରା ଉପରେ ପାଶ୍ଚାତ୍ୟ ଜୀବନର ଅନ୍ଧ ଅନୁକରଣ ଓ ପାଶ୍ଚାତ୍ୟ ଚିନ୍ତା-ଧାରାର ଅନୁପ୍ରବେଶକୁ ସଶକ୍ତ ଭାବରେ ରୋକିବା ଏହାର ଉଦ୍ଦେଶ୍ୟ ଥିଲା ।

 

ଜାତୀୟତାବାଦୀ ମଧ୍ୟବିତ୍ତ ଶ୍ରେଣୀର ଉତ୍‌ଥାନ ଏହା ବିରୋଧରେ ସଶକ୍ତ ଭାବରେ ଛିଡ଼ା ହେବାର ପ୍ରଚେଷ୍ଟା କଲାବେଳେ, ସେମାନେ ଶାସକ ଶ୍ରେଣୀର ଭାଷା ଓ ଜ୍ଞାନକୁ ଆହରଣ କରିବାକୁ ଚେଷ୍ଟା ଅବ୍ୟାହତ ରଖିଥିଲେ । ଯେଉଁମାନେ ସେମାନଙ୍କର ତୀବ୍ର ପ୍ରତିକ୍ରିୟା ଶାସକ ଗୋଷ୍ଠୀର ଧର୍ମ ଓ ସଂସ୍କୃତି ପ୍ରତି ପୋଷଣ କରୁଥିଲେ, ସେମାନେ ଶିକ୍ଷା, ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ ପ୍ରଗତିଶୀଳ ଆଭିମୁଖ୍ୟ ରଖିଥିଲେ । କେତେକ ଧର୍ମ ସଂପର୍କରେ ରକ୍ଷଣଶୀଳ ମନୋବୃତ୍ତିର ପୃଷ୍ଠପୋଷକ ଥିଲେ । ଅନ୍ୟ କେତେକ ଧର୍ମ ସଂପର୍କରେ ଉଦାର ଓ ପରିବର୍ତ୍ତନର ଭାବ ପ୍ରକାଶ କରୁଥିଲେ । ଅନୁସନ୍ଧିତ୍ସୁ ଭାବନା ଓ ମୁକ୍ତଚେତନା ଫଳରେ ରକ୍ଷଣଶୀଳତା ବିରୋଧରେ ଯୁବସଂପ୍ରଦାୟ ଜାଗ୍ରତ ହୋଇ ବିଭିନ୍ନ କୁସଂସ୍କାରକୁ ଦୂର କରିବାକୁ ଯତ୍ନବାନ ହେବାବେଳେ, ଅନ୍ୟ କେତେକ ହିନ୍ଦୁ ଧର୍ମ ସହିତ ଅନ୍ୟ ଧର୍ମକୁ ମୂଳରୁ ବିରୋଧ କରିବାରେ ଲାଗିଥିଲେ ।

 

ଏକ ପକ୍ଷରେ ରକ୍ଷଣଶୀଳତାର ପୁନରୁଦ୍ଧାରଣ ଓ ଅନ୍ୟପକ୍ଷରେ ପ୍ରଗତିକାମୀ ଆନ୍ଦୋଳନ ମଧ୍ୟରେ ଏକ ମଧ୍ୟମ ପନ୍ଥାର ସୁତ୍ରପାତ ରାଜା ରାମମୋହନ ରାୟଙ୍କ ଦ୍ଵାରା ହୋଇଥିଲା । ରାଜା ରାମମୋହନଥିଲେ ଜଣେ ବିଶିଷ୍ଟ ଭାଷାବିତ୍‌ଏବଂ କେବଳ ହିନ୍ଦୁ ଧର୍ମ ନୁହେଁ, ବଂର ଖୀଷ୍ଟ୍ର ଓ ଇସ୍‌ଲାମ ଧର୍ମର ଶକ୍ତିଶାଳୀ ବିଦ୍ଵାନ । ସେ ଧାର୍ମିକ ସିନ୍ଧାନ୍ତ, ଆଚାର ଓ ବିଶ୍ଵାସ ଇତ୍ୟାଦିକୁ ପରୀକ୍ଷା କରିବା ପାଇଁ ତର୍କ ଏବଂ ଯୁକ୍ତି ପ୍ରୟୋଗ କରିଥିଲେ ଏବଂ ବିଭିନ୍ନ ବିଶ୍ଵାସର ଯାହାକିଛି ମୂଳଭିତ୍ତି, ତା’ ନିକଟରେ ପହଞ୍ଚି ପାରିଥିଲେ । ସେ ସମସ୍ତ ଧର୍ମର ମୂଳ ସତ୍ୟ ଉପରେ ବିଶ୍ଵାସ କଲାବେଳେ, ସେଥିରୁ ନିର୍ଯ୍ୟାସ ବାହାର କରି ନିଜର ମତ ପ୍ରସ୍ତୁତ କରିଥିଲେ । କାରଣ ତାଙ୍କର ମୌଳିକ ଲକ୍ଷ୍ୟ ଥିଲା, ହିନ୍ଦୁମାନଙ୍କର ଶୁଦ୍ଧଧର୍ମର ପୁନରୁତ୍‌ଥାନ । ସେ ଅଯୌକ୍ତିକ ପ୍ରଥା ପୂଜା-ପଦ୍ଧତି, ଉତ୍ସବ, ଅନୁଷ୍ଠାନବିଧି ଇତ୍ୟାଦିକୁ ପ୍ରକାଶ୍ୟ ଭାବେ ନିନ୍ଦାକରିବା ସଙ୍ଗେ ସଙ୍ଗେ ତାହାର ବିରୋଧ କରୁଥିଲେ । ଏପରିକି ପ୍ରତିମା ପୂଜା ଉପନିଷଦ ମତ ଅନୁଯାୟୀ ନୁହେଁ ବୋଲି ତାଙ୍କର ମତ ଥିଲା । ହିନ୍ଦୁମାନଙ୍କୁ ପ୍ରାଚୀନଧାରା ଅନୁସାରେ ଯାହା ବେଦରେ ବର୍ଣ୍ଣିତ ହୋଇଛି, ସେହି ଇଶ୍ଵରଙ୍କର ଏକତ୍ଵ ସଂପର୍କରେ ବହୁ ଆନୁଷ୍ଠାନିକ ବିଧିବ୍ୟବସ୍ଥାକୁ ନୂତନଭାବରେ ପ୍ରକାଶ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ପ୍ରାଚୀନ ଶାସ୍ତ୍ରାନୁମୋଦିତ ଭାବରେ ମନକୁ ନିଜ ଅଧିନ କରି ସ୍ଵାର୍ଥ ଓ ପ୍ରବଳ କାମ ଆବେଗ ଉପରେ ନିୟନ୍ତ୍ରଣ ପାଇବାକୁ କହିଥିଲେ । ଧାର୍ମିକ ଓ ସାମାଜିକ ପୁନର୍ଗଠନରେ ସ୍ଥିରତା ପାଇଁ ୧୮୨୮ ମସିହାରେ ବ୍ରାହ୍ମସମାଜ ପ୍ରତିଷ୍ଠା କରିଥିଲେ । ସେ କେବଳ ଅବକ୍ତ୍ୟ ବ୍ରହ୍ମର ଉପାସନା ପାଇଁ ଏହାକୁ ଉଦ୍ଦିଷ୍ଟ କରି, ମୂର୍ତ୍ତିପୂଜା, ବଳି ଇତ୍ୟାଦି ବିରୋଧରେ ସ୍ଵର–ଉତ୍ତୋଳନ କରିଥିଲେ ।

 

ବ୍ରାହ୍ମସମାଜର ଅତି ବୌଦ୍ଧିକ ଚିନ୍ତାଧାରା ଓ ଭିନ୍ନ ଉପାସନା ମାଧ୍ୟମ ବଙ୍ଗଳାର ଅନେକ ଉଚ୍ଚଶିକ୍ଷିତ ଯୁବକଙ୍କୁ ଆକୃଷ୍ଟ କରିଥିଲା ଏବଂ ମଧ୍ୟମବର୍ଗ ଉପରେ ଏହାର ପ୍ରଭାବ ପ୍ରତିଫଳିତ ହୋଇଥିଲା । ରାଜା ରାମମୋହନଙ୍କର ବିଲାତଯାତ୍ରା ଓ ୧୮୩୩ ମସିହାରେ ଦେହାବସାନ ହେତୁ ବ୍ରାହ୍ମସମାଜର ମିଶନାରୀ ଉତ୍ସାହ ଓ ସମ୍ମାନ ବ୍ୟାହତ ହୋଇଥିଲା । ପରବର୍ତ୍ତୀ ସମୟରେ ଦେବେନ୍ଦ୍ରନାଥ ଠାକୁର ଓ କେଶବଚନ୍ଦ୍ର ସେନ୍‌ଙ୍କର ଯୋଗଦାନ ସମାଜ ପାଇଁ ଜୀବନ ସୃଷ୍ଟି କରିଥିଲା ଏବଂ ଏହାର ପ୍ରସାର କଲିକତା ଭିନ୍ନ ଅନ୍ୟ ସ୍ଥାନକୁ, ଏପରିକି ବଙ୍ଗଳାର ବାହାରକୁ ଯାଇଥିଲା । ଅକ୍ଷୟ କୁମାର ଦତ୍ତଙ୍କ ସମ୍ପାଦନାରେ ଏକ ନୂତନ ପତ୍ରିକା ‘ତତ୍ତ୍ଵବୋଧିନୀ’ ପ୍ରକାଶିତ ହେଲା ।

 

ଏହି ସମୟରେ ବ୍ରାହ୍ମ ସମାଜରେ ମଧ୍ୟ ବିଭାଜନ ଘଟିଲା । କେଶବ ଚନ୍ଦ୍ର ସେନ୍‍ଙ୍କ ନେତୃତ୍ଵରେ ଯେଉଁ ସମାଜ ଗଠନ ହେଲା, ତାର ନାମ ଭାରତବର୍ଷୀୟ ବ୍ରାହ୍ମସମାଜ ବା ‘ବ୍ରାହ୍ମ ସମାଜ ଅଫ୍‌ ଇଣ୍ଡିଆ’ ରଖାଗଲା । ମୂଳ ସମାଜ ଆଦି ବ୍ରାହ୍ମସମାଜ ନାମରେ ରହିଲା । ଦେବେନ୍ଦ୍ରନାଥ ଠାକୁର ଧର୍ମର ବୌଦ୍ଧକତା ପ୍ରତି ଆକୃଷ୍ଟ ହୋଇ ‘ବେଦ’ କୁ ଅସ୍ଵୀକାର କଲେ । ସେ “ମଣିଷ ନିଜ ଆଧ୍ୟାତ୍ମିକ ଶକ୍ତିର ବିକାଶ କରି ନିଜ ସ୍ଵରୂପକୁ ଚିହ୍ନିବ” ଏହା ଉପରେ ଗୁରୁତ୍ଵ ଦେଲେ-

 

କେଶବ ଚନ୍ଦ୍ର ସେନ୍‍ ଖ୍ରୀଷ୍ଟଧର୍ମର ଆଦର୍ଶ ଦ୍ଵାରା ବିଶେଷ ପ୍ରଭାବିତ ହୋଇଥିଲେ । ବିଶେଷ କରି ଯୀଶୁ ଖ୍ରୀଷ୍ଟଙ୍କର ବ୍ୟକ୍ତତ୍ଵ । ସେ ତେଣୁ ହିନ୍ଦୁ ଧର୍ମ ଠାରୁ ସମ୍ପୂର୍ଣ୍ଣ ପୃଥକ୍‍ ହୋଇ ବ୍ରାହ୍ମଧର୍ମର ପ୍ରତିଷ୍ଠା କଲେ, ଯାହାର ମୂଳଲକ୍ଷ୍ୟ ସାର୍ବଜନୀନ ଭାବଧାରା, ସମସ୍ତ ଧର୍ମର ନିର୍ଯ୍ୟାସ ଥିଲା । ପରବର୍ତ୍ତୀ ସମୟରେ ସେ ବୈଷ୍ଣବ ଧର୍ମାବଲମ୍ବୀଙ୍କ ଭକ୍ତିଭାବର ପ୍ରଭାବରେ ପ୍ରଭାବିତ ହୋଇଥିଲେ । ସ୍ଵରୂପ ଏବଂ ଆତ୍ମ- ଅବରୋଧ ଏବଂ ହିନ୍ଦୁଧର୍ମର ଅବତାର- ତତ୍ତ୍ଵକୁ ଗ୍ରହଣକରି ପରିପ୍ରକାଶ ଧର୍ମର ମୂଳଉତ୍ସ ଭାବରେ ନେଲେ । ଜୀବାତ୍ମା ଓ ପରମାତ୍ମାର ମିଳନ ସମ୍ଭବ ଅଟେ – ଏହି ବିଶ୍ଵାସ ବା ଧର୍ମମତର ବର୍ଦ୍ଦିଷ୍ଣୁତା ଯୋଗୁ ଅନେକେ ଏହାର ବିରୋଧ କରିବାକୁ ଲାଗିଲେ । କ୍ରମଶଃ ତାଙ୍କର ସଂସ୍କାର ଜୋର୍‌ରେ ଭଟ୍ଟା ପଡ଼ିଗଲା, ଯେତେବେଳେ ସେ ନିଜ ଝିଅର ବିବାହ କୁଚବିହାରର ଯୁବ ମହାରାଜାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ଅନୁଷ୍ଠିତ କରାଇଲେ । ଏହା ୧୮୭୮ ମସିହାର ଘଟଣା । ଫଳରେ ବ୍ରାହ୍ମସମାଜ ପୁଣି ଥରେ ବିଭାଜନ ହେଲା ଏବଂ ‘ସାଧାରଣ ବ୍ରାହ୍ମସମାଜ’ ଭାବେ ପରିଚିତ ହେଲା । ସାଧାରଣ ବ୍ରାହ୍ମ ସମାଜର ସଭ୍ୟମାନେ ଦେଶପ୍ରେମ ରୂପକ ରାଜନୈତିକ ଆନ୍ଦୋଳନରେ ଯୋଗ ଦେଇଥିଲେ ।

 

କେଶବଚନ୍ଦ୍ର ‘ନବବିଧାନ’ ନାମରେ ଅନ୍ୟ ଏକ ସଂସ୍ଥା ଆରମ୍ଭ କଲେ । ଏଥିରେ ଖ୍ରୀଷ୍ଟଧର୍ମ ଓ ହିନ୍ଦୁଧର୍ମର ଆଦର୍ଶକୁ ଗ୍ରହଣ କରାଗଲା ଏବଂ ଜୀବତ୍ମା ଓ ପରମାତ୍ମା ଧର୍ମମତ ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରାଗଲା । ସେହି ସମୟରେ ବଙ୍କିମଚନ୍ଦ୍ର ଚାଟାର୍ଜିଙ୍କ ପ୍ରଭାବ ଫଳରେ ହିନ୍ଦୁଧର୍ମର ମୂଳରୂପ ପୁରାତନ ସନ୍ନ୍ୟାସୀ ସଂପ୍ରଦାୟ ଉପରେ ଗୁରୁତ୍ଵ ଆରୋପ ହୋଇ ତାର ପୁନରୁତ୍‌ଥାନ ଆରମ୍ଭ ହେଲା । ସେଥିରେ ଥିଲା ଦେଶାତ୍ମବୋଧୀ ଭାବନା ଏବଂ ବିଦେଶୀ ଶାସନ ଓ ତା ପ୍ରଭାବରୁ ମୁକ୍ତ ହେବାର ପ୍ରଚେଷ୍ଠା । ଅନ୍ୟ ଏକ ବିଶିଷ୍ଟ ବ୍ୟକ୍ତିଙ୍କର ସମାଜ ଉପରେ ପ୍ରଭାବ ପ୍ରତିଫଳିତ ହୋଇଥିଲା । ସେ ଥିଲେ ପଣ୍ଡିତ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର । ପଣ୍ଡିତ ଈଶ୍ଵରଚନ୍ଦ୍ର ସଂସ୍କୃତରେ ଥିଲେ ବିଶିଷ୍ଠ ଗବେଷକ ଓ ଜଣେ ପ୍ରସିଦ୍ଧ ସମାଜ ସଂସ୍କାରକ । ସେ ସମାଜ ବ୍ୟବସ୍ଥାରେ ଚଳୁଥିବା ବହୁ ବିବାହ, ବାଲ୍ୟ ବିବାହ ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ ଏବଂ ବିଧବା ବିବାହ ସପକ୍ଷରେ ଥିଲେ । ତାଙ୍କ ସମୟରେ ସଂସ୍କୃତ ମହାବିଦ୍ୟାଳୟରେ ସେ ଇଂରାଜୀ ଭାଷାର ପ୍ରଚଳନ କରିଥିଲେ । ତାଙ୍କର ମତ ଥିଲା ସାଂଖ୍ୟ ଓ ବେଦାନ୍ତ ଦର୍ଶନର ପାରମ୍ପରିକ ଭାବଧାରା ସହିତ ପାଶ୍ଚାତ୍ୟ ଦର୍ଶନ ଭାବଧାରାର ସମ୍ମିଶ୍ରଣ ଘଟୁ।

 

ସେହି ସମୟରେ ବଙ୍ଗଳାରେ ଶ୍ରୀ ରାମକୃଷ୍ଣ ପରମହଂସଙ୍କର ଆବିର୍ଭାବ ଘଟିଥିଲା । ଶ୍ରୀ ରାମକୃଷ୍ଣ ଲେଖାପଢ଼ା ରହିତ ହୋଇ ଦକ୍ଷିଣେଶ୍ୱର କାଳୀ ମନ୍ଦିରର ପାରମ୍ପରିକ ପୂଜକ ଥିଲେ । ତାଙ୍କର ଜୀବନ ଥିଲା ପବିତ୍ର ଓ ଏକନିଷ୍ଠ । ସେ ହିନ୍ଦୁଧର୍ମର ବିଭିନ୍ନ ଶାଖା ସହିତ ପରିଚିତ ଥିଲେ । ତାଙ୍କ ଗୁଣର ମହକରେ ଆକୃଷ୍ଟ ହୋଇ ସେହି ସମୟରେ ଅନେକ ବୁଦ୍ଧିଜୀବୀ ତାଙ୍କ ବାଣୀ ଶୁଣିବାକୁ ସେଠାକୁ ଆସୁଥିଲେ । ତାଙ୍କର ଈଶ୍ଵର ଅପରୋକ୍ଷାନୁଭୂତି ତାଙ୍କୁ ଅନ୍ୟ ଅନେକ ଧାର୍ମକ ସାଧୁସନ୍ଥମାନଙ୍କଠାରୁ ପୃଥକ୍‍ କରି ଚିହ୍ନିତ କରୁଥିଲା । ସେ ସମସ୍ତ ଧାର୍ମିକ ଭାବନାର ସହିଷ୍ଣୁତା, ଆତ୍ମଶ୍ଳାଘାରୂପକ ଅହଂର ସମ୍ପୂଣ୍ଣ ତ୍ୟାଗର ଅନୁଭୂତ ରୂପ ଏବଂ ସମଗ୍ର ମାନବ ଜାତି ପାଇଁ ପ୍ରେମ ଓ ଦୟାର ମୂର୍ତ୍ତିମାନ୍‍ ପ୍ରତୀକ ଥିଲେ । ଏହି କାରଣରୁ ସେ ସମସ୍ତ ଧାର୍ମିକ ସଂସ୍କାରକମାନଙ୍କ ମଧ୍ୟରେ ଥିଲେ ଅଗ୍ରଗଣ୍ୟ ।

 

ଊନବିଂଶ ଶତାବ୍ଦୀରେ ଭାରତର ଧର୍ମ ସମାଜ ଓ ଜୀବନ ଉପରେ ପାଶ୍ଚାତ୍ୟ ଚିନ୍ତାଧାରାର ପ୍ରଭାବ, ଖ୍ରୀଷ୍ଟିୟାନ୍‍ ମିଶନାରୀ ମାନଙ୍କର ପ୍ରଚାର ଓ ବ୍ରିଟିଶ ସାମ୍ରାଜ୍ୟବାଦର ରାଜନୈତିକ ଚାପ ଏତେ ବେଶୀ ତୀବ୍ର ହୋଇଉଠିଥିଲା, ଯାହା ଫଳରେ ନିଜର ଜାତୀୟତା ଓ ଜାତୀୟ ସଂସ୍କୃତିକୁ ରକ୍ଷାକରିବା ପାଇଁ ଭାରତୀୟମାନେ ପ୍ରଚଣ୍ଡ ଭାବରେ ଜାଗ୍ରତ ହେଲେ ଏବଂ ଦେଶରେ ଦେଖାଦେଇଥିବା କୁସଂସ୍କାରକୁ ଦୂରକରିବା ନିମିତ୍ତ ସଂସ୍କାର ପାଇଁ ବ୍ୟଗ୍ର ହୋଇଉଠିଲେ-

 

ରାଜା ରାମମୋହନ ରାୟ ଓ ଦେବେନ୍ଦ୍ର ନାଥ ଠାକୁରଙ୍କ ଧର୍ମପ୍ରତି ଏକ ବୌଦ୍ଧିକ ଓ ଯୁକ୍ତିନିଷ୍ଠ ମନୋଭାବ, କେଶବଚନ୍ଦ୍ର ସେନ୍‍ଙ୍କର ଜୀବତ୍ମା ଓ ପରମାତ୍ମାଙ୍କର ଏକାତ୍ମତା ଓ ଆବେଗପ୍ରବଣତା, ସାଧାରଣ ବ୍ରାହ୍ମସମାଜର ସାମାଜିକ ସଂସ୍କାରବାଦୀ ଭୂମିକା, ମହାରାଷ୍ଟ୍ରରେ ଫୁଲେ-କାର୍ଭେ-ରାନାଡ଼େଙ୍କର ସମାଜ ପ୍ରତି ଅବଦାନ, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଦ୍ଵାରା ପୁନଜାର୍ଗରଣ ଓ ଦେଶାତ୍ମବୋଧ ପ୍ରକ୍ରିୟା ପଞ୍ଜାବରେ ଆର୍ଯ୍ୟ ସମାଜର ଅବଦାନ ଓ ସର୍ବୋପରି ଅତି ସରଳ ଓ ସହଜ ତତ୍ତ୍ଵ ଧର୍ମକୁ ଅପରୋକ୍ଷାନୁଭୂତି କରି ତ୍ୟାଗ ଓ ସାର୍ବଜନୀନ ପ୍ରେମକୁ ଜୀବନରେ ସାକାର ରୂପଦେଇ ତାର ପ୍ରଚାର କରିବାର ଭୂମିକାରେ ଶ୍ରୀ ରାମକୃଷ୍ଣ ପରମହଂସ ସେହି ସମୟର ସମାଜ ବ୍ୟବସ୍ଥା ଉପରେ ଏବଂ ମଣିଷର ମନ ଉପରେ ଗଭୀର ପ୍ରଭାବ ପକାଇବାକୁ ସମର୍ଥ ହୋଇଗଲେ-। ଊନବିଂଶ ଶତାବ୍ଦୀର ଭାରତରେ ପ୍ରଚଣ୍ଡ ସଂସ୍କାରବାଦ, ଗଭୀର ଦେଶାତ୍ମାବୋଧ ଏବଂ ଭାରତର ଜାତୀୟ ଆଦର୍ଶ ଓ ସଂସ୍କୃତି ପ୍ରତି ଏକନିଷ୍ଠତା ଜାତୀୟ ଆନ୍ଦୋଳନ ଗଢ଼ି ତୋଳିବାର ଭିତ୍ତିଭୂମି ହୋଇ ଉଠିଥିଲା ।

 

ଏହି ସମୟରେ ଭାରତର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଉଠିଥିଲା । ଭାରତରେ ଗ୍ରାମ କାରିଗର ହସ୍ତଶିଳ୍ପୀମାନଙ୍କର ଜୀବନଧାରଣ ମାନ ହ୍ରାସ ଏବଂ ଗ୍ରାମ-କୃଷକ ସର୍ବହରା ସ୍ତରକୁ ଖସିଯିବା ଦ୍ଵାରା ଅର୍ଥନୌତିକ ଦୂରବସ୍ଥା, ବାରମ୍ବାର ଦୁର୍ଭିକ୍ଷହେତୁ ବହୁ ଜନଜୀବନ ନଷ୍ଟ ଓ ଦାରିଦ୍ର୍ୟ ଭାରତୀୟ ଜୀବନ ଧାରାର ଅଂଶ ହୋଇଯାଇଥିଲା । ଭାରତୀୟ ଜୀବନର ଏହି ଦୁଃଖପୂର୍ଣ୍ଣ ପରିସ୍ଥିତି ବ୍ରିଟିଶ ଉପନିବେଶବାଦ ହେତୁ ହିଁ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ଇଂରାଜୀ ଶିକ୍ଷାପ୍ରାପ୍ତ ନବ୍ୟ ଶିକ୍ଷିତମାନଙ୍କ ଉପରେ ପଡ଼ିବାକୁ ଆରମ୍ଭ କରିଥିଲା । ସେମାନେ କେବଳ ଭାରତର ଧାର୍ମିକ, ସାଂସ୍କୃତିକ ପରମ୍ପରା ପ୍ରତି ସଚେତନ ନଥିଲେ, ସେମାନଙ୍କ ଆଖି ଆଗରେ ଦେଶରେ ଅର୍ଥନୈତିକ ବିପର୍ଯ୍ୟୟ ବ୍ରିଟିଶ ଶାସନ କାରଣରୁ ହୋଇଥିବା ଯୋଗୁ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବାର ଆବଶ୍ୟକତା ଥିଲା ।

 

ଏହିପରି ଏକ ଧାର୍ମିକ ଚେତନା, ସଂସ୍କାର ଓ ଦେଶାତ୍ମବୋଧର ପରିବେଶ ମଧ୍ୟରେ ନରେନ୍ଦ୍ରନାଥ ଓରଫ୍‌ ସ୍ଵାମୀବିବେକାନନ୍ଦଙ୍କର ଜନ୍ମ ଓ ଜୀବନ ଗଠନ ।

Image

 

ବାଲ୍ୟ ଜୀବନ

 

ନରେନ୍ଦ୍ରନାଥ ବା ସ୍ଵାମୀବିବେକାନନ୍ଦ, ଯେଉଁ ନାମରେ ସେ ସମଗ୍ର ବିଶ୍ଵ ସମ୍ମୁଖରେ ପରିଚିତ ହେଲେ, କଲିକତାର ସିମୁଳିଆ ପଲ୍ଲୀ ଗ୍ରାମରେ ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ପିତା ବିଶ୍ଵନାଥ ଦତ୍ତ ମାତା ଭୁବନେଶ୍ଵରୀ ଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ଚାରିଗୋଟି କନ୍ୟା ସନ୍ତାନ ପରେ ଏକ ପୁତ୍ର ସନ୍ତାନ କାମନା କରି ଭୁବନେଶ୍ଵରୀ ଦେବୀ ପ୍ରତ୍ୟହ ଶିବ ଉପାସନା କରୁଥିଲେ ଓ ତାଙ୍କର ଆରାଧ୍ୟ ଥିଲେ କାଶୀର ବୀରେଶ୍ଵର ଶିବ । ବୀରେଶ୍ଵରଙ୍କ କୃପାରୁ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥିବା ହେତୁ ପୁତ୍ରଟିର ନାମକରଣ ହେଲା ବୀରେଶ୍ଵର । ଘରେ ଶ୍ରଦ୍ଧାରେ ଡ଼ାକିଲେ ବିଲେ ଓ ଅନ୍ନପ୍ରାସନ୍ନ ସମୟରେ ନାମ ରଖାଗଲା ନରେନ୍ଦ୍ରନାଥ ବା ନରେନ୍‌ ।

 

ତାଙ୍କର ପ୍ରପିତାମହ ରାମମୋହନ ଦତ୍ତ ଇଷ୍ଟ୍‍ଇଣ୍ଡିଆ କମ୍ପାନୀର ଜଣେ ଆଇନଜ୍ଞ ପାଖରେ କିରାନୀ ଭାବରେ କାର୍ଯ୍ୟକରି ଅମାପ ସମ୍ପତ୍ତିର ଅଧିକାରୀ ହୋଇପାରିଥିଲେ । ଗୌରମୋହନ ମୁଖାର୍ଜୀ ଗଳିରେ ଥିବା ବିରାଟ ଅଟ୍ଟାଳିକାରେ ନରେନ୍ଦ୍ର ନାଥଙ୍କର ଜନ୍ମ । ନରେନ୍ଦ୍ରଙ୍କର ପିତାମହ ଦୁର୍ଗାଚରଣ ଦତ୍ତ ତାଙ୍କ ପିତାଙ୍କର ପଦାଙ୍କ ଅନୁଶରଣ କରି ନଥିଲେ । ସେ ପାର୍ଶୀ ଓ ସଂସ୍କୃତ ଭାଷାରେ ପଣ୍ଡିତ ଥିଲେ ଏବଂ ତାଙ୍କ ପିତାଙ୍କ ପରି ଆଇନ ଶାସ୍ତ୍ରରେ ଦକ୍ଷତା ଲାଭ କରିଥିଲେ । କିନ୍ତୁ ତାଙ୍କୁ ସଂସାର ଭଲ ଲାଗୁ ନଥିବାରୁ ପଚିଶ ବର୍ଷ ବୟସରେ ସଂସାର ତ୍ୟାଗକରି ସନ୍ନ୍ୟାସୀ ହୋଇ ଯାଇଥିଲେ । ସେତେବେଳେକୁ ତାଙ୍କର ଏକମାତ୍ର ପୁତ୍ର ବିଶ୍ଵନାଥଙ୍କର ଜନ୍ମ ହୋଇଥିଲା । ସେ ସନ୍ନ୍ୟାସ ନେବା ପରେ ପରିବାରକୁ ଫେରି ନଥିଲେ ।

 

ଦୁର୍ଗାଚରଣଙ୍କ ପୁତ୍ର ବିଶ୍ଵନାଥ ତାଙ୍କ ପିତାଙ୍କ ନିର୍ମିତ ସେହି ବିଶାଳକାୟ ପ୍ରାସାଦରେ ମା ଓ କକାମାନଙ୍କ ଦ୍ଵାରା ଳାଳିତପାଳିତ ହୋଇଥିଲେ । ତାଙ୍କ ପିତାଙ୍କ ପରି ସେ ସନ୍ନ୍ୟାସୀ ହେବାର କୌଣସି ଲକ୍ଷଣ ପ୍ରକାଶ କରି ନଥିଲେ; ବରଂ ପ୍ରପିତାମହଙ୍କର କୌଳିକ ବ୍ୟବସାୟ ଆଇନ୍‍କୁ ଜୀବିକାଭାବେ ଗ୍ରହଣକରି କଲିକତା ହାଇକୋର୍ଟରେ ଓକିଲଭାବେ ଯୋଗ ଦେଇଥିଲେ । ସେ ଓକିଲାତିରେ ବେଶ୍ କିଛି ଉପାର୍ଜନ କରିବାକୁ ସକ୍ଷମ ହୋଇପାରିଥିଲେ ।

 

ବିଶ୍ଵନାଥ ସେହି ସମୟଦ୍ଵାରା ପ୍ରଭାବିତ ହୋଇଥିବା ହେତୁ ସେ ପାରମ୍ପାରିକ ହିନ୍ଦୁ ରକ୍ଷଣଶୀଳ ନଥିଲେ । ସେ ପାଶ୍ଚାତ୍ୟ ସାହିତ୍ୟର ଗଭୀର ଅଧ୍ୟୟନ କରିଥିଲେ । ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଉଦାର । ସେ ବାଇବେଲ୍ ପଢ଼ିଥିଲେ ଓ ପାର୍ଶୀକବି ହ୍ଵାଫିଜ୍‌ଙ୍କର କବିତା ପଢ଼ିବାରେ ଆନନ୍ଦ ଲାଭ କରୁଥିଲେ । ସେ ସଙ୍ଗୀତରେ ଅଭିରୂଚୀ ରଖିଥିଲେ । ତାଙ୍କର ସ୍ଵର ଥିଲା ମଧୁର । ସେହି ହେତୁ ସେ ନରେନ୍ଦ୍ରଙ୍କର ଶିକ୍ଷା ପାଇଁ ଶାସ୍ତ୍ରୀୟ ଓ ଯନ୍ତ୍ର ସଙ୍ଗୀତ ଶିକ୍ଷା ଦେବାର ବ୍ୟବସ୍ଥା କରି ଅହମଦ୍‌ ଖାନ୍‌ ଓ ବାଣୀ ଗୁପ୍ତା ନାମକ ସଙ୍ଗୀତ ଶିକ୍ଷକମାନଙ୍କୁ ନିଯୁକ୍ତ କରିଥିଲେ । ବିଶ୍ଵାନାଥଙ୍କର ଉଦାରବାଦୀ ଦୃଷ୍ଟିକୋଣ ଯୋଗୁ ନରେନ୍ଦ୍ରାନାଥଙ୍କ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଜ୍ଞାନର ବିକାଶ ଘଟିଥିଲା-। ସେ ନରେନ୍ଦ୍ରଙ୍କର ମୁକ୍ତବିଚାର ଯୁକ୍ତିନିଷ୍ଠତା, ସ୍ପଷ୍ଟବାଦିତା ଓ ମାନବିକ ଭାଵବନାର ଆବିଭୃଦ୍ଧି ଘଟାଇବା ପାଇଁ ଉତ୍ସାହ ପ୍ରଦାନ କରୁଥିଲେ ।

 

ତାଙ୍କର ଆୟ ଥିଲା ଅମାପ । ଫଳରେ ନରେନ୍ଦ୍ର ବହୁ ସ୍ଵାଚ୍ଛନ୍ଦ୍ୟରେ ବଢ଼ି ପାରିଥିଲେ । କିନ୍ତୁ ବିଶ୍ଵନାଥ ମିତବ୍ୟୟୀ ନଥିଲେ । ତାଙ୍କର ଆୟ ଦୁଃଖୀ ଦରିଦ୍ରଙ୍କ ପାଇଁ ଦାନରେ ଖର୍ଚ୍ଚ ହୋଇଯାଉଥିଲା । ସେ ଆଦୌ ଭବିଷ୍ୟତ ପ୍ରତି ଦୃଷ୍ଟ ଦେଉ ନଥିଲେ । ଏହାହିଁ ନରେନ୍ଦ୍ରନାଥଙ୍କ ଜୀବନ ଉପରେ ହଠାତ୍‌ ବିଶ୍ଵନାଥଙ୍କ ବୟୋଗରେ ପ୍ରଭାବ ପକାଇଥିଲା । ସେ ବି.ଏ. ପରୀକ୍ଷା ଦେବା ସମୟରେ ବିଶ୍ଵନାଥ ଦତ୍ତଙ୍କର ଅକାଳ ବିୟୋଗ ଘଟିଥିଲା ।

 

ବିଶ୍ଵନାଥଙ୍କର ପତ୍ନୀ ଭୁବେନେଶ୍ଵରୀ ଦେବୀ ପାରମ୍ପରିକ ହିନ୍ଦୁ ସମାଜର ନାରୀ ଥିବା ଯୋଗୁ ପରିବାର ଭିତରେ ଧର୍ମକୁ ଜାଗରିତ କରି ରଖିଥିଲେ । ତେଣୁ ପୁଅ ନରେନ୍ ପିଲା ବୟସରୁ ରାମାୟଣ ଓ ମହାଭାରତର ଗପଗୁଡ଼ିକ ମା’ଙ୍କ ନିକଟରୁ ଶୁଣି ହିନ୍ଦୁଧର୍ମ ଓ ସଂସ୍କୃତିର ମୂଳ ସହିତ ପରିଚିତ ହୋଇଥିଲେ । ନରେନ୍‌ ପରମ୍ପରା ଓ ଆଧୁନିକତାର ପରିବେଶ ମଧ୍ୟରେ ଗଢ଼ିଉଠିଥିଲା । ତାହାହିଁ ତାଙ୍କ ପରବର୍ତ୍ତୀ ଜୀବନର ଲକ୍ଷ୍ୟ ହୋଇଥିଲା । ସେ ପରମ୍ପରା ଓ ଆଧୁନିକତାର ସମ୍ମିଶ୍ରଣ କରିବାକୁ ସକ୍ଷମ ହୋଇଥିଲେ ।

 

ଅନ୍ୟାନ୍ୟ ଚଳଅଞ୍ଚଳ, କ୍ଷିପ୍ରମନା ଓ ସ୍ଵାସ୍ଥ୍ୟବାନ ଯୁବକମାନଙ୍କପରି ନରେନ୍‌ ଯୁବକ ଅବସ୍ଥାରେ ତାଙ୍କର ସହପାଠୀମାନଙ୍କ ନିକଟରେ ନିଜକୁ ନେତାଭାବରେ ପ୍ରତିଷ୍ଠା କରିବାର ଅଭିଳାଷ ରଖି ପ୍ରଶଂସାକୁ ଭଲ ପାଉଥିଲେ ଏବଂ ତାଙ୍କ ଚାରିକଡ଼ରେ ଥିବା ପୃଥିବୀକୁ ଗଭୀର ଅନ୍ତର୍ଦୃଷ୍ଟି ଦେଇ ନିରୀକ୍ଷଣ କରୁଥିଲେ । ସେ ଜୀବନର ସରସତା ବୃଦ୍ଧି କରିବାରେ ବିଶ୍ଵାସ କରି ଡ୍ରାମା କରିବା, କସରତ କରିବା ସହିତ ମ୍ୟାଜିକ ସୋ ଇତ୍ୟାଦି କରୁଥିଲେ ଏବଂ କଲିକତାର ବିଭିନ୍ନ ସ୍ଥାନ ଦେଖିବାକୁ ଭଲ ପାଉଥିଲେ । କେତେବେଳେ କୌଣସି ବାଗ ବଗିଚା, କେବେକେବେ ମ୍ୟୁଜିୟମ ଏବଂ ଅନ୍ୟକେବେ ବିଭିନ୍ନ ଭଗ୍ନାବଶେଷ ବା ମନ୍ୟୁମେଣ୍ଟ । ତାଙ୍କ ବୟସର ଅନ୍ୟ ପିଲାଙ୍କଠାରୁ ସେ ଥିଲେ ଏକ ବ୍ୟତିକ୍ରମ । ସେ ଧ୍ୟାନ କରିବାକୁ ଭଲ ପାଉଥିଲେ ଓ ଏହି ଧ୍ୟାନ କରିବା ସମୟରେ ନିଜକୁ ସମ୍ପୂର୍ଣ୍ଣଭାବେ ଆତ୍ମମଗ୍ନ କରି ପକାଉଥିଲେ । ତାଙ୍କର ଧ୍ୟାନ କରିବା ଅନ୍ତର୍ନିହିତ ଗୁଣ ଥିଲା ।

 

ଥରେ ସେ ତାଙ୍କର ଖେଳସାଥିମାନଙ୍କ ସହିତ ଏହି ଧ୍ୟାନଖେଳ ଖେଳିବା ଅବସରରେ ଗୋଟିଏ ବିଶଧର ନାଗସାପ ଦେଖା ଦେଲା । ତାଙ୍କର ଖେଳ ସାଥିମାନେ ଭୟଭୀତ ହୋଇ ଯେ ଯେଉଁଆଡ଼େ ଦୌଡ଼ି ପଳାଇଗଲେ ଏବଂ ନରେନ୍‍ଙ୍କୁ ସତର୍କବାଣୀ ଶୁଣାଇଦେଇ ଗଲେ । ନରେନ୍‌ ସେମାନଙ୍କର କଥା ଆଦୌ ଶୁଣିପାରି ନଥିଲେ ଓ ସେହିପରି ଧ୍ୟାନସ୍ଥ ଅବସ୍ଥାରେ ବସି ରହିଥିଲେ । ସେହି ସାପଟି କିଛିସମୟ ସେଠାରେ ବୁଲି ଅନ୍ତର୍ହିତ ହୋଇଯାଇଥିଲା । ନରେନ୍‌ଙ୍କର କୌଣସି କ୍ଷତି କଲା ନାହିଁ ।

 

କାହିଁକି ସେ ଦୌଡ଼ିପଳାଇଲେ ନାହିଁ, ତାଙ୍କ ପିତାମାତାଙ୍କର ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନରେନ୍‌ କହିଥିଲେ, “ମୁଁ ସାପ ବିଷୟରେ ବା ଅନ୍ୟକିଛି ସମ୍ପର୍କରେ ଜାଣିପାରିଲି ନାହିଁ । ମୁଁ ଏକ ବର୍ଣ୍ଣନାତୀତ ଅନୁଭୂତିକୁ ଅନୁଭବ କରୁଥିଲି ।” ତାଙ୍କର ଏ ପ୍ରକାର ଏକାଗ୍ରତାର ଶକ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ପ୍ରଚଣ୍ଡ ସ୍ମରଣଶକ୍ତି ପ୍ରଦାନ କରିଥିଲା, ଯାହା ଫଳରେ ସେ ଯାହା ଅଧ୍ୟୟନ କରୁଥିଲେ, ସେହି ବହିର ଶହ ଶହ ପୃଷ୍ଠା ଖୁବ୍‌ କମ୍‌ ସମୟରେ ମନେରଖି ପାରୁଥିଲେ, ଯଦିଓ ସାଧାରଣ ମଣିଷମାନଙ୍କ ନିମିତ୍ତ ଏହା ଅସମ୍ଭବ ଥିଲା । ତାଙ୍କ ଭିତରେ ଥିବା ଏହି ଗୁଣକୁ ନରେନ୍‌ ନିଜେ ଜାଣିପାରିଥିଲେ । ସେ ନିଜ ସମ୍ପର୍କରେ ଏହି ବିଷୟରେ ଏକଦା କହିଥିଲେ–

 

“ପ୍ରବେଶୀକା ପରୀକ୍ଷାରେ ୨/୩ ଦିନ ପୂର୍ବରୁ, ମୁଁ ଦେଖିଲି ଯେ ଜ୍ୟାମିତି ସମ୍ପର୍କରେ ମୁଁ କିଛି ଜାଣେନାହିଁ । ତା’ ପରେ ମୁଁ ସେହି ବିଷୟକୁ ପଢ଼ିବାକୁ ଆରମ୍ଭ କଲି । ରାତିସାରା ଅନିଦ୍ରା ରହି ପଢ଼ିଲି ଏବଂ ଚବିଶି ଘଣ୍ଟା ମଧ୍ୟରେ ମୁଁ ଜ୍ୟାମିତିର ଚାରିଗୋଟି ବହି ସାଦ୍ଧ କରିପାରିଲି । ଏପରି ହେଲା ଯେ ମୁଁ କୌଣସି ବହିର ଲେଖକଙ୍କର ଲେଖାକୁ ଧାଡ଼ିକୁ ଧାଡ଼ି ନ ପଢ଼ି ବୁଝିପାରେ । ମୁଁ ବହିର କେବଳ ପ୍ରଥମ ଓ ଶେଷ ପାରାଗ୍ରାଫ୍ ପଢ଼ି ବହିକୁ ସମ୍ପୂର୍ଣ୍ଣ ବୁଝିଯାଏ । ଯେତେବେଳେ ମୋ’ଠାରେ ଏପରି ଶକ୍ତି ବୃଦ୍ଧି ହେଲା, ମୁଁ ଦେଖିଲି ଯେ ପାରାଗ୍ରାଫ୍ ପଢ଼ିବାରେ ମଧ୍ୟ କୌଣସି ଆବଶ୍ୟକତା ନାହିଁ । ମୁଁ ବହିର ପ୍ରଥମ ଓ ଶେଷଧାଡ଼ି ପଢ଼ି ବହିକୁ ବୁଝିପାରେ । ପୁନଶ୍ଚ ଯେଉଁଠାରେ ଲେଖକ କୌଣସି ବିଷୟ ବୁଝାଇବାକୁ ଉପଦୋ୍ଘାତ ଲେଖିଥାନ୍ତି ଏବଂ ତାଙ୍କୁ ସେହି କଥା ବୁଝାଇବାକୁ ଚାରି, ପାଞ୍ଚ ବା ତଦୁର୍ଦ୍ଧ ଅଧିକ ପୃଷ୍ଠା ଲାଗିଥାଏ, କେବଳ ପ୍ରଥମ କେତେଗୁଡ଼ିଏ ଧାଡ଼ି ପଢ଼ି ମୁଁ ତାଙ୍କ ଯୁକ୍ତିର ସମୁଦାୟ ଭାବନାକୁ ବୁଝିପାରେ ।”

 

ଧ୍ୟାନ ଖେଳ ଖେଳିବା ସମୟରେ ସେ ପ୍ରକୃତ ଧ୍ୟାନସ୍ଥ ହୋଇଯାଉଥିଲେ ଏବଂ ନିଜକୁ ସଂଯତ କରିବା କଠିନ ବୋଲି ଅନୁଭବ କରୁଥିଲେ, ଯଦିଓ ଏ ସଂସାରରେ ରହିବାକୁ ହେଲେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଜାଣିଥିଲେ । ଏଥିରୁ ଯୁବକ ନରେନ୍ଦ୍ରନାଥଙ୍କ ଭିତରେ ଦିବ୍ୟଦ୍ରଷ୍ଟା ସନ୍ନ୍ୟାସୀ ବିଦ୍ୟମାନ ରହିଥିଲେ ବୋଲି ଅନୁମାନ କରାଯାଇପାରେ ।

 

ବାଲ୍ୟକାଳରୁ ସନ୍ନ୍ୟାସ ଜୀବନ ପାଇଁ ନରେନ୍ଦ୍ରଙ୍କର ଆଗ୍ରହ ପରିଲକ୍ଷିତ ହୋଇଥିଲା । କୌଣସି ଏକ ସାଧୁ ତାଙ୍କ ଗୃହଦ୍ଵାରକୁ ଆସିବା ମାତ୍ରେ, ସେ ଆନନ୍ଦିତ ହୋଉଥିଲେ ଏବଂ ହାତରେ ଯାହା ପାଉଥିଲେ, ତାକୁ ଆଣି ଭିକ୍ଷା ଦେଉଥିଲେ । ଫଳରେ ଘର ଲୋକେ ତାଙ୍କୁ ସନ୍ନ୍ୟାସୀ ଆସିବା ମାତ୍ରେ ଘରେ କବାଟଦେଇ ବନ୍ଦକରି ଦେଉଥିଲେ । ତଥାପି ତାଙ୍କୁ ଏ କାର୍ଯ୍ୟକୁ ନିବୃତ୍ତ କରାଯାଇପାରୁ ନ ଥିଲା । ସେ ଝରକାଦେଇ ସନ୍ନ୍ୟାସୀଙ୍କ ନିକଟକୁ ହାତରେ ଯାହା ପାଉଥିଲେ, ଫିଙ୍ଗି ଦେଉଥିଲେ । ସେ ପିଲା ଦିନରୁ ତାଙ୍କ ବୁଢ଼ାବାପା ସନ୍ନ୍ୟାସ ଗ୍ରହଣ କରି ଚାଲିଯାଇଥିବାର କଥା ଶୁଣିଥିଲେ ଏବଂ ସନ୍ନ୍ୟାସୀଙ୍କୁ ଦେଖିବା ମାତ୍ରେ ତାଙ୍କ ମାଆଙ୍କର ଭାବାବେଶ ଭାଙ୍ଗିପଡ଼ୁଥିବାର ସେ ଲକ୍ଷ୍ୟ କରୁଥିଲେ । ନରେନ୍‌ କେବେକେବେ ତାଙ୍କ ସାଙ୍ଗମାନଙ୍କୁ ସେ ସନ୍ନ୍ୟାସୀ ହୋଇଯିବେ ବୋଲି କହୁଥିଲେ, କାରଣ ତାଙ୍କର ହସ୍ତରେଖା ଦେଖି କେହି ହସ୍ତରେଖାବିତ୍‌ ଏପରି ଭବିଷ୍ୟତ କଥା ଉଲ୍ଲେଖ କରିଥିଲେ । ସନ୍ନାସୀ ହେବା, ସଂସାରର ସବୁ ଭୌତିକ ପଦାର୍ଥକୁ ପରିତ୍ୟାଗ କରିବାର ଚିତ୍ତବୃତ୍ତି ତାଙ୍କ ଆତ୍ମାର ଅନ୍ୟ ଏକ ଅଂଶ ହୋଇଥିଲା । ବି.ଏ ପରୀକ୍ଷା ଦେବାର ଅବ୍ୟବହିତ ପୂର୍ବରୁ ସେ ଜଣେ କଲେଜ ସହପାଠୀଙ୍କ ପ୍ରକୋଷ୍ଠ ସମ୍ମୁଖରେ ଈଶ୍ଵରଙ୍କ ଗୀତ ଗାଇବାବେଳେ ‘ପରୀକ୍ଷା ଦେବାକୁ ଅଛି’, ଏ କଥାଟି ଯେପରି ସମ୍ପୂର୍ଣ୍ଣ ବିସ୍ମୃତ ହୋଇଥିଲା ।

 

ଏହା ବିଧିନିର୍ଦ୍ଦିଷ୍ଟ ହୋଇଥାଉ ବା ନଥାଉ, ତାଙ୍କର ପ୍ରକୃତ ଆଗ୍ରହ ସନ୍ନ୍ୟାସ ପାଇଁ ଥିଲା ଏବଂ ସାଂସାରିକ ବନ୍ଧନକୁ ତ୍ୟାଗ କରିବା ପାଇଁ ସେ ଆଗ୍ରହୀ ଥିଲେ । ସେହି କାରଣରୁ ତାଙ୍କର ପିତା ତାଙ୍କୁ ବାରମ୍ବାର ବିବାହ ବନ୍ଧନରେ ବାନ୍ଧି ଦେବାକୁ ଚାହୁଁଥିଲେ ମଧ୍ୟ ନରେନ୍‌ ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଥିଲେ । ସବାଶେଷ ପ୍ରସ୍ତାବ ଯେତେବେଳେ ଆସିଲା, ଯେଉଁ ପ୍ରସ୍ତାବରେ ଅନେକ ଯୌତୁକ ସହିତ ତାଙ୍କୁ ବିଲାତ ପଠାଇ ଅଧ୍ୟୟନ କରିବାକୁ କୁହାଗଲା, ସେହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପୂର୍ବରୁ ତାଙ୍କ ପିତାଙ୍କର ସ୍ଵର୍ଗବାସ ହୋଇଗଲା ଏବଂ ନରେନ୍‌ ନିଜ ସଂପର୍କରେ ନିଷ୍ପତ୍ତି ନେବାକୁ ମୁକ୍ତ ହୋଇଗଲେ । ତାପରେ ତାଙ୍କ ପରିବାର ତାଙ୍କୁ ବିବାହ ବନ୍ଧନରେ ବାନ୍ଧିବାର ସକଳ ପ୍ରଯତ୍ନରେ ଭଟ୍ଟା ପଡ଼ିଗଲା । ସେ ସେମାନଙ୍କୁ ଉତ୍ତର ଦେଇ କହିଥିଲେ, “କ’ଣ ! ତୁମେ ମୋତେ ବୁଡ଼ାଇ ମାରିବାକୁ ବସିଛ ? ଥରେ ବିବାହ ହେଲେ ମୋ ଜୀବନରେ ଆଉ କିଛି ମୁଲ୍ୟ ରହିବ ନାହିଁ ।” ନରେନ୍‌ ଆଧ୍ୟାତ୍ମିକ ସତ୍ୟସମୂହକୁ ପାଇବାକୁ ବ୍ୟାକୁଳ ଥିଲେ । କୌଣସି କଥାକୁ ପରୀକ୍ଷା ନକରି ବିଶ୍ଵାସ କରିବା ଥିଲା ତାଙ୍କର ପ୍ରକୃତି-ବିରୁଦ୍ଧ । ସେ ପିଲାଦିନରୁ ଯୁକ୍ତିବାଦୀ ଥିଲେ । ପ୍ରତ୍ୟେକ କଥାକୁ ଖିନ୍‌ଭିନ୍‌ କରି ଦେଖିବା ଉପରେ ଗୁରୁତ୍ଵ ଦେଉଥିଲେ । ସେ ପ୍ରତ୍ୟେକ ସିଦ୍ଧାନ୍ତର, ନୀତିବାକ୍ୟର ସତ୍ୟତା, ଯାହା ଶାସ୍ତ୍ରବିଶାରଦମାନଙ୍କ ଦ୍ଵାରା ଗ୍ରହଣ କରାଯାଇଛି, ତାକୁ ପରୀକ୍ଷା କରି ଦେଖିବା ଉପରେ ଗୁରୁତ୍ଵ ଦେଉଥିଲେ । ତାଙ୍କର ଏହି ପ୍ରଶ୍ନ କରିବା ଅସାଧାରଣ ନ ହେଲେ ମଧ୍ୟ, ତାଙ୍କର ପରୀକ୍ଷା କରିବାର ଆଗ୍ରହ ଏବଂ ସତ୍ୟକୁ ପରୀକ୍ଷା କରି ତା’ର ପ୍ରକୃତି ନିର୍ଯ୍ୟାସକୁ ଜାଣିବା ଅସାଧାରଣ ଥିଲା । ଏହାଦ୍ଵାରା ସେ ନିଜ ଭିତରେ ଥିବା ବିଜ୍ଞାନସମ୍ମତ ଅନୁସନ୍ଧିତ୍ସୁ ମନ ଓ ବ୍ୟବହାର ପ୍ରତି ମାନସିକ ସ୍ତରରେ ସଚେତନଥିଲେ । ତାଙ୍କର ଏ ପ୍ରକାର ବିଜ୍ଞାନସମ୍ମତ ବ୍ୟବହାର ପିଲାଦିନର କେତେଗୁଡ଼ିଏ ଘଟଣାରୁ ସ୍ପଷ୍ଟ ଜଣାପଡ଼େ-

 

ତାଙ୍କ ଘରକୁ ହିନ୍ଦୁ ମୁସଲମାନ୍‍ ଜାତିର ଅନେକ ଲୋକ ଆସୁଥିଲେ । ତାଙ୍କ ପିତାଙ୍କ ସହିତ ମକଦ୍ଦମା ସଂପର୍କରେ ଆଲୋଚନା କରୁଥିଲେ । ସେମାନେ ବୈଠକଖାନରେ ହୁକ୍‌କା ପିଉଥିଲେ । ପରସ୍ପର ମଧ୍ୟରେ ସେହି ହୁକ୍‍କାକୁ ଆଦାନପ୍ରଦାନ କରୁଥିଲେ । କିନ୍ତୁ ସେ ଲକ୍ଷ୍ୟକରି ଦେଖିଲେ ଯେ ଭିନ୍ନ ଭିନ୍ନ ଜାତିର ଲୋକେ ତାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ହୁକ୍‍କାକୁ ହିଁ ବ୍ୟବହାର କରୁଛନ୍ତି– ଏପରିକି ମୁସଲାମାନମାନେ ମଧ୍ୟ । ପ୍ରତ୍ୟେକ ଜାତିର ଲୋକ ନିଜ ନିଜ ପାଇଁ ଉଦ୍ଧିଷ୍ଟ ଥିବା ହୁକ୍‌କାକୁ ବ୍ୟବହାର ନ କଲେ ଜାତି ଚାଲିଯିବ, ଅନେକ ଦୁଃଖ, ଦୁର୍ବିପାକ ଓ ଅସୁବିଧା ଭୋଗ କରିବାକୁ ପଡ଼ିବ ବୋଲି ତାଙ୍କୁ କୁହାଗଲା । ସେ ଏହି କଥାର ସତ୍ୟତା ପ୍ରମାଣ କରିବା ପାଇଁ ଇଚ୍ଛା କଲେ । ସେ ଅନୁଭବ କଲେ ଯେ ଏପରି ଯୁକ୍ତିରେ କୌଣସି ସତ୍ୟତା ବା କାରଣ ନାହିଁ । ଏହାକୁ ପରୀକ୍ଷା କରିବା ପାଇଁ ସେ ଘର ଭିତରେ ବୁଲି ବୁଲି ପ୍ରତ୍ୟେକ ହୁକ୍‍କା, ଏପରିକି ମୁସଲମାନ୍‍ ବ୍ୟବହାର କରୁଥିବା ହୁକ୍‌କା ମଧ୍ୟ ପିଇଲେ । ଏହାଦ୍ଵାରା ତାଙ୍କର କିଛି ହେଲାନାହିଁ କିମ୍ଵା କୌଣସି ଅଭାବନୀୟ ଘଟଣା ଘଟିଲା ନାହିଁ । ତାଙ୍କୁ ଏଥିପାଇଁ ଯେତେବେଳେ ଗାଳି ଦିଆଗଲା, ସେ ଅତ୍ୟନ୍ତ ଶାନ୍ତ ଭାବରେ କହିଲେ, “ଏହାଦ୍ଵାରା କୌଣସି ଭେଦଭାବ ସୃଷ୍ଟି ହେଉଥିବାର ମୁଁ ଲକ୍ଷ୍ୟ କଲି ନାହିଁ ।”

ଅନ୍ୟ ଏକ ଘଟଣା ଦୃଷ୍ଟିକୁ ଆସେ । ନରେନ୍‌ଙ୍କ ପଡ଼ୋଶୀଙ୍କ ବଗିଚାରେ ଗୋଟିଏ ବଡ଼ ପିଜୁଳି ଗଛ ଥାଏ । ନରେନ୍‌ ଏହି ଗଛରେ ଚଢ଼ି ଛାତ ଉପରକୁ ଉଠିବା, ଏପରିକି ଡାଳରେ ହନୁଙ୍କ ପରି ଓହଳିବା, ଝୁଲିବା ଇତ୍ୟାଦି କରୁଥିବାର ଦେଖି ପଡ଼ୋଶୀ ବୃଦ୍ଧ ପିତାମହ ତାଙ୍କୁ ଏଥରୁ ନିବୃତ୍ତ କରିବାପାଇଁ କହିଲେ “ନରେନ୍‌, ସେଠାରେ ଗୋଟିଏ ବ୍ରହ୍ମରାକ୍ଷସ ବାସ କରେ । ଯେ ଏହି ଗଛକୁ ଚଢ଼ିବ, ସେ ତା’ର ବେକ ମୋଡ଼ି ଦେବ ।” ଏକଥା ମଧ୍ୟ ନରେନ୍‌ଙ୍କର ଜଣେ ବନ୍ଧୁ ଶୁଣି ତାଙ୍କୁ ଏହା ନ କରିବାକୁ ବୁଝାଇଲେ। ଏହା ଶୁଣି ନରେନ୍‌ ହସିଦେଇ କହିଲେ, “ତୁମେ କିପରିକା ଗଧ ! ଯଦି ବୃଦ୍ଧ ପିତାମହଙ୍କର କହିବା ସତ୍ୟ ହୋଇଥାନ୍ତା, ତେବେ କେଉଁ ଦିନରୁ ସେ ମୋ’ ବେକ ମୋଡ଼ି ସାରନ୍ତାଣି ।” ସେ ଦିନ ସେ ଏ ଯେଉଁକଥା କହିଥିଲେ, ତାର ପରବର୍ତ୍ତୀ ସମୟରେ ବିଶାଳ ଶ୍ରୋତାମଣ୍ଡଳୀକୁ ସମ୍ବୋଧନ କରି କହିଥିଲେ, “ତୁମେ ବହିରେ ପଢ଼ିଥିବା ହେତୁ କୌଣସି କଥାକୁ ବିଶ୍ଵାସ କରନାହିଁ । ତୁମେ ସେହି କଥାକୁ ବିଶ୍ଵାସ କର ନାହିଁ, କାରଣ ତାହାକୁ ଅନ୍ୟ ଜଣେ କହିଛି । ତୁମେ ନିଜେ ସତ୍ୟକୁ ପାଇବାକୁ ଚେଷ୍ଠା କର । ତାହା ହିଁ ଅନୁଭୂତି।”

ଛଅବର୍ଷ ବୟସବେଳେ ନରେନ୍‍ଙ୍କୁ ପାଠଶାଳାକୁ ପଠାଗଲା, ମାତ୍ର ସେଠାରେ ସହପାଠୀମାନଙ୍କଠାରୁ ଖରାପ ଭାଷା ଶିଖିବା କାରଣରୁ ତାଙ୍କୁ ସେଠାରୁ ଉଠାଇ ଅଣାଗଲା । ଘରେ ଜଣେ ଘରୋଇ ଶିକ୍ଷକ ରଖି ତାଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା ହେଲା । ସେ ତାଙ୍କ ପାଠପଢ଼ାରେ ଅଗ୍ରଗତିର ସୂଚନା ଦେଇଥିଲେ । ଆଠ ବର୍ଷ ବୟସରେ ପଣ୍ଡିତ ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ଵାରା ପ୍ରତିଷ୍ଠିତ ମେଟ୍ରୋପଲିଟାନ୍ ଇନ୍‌ଷ୍ଟିଚ୍ୟୁସନ୍‌ରେ ସେ ଦାଖଲ ହେଲେ । ସେଠାରେ ସେ ନିଜର ବୁଦ୍ଧିମତ୍ତା ଶକ୍ତି ଓ ଚଞ୍ଚଳତା ପାଇଁ ଜଣାଶୁଣା ହୋଇଯାଇଥିଲେ । ନୂଆ ନୂଆ ଖେଳ ଖେଳିବାକୁ ଏବଂ ଏପରିକି ଖେଳ ଟ୍ରେନ୍‌ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତାଙ୍କୁ ଆକୃଷ୍ଟ କରିଥିଲା । ପ୍ରଥମେ ସେ ଇଂରାଜୀ ଶିକ୍ଷା ପ୍ରତି ସେ ଆଦୌ ଆଗ୍ରହ ଦେଖାଉନଥିଲେ କିନ୍ତୁ ତାଙ୍କର ଶିକ୍ଷକ ଓ ପରିବାର ଏଥିପ୍ରତି ଗୁରୁତ୍ଵ ଦେବା ହେତୁ ସେ ସେଥିରେ ମନୋଯୋଗ ଦେଲେ ଏବଂ ଅତି ସହଜରେ ଶିଖିପାରିଲେ । ସେ ସତ୍ୟଲୁ କେଡ଼େ ନିର୍ଭୀକ ଭାବରେ କହିପାରୁଥିଲେ, ତାର ଏକ ଉଲ୍ଲେଖଯୋଗ୍ୟ ପ୍ରମାଣ ତାଙ୍କ ଛାତ୍ର ଜୀବନରେ ଘଟିଥିବାର ଦେଖିବାକୁ ମିଳେ ।

ଦିନେ ନରେନ୍ଦ୍ର ଓ ତାଙ୍କର ସାଙ୍ଗମାନେ ଶ୍ରେଣୀ ଚାଲିଥିବାବେଳେ ପରସ୍ପର ମଧ୍ୟରେ କଥୋପକଥନରେ ମଜ୍ଜି ଯାଇଥିଲେ । ହଠାତ୍‌ ଶିକ୍ଷକ କ’ଣ ପଢ଼ାଉଛନ୍ତି କହିବା ପାଇଁ ପିଲାମାନଙ୍କୁ ପଚାରିଲେ । ନରେନ୍‌ ସମସ୍ତ ପ୍ରଶ୍ନର ଠିକ୍‌ ଠିକ୍‌ ଉତ୍ତର ଦେଇଦେଲେ କିନ୍ତୁ ଅନ୍ୟମାନେ ଜାଣିପାରିଲେ ନାହିଁ । ସେମାନଙ୍କୁ ଦଣ୍ଡସ୍ଵରୂପ ବେଞ୍ଚ ଉପରେ ଛିଡ଼ାହେବାକୁ କୁହାଗଲା । କିନ୍ତୁ ଶିକ୍ଷକ ନରେନ୍‌କୁ ଏଥିରୁ ବାଦ ଦେଲେ । ନରେନ୍‌ ଯେତେ ବାଧ୍ୟ କରି କହିଲେ ଯେ ସେ ହିଁ ସମସ୍ତ କଥା କହୁଥିଲେ, ତାହା ଶିକ୍ଷକ ଗ୍ରହଣ କଲେନାହିଁ । ନରେନ୍‌ କିନ୍ତୁ ନିଜେ ନିଜେ ଠିଆହୋଇ ରହିଲେ । ଯେତେବେଳେ ଏହା କରିବାକୁ ଶିକ୍ଷକ ବାରଣ କଲେ, ନରେନ୍‌ ଉତ୍ତର ଦେଲେ, “କିନ୍ତୁ ମୁଁ ଠିଆ ହେବି; କାରଣ ମୁଁ ହିଁ କେବଳ ଗପୁଥିଲି ।” ସତ୍ୟ ପ୍ରକାଶ କରିବାର ଏହି ପ୍ରବଣତା ଓ ନ୍ୟାୟପରାୟଣତା ତାଙ୍କ ଜୀବନସାରା ରହିଥିଲା ଏବଂ ତାଙ୍କ ବ୍ୟକ୍ତିତ୍ଵର ଅଂଶ ହୋଇଯାଇଥିଲା ।

ନରେନ୍‌ଙ୍କ ପିତା ୧୮୭୭ ମସିହାରେ କଲିକତା ଛାଡ଼ି ମଧ୍ୟପ୍ରଦେଶରେ ରାୟପୁରକୁ ଯାଇଥିଲେ । ସେତେବେଳେ ନରେନ୍‌ ତୃତୀୟ ଶ୍ରେଣୀର ଛାତ୍ର । ତାଙ୍କ ପିତା ୧୮୭୯ ମସିହାରେ କଲିକତାକୁ ଫେରିଆସିଥିଲେ । ଯଦିଓ ତାଙ୍କର ଦୁଇବର୍ଷ ସ୍କୁଲ ଶିକ୍ଷା ହୋଇ ନ ଥିଲା, ତଥାପି ନରେନ୍‌ଙ୍କୁ ବିଦ୍ୟାଳୟରେ ଉଚ୍ଚଶ୍ରେଣୀରେ ନାମ ଲେଖାଇବାକୁ ଦେଲେ । ନରେନ୍‌ ତିନିବର୍ଷର ପାଠକୁ ଗୋଟିଏ ବର୍ଷରେ ଶେଷ କରିଥିଲେ ଓ ଏଣ୍ଟ୍ରାନ୍‌ସ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ୍‍ କରିଥିଲେ । ଷୋହଳ ବର୍ଷ ବୟସରେ କଲେଜ ଶିକ୍ଷା ପାଇବା ପାଇଁ ସେ ନିଜକୁ ପ୍ରସ୍ତୁତ କରିପାରିନଥିଲେ ।

ନରେନ୍‌ ପ୍ରଥମେ ପ୍ରେସିଡ଼େନ୍‌ସି କଲେଜରେ ଯୋଗ ଦେଇ ବର୍ଷକ ପରେ ସ୍ପଟିସ୍‌ ମିଶନ ଦ୍ଵାରା ଗଠିତ ହୋଇଥିବା ଜେନେରାଲ ଆସେମ୍ଲି ଇନ୍‌ଷ୍ଟିଚ୍ୟୁସନ୍‌ରେ ଯୋଗଦେଲେ । ଏହାର ପରବର୍ତ୍ତୀ ନାମ ସ୍ଫଟିସ୍‌ ଚର୍ଚ୍ଚ କଲେଜ ହୋଇଥିଲା । ସେ ୧୮୮୧ ମସିହାରେ ବି.ଏ. ର ପ୍ରଥମ ବର୍ଷ ପାଶ୍‌ କଲେ । ସେଥିରେ ସେ ଦ୍ଵାତୀୟ ଶ୍ରେଣୀ ଲାଭ କରିଥିଲେ । ସେ ପ୍ରଥମ ବର୍ଷ କଳା ଶ୍ରେଣୀରେ ଅଧ୍ୟୟନ କରିବାବେଳେ ଶ୍ରୀ ରାମକୃଷ୍ଣଙ୍କ ସଂପର୍କରେ ଜାଣିବାକୁ ପାଇଥିଲେ । ୧୮୮୪ ମସିହାରେ ବି.ଏ. ପାଶ କରି ଆଇନ୍‌ ମହାବିଦ୍ୟାଳୟରେ ଯୋଗଦେଲେ । ସେ ଆଇନ୍‌ ବିଦ୍ୟା ସମାପ୍ତ କରିବା ପୂର୍ବରୁ ବିଧିନିର୍ଦ୍ଦିଷ୍ଟ ଭାବରେ ତାଙ୍କ ଜୀବନରେ ଗତିପଥ ବଦଳି ଯାଇଥିଲା । ତାଙ୍କ ପିତାଙ୍କର ଆଇନ୍ ବ୍ୟବସାୟକୁ ସେ ଗ୍ରହଣ କରିପାରି ନଥିଲେ ।

ନରେନ୍‌ଜଣେ ମେଧାବୀ ଛାତ୍ର ଭାବେ ସେପରି କିଛି ଉଚ୍ଚ ଆସନ ରଖି ଡ଼ିଗ୍ରୀପ୍ରାପ୍ତ ହୋଇ ନ ଥିଲେ, ଯଦିଓ ସେ ସହପାଠୀମାନଙ୍କ ତୁଳନାରେ ଏକ ଉଚ୍ଚକୋଟୀର ମେଧାବୀ ଛାତ୍ର ଥିଲେ । ୧୮୮୧ ମସିହାରେ ପ୍ରଥମେ ଶ୍ରୀ ରାମକୃଷ୍ଣଙ୍କୁ ଭେଟିବା ପରେ କଲେଜ ଜୀବନରେ ଅନେକଥର ସେ ତାଙ୍କୁ ଭେଟିଥିଲେ । ଏହି ସମୟରେ ସେ ପାଶ୍ଚତ୍ୟ ଦର୍ଶନ ସଂପର୍କରେ ଗଭୀର ଜ୍ଞାନ ଆହରଣ କରି, ସାଧାରଣ ଛାତ୍ର ମାନଙ୍କଠାରୁ ଅଧିକ ଜାଣିପାରିଥିଲେ । ଏହା ତାଙ୍କର ବୌଦ୍ଧିକ ମୂଳଦୂଆକୁ ଶକ୍ତଭାବେ ଗଠନ କରିଥିଲା । ଏହା ପରବର୍ତ୍ତୀ ଜୀବନରେ ପାଶ୍ଚାତ୍ୟ ଜଗତକୁ ତାଙ୍କ ଯାତ୍ରାର ସଫଳତା ଆଣିଦେବାରେ ସକ୍ଷମ ହୋଇଥିଲା । ଅତଏବ, ସେ ପାଶ୍ଚାତ୍ୟ ତର୍କଶାସ୍ତ୍ର, ପାଶ୍ଚାତ୍ୟ ଦର୍ଶନ ଇଉରୋପର ବିଭିନ୍ନ ଦେଶମାନଙ୍କର ପ୍ରାଚୀନ ଓ ଆଧୁନିକ ଇତିହାସ ତାଙ୍କ କଲେଜ ଜୀବନର ପ୍ରଥମ ଦୁଇବର୍ଷ ମଧ୍ୟରେ ଅଧ୍ୟୟନ କରିଥିଲେ । ତାଙ୍କ ଅଧ୍ୟନୟର ପରିସୀମା ଭିତରକୁ ହର୍ବଟ ସ୍ପେନସର, କାଣ୍ଟ, ଶୋପେନ ହାଓ୍ଵାର, ଅଗଷ୍ଟ କମ୍‌ଟେ, ଜନ୍‌ ଷ୍ଟୁଆଟ୍‌ ମିଲ୍‍ଙ୍କର ଥ୍ରୀ ଏସେଜ ଅନ୍ ରିଲିଜନ୍ ଏବଂ ହ୍ୟୁମ୍‌ପ୍ରବେଶ କରିଥିଲେ । ସେ ପାଶ୍ଚାତ୍ୟ ଦର୍ଶନର ତର୍କକୁ ଭଲ ଭାବରେ ବୁଝି ଗ୍ରହଣ କରିଥିବା ହେତୁ ବେଦାନ୍ତର ପ୍ରବକ୍ତା ଭାବେ ପାଶ୍ଚାତ୍ୟ ଜଗତର ସହଜରେ ସମ୍ମୁଖୀନ ହୋଇପାରିଥିଲେ । ତାଙ୍କର ଅଧ୍ୟୟନ ପିପାସା କେବଳ ଦର୍ଶନ ଭିତରେ ସୀମାବଦ୍ଧ ନ ଥିଲା । ସେ ପାଶ୍ଚାତ୍ୟ ଔଷଧ ସମ୍ପର୍କରେ ଜ୍ଞାନ ଆହରଣ କରି ମାଂସପେଶୀର ଚଳନଶକ୍ତିକୁ ଜାଣି ଯୋଗକୁ ଭଲଭାବରେ ବ୍ୟାଖ୍ୟା କରିବାକୁ ସକ୍ଷମ ହୋଇଥିଲେ । କବିତା ତାଙ୍କ ପାଇଁ ଥିଲା ପ୍ରିୟ । ସେ ‘ଶେଲୀ’ ଙ୍କର ‘ହିମ୍‍ନ୍‍ ଟୁ ଇଣ୍ଟେଲେକ୍‍ଚୁଆଲ ବିଉଟି’ ପଢ଼ି ତହିଁରେ ଆଧ୍ୟାତ୍ମିକ ସତ୍ୟସମୂହର ସମନ୍ଵୟ ଦେଖି ଆକର୍ଷିତ ହୋଇଥିଲେ । ଓ୍ଵାଡ଼୍‌ସଓ୍ଵାର୍ଥଙ୍କର ପ୍ରକୃତି ସନ୍ଦର୍ଶନରେ ବାହ୍ୟଚେତନା ହରାଇବାର କବିତା ତାଙ୍କ ପ୍ରାଣକୁ ସ୍ପର୍ଶ କରିଥିଲା । ପ୍ରିନ୍‌ସିପାଲ ହାଷ୍ଟି ସାହେବଙ୍କଠାରୁ ଶୁଣିଥିବା ଓ୍ଵାଡ଼୍‌ସଓ୍ଵାର୍ଥଙ୍କର ‘ଏକ୍‌ସକରସନ୍‌’ କବିତା ଓ ତିଜ୍ଜନିତ ବାହ୍ୟଚେତାନାର ଲୁପ୍ତ ହେବା ଏବଂ ଦକ୍ଷିଣେଶ୍ଵରର ପୂଜକ ଶ୍ରୀ ରାମକୃଷ୍ଣ ଏହିପରି ମୂହୁର୍ମୂହୁଃ ସମାଧିସ୍ଥ ହେଉଥିବା ଜାଣି ତାଙ୍କଆଡ଼କୁ ଟାଣିହୋଇ ଆସିଥିଲେ ଏବଂ ତାହାହିଁ ତାଙ୍କୁ ପରିଶେଷରେ ସେହି ଅଚିନ୍ତ୍ୟବ୍ରହ୍ମକୁ ଅନୁଭବ କରିବାରେ ସାହାଯ୍ୟ କରିଥିଲା । କବିତା ମାଧ୍ୟମରେ ସେ ଈଶ୍ଵରଙ୍କ ନିକଟବର୍ତ୍ତୀ ହେବାର ଅନୁଭବ ନିଜସ୍ଵ କରିପାରିଥିଲେ ।

ନରେନ୍‌ଙ୍କର କଲେଜ ଶିକ୍ଷା, ତାଙ୍କର ବିଶ୍ଵପ୍ରେକ୍ଷାପର୍ଚ୍ଚରେ ଦର୍ଶନ ଚିନ୍ତାଧାରା, ଭାବୁକତା ଆଧ୍ୟାତ୍ମିକ ବିବର୍ତ୍ତନର ଆବଶ୍ୟକ ପଦକ୍ଷେପ ଥିଲା ଏବଂ ତାହା ତାଙ୍କୁ ବେଦାନ୍ତ ଦର୍ଶନର ପ୍ରମୁଖ ପ୍ରବକ୍ତା ଭାବେ ଜଗତ୍‌ ସମ୍ମୁଖରେ ଠିଆ କରାଇବାରେ ସକ୍ଷମ ହୋଇପାରିଥିଲା ।

Image

 

Unknown

ଶ୍ରୀ ରାମକୃଷ୍ଣ ପରମହଂସ

 

ଊନବିଂଶ ଶତାବ୍ଦୀରେ ଭାରତର ଆଧ୍ୟାତ୍ମିକ ଆକାଶରେ ଯେଉଁ ଉଜ୍ଜ୍ଵଳ ନକ୍ଷତ୍ର ଜାଜ୍ଜ୍ଵଲ୍ୟମାନ ହୋଇ ପ୍ରକାଶିତ ହୋଇଥିଲେ, ସେ ଥିଲେ ଶ୍ରୀ ରାମକୃଷ୍ଣପରମହଂସ ନାମରେ ଖ୍ୟାତ । କଲିକତାଠାରୁ ୭୨ ମାଇଲ ଦୂର ହୁଗୁଳୀ ଜିଲ୍ଲାର କାମାରପୁକୁରଠାରେ ୧୮୩୮ ମସିହା ଫେବୃୟାରୀ ୧୮ ତାରିଖରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଶ୍ରୀ ରାମକୃଷ୍ଣଙ୍କର ଜନ୍ମ । ତାଙ୍କର ପିତୃଦତ୍ତ ନାମ ଥିଲା ଗଦାଧର । ବାଲ୍ୟକାଳରେ ପ୍ରାଥମିକ ବିଦ୍ୟାଳୟରୁ ସେ ସାମାମ୍ୟ ଶିକ୍ଷାପ୍ରାପ୍ତ ହୋଇଥିଲେ । ପିଲାଦିନରୁ ତାଙ୍କ ମନ ଈଶ୍ଵର ଓ ଦେବଦେବୀଙ୍କ ପ୍ରତି ଆକୃଷ୍ଟ ହୋଇଥିବା ହେତୁ ସେ ପାଠଘରେ ଆଦୌ ମନ ଦେଇ ନଥିଲେ । ୧୧ ବର୍ଷ ବୟସ ହେବାବେଳେ, ସେ ପକୃତିର ଅପୂର୍ବ ଶୋଭା ମଧ୍ୟରେ, ମେଘଖଣ୍ଡପୂର୍ଣ୍ଣ ଆକାଶରେ ଉଡ଼ିଯାଉଥିବା ଶୁଭ୍ର ବଗପକ୍ଷୀଙ୍କୁ ଦେଖି ନିଜର ବାହ୍ୟଜ୍ଞାନ ହରାଇ ଭାବସମାଧି ଲାଭ କରିଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ହେବା ପରେ, ପରିବାରର ଦାରୁଣ ଆର୍ଥିକ ବୋଝକୁ ସମ୍ଭାଳିବା ପାଇଁ ତାଙ୍କର ବଡ଼ଭାଇ ରାମକୁମାର କଲିକତା ଆସି ଗୋଟିଏ ଟୋଲ୍ ଖୋଲିଲେ । ପରେ ଗଦାଧର ସେଠାକୁ ଆସି ତାଙ୍କ ସହିତ ଯୋଗ ଦେଲେ-। ବଡ଼ଭାଇଙ୍କର ସମସ୍ତ ଚେଷ୍ଟା ସତ୍ତ୍ଵେ ଗଦାଧର ‘ପେଟ ପୋଷିବା ପାଇଁ ଶିକ୍ଷା’ ଗ୍ରହଣକୁ ବିରୋଧ କରି ସେ ଦିଗରେ ଆଦୌ ମନୋନିବେଶ କଲେନାହିଁ ।

 

ସେହି ସମୟରେ ଦକ୍ଷିଣେଶ୍ଵରଠାରେ ଜଣେ ଧନୀ ଧର୍ମପ୍ରାଣା ମହିଳା ରାଣୀ ରାସମଣି ଏକ ମନ୍ଦିର ନିର୍ମାଣ କଲେ । ସେହି ମନ୍ଦିରରେ ଅଧୀଷ୍ଠାତ୍ରୀ ଦେବୀ ଭବତାରିଣୀ କାଳୀ । ରାମକୁମାର କାଳୀ ମନ୍ଦିରରେ ପୂଜକ ଭାବେ ନିଯୁକ୍ତ ହୋଇ ଦକ୍ଷିଣେଶ୍ଵର ଆସିଲେ । ପ୍ରଥମେ କୁଣ୍ଠିତ ହୋଇ ଦ୍ଵିଧାଗ୍ରସ୍ତ ମନରେ ରାମକୁମାରଙ୍କୁ ସାହାଯ୍ୟ କରିବାକୁ ଦକ୍ଷିଣେଶ୍ଵର ଆସି ସେଠାରେ ବହି ଯାଉଥିବା ପତିତପାବନୀ ଗଙ୍ଗା, ଶାନ୍ତ ଓ ସ୍ନିଗ୍‌ଧ ପରିବେଶ, ଜଗନ୍ମାତା ମା କାଳୀଙ୍କ ଚିନ୍ମୟ ମୂର୍ତ୍ତି ଶ୍ରୀ ରାମକୃଷ୍ଣଙ୍କ ମନକୁ ସମ୍ପୂର୍ଣ୍ଣ ଆଚ୍ଛନ୍ନ କଲା ଏବଂ ସେ ଈଶ୍ଵରଙ୍କୁ ଅପୋରେକ୍ଷାନୁଭୂତି କରିବା ପାଇଁ ବଦ୍ଧପରିକର ହେଲେ । ତାଙ୍କଠାରେ ଏକ ବିରାଟ ପରିବର୍ତ୍ତନ ପରିଲକ୍ଷିତ ହେଲା । ଦିନ ତମାମ ପୂଜା, ପ୍ରାର୍ଥନା ଓ ସଙ୍ଗୀତରେ କଟିଲା । ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗଙ୍ଗାକୂଳରେ ପଦାଚାରଣ କରି ସେ ଇଶ୍ଵରଙ୍କ ଦର୍ଶନ ଚିନ୍ତାରେ ନିଜକୁ ସମ୍ପୂର୍ଣ୍ଣ ହଜାଇଦେଲେ । ବଡ଼ଭାଇ ରାମକୁମାରଙ୍କର ଅଚାନକ ମୃତ୍ୟୁ ତାଙ୍କୁ ଈଶ୍ଵରଙ୍କୁ ପାଇବା ପାଇଁ ଅଧିକ ବ୍ୟାକୁଳ କଲା । ତାଙ୍କର ମନେହେଲା ଈଶ୍ଵରଙ୍କୁ ପାଇବା ବ୍ୟତୀତ ଅନ୍ୟ ସବୁକିଛି କ୍ଷଣିକ, ମୂଲ୍ୟହୀନ ଓ ମାୟା । ଶାସ୍ତ୍ର ସମ୍ବନ୍ଧରେ ଅନଭିଜ୍ଞ ହୋଇ ବିନା ଗୁରୁରେ ସେ ସାଧାନାର ପିଚ୍ଛିଳମାର୍ଗରେ ଗତିକଲେ । ମା’ ଭବତାରିଣୀଙ୍କର ଚିନ୍ମୟୀମୂର୍ତ୍ତିକୁ ସ୍ଵଚକ୍ଷୁରେ ସନ୍ଦର୍ଶନ କରିବା ପାଇଁ ହୃଦୟରେ ଥିଲା ବାଲ୍ୟସୁଲଭ ସରଳତା ଓ ପବିତ୍ରତା । ସାଧାରଣ ମଣିଷ ପକ୍ଷରେ ଅବବୋଧ ଓ ବର୍ଣ୍ଣନାତୀତ ଥିଲା ତାଙ୍କର କୁଚ୍ଛ୍ରସାଧନା । ନିଜକୁ ତିଳତିଳ କରି ନିଃଶେଷ କରି ମୃତ୍ୟୁକୁ ଆଲିଙ୍ଗନ କରିବା ଅବସ୍ଥାରେ ସେ ପହଞ୍ଚିଯାଇଥିଲେ । “ମା’ଙ୍କର ଦେଖା ହେଲା ନାହିଁ” ଏହି ଚିନ୍ତା ତାଙ୍କର ବ୍ୟାକୁଳତାକୁ ପ୍ରବଳରୁ ପ୍ରବଳତର କରିବାକୁ ଲାଗିଲା । ମା’ଙ୍କ ଦର୍ଶନର ଅଭାବ ତାଙ୍କ ହୃଦୟକୁ ଶତଧା ବିଦୀର୍ଣ୍ଣ କରିପକାଇଲା । ସେ ହଠାତ୍‌ଦିନେ ସ୍ଥିର କଲେ ,“କ’ଣ ବା ପ୍ରୟୋଜନ ଏହି ଜୀବନରେ ?” ସମ୍ମୁଖରେ ଥିବା ତୀକ୍ଷ୍ଣ ଖର୍ପରକୁ ହସ୍ତରେ ନେଇ ନିଜ ଜୀବନକୁ ମା’ଙ୍କ ଚରଣରେ ସମର୍ପିତ କରିବାକୁ ଅଗ୍ରସର ହେବା ସମୟରେ ଏକ ଅଭାବନୀୟ ଘଟନା ଘଟିଲା । ଗଦାଧର ସଜ୍ଞାହୀନ ହୋଇପଡ଼ିଲେ । ତାଙ୍କୁ ପ୍ରତୀୟମାନ ହେଲା ଯେପରି ତାଙ୍କ ସମ୍ମୁଖରେ ଥିବା ଘର, ଦ୍ଵାର, ମନ୍ଦିର, ଯାବତୀୟ ବସ୍ତୁ ସବୁ କୁଆଡ଼େ ଉଭେଇଯାଇଛି । କେବଳ ଅସୀମ ଅନନ୍ତ ଚେତନ ଜ୍ୟୋତି-ସମୁଦ୍ରର ଉଜ୍ଜ୍ଵଳ ଉର୍ମିମାଳା ! ସାମାନ୍ୟ ସଂଜ୍ଞା ପାଇବା ପରେ ତାଙ୍କ ମୁଖରୁ ନିଃସୃତ ହୋଇଉଠୁଥିଲା ‘ମା’ ‘ମା’ ।

 

ଏହା ଥିଲା ଶ୍ରୀ ରାକୃଷ୍ଣଙ୍କର ପ୍ରଥମ ଦିବ୍ୟଦର୍ଶନ, ବ୍ରହ୍ମସତ୍ତା ଉପଲବ୍‍ଧିର ପ୍ରଥମ ସୋପାନ ।

 

ସେ ଯାହା ଅନୁଭବ ଲାଭ କଲେ, ସେଥିରେ ଈଶ୍ଵର ପ୍ରେମରେ ମତୁଆଲା ହୋଇ ପୁନଃପୁନଃ ସେହି ଭାବ ପାଇବା ପାଇଁ ବ୍ୟାକୁଳ ହେଲେ । ଚକ୍ଷୁ ଉନ୍ମୀଳିତ ଓ ନିଦ୍ରିତ ଉଭୟ ଅବସ୍ଥାରେ ବାରମ୍ବାର ମା’ଙ୍କର ସେହି ଚିନ୍ମୟୀ ରୂପ ଦର୍ଶନ କରିବା ପାଇଁ ତାଙ୍କର ମନ ଚାହିଁଲା । ସେ ଆଧ୍ୟାତ୍ମିକ ସତ୍ୟସମୂହର ଅବଗାହନ ନିମନ୍ତେ ନିଜକୁ ଅତ୍ୟନ୍ତ ବେପରୁଆ ଭାବେ ସାଧନାରେ ନିମଜ୍ଜିତ କଲେ । ନିଜ ମନ ମଧ୍ୟରୁ ବ୍ରାହ୍ମଣତ୍ଵର ଅହଂକୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଲୁଚିଲୁଚି ସେ ଅଚ୍ଛବର ପାଇଖାନା ପରିଷ୍କାର କଲେ । ସମସ୍ତ ଭେଦାଭେଦକୁ ଦୂର କରିବାକୁ ଟଙ୍କା ଓ ମାଟିଭିତରେ ପ୍ରଭେଦକୁ ପୋଛି ପକାଇଲେ । ପବିତ୍ରତା ତାଙ୍କର ଅସ୍ଥିମଜ୍ଜାଗତ ହୋଇଗଲା । ସ୍ଵପ୍ନରେ ମଧ୍ୟ କାମିନୀକାଞ୍ଚନ ଚିନ୍ତା ମନକୁ ପ୍ରବେଶ କଲାନାହିଁ ।

 

ଏହାପରେ ତାଙ୍କର ଭାବଭଙ୍ଗୀରେ, ଚଳଣିରେ ପରିବର୍ତ୍ତନ ଘଟିଲା । ପୂଜାର୍ଚ୍ଚନା ଠିକ୍‌ଭାବେ କରିପାରିଲେ ନାହିଁ । ତାଙ୍କ ଶରୀର ପିଙ୍ଗଳବର୍ଣ୍ଣ ଧାରଣ କରି ବିପଦ ସୃଷ୍ଟି କଲା । ଲୋକେ କୁହାକୁହି ହେଲେ ଗଦାଧର ‘ପାଗଳ’ ହୋଇଯାଇଛନ୍ତି । ପୁତ୍ରକୁ ଦେଖିବା ପାଇଁ ମା’ଙ୍କର ଅନୁରୋଧକୁ ଏଡ଼ିନପାରି ସେ କାମାରପୁକୁର ଗଲେ । ସଂସାର ଜୀବନରେ ପଶିଲେ ହୁଏତ ଗଦାଧର ସାଧାରଣ ଅବସ୍ଥାକୁ ଫେରିବେ– ଏହା ବିଚାର କରି ଜୟରାମବାଟୀର ରାମଚନ୍ଦ୍ର ମୁର୍ଖାଜୀଙ୍କର କନ୍ୟା ଶାରଦାଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହେଲା । ଶାରଦା ଛଅବର୍ଷ ଓ ଗଦାଧର ତେଇଶି ବର୍ଷ । ୧୮୬୧ ମସିହାରେ ତପୋଭୂମି ଦକ୍ଷିଣେଶ୍ଵରକୁ ପ୍ରତ୍ୟାବର୍ତ୍ତନ କରି କୁଚ୍ଛ୍ରସାଧନାରେ ନିମଜ୍ଜିତ ହେଲେ । ସେ କ୍ରମାନୁଯାୟୀ ଶାସ୍ତ୍ରାନୁମୋଦିତ ବିଭିନ୍ନ ମାର୍ଗରେ ସାଧନା କରିବାକୁ ଲାଗିଲେ । ଦେବଦୂତ ପ୍ରେରିତ ହୋଇ ଗୁରୁମାନେ ତାଙ୍କ ନିକଟରେ ଆସି ପହଞ୍ଚିଲେ । ଭୈରବୀ ବ୍ରାହ୍ମଣୀ ତନ୍ତ୍ରଶିକ୍ଷା ଦେବା ସମୟରେ ତାଙ୍କଠାରେ ‘ମହାଭାବର’ ଅବସ୍ଥା ସୃଷ୍ଟି ହୋଇଛି ଏବଂ ସେ ‘ଅବତାର’ ବୋଲି କହି ପଣ୍ଡିତସଭା ଆହୂତ କଲେ । ଏହି ପଣ୍ଡତସଭା, ସେ ‘ଅବତାର’ ବୋଲି ସର୍ବସମ୍ମତ ସ୍ଵୀକୃତି ପ୍ରଦାନ କଲେ ।

 

ସେ ଭକ୍ତିମାର୍ଗରେ ଗୋଟିଏ ପରେ ଗୋଟିଏ ଶାଖା, ଯଥା– ଦାସ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ ଇତ୍ୟାଦି ସାଧନା କରି ସିଦ୍ଧିଲାଭ କଲେ ଓ ତୋତାପୁରୀଙ୍କଠାରୁ ଅଦ୍ଵୈତ ସାଧନା ପ୍ରାପ୍ତ ହେଲେ । ଏହି ସାଧନା ବଳରେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ନିର୍ବିକଳ୍ପ ସମାଧି ଅବସ୍ଥା ପ୍ରାପ୍ତ ହେଲେ । ଦୀର୍ଘ ଛଅମାସ କାଳ ନିର୍ବିକଳ୍ପ ସମାଧି ଅବସ୍ଥା ଓ ପରବର୍ତ୍ତୀ ଛଅମାସ ତଜ୍ଜନିତ ଅସୁସ୍ଥତା ମଧ୍ୟରେ ସେ ତାଙ୍କ ଦିବ୍ୟଜୀବନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଅନୁଭବ କରିପାରିଥିଲେ ।

 

ହିନ୍ଦୁ ଧର୍ମର ବିଭିନ୍ନ ଶାଖା ପ୍ରଶାଖା-ବୈଷ୍ଣବ, ଶୈବ୍ୟ, ଶାକ୍ତ ଓ ବେଦାନ୍ତ ମଧ୍ୟଦେଇ ସେ ଈଶ୍ଵରଙ୍କର ପ୍ରତ୍ୟକ୍ଷାନୁଭୁତି କରି ଇସଲାମ୍‍ଧର୍ମ ଓ ଖ୍ରୀଷ୍ଟଧର୍ମ ସାଧନାରେ ବ୍ୟାପୃତ ହୋଇ ମହମ୍ମଦ ଓ ଯୀଶୁଙ୍କୁ ଉପଲବ୍‍ଧି ହୋଇଥିଲେ । ଜୟରାମବାଟୀରୁ ଶାରଦାମଣି ଦକ୍ଷିଣେଶ୍ୱରଠାରେ ଉପସ୍ଥିତ ହୋଇ ତାଙ୍କୁ “ତାଙ୍କ ସାଧନାରେ ଅନ୍ତରାୟ ନ ହୋଇ ସେବା କରିବେ” ଏହି ବ୍ରତ ପାଳନ କରିବା ସମୟରେ ଫଳାହାରିଣୀ କାଳୀପୂଜା ଦିନ ଶାରଦାଦେବୀଙ୍କୁ ଦେବୀ ଆସନରେ ଉପବିଷ୍ଟ କରାଇ ଷୋଡ଼ଶୀ ପୂଜା କଲେ । ପୂଜା ଶେଷରେ ଶ୍ରୀ ରାମକୃଷ୍ଣ ଦେବୀଙ୍କ ଚରଣ ତଳେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ଉଭୟ ପୂଜ୍ୟ ଓ ପୂଜକ ହୋଇଥିଲେ ସମାଧିସ୍ଥ ।

 

ସାଧନାର ପରିସମାପ୍ତି ଘଟିଥିଲା । ପଦ୍ମ ପୂର୍ଣ୍ଣ ରୂପେ ବିକଶିତ ହୋଇ ମଧୁ ପ୍ରଦାନ କରିବାକୁ ମଧୁମକ୍ଷିକାମାନଙ୍କୁ ଆହ୍ଵାନ କରୁଥିଲା । ବ୍ରାହ୍ମ ସମାଜର ନେତା କେଶବଚନ୍ଦ୍ର ସେନ, ପ୍ରତାପ ଚନ୍ଦ୍ର ମଜୁମଦାର, ଶିବନାଥ ଶାସ୍ତ୍ରୀ, ବିଜୟକୃଷ୍ଣ ଗୋସ୍ଵାମୀ, ତ୍ରୈଲୋକ୍ୟ ନାଥ ସାନ୍ୟାଲ ଓ ଅନେକେ ତାଙ୍କୁ ସାକ୍ଷାତ୍‍ କରିଥିଲେ । ତାଙ୍କର ଖ୍ୟାତି ବ୍ୟାପିବାକୁ ଲାଗିଥିଲା । ତାଙ୍କୁ ଦେଖିବାକୁ, ଶୁଣିବାକୁ, ଆର୍ଶୀବାଦ ପାଇବାକୁ ସାଧାରଣ ଲୋକମାନଙ୍କଠାରୁ ପଣ୍ଡିତ, ବିଦ୍ଵାନ, ଗବେଷକ, ରାଜା, ଜମିଦାର, ସମ୍ଭ୍ରାନ୍ତବଂଶଜ, ସ୍ତ୍ରୀ, ପୁରୁଷ, ପିଲା ନିର୍ବିଶେଷରେ ଦକ୍ଷିଣେଶ୍ଵରଠାରେ ରୁଣ୍ଡ ହେବାକୁ ଲାଗିଲେ । ଭାରତ ଆକାଶରେ ଏକ ନୂତନ ସକାଳର ଆବିର୍ଭାବ ଘଟିଥିଲା । ଏହାକୁ ଲକ୍ଷ୍ୟ କରି ଶ୍ରୀ ଅରବିନ୍ଦ କହିଥିଲେ, “ଧର୍ମ ମଧ୍ୟଦେଇ ପ୍ରଥମେ ଭାରତର ଆତ୍ମା ଜାଗ୍ରତ ହୋଇଥିଲା ଏବଂ ବୈଜୟନ୍ତୀ ଉଡ଼ାଇଥିଲା । ଯେଉଁଦିନ କଲିକତାର ନବ୍ୟପ୍ରସ୍ଫୁଟିତ ଶିକ୍ଷିତ ଯୁବକମାନେ ନିଜ ଦୀପ୍ତିରେ ଉଦ୍ଭାସିତ, ବିଦେଶୀ ଶାସକର ଚିନ୍ତା ଓ ଶିକ୍ଷାରୁ ସମ୍ପୂର୍ଣ୍ଣ ମୁକ୍ତ, ସେହି ମହାନ ନିରକ୍ଷର ସାଧୁଙ୍କ ପାଦତଳେ ନତଜାନୁ ହୋଇ ପ୍ରଣାମ କଲେ, ସେହିଦିନ ହିଁ ସଂଗ୍ରାମରେ ଜୟଲାଭ ହେଲା ।”

 

ହଜାର ହଜାର ଭକ୍ତ ଓ ଶିକ୍ଷିତ ବ୍ୟକ୍ତିଗଣ ତାଙ୍କୁ ସାକ୍ଷାତ୍‍ କରିବା ନିମିତ୍ତ ଦକ୍ଷିଣେଶ୍ଵର ଆସିବା ସମୟରେ, ସେ କେବେକେବେ କଲିକତା ସହର ଭିତରକୁ ଯାଇ ତାଙ୍କର ଭକ୍ତ ଓ ପ୍ରଶଂସଙ୍କମାନଙ୍କୁ ଭେଟୁଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବଙ୍ଗର ବିଶିଷ୍ଟ ସଂସ୍କାରକ ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର, ବଙ୍କିମ ଚନ୍ଦ୍ର ଚାଟାର୍ଜି ଏବଂ ଅନ୍ୟ ମାନେ । ବ୍ରାହ୍ମ ମାନେ ତାଙ୍କ ସମ୍ପର୍କରେ ପତ୍ରପତ୍ରିକାରେ ଅଗ୍ରଲେଖାମାନ ଲେଖିବାକୁ ଲାଗିଲେ । ଦକ୍ଷିଣେଶ୍ୱରରେ ଭକ୍ତମାନଙ୍କ ଅଜସ୍ର ଭିଡ଼ ହେବାକୁ ଲାଗିଲା । ସେ ସେହି ପରିସ୍ଥିତିରେ କ୍ଲାନ୍ତପ୍ରାୟ ହୋଇ କେତେକ ନିର୍ମଳ ଆତ୍ମା ଭକ୍ତମାନଙ୍କୁ ପଠାଇବାକୁ ଭବତାରିଣୀ ମା’ ଙ୍କ ନିକଟରେ ପ୍ରାର୍ଥନା କଲେ । ସେମାନଙ୍କ ମଧ୍ୟରେ ସେ ତାଙ୍କର ବାର୍ତ୍ତା ସମଗ୍ର ଜଗତ ନିକଟରେ ପରିବେଷଣ କରିବାକୁ ଚାହୁଁଥିଲେ । ସେ ଏ ସଂପର୍କରେ ପରବର୍ତ୍ତୀ ସମୟରେ କହିଥିଲେ, “ମୋର ବ୍ୟକୁଳତାର ଶେଷ ନ ଥିଲା ସଂସାରୀ ଲୋକମାନଙ୍କର ବିଷୟ ବାସନା-ପୂର୍ଣ୍ଣ କଥା ମୋତେ ବ୍ୟସ୍ତ କରିପକାଉଥିଲା । ମୁଁ ପ୍ରତ୍ୟେକ ଦିନ ମୋର ଲୀଳାସଙ୍ଗୀମାନଙ୍କୁ ପାଇବାକୁ ଅପେକ୍ଷା କରି ରହୁଥିଲି । ସଂଧ୍ୟା ଆରତି ସମୟରେ ମନ୍ଦିରରେ ଯେତେବେଳେ ଘଣ୍ଟାବାଜେ, ଶଙ୍ଖ ଧ୍ଵନି ହୁଏ, ମୁଁ ବଗିଚାରେ ଥିବା କୋଠା ଉପରକୁ ଚାଲିଯାଏ ଏବଂ ହୃଦୟର ଅସହ୍ୟ ଯନ୍ତ୍ରଣାକୁ ଚାପିଧରି ଖୁବ୍‌ ବଡ଼ ପାଟିରେ ଚିତ୍କାର କରେ, “ଆସ, ଆସ ମୋର ପିଲା ମାନେ, ହେ ତୁମ୍ଭେମାନେ କେଉଁଠାରେ ? ତୁମ୍ଭମାନଙ୍କୁ ଛାଡ଼ି ମୁଁ ରହିପାରିବି ନାହିଁ । ମୋର ଏହି ବ୍ୟାକୁଳତା ପ୍ରକାଶ କରିବାର କିଛିଦିନ ପରେ, ଭକ୍ତମାନେ କ୍ରମଶଃ ଆସିବାକୁ ଲାଗିଲେ ।”

 

ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ନରେନ୍ଦ୍ର ନାଥ– ପରବର୍ତ୍ତୀ ସମୟରେ ବିଶ୍ଵବନ୍ଦିତ ସ୍ଵାମୀ ବିବେକାନନ୍ଦ ।

Image

 

ନରେନ୍‌ଙ୍କର ଶ୍ରୀ ରାମକୃଷ୍ଣଙ୍କ ସହିତ ସାକ୍ଷାତ୍‍

 

୧୮୭୫ ମାର୍ଚ୍ଚ ୨୮ ତାରିଖରେ ଇଣ୍ଡିଆନ୍‌ ମିରର୍‌ (Indian Mirror) ପତ୍ରିକାରେ ପ୍ରଥମ କରି ହିନ୍ଦୁ ସନ୍ନ୍ୟାସୀ ‘A Hindu Saint’ ନାମରେ ଏକ ଲେଖା ପ୍ରକାଶିତ ହେଲା । ୧୪ ମେ ୧୮୭୫ ମସିହାରେ ସେହି ପତ୍ରିକାରେ ଧର୍ମତତ୍ତ୍ଵ ଶିରୋନାମାରେ ତାଙ୍କର ସାଧନା ଓ ଗଳ୍ପ ମାଧ୍ୟମରେ ଉପଦେଶ ଦେବା ପ୍ରକାଶ ପାଇଲା । ୧୮୭୯ ଜୁନ୍‌୧୫ ତାରିଖରେ ‘ଦକ୍ଷିଣେଶ୍ଵର ଯୋଗୀଙ୍କୁ ସାକ୍ଷାତ୍‍’ ନାମକ ଲେଖାରେ ତାଙ୍କୁ ପ୍ରଶଂସା କରାଯାଇଥିଲା । ବିଭିନ୍ନ ପତ୍ରପତ୍ରିକାରେ ବ୍ରାହ୍ମଭକ୍ତମାନଙ୍କ ଦ୍ଵାରା ତାଙ୍କର ପ୍ରଶଂସା ଓ ପ୍ରଶସ୍ତି ଲେଖାଯାଇଥିଲେ ମଧ୍ୟ ସାଧାରଣ ଲୋକମାନଙ୍କ ନିକଟରେ ସେ ଜଣେ କାଳୀପୂଜକ ଓ ତାଙ୍କର ନାମ ପରମହଂସ ଏବଂ ସମ୍ପୂର୍ଣ୍ଣ ନିରକ୍ଷର ଭାବେ ଜଣାଥିଲେ ଓ ସାଧାରଣ ଲୋକେ ତାଙ୍କୁ ଗ୍ରହଣ କରି ନଥିଲେ । ରାମଚନ୍ଦ୍ର ଦତ୍ତ ତାଙ୍କର ଭକ୍ତ ହେବା ପରେ ସିମୁଳିଆ ଅଞ୍ଚଳର ଲୋକେ ତାଙ୍କୁ ଜାଣିବାର ସୁଯୋଗ ପାଇଲେ । ରାମଚନ୍ଦ୍ର ଯଦିଓ ବୈଷ୍ଣବ ପରିବାରର ସଦସ୍ୟ ଥିଲେ, ସେ ଶ୍ରୀ ରାମକୃଷ୍ଣଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରିଥିଲେ ଏବଂ ଅନ୍ୟମାନେ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରନ୍ତୁ, ତାହା ଇଚ୍ଛା କରୁଥିଲେ । ରାମଚନ୍ଦ୍ର ଦତ୍ତଙ୍କ ଅନୁରୋଧରେ ସୁରେନ୍ଦ୍ରନାଥ ଦତ୍ତ ଶ୍ରୀ ରାମକୃଷ୍ଣଙ୍କୁ ସାକ୍ଷାତ୍‍ କରିଥିଲେ ଓ ତାଙ୍କୁ ଗୁରୁ ଭାବେ ମାନିଥିଲେ । ରାମଚନ୍ଦ୍ର ମଧ୍ୟ ନରେନ୍‌ଙ୍କୁ ଦକ୍ଷିଣେଶ୍ଵରଠାରେ ଥିବା ସାଧୁଙ୍କୁ ସାକ୍ଷାତ୍‍ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ନରେନ୍‌ ଏହାର ଉତ୍ତରରେ କହିଥିଲେ, “ମୁଁ ଶୁଣିଛି ସେ ଜଣେ ପାଗଳ । ମୁଁ ସ୍ପେନସର, ହାମିଲଟନ୍‌, ଲକ୍‌ ଓ ଅନ୍ୟାନ୍ୟ ଦାର୍ଶନିକମାନଙ୍କର ଦର୍ଶନତତ୍ତ୍ଵ ସମ୍ପର୍କରେ ଅବଗତ । ସେ କ’ଣ ଜାଣିଛନ୍ତି ଯେ ସେ ମୋତେ ଶିକ୍ଷା ଦେବେ ?” ରାମଚନ୍ଦ୍ର କିନ୍ତୁ ବାରମ୍ବାର ନରେନ୍‍ଙ୍କୁ ଅନୁରୋଧ କରିବାକୁ ଲାଗିଲେ ।

 

ସୁରେନ୍ଦ୍ର ମିତ୍ରଙ୍କ ଘରେ ନରେନ୍‌ଙ୍କର ଶ୍ରୀ ରାମକୃଷ୍ଣଙ୍କ ସହିତ ପ୍ରଥମ ସାକ୍ଷାତ୍‍ ହୁଏ । ଶ୍ରୀ ରାମକୃଷ୍ଣଙ୍କର ସୁରେନ୍‌ଙ୍କ ଘରକୁ ଆସିବାର ଥାଏ । ତାଙ୍କ ସମ୍ମାନାର୍ଥେ କୀର୍ତ୍ତନିଆ ଦଳ ଆୟୋଜନ କରିବାକୁ ସୁରେନ୍‌ସକ୍ଷମ ହୋଇନପାରି ତାଙ୍କ ପଡ଼ୋଶୀଙ୍କ ପୁଅ ନରେନ୍‌ଙ୍କୁ କେତେଗୁଡ଼ିଏ ଭଜନ ଗାଇବା ପାଇଁ ଅନୁରୋଧ କରିଥାଆନ୍ତି । ଏ ସମୟରେ ନରେନ୍‌ ପ୍ରଥମ ବି. ଏ. ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ମିଷ୍ଟର ହାଷ୍ଟି ସାହେବଙ୍କଠାରୁ ଶୁଣିଥିବା ଦକ୍ଷିଣେଶ୍ଵରର ସେହି ସାଧୁଙ୍କୁ ଦେଖିବା ପାଇଁ ହାତ ପାହାନ୍ତାରେ ପାଇଥିବା ସୁଯୋଗକୁ ନରେନ୍‌ ହରାଇବାକୁ ଚାହିଁଲେ ନାହିଁ । ଯେତେବେଳେ ନରେନ୍‌ ଗୀତ ବୋଲିବାକୁ ଆରମ୍ଭ କଲେ, ଶ୍ରୀ ରାମକୃଷ୍ଣ ପ୍ରଥମେ ସୁରେନ୍ଦ୍ର ଓ ପରେ ରାମଚନ୍ଦ୍ରକୁ ଡ଼ାକିଲେ ଏବଂ ନରେନ୍‍ଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କଲେ ଏବଂ ତାଙ୍କୁ ଦକ୍ଷିଣେଶ୍ଵର ନେଇକରି ଆସିବାକୁ ଅନୁରୋଧ କଲେ । ଗୀତ ଶେଷ ହେବା ପରେ ସେ ନରେନ୍‌ଙ୍କ ନିକଟକୁ ଆସି ଅଳ୍ପ କଥା କହି ତାଙ୍କୁ ଦକ୍ଷିଣେଶ୍ଵର ଆସିବାକୁ ଅନୁରୋଧ ଜାଣାଇଲେ । ୧୮୮୧ ଡ଼ିସେମ୍ଵେର ୨ ତାରିଖରେ ନରେନ୍‌ଙ୍କର ପରୀକ୍ଷା ଶେଷ ହେଲା । ତାଙ୍କର ପିତା ତାଙ୍କୁ ବିବାହ ଦେବାପାଇଁ କନ୍ୟା ସ୍ଥିର କରିବାକୁ ଲାଗିଲେ । କନ୍ୟାପକ୍ଷ ଯୌତୁକ ବାବଦ ନଗଦ୍‌ ଦଶହଜାର ଟଙ୍କା ଦେବାକୁ କହିଲେ କିନ୍ତୁ ନରେନ୍‌ ବିବାହ କରିବାକୁ ସମ୍ମତ ହେଲେ ନାହିଁ । ରାମଚନ୍ଦ୍ର ନରେନ୍‌ଙ୍କ ପାଇଁ କନ୍ୟା ଖୋଜୁଥିଲେ । ନରେନ୍‌ଙ୍କର ବିବାହ କରିବାର ନାସ୍ତିବାଚକ ଜବାବ ଶୁଣି ସେ ତାଙ୍କୁ ଦକ୍ଷିଣେଶ୍ଵର ଯାଇ ମାଷ୍ଟର (ଶ୍ରୀ ରାମକୃଷ୍ଣ)ଙ୍କୁ ଭେଟିବାକୁ କହିଲେ । ରାମଚନ୍ଦ୍ରଙ୍କ ସହିତ ଯୋଗଦେଲେ ସୁରେନ୍‍ ମିତ୍ର । ନରେନ୍‌ ଦକ୍ଷିଣେଶ୍ଵର ଯିବାକୁ ରାଜି ହେଲେ ।

 

୧୮୮୨ ଜାନୁୟାରୀ ୧୫ ତାରିଖ ରବିବାର । ସୁରେନ୍‍ ମିତ୍ରଙ୍କ ଗାଡ଼ିରେ ରାମଚନ୍ଦ୍ର ଦତ୍ତ ଓ ଅନ୍ୟ ଦୁଇବନ୍ଧୁଙ୍କ ସହିତ ଗଙ୍ଗା ନିକଟରେ ଥିବା ଦକ୍ଷିଣେଶ୍ଵର ମନ୍ଦିର ନିକଟରେ ଓହ୍ଲାଇଲେ ନରେନ୍‌। ପଶ୍ଚିମ ଦ୍ଵାର (ଗଙ୍ଗାପାର୍ଶ୍ଵ) ଦେଇ ଶ୍ରୀ ରାମକୃଷ୍ଣ ପ୍ରକୋଷ୍ଠକୁ ପ୍ରବେଶ କଲେ । ନରେନ୍‌ଙ୍କର ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରିବାର ଦେଖି ଶ୍ରୀ ରାମକୃଷ୍ଣଙ୍କ ନଜର ତାଙ୍କ ଉପରେ ପଡ଼ିଲା । ନରେନ୍‌ଙ୍କୁ ଦେଖି ତାଙ୍କର ଯେଉଁ ଭାବ ଜାତ ହେଲା, ତାହାକୁ ସେ କହିଥିଲେ, “ପଶ୍ଚିମ ଦ୍ଵାର ଦେଇ ନରେନ୍ଦ୍ରନାଥ ପ୍ରଥମ ଦିନ ଏ ଗୃହରେ ପ୍ରବେଶ କରିଥିଲା । ଦେଖିଲି, ନିଜ ଶରୀର ପ୍ରତି ଲକ୍ଷ୍ୟନାହିଁ, ସବୁ ଯେପରି ତାର ସ୍ଵତନ୍ତ୍ର । ତା’ ଆଖି ଦେଖି ମନେହେଲା, ତାର ମନକୁ ଅନେକାଂଶରେ କିଏ ଯେପରି ଭିତରଆଡ଼କୁ ସବୁବେଳେ ଟାଣି ରଖିଛି । ଭାବିଲି ବିଷୟୀ ଲୋକମାନଙ୍କର ରହିବା ସ୍ଥାନ କଲିକତାରେ ଏତେ ବଡ଼ ସତ୍ତ୍ଵଗୁଣୀ ଆଧାର ରହିବା କ’ଣ ସମ୍ଭବ ? ଗୀତ ଗାଇବାକୁ କହିଲି । ସେ ବ୍ରାହ୍ମ ସମାଜର ‘ମନ ଚାଲ ନିଜ ନିକେତନ’ ଗୀତଟି ମନ ପ୍ରାଣ ଢାଳି ଧାନସ୍ଥ ହୋଇ ଗାଇବାକୁ ଲାଗିଲା । ”

 

ନରେନ୍‌ଙ୍କ ଗୀତ ଶ୍ରବଣରେ ତନ୍ମୟ ହୋଇ ସମାଧି ଅବସ୍ଥାରୁ ଉଠି ଶ୍ରୀ ରାମକୃଷ୍ଣ ସମବେତ ଭକ୍ତମାନଙ୍କୁ ସମ୍ବୋଧନ କରି କହିଲେ, “ଦେଖ ! ନରେନ୍‌ କିପରି ସରସ୍ଵତୀଙ୍କ ଆଲୋକରେ ଅଦ୍ଭାସିତ ।” “ତୁମେ କ’ଣ ଶୋଇବା ସମୟରେ ଏପରି ଆଲୁଅ ଦେଖି ପାରୁଛ ?” ସେ ନରେନ୍‌ଙ୍କୁ ପଚାରିଲେ । ନରେନ୍‌ଉତ୍ତର ଦେଲେ ‘ହଁ’ ।

 

ହଠାତ୍‌ ଶ୍ରୀ ରାମକୃଷ୍ଣ ଉଠିପଡ଼ି ନରେନ୍‌ଙ୍କ ହାତ ଧରି ଉତ୍ତରବାରଣ୍ଡା ଆଡ଼କୁ ନେଇଗଲେ । ଦୁଆର ମୁହଁକୁ ବନ୍ଦ କରିଦେଲେ । ଘର ଭିତରେ କେବଳ ନରେନ୍‌ଓ ଶ୍ରୀ ରାମକୃଷ୍ଣ । ନରେନ୍‌ଙ୍କ ଭାଷାରେ, “ହଠାତ୍‌ ମୋ ହାତଧରି ଅବାରିତ ଆନନ୍ଦ୍ରାଶ୍ରୁ ଢାଳିବାକୁ ଲାଗିଲେ ଏବଂ ପୂର୍ବ ପରିଚିତ ପରି ପରମ ସ୍ନେହରେ ମୋତେ ସମ୍ବୋଧନ କରି କହିବାକୁ ଲାଗିଲେ, ‘ଏତେ ଦିନ ପରେ ଆସିଲ ? ତୁମ ପାଇଁ ମୁଁ କିପରି ପ୍ରତୀକ୍ଷା କରିଛି ସେ କଥା ଟିକେ ଭାବିଲ ନାହିଁ ?” ମୋ ଆଗରେ ଯୋଡ଼ହସ୍ତରେ ଠିଆହୋଇ କେତେ ସମ୍ମାନରେ କହିଲେ “ଜାଣେ ପ୍ରଭୁ ! ତୁମେ ସେହି ପ୍ରାଚୀନ ଋଷି, ନରରୂପୀ ନାରାୟଣ, ଜୀବର ଦୁର୍ଗତି ନିବାରଣ କରିବାକୁ ପୁନଶ୍ଚ ଶରୀର ଧାରଣ କରିଛ ।”

 

ସାଧୁଙ୍କ ଏପରି ବ୍ୟବହାରରେ ବିସ୍ମିତ ହୋଇପଡ଼ିଲେ ନରେନ୍‌– “କିଏ ଏହି ବ୍ୟକ୍ତି, ଯାହାଙ୍କୁ ମୁଁ ଦର୍ଶନ କରିବାକୁ ଆସିଛି । ସେ ନିଶ୍ଚେ ବଦ୍ଧ ପାଗଳ । ମୁଁ ହେଉଛି ବିଶ୍ଵନାଥ ଦତ୍ତଙ୍କ ପୁତ୍ର; କିନ୍ତୁ ସେ ମୋତେ ଏପରି ସମ୍ବୋଧନରେ ଡାକିବାର ସାହସ କିପରି କଲେ ।” ମନରେ ଏପରି ଭାବୁଥିଲେ ମଧ୍ୟ ନରେନ୍‌ କିଛି କହିଲେ ନାହିଁ ।

 

ଶ୍ରୀ ରାମକୃଷ୍ଣ ଗୃହ ମଧ୍ୟକୁ ପ୍ରବେଶ କରି କିଛି ମିଷ୍ଟାନ୍ନ, ଚିନିଖଣ୍ଡ, ଲହୁଣି ଆଣି ତାଙ୍କୁ ନିଜ ହାତରେ ଖୁଆଇବାକୁ ଲାଗିଲେ । ନରେନ୍‌ ନିଜ ହାତରେ ଖାଇବାକୁ ଓ ବନ୍ଧୁମାନଙ୍କୁ ଦେବାକୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ସେ ତାଙ୍କ କଥା ନଶୁଣି ଖୁଆଇ ଚାଲିଥିଲେ “ସେମାନେ ପରେ ଖାଇବେ” ଏହା ଥିଲା ତାଙ୍କର ଉତ୍ତର । ତତ୍‌ପଶ୍ଚାତ୍ ଶ୍ରୀ ରାମକୃଷ୍ଣ ନରେନ୍‌ଙ୍କ ହାତକୁ ଧରି କହିଲେ, “ତୁମେ ଖୁବ୍‌ ଶୀଘ୍ର ଏକା ଏକା ମୋ ନିକଟକୁ ଆସିବ– ଏହି ଶପଥ କର ।” ନରେନ୍‌ ‘ହଁ’ କହିବା ବ୍ୟତୀତ ଅନ୍ୟ କୌଣସି ଗତ୍ୟନ୍ତର ନଥିଲା । ଶ୍ରୀ ରାମକୃଷ୍ଣ ତାଙ୍କୁ ତାଙ୍କ କୋଠରିକୁ ନେଇଗଲେ ଓ ଭକ୍ତମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଲାଗିଲେ, ଯେପରି କିଛି ଘଟିନାହିଁ । ନରେନ୍‌ ବନ୍ଧୁମାନଙ୍କ ସହିତ ବସି ଦେଖୁଥିଲେ । ତାଙ୍କ କଥାରେ, ବାକ୍ୟରେ, ଚଳପ୍ରଚଳରେ ଯେମିତି କୌଣସି ପରିବର୍ତ୍ତନ ନାହିଁ । ଅନ୍ୟମାନଙ୍କ ପ୍ରତି ବ୍ୟବହାର ଅତି ସାଧାରଣ ।

 

ଏ ପ୍ରସଙ୍ଗରେ ସ୍ଵାମୀଜୀ ନ୍ୟୁୟର୍କଠାରେ କହିଥିଲେ, “ମୁଁ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଶୁଣିଥିଲି । ସେ ଜଣେ ସାଧାରଣ ମଣିଷ ପରି ଦେଖାଯାଉଥିଲେ; ସେପରି କୌଣସି ଆଲୌକିକ ଶକ୍ତି ତାଙ୍କଠାରେ ଦେଖାଯାଉ ନଥିଲା । ସେ ଅତି ସରଳ ଭାଷା ବ୍ୟବହାର କରୁଥିଲେ ଏବଂ ମୁଁ ଭାବିଲି, “ଏ ବ୍ୟକ୍ତି କ’ଣ ଜଣେ ମହାନ୍‍ ଆଚାର୍ଯ୍ୟ ହୋଇପାରିବେ ? ତାଙ୍କ ନିକଟକୁ ଘୁଞ୍ଚି ଘୁଞ୍ଚି ଗଲି ଏବଂ ଯେଉଁ ପ୍ରଶ୍ନ ମୋ ପାଇଁ ସବୁଠାରୁ ମୂଲ୍ୟବାନ୍‌, ସେହି ପ୍ରଶ୍ନଟିକୁ ପଚାରିଲି, “ମହାଶୟ ! ଆପଣ ଈଶ୍ଵରଙ୍କୁ ଦେଖିଛନ୍ତି କି ?” ‘ହଁ’ ‘କିପରି’ ? “ତୁମକୁ ମୁଁ ଏଠାରେ ଯେପରି ଦେଖୁଛି, ତାଙ୍କୁ ସେହିପରି ଦେଖେ ଟିକିଏ ଗଭୀର ଅନୁଭୂତି ନେଇ ।” ତାଙ୍କର ଏ ଉତ୍ତର ମୋତେ ତତ୍‌କ୍ଷଣାତ୍ ପ୍ରଭାବିତ କରିଥିଲା । ପ୍ରଥମ ଥର ପାଇଁ ମୁଁ ଜଣେ ମଣିଷକୁ ପାଇଲି, ଯେ କି ଅତ୍ୟନ୍ତ ଆତ୍ମବିଶ୍ଵାସର ସହିତ କହିଲେ ଯେ ସେ ଈଶ୍ଵରଙ୍କୁ ଦେଖିଛନ୍ତି, ଧର୍ମ ହେଉଛି ଅନୁଭୂତି, ଯାହାକୁ ଅନୁଭବ କରିହେବ– ଯେପରି ଆମେ ପୃଥିବୀକୁ ଅନୁଭବ କରୁଛୁ, ତା’ଠାରୁ ଅଧିକ ବ୍ୟାପକଭାବେ ନିରନ୍ତର ଅନୁଭବ କରିହେବ ।”

 

ନରେନ୍ଦ୍ରନାଥ ଏହି ପ୍ରଶ୍ନ ଏହା ପୂର୍ବରୁ ଦେବେନ୍ଦ୍ରନାଥ ଠାକୁରଙ୍କୁ ପଚାରିଥିଲେ । ମହର୍ଷି ଦେବେନ୍ଦ୍ରନାଥ ଗୋଟିଏ ଡଙ୍ଗାରେ ଗଙ୍ଗାବକ୍ଷରେ ଅବସ୍ଥାନ କରୁଥିବା ବେଳେ ଈଶ୍ଵରଙ୍କୁ ଜାଣିବାରେ ବ୍ୟାକୁଳ ନରେନ୍‌ ତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ, ତାଙ୍କୁ ସେହି ପ୍ରଶ୍ନଟିକୁ ରୋକ୍‍ଠୋକ୍‌ ଭାବରେ ପଚାରିଥିଲେ, “ମହାଶୟ ! ଆପଣ ଈଶ୍ଵରଙ୍କୁ ଦେଖିଛନ୍ତି କି ?’’ ମହର୍ଷି ଏ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ବାରମ୍ବାର ଚେଷ୍ଟାକରି ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇପାରିନାହାନ୍ତି । ଶବ୍ଦ ତାଙ୍କ ପାଟିକୁ ଆସିନାହିଁ । ତତ୍ପରେ ସେ ନରେନ୍‌ଙ୍କ ଆଖିକୁ ଚାହିଁ କହିଛନ୍ତି, “ଯୁବକ ! ତୁମର ଚକ୍ଷୁ ଯୁଗଳ ହେଉଛି ଯୋଗୀର ଚକ୍ଷୁ ।”

 

ନରେନ୍‌ଙ୍କର ଦକ୍ଷିଣେଶ୍ଵର ଆଗମନ ପୁନରାୟ ୧୮୮୨ ଫେବୃୟାରୀ ୫ ତାରିଖ । ସେ ଶ୍ରୀ ରାମକୃଷ୍ଣଙ୍କର ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କଲାବେଳେ ସେ ଛୋଟ ଖଟଟି ଉପରେ ଉପବିଷ୍ଟ । ଘର ଭିତରେ ଅନ୍ୟ କେହି ନାହାନ୍ତି । ସଦାସର୍ବଦା ନରେନ୍‌ଙ୍କୁ ଦେଖିବା ପାଇଁ ଆକୁଳ ହେଉଥିବା ଶ୍ରୀ ରାମକୃଷ୍ଣ ତାଙ୍କୁ ଦେଖି ଆନନ୍ଦ ପ୍ରକାଶ କରିଛନ୍ତି ଓ ଖଟ ଉପରେ ବସିବାକୁ କହିଛନ୍ତି-। ସେ ତାଙ୍କ ଉପରେ ଦୃଷ୍ଟିନିବଦ୍ଧ କରି ନିଜକୁ ନିଜେ କିଛି କହି, ତାଙ୍କ ନିକଟକୁ ଆଣିଛନ୍ତି । ତାପରେ କ’ଣ ଘଟିଛି, ଏ ସମ୍ପର୍କରେ ସ୍ଵାମୀ ବିବେକାନନ୍ଦ କହିଛନ୍ତି, “ମୁଁ ଭାବିଲି ବୋଧହୁଏ ଗତଥର ପରି ସେ କିଛି କୌତୁକିଆ କାର୍ଯ୍ୟ କରିବେ । ମାତ୍ର ଆଖି ପିଛୁଳାକେ, ସେ ତାଙ୍କର ବାମପାଦ ମୋ ଶରୀର ଉପରେ ସ୍ଥାପନ କଲେ । ତାଙ୍କର ଏହି ସ୍ପର୍ଶ ମୋତେ ଅଭାବନୀୟ ଅନୁଭୂତି ପ୍ରଦାନ କଲା । ମୁଁ ମୋର ଚକ୍ଷୁ ବିସ୍ଫାରିତ କରି ଦେଖିଲି ଘରର ସମସ୍ତ କାନ୍ଥ ଏବଂ ତା ସହିତ ଘର ଭିତରେ ଥିବା ସମସ୍ତ ପଦାର୍ଥ ଘୃର୍ଣ୍ଣାୟମାନ ହୋଇ ଶୂନ୍ୟକୁ ମିଳାଇ ଯାଉଛି ଏବଂ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ ମୋର ବ୍ୟକ୍ତିଗତ ସତ୍ତା ସହିତ ଶୂନ୍ୟରେ ଲୀନହେବା ପାଇଁ ଧାବମାନ, ଯେପରି ଏହା କୌଣସି ସର୍ବଗ୍ରାସୀ ମହାଶୂନ୍ୟରେ ମିଶିବା ପାଇଁ ବ୍ୟଗ୍ର ।”

 

“ହେ ମହାଶୟ; ଆପଣ ଏ କ’ଣ କରୁଛନ୍ତି ? ମୋର ବାପା ମା’ ଘରେ ଅଛନ୍ତି ।” ସେ ଅଦ୍ଭୁତ ମଣିଷଟି ବଡ଼ ପାଟିରେ ହସିବାକୁ ଲାଗିଲେ ଏବଂ ମୋର ଛାତିକୁ ଆଉଁସି ଦେଇ କହିଲେ, “ଠିକ୍‌ ଅଛି । ବର୍ତ୍ତମାନ ପାଇଁ ଏତିକିରେ ଥାଉ । ସବୁକିଛି ଠିକ୍‌ସମୟରେ ଆସିବ ।” ଆଶ୍ଚର୍ଯ୍ୟ ଘଟଣା ଏହି ଯେ ଯେମିତି ସେ ଏତିକି କଥା କହିଛନ୍ତି, ତତ୍‌କ୍ଷଣାତ୍‍ ମୋର ସେହି ଅଦ୍ଭୁତ ଅନୁଭବ କୁଆଡ଼େ ଉଭେଇଗଲା । ମୁଁ ମୋ ନିଜକୁ ପାଇଲି ଏବଂ ଘର ଭିତରେ ଓ ବାହାରେ ଯାହା କିଛି ଥିଲା, ତାହା ଥିବାର ଲକ୍ଷ୍ୟ କଲି ।’’ ଯୁକ୍ତି, ବିଚାର ଓ ନିଜର ଉପଲବ୍‍ଧି ମଧ୍ୟରେ ସେ କିଛି ସ୍ଥିର କରିପାରିଲେ ନାହିଁ । ନିଜ ମନରେ ଦାରୁଣ ଆଘାତ ପାଇଲେ । ସେ ଏ ସମ୍ପର୍କରେ କହିଥିଲେ, “ବୁଦ୍ଧିର ବିକାଶ ହେବା ପର୍ଯ୍ୟନ୍ତ ଦର୍ଶନ, ଅନୁସନ୍ଧାନ ଓ ଯୁକ୍ତିତର୍କ ସାହାଯ୍ୟରେ ପ୍ରତ୍ୟେକ ବସ୍ତୁ ଓ ବ୍ୟକ୍ତି ସମ୍ବନ୍ଧରେ ଗୋଟିଏ ମତ ସ୍ଥିର ନ କରି, କେବେ ନିଶ୍ଚିତ ହୋଇପାରି ନାହିଁ । ଆଜି ସେହି ସ୍ଵଭାବ ଦାରୁଣ ଭାବରେ ଆଘାତପ୍ରାପ୍ତ ହେବାରୁ ପ୍ରାଣରେ ଏକ ଯନ୍ତ୍ରଣା ଉପସ୍ଥିତ ହେଲା ।”

ନରେନ୍‌ଙ୍କ ମନ ଭିତରେ ଉଠୁଥିବା ବିଭିନ୍ନ ବିଚାର ଓ ଚିନ୍ତାଧାରା ପ୍ରତି ଶ୍ରୀ ରାମକୃଷ୍ଣ ଆଦୌ ସଚେତନ ନଥିଲେ । ସେ ଏକ ବ୍ୟସ୍ତ ମଣିଷଭାବେ ନରେନ୍‌ଙ୍କର ଦେଖାଶୁଣା କରିବାରେ ବ୍ୟସ୍ତ ଥିଲେ, ଯେପରି ତାଙ୍କ ସହିତ ବହୁଦିନର ଅନ୍ତରଙ୍ଗ ସମ୍ପର୍କ ରହିଛି । ତାଙ୍କର ସ୍ନେହଶୀଳ ବ୍ୟବହାର ନରେନ୍‌ଙ୍କ ମନକୁ ଆନ୍ଦୋଳିତ କଲା ।

ନରେନ୍‍ଙ୍କ ଚିନ୍ତା ଜଗତରେ ଝଡ଼ ସୃଷ୍ଟି ହେଲା । ସେ ଭାବିବାକୁ ଲାଗିଲେ– ଏହା କ’ଣ ଶ୍ରୀ ରାମକୃଷ୍ଣଙ୍କର ସମ୍ମୋହନ ଶକ୍ତିର ପ୍ରଭାବ ? ଦୁର୍ବଳଚିତ୍ତ ବ୍ୟକ୍ତିଙ୍କୁ ସମ୍ମୋହିତ କରିବା ସମ୍ଭବ, ମାତ୍ର ସତ୍‌ଇଚ୍ଛାଶକ୍ତିସମ୍ପନ୍ନ ଯୁବକକୁ ସମ୍ମୋହିତ କରିବାର ପ୍ରଶ୍ନ ଉଠୁନାହିଁ । ସେ ଭାବିଲେ, ଏ ଯଦି ଏତେ ଶକ୍ତିର ଅଧିକାରୀ ହୁଅନ୍ତି, ଯେପରି ପ୍ରବଳ ଇଚ୍ଛାଶକ୍ତିସମ୍ପନ୍ନ ମନର ଗଠନକୁ ଭାଙ୍ଗି ଚୁରିମାରି ମାଟି ପିଣ୍ଡୁଳାସଦୃଶ ନିଜ ଭାବରେ ପ୍ରଭାବିତ କରିପାରନ୍ତି, ତେବେ ମୁଁ ତାଙ୍କୁ ପାଗଳ ବୋଲି କିପରି କହିବି ?’’

ସେ ଶ୍ରୀ ରାମକୃଷ୍ଣଙ୍କର ପ୍ରକୃତ ସ୍ଵରୂପ ଓ ଶକ୍ତି ଜାଣିବା ପାଇଁ ବଦ୍ଧପରିକର ହେଲେ । “ଏହାର ଫଳ ହେଲା ଏତିକି ଯେ ମୋ ମନରେ ଏକ ପ୍ରଗାଢ଼ ସଂକଳ୍ପ ଭାବନା ଜାଗ୍ରତ ହେଲା । ମୋତେ ଯାହା କରିବାର କଥା, କରିବାକୁ ହେବ । ଏହି ଅଦ୍ଭୁତ ମଣିଷଟିର ପ୍ରକୃତ ସ୍ଵରୂପ ଓ ଶକ୍ତିକୁ ଜାଣିବାକୁ ହେବ।”

ଦକ୍ଷିଣେଶ୍ଵରଠାରେ ପ୍ରଥମ ସାକ୍ଷାତ୍‍ ହେବାବେଳୁ ଶ୍ରୀ ରାମକୃଷ୍ଣ ନରେନ୍‌ ଧ୍ୟାନସିଦ୍ଧ ବୋଲି ଜାଣିଥିଲେ । ତେଣୁ ନରେନ୍‌ ଚାଲିଯିବା ପରେ ସେ ପୁନରାୟ ତାଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇଉଠନ୍ତି । ନରେନ୍‌ଙ୍କ ଭିତରେ ଶ୍ରୀ ରାମକୃଷ୍ଣ ଅସାମାନ୍ୟ ଶକ୍ତିର ସନ୍ଧାନ ପାଇଥିଲେ-। ସେ ଏପରି ଜଣେ ଶିଷ୍ୟକୁ ଖୋଜୁଥିଲେ ଯେ ତାଙ୍କର ଆଧ୍ୟାତ୍ମିକ ସମ୍ପଦର ପୂର୍ଣ୍ଣ ଉତ୍ତରାଧିକାରୀ ହୋଇପାରିବ । ତେଣୁ ଭବତାରିଣୀ ମା’ ତାଙ୍କର ମନସ୍କାମନା ଓ ପ୍ରାର୍ଥନାକୁ ପୂର୍ଣ୍ଣକରି ନରେନ୍‌ଙ୍କୁ ତାଙ୍କ ନିକଟକୁ ପଠାଇଥିବାର ସେ ପ୍ରଥମ ସାକ୍ଷାତ୍‍ବେଳୁ ହିଁ ଉପଲବ୍‍ଧି କରିପାରିଥିଲେ ।

ଏହା ପରେ ନରେନ୍‌ ବାରମ୍ବାର ଦକ୍ଷିଣେଶ୍ଵର ଆସିଛନ୍ତି । ଶ୍ରୀ ରାମକୃଷ୍ଣ ଓ ନରେନ୍‌ଙ୍କ ମଧ୍ୟରେ ଏକ ଅନାବିଳ ଆତ୍ମୀୟତାର ବନ୍ଧନ ଗଢ଼ିଉଠିଛି ।

ଦିନକର ଘଟଣା । ଭକ୍ତମାନଙ୍କ ଦ୍ଵାରା ପରିବେଷ୍ଟିତ ହୋଇ ବସିଥାନ୍ତି ମାଷ୍ଟର (ଶ୍ରୀ ରାମକୃଷ୍ଣ) । ମାଷ୍ଟର ସ୍ମିତ ହସି କହିଲେ, “ନରେନ୍‌ ! ତୁମେ କଣ ଭାବୁଛ ? ସଂସାରୀ ଲୋକମାନେ ଈଶ୍ଵରକୋଟୀ ଲୋକମାନଙ୍କୁ ଦେଖି ଥଟ୍ଟା କରନ୍ତି । ହାତୀ ରାସ୍ତାରେ ଗଲାବେଳେ, ବୁଲା କୁକୁର ତା’ ପଛରେ ଗୋଡ଼େଇ ଗୋଡ଼େଇ ଭୁକି ଭୁକି ଯାଆନ୍ତି କିନ୍ତୁ ହାତୀର ଏଥି ପ୍ରତି ଆଦୌ ନଜର ନଥାଏ ଏବଂ ସେ ତା’ ନିଜ ବାଟରେ ଯାଏ । ତୁମେ କ’ଣ ଭାବୁଛ, ଯଦି ଲୋକେ ତୁମ ପଛରେ ଖରାପ କରି କହନ୍ତି ?” ହଠାତ୍‌ ନରେନ୍‌ ରାଗମିଶା ବିରକ୍ତ ସ୍ୱରରେ କହିଲେ, “ମୁଁ ସେମାନଙ୍କୁ ସେହି ବୁଲା କୁତୀ ବୋଲି ଭାବିବି, ଯେଉଁମାନେ ମୋ ପଛରେ ଭୁକନ୍ତି ।”

“ନାଁ ଏତେ ବାଟ ନୁହେଁ ମୋର ପୁତ୍ର !” ମାଷ୍ଟର ହସି ହସି କହିଲେ । “ତୁମର ଏତେ ବାଟ ଯିବାର ଆଦୌ ଆବଶ୍ୟକତା ନାହିଁ । ଈଶ୍ଵର ସକଳ ପ୍ରାଣୀ ଦେହରେ ବିଦ୍ୟମାନ । ତେଣୁ ପ୍ରତ୍ୟେକ ବସ୍ତୁ ଆମର ସମ୍ମାନ ଦାବୀକରେ ।”

ମାଷ୍ଟର ନରେନ୍‌ଙ୍କୁ ଉଚ୍ଚକଣ୍ଠରେ ପ୍ରଶଂସା କଲେ । ସେ ତାଙ୍କୁ ‘ନିତ୍ୟସିଦ୍ଧ’ ବୋଲି ବର୍ଣ୍ଣନା କରି ‘ହୋମାପକ୍ଷୀ’ ବୋଲି କହିଲେ । ହୋମାପକ୍ଷୀର ପାଦ କେବେ ହେଲେ ଭୂମି ସ୍ପର୍ଶ କରେ ନାହିଁ । ସେ ଆକାଶରେ ଅଣ୍ଡାଦିଏ । ଅଣ୍ଡା ତଳକୁ ଖସିବା ବେଳେ ଛୁଆ ଜନ୍ମ ହୁଏ । ସେ ଛୁଆ ତଳକୁ ଖସିଲାବେଳେ ନିଜ ସ୍ଵରୂପ ସମ୍ପର୍କରେ ଜ୍ଞାତ ହୋଇ ପୁନରାୟ ଆକାଶକୁ ଉଠେ । ନରେନ୍ ଓ ଶ୍ରୀ ରାମକୃଷ୍ଣଙ୍କ ସାକ୍ଷାତ୍‍ ପରେ ନରେନ୍ ତାଙ୍କ ଅନୁରୋଧରେ ଗୀତ ବୋଲନ୍ତି ଏବଂ ମାଷ୍ଟରଙ୍କର ଭାବସମାଧି ଘଟେ ।

Image

 

ଗୁରୁ ଓ ଶିଷ୍ୟ

 

ତାଙ୍କର ପ୍ରଥମ ସାକ୍ଷାତ୍‍ ପରସ୍ପର ମଧ୍ୟରେ ଅହେତୁକ ବନ୍ଧନରେ ଯୋଗସୂତ୍ର ସ୍ଥାପନ କରିଥିଲା । ଶ୍ରୀ ରାମକୃଷ୍ଣ ପ୍ରଥମ ସାକ୍ଷାତ୍‍ବେଳୁ ହୃଦୟଙ୍ଗମ କରିଥିଲେ ଯେ ସେ ନରେନ୍ଦ୍ରଙ୍କ ପରି ଜଣେ ଯୁବକଙ୍କୁ ତାଙ୍କର ପ୍ରମୁଖ ଶିଷ୍ୟ ଭାବରେ ଚାହାଁନ୍ତି, କାରଣ ନରେନ୍ଦ୍ର ହେଉଛନ୍ତି ଧ୍ୟାନସିଦ୍ଧ ଓ ଅଳୀକ ସଂସାରର ମୋହ ‘କାମିନୀ ଓ କାଞ୍ଚନ’ଠାରୁ ଉର୍ଦ୍ଧ୍ୱରେ ଏବଂ ନରେନ୍ଦ୍ରନାଥ ମାଷ୍ଟରଙ୍କ ଅଦ୍ଭୁତ ଦକ୍ଷତା ଓ ସାମର୍ଥ୍ୟ ସମ୍ପର୍କରେ ଅନୁଭବୀ ହୋଇଥିଲେ ହେଁ, ତାକୁ ପ୍ରକାଶ କରିବାରେ ଥିଲେ ଅକ୍ଷମ କିନ୍ତୁ ତାଙ୍କର ତ୍ୟାଗ ଓ ଈଶ୍ଵରଙ୍କ ପ୍ରତି ଏକନିଷ୍ଠ ପ୍ରେମ ଦେଖି ଆକୃଷ୍ଟ ହୋଇପଡ଼ିଥିଲେ । ନରେନ୍ଦ୍ର ଶ୍ରୀ ରାମକୃଷ୍ଣଙ୍କୁ ଗୁରୁଭାବରେ ହଠାତ୍‌ ଗ୍ରହଣ ନକରି ବହୁ ସମୟନେଇ ପରୀକ୍ଷା ନିରୀକ୍ଷା କରିଥିଲେ ।

 

ପ୍ରଥମ ସାକ୍ଷାତ୍‍ ପରଠାରୁ ବହୁ ସାକ୍ଷାତ୍‍ ମଧ୍ୟରେ ସେମାନଙ୍କ ମଧ୍ୟରେ ପ୍ରେମଭାବ ରହିଥିଲେ ମଧ୍ୟ ଅନେକ ବ୍ୟବଧାନ ଥିଲା । ନରେନ୍ଦ୍ର ନିଜ ବିଶ୍ଵାସରେ ଅବିଚଳିତ ଓ ଦୃଢ଼ ଥିଲେ । ସେ ଥିଲେ ମୁକ୍ତବିଶ୍ଵାସର ଯୁବକ । ପାଶ୍ଚାତ୍ୟ ଦର୍ଶନଶାସ୍ତ୍ରରେ ଅଗାଧ ବ୍ୟୁତ୍ପତ୍ତି । ଫଳରେ ଅନେକ ସମୟରେ ମାଷ୍ଟର ଓ ନରେନ୍ଦ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ନରେନ୍ଦ୍ର ମାଷ୍ଟରଙ୍କ ପ୍ରତି କଡ଼ାଭାଷା ପ୍ରୟୋଗ କରୁଥିଲେ । ଏଥିରେ ମାଷ୍ଟର ଆଦୌ ରାଗୁ ନଥିଲେ । ଦିନେ ନରେନ୍ଦ୍ର ତାଙ୍କ ସହିତ ଖୁବ୍‌ କଡ଼ାଭାଷାରେ ଯୁକ୍ତି କଲେ ଏବଂ ହଠାତ୍‌ ରାଗିଯାଇ ଚୁପ୍‌ହୋଇ ବସିଲେ । ମାଷ୍ଟର ଯେତେ ଡାକିଲେ ମଧ୍ୟ ସେ ଆଦୌ ଶୁଣିଲେ ନାହିଁ । ଏହା ଦେଖି ଶ୍ରୀ ରାମକୃଷ୍ଣ କହିଲେ, “ଯଦି ତୁମେ ମୋ କଥାକୁ ଶୁଣିବାକୁ ଇଚ୍ଛା କରୁନାହଁ, ତେବେ ଏଠାକୁ ଆସୁଛ କାହିଁକି ?”

 

ହଠାତ୍‌ ନରେନ୍ଦ୍ର ଉତ୍ତରଦେଲେ, “ମୁଁ ଏଠାକୁ ତୁମକଥା ଶୁଣିବାକୁ ଆସୁନାହିଁ । ମୁଁ ଆସୁଛି, କାରଣ ମୁଁ ତୁମକୁ ଭଲପାଉଛି ।”

 

ଏହା ଶୁଣି ଶ୍ରୀ ରାମକୃଷ୍ଣ ଭାବପ୍ରବଣତାରେ ରୁଦ୍ଧଶ୍ଵାସ ହୋଇଗଲେ । ସେ ଉଠିପଡ଼ି ତାଙ୍କୁ କୁଣ୍ଢାଇ ପକାଇଲେ ଏବଂ ପରସ୍ପର ବହୁସମୟ ଆଲିଙ୍ଗନବଦ୍ଧ ହୋଇ ରହିଲେ । ଏହି କଥାକୁ ଲକ୍ଷ୍ୟକରି ଶ୍ରୀ ରାମକୃଷ୍ଣ ଗିରୀଶ ଚନ୍ଦ୍ର ଘୋଷଙ୍କୁ କହିଥିଲେ, “ମୁଁ ନରେନ୍ଦ୍ରଙ୍କୁ ଆତ୍ମଜ୍ଞାନରେ ଦେଖେ-। ସେଥିପାଇଁ ତାଙ୍କ କଥା ମାନେ ।”

 

ନରେନ୍ଦ୍ର ଓ ଶ୍ରୀ ରାମକୃଷ୍ଣଙ୍କ ମଧ୍ୟରେ ଈଶ୍ଵର ଓ ମୂର୍ତ୍ତିପୂଜା ନେଇ ମତପାର୍ଥକ୍ୟ ରହିଥାଏ-। ପିଲାଦିନେ ନରେନ୍ଦ୍ର ଦେବଦେବୀଙ୍କର ମାଟିମୂର୍ତ୍ତି କରି ତା’ ଉପରେ ଫୁଲ ଦେଇ ଧ୍ୟାନରେ ବସି’ଯାନ୍ତି । କିନ୍ତୁ ବୟସ ବୃଦ୍ଧି ଘଟିବା ସଙ୍ଗେ ସେ ଈଶ୍ଵରଙ୍କୁ ନିରାକାର ସଗୁଣ ବ୍ରହ୍ମଭାବରେ ଅରାଧନା କଲେ । ଯଦିଓ ସେ ବାରମ୍ବାର ଦକ୍ଷିଣେଶ୍ଵରକୁ ଆସୁଥିଲେ, କିନ୍ତୁ ମନ୍ଦିରକୁ ପ୍ରବେଶ କରି ଦେବଦେବୀଙ୍କ ନିକଟରେ ନତଜାନୁ ହୋଇ ପ୍ରଣାମ କରୁ ନଥିଲେ ।

 

ଦିନକର ଘଟଣା । ଶ୍ରୀ ରାମକୃଷ୍ଣ ନରେନ୍ଦ୍ରଙ୍କୁ ଅଦ୍ଵୈତ ଦର୍ଶନର ଜୀବ ଓ ବ୍ରହ୍ମ ସଂପର୍କରେ କହିଲେ । ନରେନ୍ଦ୍ର ତାହାକୁ ମନଧ୍ୟାନ ଦେଇ ଶୁଣିଲେ କିନ୍ତୁ ଗ୍ରହଣ କରି-ପାରିଲେ ନାହିଁ-। ସେ ସେଠାରୁ ଉଠି ତାଙ୍କର ବନ୍ଧୁ ହାଜରାଙ୍କ ନିକଟକୁ ହୁକା ପିଇବାକୁ ଗଲେ । ସେ ହାଜରାଙ୍କୁ କହିଲେ, “ଯାହା ସବୁ ମାଷ୍ଟର କହିଲେ, ତାହା କ’ଣ ପ୍ରକୃତରେ ସତ୍ୟ ଯେ ଏହି ଜଗତ୍ ହେଉଛି ଈଶ୍ଵର, ଯାହା ମୁଁ ଦେଖୁଛି ତାହା ସବୁ ଈଶ୍ଵର ଏବଂ ଆମ୍ଭେମାନେ ସମସ୍ତେ ଈଶ୍ଵର ?” ସେ ଏହା କହି ଖୁବ୍‌ ଉଚ୍ଚସ୍ଵରରେ ହସିବାକୁ ଲାଗିଲେ ଏବଂ ହାଜରା ଯେ ନିଜକୁ ଅଦ୍ଵୈତବଦୀ ବୋଲି କହିଥାନ୍ତି ସେଥିରେ ଯୋଗଦେଲେ । ପାର୍ଶ୍ଵବର୍ତ୍ତୀ କୋଠରୀ ମଧ୍ୟରୁ ଶ୍ରୀ ରାମକୃଷ୍ଣ ଅର୍ଦ୍ଧବାହ୍ୟଦଶା ଅବସ୍ଥାରେ ଆସିବାବେଳେ ଏମାନଙ୍କର ଉଚ୍ଚହାସ୍ୟ ଶୁଣି ପଚାରିଲେ, “ହ୍ୟାଲୋ ! ତୁମ୍ଭେମାନେ କ’ଣ କଥା ହେଉଛ ?” ଏହା କହି ସେ ନରେନ୍ଦ୍ରଙ୍କୁ ଛୁଇଁଦେଲେ । ହଠାତ୍‌ ନରେନ୍ଦ୍ର ଦେଖିଲେ ସବୁକିଛି ପରିବର୍ତ୍ତନ ହୋଇଯାଇଛି । ସେ ଅନୁଭବ କଲେ ଯେ ସମଗ୍ର ଜଗତରେ ଈଶ୍ଵରଙ୍କ ବ୍ୟତୀତ ଅନ୍ୟକିଛି ନାହିଁ । ଏହି ଧାରଣା ତାଙ୍କ ମନରୁ ଗଲାନାହିଁ । ସେ ଘରକୁ ଫେରିଗଲେ ମଧ୍ୟ ସବୁ ସ୍ଥାନରେ ଈଶ୍ଵରଙ୍କୁ ଦେଖିବାକୁ ପାଇଲେ । ସେ ଖାଇବାକୁ ବସିଲେ, ମାତ୍ର ଖାଇପାରିଲେ ନାହିଁ-। ସେଠାରେ ଚୁପ୍‌ଚାପ୍ ବସିଥିବାର ଦେଖି ତାଙ୍କ ମା’ ପଚାରିଲେ ‘ତୁମେ ଏପରି ଏଠାରେ ବସିଛ କାହିଁକି ? ଖାଅ ।’ ସେ ଖାଇବାକୁ ଲାଗିଲେ କିନ୍ତୁ ତାହାକୁ ଠିକ୍‌ଭାବରେ ଗ୍ରହଣ କରିପାରିଲେ ନାହିଁ-। ଅନୁଭବ କଲେ ଯେପରି ଅନ୍ୟ କିଏ ଖାଉଛି । ରାସ୍ତାରେ ଗାଡ଼ିମଟର ଯିବାର ଦେଖି ମଧ୍ୟ ଘୁଞ୍ଚିଲେ ନାହିଁ । କାରଣ ଗାଡ଼ି ମଟର ଭିତର ଦେଇ ସେହି ସତ୍ତାକୁ ଦେଖିଲେ । ତାଙ୍କ ଓଠରେ କୌଣସି ସ୍ପନ୍ଦନ ଅନୁଭବ କଲେ ନାହିଁ । ଯେପରି ତାହା କ୍ରମଶଃ ପଙ୍ଗୁ ହୋଇଯିବାରେ ଲାଗୁଛି । ଏହା କ୍ରମାନ୍ଵୟରେ କେତେଦିନ ଧରି ଚାଲିଲା । ଏଥିରେ ତାଙ୍କର ମା’ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଲେ । କର୍ଣ୍ଣଓ୍ଵାଲିସ୍‌ ଷ୍ଟ୍ରୀଟ ଠାରେ ସେ ଲୁହା ରେଲିଂରେ ନିଜ ମୁଣ୍ଟକୁ ପିଟି ତାହା ଠିକ୍‌ କି ନୁହେଁ, ଦେଖିବାକୁ ଚେଷ୍ଟାକଲେ । କିଛିଦିନ ପରେ ତାଙ୍କର ଏହି ଅନୁଭବ ଦୂର ହେଲା । ସେ ବୁଝିପାରିଲେ ଯେ ଏହା ହେଉଛି ଅଦ୍ଵୈତ ଅବସ୍ଥା ।

 

ନରେନ୍ଦ୍ର ଓ ଶ୍ରୀ ରାମକୃଷ୍ଣଙ୍କ ମଧ୍ୟରେ ପାର୍ଥକ୍ୟ ମୂର୍ତ୍ତିପୂଜାକୁ ନେଇ ଦେଖାଦେଇଥିଲା । ସେ କାଳୀଙ୍କୁ ଦିବ୍ୟଜନନୀ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ବିବେକାନନ୍ଦ ଭଗିନୀ ନିବେଦିତାଙ୍କୁ ଏ ସମ୍ପର୍କରେ କହିଥିଲେ, “ମୁଁ କାଳୀ ଓ ତାଙ୍କର ଯାବତୀୟ ଚଳଣିକୁ ଘୃଣା କରୁଥିଲି । ମୁଁ ତାଙ୍କୁ ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନଥିଲି ....... ହଁ, ମୁଁ ଦୀର୍ଘ ଦିନଧରି ସଂଘର୍ଷ କଲି । କିନ୍ତୁ ପରିଶେଷରେ ମୋତେ ତାଙ୍କୁ ଗ୍ରହଣ କରିବାକୁ ହୋଇଥିଲା । ଶ୍ରୀ ରାମକୃଷ୍ଣ ପରମହଂସ ମୋତେ ତାଙ୍କ ନିକଟରେ ସମର୍ପଣ କରିଦେଇଥିଲେ । ତଥାପି ମୁଁ ତାଙ୍କ ସହିତ ବିରୋଧ କରିଥିଲି । ମୁଁ ତାଙ୍କୁ ଭଲ ପାଉଥିଲି; ହଁ ତାହା ହିଁ ମୋତେ ତାଙ୍କ ନିକଟରେ ବାନ୍ଧିରଖିଥିଲା । ମୁଁ ତାଙ୍କର ଚମତ୍କାର ପବିତ୍ରତା ଦେଖିଥିଲି । ତାଙ୍କର ମହିମା ସେ ପର୍ଯ୍ୟନ୍ତ ମୋ ଉପରେ ବର୍ଷି ନଥିଲା । ମୁଁ ତାହା ସବୁ ପାଇଲି ଯେତେବେଳେ ତାଙ୍କୁ ଗ୍ରହଣ କଲି ଏବଂ ପରିଶେଷରେ ମୋତେ ତାଙ୍କୁ (କାଳୀଙ୍କୁ) ଗ୍ରହଣ କରିବାକୁ ହୋଇଥିଲା । ସେହି ସମୟରେ ମୋର ବ୍ୟକ୍ତିଗତ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ........ ତାହା ଥିଲା ମୋ ପାଇଁ ଏକ ସୁଯୋଗ ........ ସେ ମୋତେ ତାଙ୍କର କ୍ରୀତଦାସ କରିଦେଲେ ।”

 

“ତୁମେ ଦେଖ, ମୁଁ ବିଶ୍ଵାସ ନକରି ରହିପାରିଲିନାହିଁ ଯେ ଆଉ ଏକ ମହାନ୍‌ ଶକ୍ତି ରହିଛି ଯେ ନିଜକୁ ପ୍ରକୃତ (ନାରୀ) ଭାବରେ ବିଚାର କରେ ଏବଂ ଯାହାକୁ କାଳୀ ଏବଂ ‘ମା’ ନାମରେ ଡକାଯାଏ ।” ଏବଂ ମୁଁ ବ୍ରହ୍ମନ୍‌ରେ ବିଶ୍ଵାସ କଲି ....... ଏହା ଏକ…....ତଥାପି ........ ତାହା ମଧ୍ୟ ଦେବଦେବୀ ।’’

 

ଶ୍ରୀ ରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜପାଖରେ ବାରମ୍ବାର ଦେଖିବାକୁ ଇଚ୍ଛା କରୁଥିଲେ । ତେଣୁ ସେ ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ପ୍ରଶଂସା କରୁଥିଲେ । ଦିନେ କେଶବଚନ୍ଦ୍ର ସେନ୍‌, ବିଜୟକୃଷ୍ଣ ଗୋସ୍ଵାମୀ ଓ ଅନ୍ୟମାନେ ଦକ୍ଷିଣେଶ୍ଵର ଆସିଥିଲେ । ସେମାନେ ଚାଲିଯିବା ପରେ ଶ୍ରୀ ରାମକୃଷ୍ଣ ଅନ୍ୟମାନଙ୍କୁ ଲକ୍ଷ୍ୟକରି କହିଲେ “ଯଦି କେଶବଙ୍କ ନିକଟରେ ମହାନ୍‌ ହେବାର ଗୋଟିଏ ଲକ୍ଷଣ ରହିଛି, ନରେନ୍‌ଙ୍କର ସେହିପରି ଅଠରଟି ଲକ୍ଷଣ ରହିଛି । ମୁଁ କେଶବ ଓ ବିଜୟଙ୍କ ଭିତରେ ଜ୍ଞାନାଲୋକ ମହମବତି ପରି ଜଳୁଥିବାର ଦେଖିପାରୁଛି କିନ୍ତୁ ନରେନ୍‍ଙ୍କ ନିକଟରେ ଏହା ମଧ୍ୟାହ୍ନର ସୂର୍ଯ୍ୟାଲୋକ–ଅଜ୍ଞାନତା ଓ ମାୟାକୁ ସମ୍ପୂର୍ଣ୍ଣ ଦୂର କରିପାରୁଛି ।”

 

ଏହା ଶୁଣି ନରେନ୍‌ ରାଗିଗଲେ ଏବଂ କହିଲେ, “ତୁମେ କିପରି ବିଶ୍ଵପ୍ରସିଦ୍ଧ କେଶବଚନ୍ଦ୍ରଙ୍କ ସହିତ ଏବଂ ସାଧୁ ବିଜୟଙ୍କ ସହିତ ମୋ ପରି ଜଣେ ଅର୍ବାଚୀନ ଅନାମଧେୟ ଯୁବକ ଛାତ୍ରଙ୍କୁ ତୁଳନା କରୁଛ ? ଦୟା କରି ଆଉ ଏପରି କରିବ ନାହିଁ । ଲୋକେ ଭାବିବେ ତୁମେ ପାଗଳ ।”

 

ଏଥିରେ ଆଦୌ ପ୍ରତିକ୍ରିୟା ପ୍ରକାଶ ନକରି ଶ୍ରୀ ରାମକୃଷ୍ଣ ଉତ୍ତର ଦେଲେ, “ମୁଁ କ’ଣ କରିବି । ଦିବ୍ୟ ମା ମୋତେ ଯାହା ଦେଖାଇଲେ, ତାହା ମୁଁ କହିଲି । ସେ ମୋତେ କେବଳ ସତ୍ୟ ବ୍ୟତୀତ ଅନ୍ୟ କିଛି ଦେଖାନ୍ତି ନାହିଁ । ଯେଉଁ ଶବ୍ଦମାନ ମୁଁ କହୁଛି, ତାହା ମୋର ନୁହେଁ ।”

 

ତେଣୁ ସେ ନରେନ୍ଦ୍ରଙ୍କୁ ସହସ୍ରଦଳ ପଦ୍ମ (Thousand Petaled Lotus ) ବୋଲି ବର୍ଣ୍ଣନା କରିଛନ୍ତି ।

 

୧୮୮୪ ମସିହା ଫେବୃୟାରୀ ୨୫ ତାରିଖ । ବାରା ନଗରଠାରେ ଜଣେ ବନ୍ଧୁଙ୍କୁ ସାକ୍ଷାତ୍‍ କରିବା ସମୟରେ ହଠାତ୍‌ ନରେନ୍ଦ୍ର ତାଙ୍କ ପିତାଙ୍କର ଇହଧାମ ତ୍ୟାଗ କରିବାର ଖବର ପାଇଲେ । ସେ ସେଠାରୁ ଆସି ନିମତୋଲା ଘାଟରେ ପିତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କଲେ । ଶୁଦ୍ଧିକ୍ରିୟା ସରିବା ପୂର୍ବରୁ ସେ ଜାଣିବାକୁ ପାଇଲେ ପିତା କରଜ କରିବା ଫଳରେ କୌଣସି ସମ୍ପତ୍ତି ରଖିନାହାନ୍ତି । ପରିବାରର ୫/୬ ଜଣ ସଦସ୍ୟ । ସମସ୍ତେ ତାଙ୍କୁ ଚାହିଁ ରହିଥାନ୍ତି । ସେ ଦେଖିଲେ ଜୀବନର ଆଉ ଏକ ପାର୍ଶ୍ଵ ରହିଛି– (ଯେଉଁଠାରେ ପହଞ୍ଚିବା ପାଇଁ ସଂଗ୍ରାମ ଆବଶ୍ୟକ । ତାହା ସେ ପିତାମାତାଙ୍କର ଛାଇତଳେ ରହି ଅନୁଭବ କରିପାରି ନଥିଲେ । କରଜରେ ବୁଡ଼ି ରହିଥିବା ପରିବାର ଉପରେ କରଜଦାତାମାନଙ୍କର ତାଗିତ୍‌ ଏବଂ ପିତାଙ୍କଠାରୁ ଆନୁଗତ୍ୟ ପାଇଥିବା ବ୍ୟକ୍ତିମାନଙ୍କର ତାଙ୍କ ଆଡ଼କୁ ମୁହଁ ନ ଫେରାଇବା ସ୍ଥିତି ବେଳେ ତାଙ୍କର ଜଣେ ସମ୍ପର୍କୀୟ ସେ ରହୁଥିବା ପୈତୃକ ଘରକୁ ଦାବି କଲେ ଏବଂ ଅଦାଲତର ଆଶ୍ରୟ ଗ୍ରହଣ କରି, ତାଙ୍କୁ ସେଠାରୁ ବହିଷ୍କାର କରିବାକୁ ଚେଷ୍ଟାକଲେ । ଘରେ ଖାଦ୍ୟାଭାବ ଏବଂ ଅନାହାର ତାଙ୍କୁ ଆଖି ମଟମଟ କରି ଚାହିଁ ରହିଥିଲା ।

 

ଏହିପରି ଏକ ନିଦାରୁଣ ଦୁଃଖପୂର୍ଣ୍ଣ ସମୟରେ ମାଷ୍ଟରଙ୍କ ସେହି ସୌମ୍ୟ ମୁଖମଣ୍ଡଳ ତାଙ୍କ ଆଖି ଆଗରେ ଭାସିଉଠିଲା । ସେ ୧୮୮୪ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଦେଖା କରିବାକୁ ଗଲେ । ଶ୍ରୀ ରାମକୃଷ୍ଣ ଅସୁସ୍ଥ ଥା’ନ୍ତି । ସମାଧି ଅବସ୍ଥାରେ ପଡ଼ିଯିବା ଫଳରେ ଗୋଟିଏ ହାତ ଭାଙ୍ଗିଯାଇ ବ୍ୟାଣ୍ଡେଜ ହୋଇଥାଏ । ବ୍ରାହ୍ମସମାଜର ଭକ୍ତ ତ୍ରୈଲୋକ୍ୟନାଥ ସାନ୍ୟାଲ ଗୀତ ବୋଲୁଥିବା ବେଳେ ନରେନ୍ଦ୍ର ମାଷ୍ଟରଙ୍କ କୋଠରି ମଧ୍ୟକୁ ପ୍ରବେଶ କଲେ ଏବଂ ନୀରବରେ ସୁରେନ ମିତ୍ର ଓ ମହେନ୍ଦ୍ର ନାଥ ଦତ୍ତଙ୍କ ସହିତ ବସି ଶୁଣିବାକୁ ଲାଗିଲେ ।

 

ନରେନ୍ଦ୍ରଙ୍କ ପ୍ରତି ତାଙ୍କ ହୃଦୟରେ ଥିବା ସହାନୁଭୂତିକୁ ପ୍ରକାଶ ନକରି ଶ୍ରୀ ରାମକୃଷ୍ଣ ବିଶ୍ଵବ୍ରହ୍ମାଣ୍ଡ ସହିତ ବ୍ରହ୍ମର ଅଭିନ୍ନତା ଏବଂ ଈଶ୍ଵର ଅନୁଭୂତିହିଁ ସମସ୍ତ ସନ୍ଦେହକୁ ଦୂର କରିପାରିବ ବୋଲି କହିଲେ । ତ୍ରୈଲୋକ୍ୟଙ୍କ ଆଡ଼କୁ ଲକ୍ଷ୍ୟକରି କହିଲେ, “ଏହି ଶରୀରର ସାଧାରଣ ଦୁଃଖ ଦୈନ୍ୟ ରହିଛି । ଦେଖୁନା, ପିତାଙ୍କ ମୃତ୍ୟୁରେ ନରେନ୍ଦ୍ର କିପରି ନିଜକୁ ଅସହାୟ ବୋଧ କରୁଛି ।” ଈଶ୍ଵର ନରେନ୍ଦ୍ରଙ୍କୁ ତାଙ୍କର ଏହି ଦୁର୍ଦ୍ଦିନ ସମୟରେ ସାହାଯ୍ୟ କରନ୍ତୁ ବୋଲି ତ୍ରୈଲୋକ୍ୟନାଥ କହିବାରୁ ଶ୍ରୀ ରାମକୃଷ୍ଣ କହିଲେ, “ଏହି ସଂସାର ତାଙ୍କ (ଈଶ୍ଵର) ମାୟା ଦ୍ଵାରା ଆଚ୍ଛନ୍ନ ଏବଂ ମାୟାର ବେଷ୍ଟନୀ ମଧ୍ୟରେ ବହୁ କିଛି ବିଭ୍ରାନ୍ତ ରହିବ, ଯାହାକୁ ବୁଝିବା ଅସମ୍ଭବ । ଈଶ୍ଵରଙ୍କ ମାର୍ଗ ଭିନ୍ନ ……… କୁରୁକ୍ଷେତ୍ର ଯୁଦ୍ଧ ପରେ ଭୀଷ୍ମ ଶ୍ରୀକୃଷ୍ଣଙ୍କୁ କହିଥିଲେ, ମୁଁ ଈଶ୍ଵରଙ୍କ ମାର୍ଗ ସଂପର୍କରେ ଜାଣିବାକୁ ସମ୍ପୁର୍ଣ୍ଣ ଅକ୍ଷମ । ମୁଁ ସଦାସର୍ବଦା କାନ୍ଦୁଛି ଯେ ଈଶ୍ଵର ପାଣ୍ଡବଙ୍କ ସହିତ ରହିଥିଲେ ମଧ୍ୟ, ସେମାନଙ୍କ ଦୁଃଖ ଦୁର୍ଦ୍ଦଶାର ଶେଷ ନାହିଁ …..... ।” “ଈଶ୍ଵର ମୋତେ ଦେଖାଇଛନ୍ତି ଯେ ପରମାତ୍ମା ଯାହାକୁ ବେଦରେ ପବିତ୍ର ଆତ୍ମସ୍ଵରୂପ କୁହାଯାଇଛି, ତାହା ସୁମେରୁ ପର୍ବତ ଶିଖର ପରି, ଯେଉଁଠାରେ ଦୁଃଖ ଓ ଆନନ୍ଦ ନାହିଁ । ତାଙ୍କ ମାୟା ଫଳରେ ଏହି ସଂସାରରେ ସମସ୍ତପ୍ରକାର ବିଭ୍ରାନ୍ତି । କେହି କେବେ ହେଲେ କହିପାରିବ ନାହିଁ ଯେ ଏହା ପରେ ତାହା ଆସିବ କିମ୍ବା ଏହା ତାହାକୁ ସୃଷ୍ଟି କରିବ ।”

 

ନିଜ ହୃଦୟରେ ଅମାପ ସାହସ ସଞ୍ଚୟ କରି ଓ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥାପନ କରି ନରନ୍ଦ୍ରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ସେ ସେତେବେଳକୁ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଆଶା କରୁଥିଲେ ଯେ ତାଙ୍କୁ ଚାକିରୀ ଖଣ୍ଡିଏ ମିଳିଯିବ । ଈଶ୍ଵରଙ୍କ ନାମ ନେଇ, ବିଭିନ୍ନ ଅଫିସମାନ ବୁଲି ଚାକିରି ସନ୍ଧାନରେ ଲାଗିଗଲେ । ତାଙ୍କର ଡିଗ୍ରୀ ତାଙ୍କୁ ପନ୍ଦର ଟଙ୍କାର ଚାକିରିଟିଏ ଯୋଗାଡ଼ କାରିବାରେ ସାହାଯ୍ୟ କଲାନାହିଁ । ସେ ଓ ତାଙ୍କ ପରିବାର ନୀରବରେ ଏହି ଦୁଃଖକୁ ସହ୍ୟ କରିବାକୁ ଲାଗିଲେ । କେହି ବନ୍ଧୁ ଆଗେଇ ଆସି ସାହାଯ୍ୟ କଲେନାହିଁ ବରଂ ଧନାଢ଼୍ୟ ବନ୍ଧୁ-ମାନେ ସେମାନଙ୍କ ବଗିଚା ଘରେ ତାଙ୍କୁ ଗୀତ ବୋଲିବାକୁ କହିଲେ ।

 

ତାଙ୍କର ଏହି ଦୁର୍ଦ୍ଦଶା ତାଙ୍କ ଚରିତ୍ରର ଉଜ୍ଜ୍ଵଳ ଦିଗ-ଧୈର୍ଯ୍ୟ, ସାହାସ ଓ ଭଦ୍ରତାକୁ ପ୍ରକାଶ କରିବାରେ ସାହାଯ୍ୟ କଲା । ଚାକିରି ଅନ୍ଵେଷଣରେ ଦିନ ପରେ ଦିନ ବିତିବାକୁ ଲାଗିଲା । କେତେବେଳେ ଅର୍ଦ୍ଧାହାର ଆଉ କେବେ ଅନାହାର । ସେହି ସମୟରେ ସେ ସଂସ୍କୃତ ଗୀତଗୋବିନ୍ଦଙ୍କୁ ବଙ୍ଗଳାରେ ଅନୁବାଦ କରିଥିଲେ ଏବଂ ତାହାକୁ ତାଙ୍କ ବନ୍ଧୁ ମୋତିଲାଲ ବୋଷ ପ୍ରକାଶ କରିଥିଲେ । ୧୮୮୪ ମସିହାବେଳକୁ ସେ କିଛି ଦିନ ପାଇଁ ମେଟ୍ରୋପଲିଟାନ୍‌ ଇନଷ୍ଟିଚ୍ୟୁଟ୍‌ରେ ଶିକ୍ଷକତା କରିଥିଲେ । ଜୁନ୍‌୧୮୮୬ ମସିହାରେ ମେଟ୍ରୋପଲିଟାନ୍‌ ଇନଷ୍ଟିଚ୍ୟୁଟ୍‌ର ପ୍ରଧାନ ଶିକ୍ଷକ ଈଶ୍ଵରଚନ୍ଦ୍ର ବିଦ୍ୟାସାଗର ମହେନ୍ଦ୍ର ଗୁପ୍ତଙ୍କ ଅନୁରୋଧରେ ନରେନ୍ଦ୍ରଙ୍କୁ ବହୁବଜାର ଶାଖା ସ୍କୁଲର ହେଡ଼୍‍ମାଷ୍ଟର ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । କିନ୍ତୁ ତାହାକୁ ସେ ଅଗଷ୍ଟ ୧୮୮୬ ମସିହାରେ ପରିତ୍ୟାଗ କରି ଚାଲିଆସିଥିଲେ ।

 

୨ ମାର୍ଚ୍ଚ ୧୮୮୪ ମସିହା ପରଠାରୁ ପ୍ରାୟ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ନରେନ୍ଦ୍ର ଦକ୍ଷିଣେଶ୍ଵର ଆସି ନ ଥାନ୍ତି । ଯଦିଓ ତାଙ୍କ ମନରେ ତ୍ୟାଗ ଭାବନା ଗହୀରଭାବେ ଆସ୍ଥାନ ଜମାଇ ବସିଥାଏ । ପରିବାର ପ୍ରତି ଦାୟୀତ୍ଵବୋଧ ତାଙ୍କୁ ଦକ୍ଷିଣେଶ୍ଵରଠାରୁ ଦୂରରେ ରଖିଥାଏ । ତଥାପି ତାଙ୍କ ମନରେ ଈଶ୍ଵରଙ୍କ ପ୍ରତି ବିଶ୍ଵାସ ହ୍ରାସ ପାଇ ନ ଥାଏ । ତାଙ୍କ ମା’ ବ୍ୟସ୍ତ ହୋଇପଡ଼ୁଥାନ୍ତି । ଜୀବନର ବାସ୍ତବତାକୁ ଉପଲବ୍‍ଧି କରି ,ପରିବାରକୁ ରକ୍ଷା କରିବାର ଦାୟିତ୍ଵ ନରେନ୍ଦ୍ର ନେଉ, ତା ସେ ଚାହାଁନ୍ତି । ଦିନେ ନରେନ୍ଦ୍ର ଈଶ୍ଵରଙ୍କ ନାମ ଜପକରିବା ବେଳେ ତାଙ୍କ ମା’ କହିଲେ, ହେ ବୋକା-! ତୁମେ ପିଲାଦିନୁ ଈଶ୍ଵରଙ୍କୁ ପାଇବାକୁ ଚିତ୍କାର କରୁଛ, କିନ୍ତୁ ସେ ତୁମପାଇଁ କଣ କରିଛନ୍ତି-? ମା’ଙ୍କଠାରୁ ଏପରି ଶୁଣି ହଠାତ୍‌ନରେନ୍ଦ୍ରଙ୍କ ମନରେ ସନ୍ଦେହ ଘନୀଭୂତ ହେଲା । ମାୟାଦ୍ଵାରା ଆଚ୍ଛନ୍ନ ହୋଇ ରହିଥିବା ପରଂବ୍ରହ୍ମ ସଂପର୍କରେ ଶ୍ରୀ ରାମକୃଷ୍ଣଙ୍କ ଠାରୁ ଶୁଣିଥିବା ଉପଦେଶକୁ ସେ ପ୍ରାୟତଃ ଭୁଲିଯାଇଥାନ୍ତି । ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକମାନଙ୍କୁ ଦେଖି ଏକଦା ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ହୃଦୟ ମନ୍ଥିତ ହୋଇ ପଚାରିଥିଲା, “ଯଦି ଈଶ୍ଵର ଦୟାଳୁ ଓ ଦୟାମୟ, ତେବେ କାହିଁକି ଦୁର୍ଭିକ୍ଷ ସମୟରେ ମୁଠାଏ ଖାଦ୍ୟ ପାଇଁ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି ?” ଏହି କଥା ନରେନ୍ଦ୍ରଙ୍କ କର୍ଣ୍ଣଗହ୍ଵରରେ ଗୁଞ୍ଜରିତ ହୋଇ ଉଠୁଥାଏ । ମା ଓ ପରିବାରର ଅନ୍ୟମାନଙ୍କ ଦୁଃଖଦୁର୍ଦ୍ଦଶା ତାଙ୍କ ମନରେ ଦାରୁଣ ଆଘାତ ଦେଉଥାଏ । ସେହିପରି ସନ୍ଦେହ ଓ ଅବିଶ୍ଵାସ ମଧ୍ୟରେ, ସେ ଯେପରି ବ୍ୟବହାର କରୁଥାନ୍ତି, ତାହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଚାଲିଥାଏ । ଏହିପରି ଏକ ଅବିଶ୍ଵାସର ବଶବର୍ତ୍ତୀ ହୋଇ ସେ କେତେକ ସାଙ୍ଗମାନଙ୍କ ସହିତ ସମୟ ବିତାଉଥାନ୍ତି, ଯେଉଁମାନଙ୍କର ଆଚରଣ ସନ୍ଦେହଜନକ ଓ ଚାରିତ୍ରିକ ମୁଲ୍ୟବୋଧହୀନ ।

 

ନରେନ୍ଦ୍ର ଦକ୍ଷିଣେଶ୍ଵର ଯାଉନାଥାନ୍ତି । ତାଙ୍କ ବିଷୟରେ ନାନା ଉଡ଼ାକଥା ଶ୍ରୀ ରାମକୃଷ୍ଣଙ୍କ କାନରେ ଆସି ପଡ଼ୁଥାଏ । ସେ ନରେନ୍ଦ୍ରଙ୍କୁ ଠିକ୍‌ଭାବେ ଜାଣନ୍ତି– ସେ ତାଙ୍କର ଇନ୍ଦ୍ରିୟମାନଙ୍କର ପ୍ରଭୁ, ପ୍ରକୃତଭକ୍ତ ଓ ବ୍ରହ୍ମଜ୍ଞାନୀ । ନରେନ୍ଦ୍ରଙ୍କ ସମ୍ପର୍କରେ ଅଧିକ ଜାଣିଵାକୁ ଲୋକ ପଠାଉଥାନ୍ତି । ପାଶ୍ଚାତ ଦର୍ଶନର ତତ୍ତ୍ଵ ଅବତାରଣା କରି ନରେନ୍ଦ୍ର ସେମାନଙ୍କୁ ଈଶ୍ଵର ନାହାନ୍ତି ବୋଲି କହି ଫେରାଇଦିଅନ୍ତି । ଦିନେ ଭାବନାଥ ଅନ୍ୟମାନଙ୍କ ସହିତ ମିଶି ଶ୍ରୀ ରାମକୃଷ୍ଣଙ୍କ ନିକଟରେ ନରେନ୍ଦ୍ରଙ୍କ ବିଷୟରେ ଆଜେବାଜେ କଥା କହିବାବେଳେ ଶ୍ରୀ ରାମକୃଷ୍ଣ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ କହିଉଠିଲେ, ହେ ବୋକା ଚୁପ୍‍କର । ମା’ ମୋତେ କହିଛନ୍ତି ଏପରି ଆଦୌ ହେବନାହିଁ, ମୋତେ ତୁମେ ଯଦି ପୁଣି ଏପରି କହ, ତେବେ ମୁଁ ହୁଏତ ତୁମକୁ ଆଦୌ ଚାହିଁପାରିବି ନାହିଁ ।

 

ଶ୍ରୀ ରାମକୃଷ୍ଣ ଦିନରାତି ଆଖିରୁ ଲୁହ ଢାଳି ମା’ଙ୍କ ନିକଟରେ ନରେନ୍ଦ୍ର ତାଙ୍କର ଆର୍ଶୀବାଦ ଲାଭ କରନ୍ତୁ– ଏହା ପାର୍ଥନା କରି ଚାଲିଥାନ୍ତି । ଦିନେ ସନ୍ଧ୍ୟାରେ ନରେନ୍ଦ୍ରଙ୍କର ଏକ ଅଭୂତ ଅନୁଭବ ହେଲା । ସେ ଦିନସାରା କ୍ଲାନ୍ତ, କ୍ଷୁଧିତ ଓ ଅବସନ୍ନ ହୋଇ ଘରକୁ ଫେରୁଥିବା ସମୟରେ ରାସ୍ତାକଡ଼ରେ ଏକ ଘର ନିକଟରେ ତଳେ ପଡ଼ିଗଲେ । କିଛି ସମୟ ଅଚେତ୍ ହୋଇ ରହିବାପରେ ହଠାତ୍‌ ସେ ଅନୁଭବ କଲେ ଏକ ଦିବ୍ୟଶକ୍ତି ତାଙ୍କ ଆତ୍ମା ଉପରେ ଢାଙ୍କି ହୋଇ ରହିଥିବା ପରଦାକୁ ଉଠାଇ ଚାଲିଛନ୍ତି । ତାଙ୍କର ଯେଉଁ ଯେଉଁ ସନ୍ଦେହ ରହିଥିଲା, ତାହା କ୍ରମଶଃ ଦୂର ହେବାରେ ଲାଗିଛି । ସେ ନିଜ ଭିତରେ ଗଭୀର ଅବବୋଧ ନେଇ ତାର ସତ୍ୟତାକୁ ହୃଦୟଙ୍ଗମ କରିବାକୁ ଲାଗିଲେ । ତାଙ୍କ ଶରୀରରୁ କ୍ଲାନ୍ତି ଓ ଅବସନ୍ନତା ଦୂର ହେଲା । ସେ ନିଜକୁ ସୁସ୍ଥ ଅନୁଭବ କଲେ । ରାତ୍ରିର ଶେଷ ପ୍ରହରକୁ ସେ ଗୃହକୁ ଫେରିଆସିଲେ । ସେ ଅନୁଭବ କଲେ, ସାଧାରଣ ଦୁଃଖ ଓ ଆନନ୍ଦର ବହୁ ଊର୍ଦ୍ଧ୍ଵକୁ ସେ ଉଠିଯାଇଛନ୍ତି । ସେ ଅନ୍ୟମାନଙ୍କ ପରି ଟଙ୍କା ରୋଜଗାର କରିବାକୁ ଜନ୍ମ ହୋଇନାହାନ୍ତି କିମ୍ବା ଇନ୍ଦ୍ରିୟ ସୁଖ ପାଇଁ ନୁହେଁ । ସେ ତାଙ୍କ ପିତାମହଙ୍କ ପରି ଏ ସଂସାରକୁ ତ୍ୟାଗ କରିବେ । ତେଣୁ ସେ ଦିନ ସ୍ଥିରକଲେ, ଯେତେବେଳେ ଜାଣିବାକୁ ପାଇଲେ ଶ୍ରୀ ରାମକୃଷ୍ଣ ସେହିଦିନ ସୁରେନ୍‌ ମିତ୍ରଙ୍କ ଘରକୁ ଆସୁଛନ୍ତି, ସେ ତାଙ୍କୁ ଭେଟି ତାଙ୍କର ଆର୍ଶୀବାଦ ପାଇବାକୁ ସ୍ଥିର କଲେ ।

 

ଶ୍ରୀ ରାମକୃଷ୍ଣ ଓ ନରେନ୍ଦ୍ରଙ୍କର ପୁନଃସାକ୍ଷାତ୍‍ ଘଟିଲା । ମାଷ୍ଟର ତାଙ୍କୁ ଦକ୍ଷିଣେଶ୍ଵର ତାଙ୍କ ସହିତ ଯିବା ପାଇଁ ପ୍ରବର୍ତ୍ତାଇଲେ । ସେମାନେ ଗାଡ଼ିରେ ଆଦୌ କଥାବାର୍ତ୍ତା ହୋଇ ନଥିଲେ-। ମାଷ୍ଟର ତାଙ୍କ କୋଠରିରେ ପହଞ୍ଚିବା ମାତ୍ରେ ତାଙ୍କୁ ନିକଟକୁ ଡାକି ଆଦରରେ ତାଙ୍କ ଦେହରେ ହାତ ବୁଲାଇ ଗୀତ ଗାଇଲେ, “କଥା କହିତେ ଓ ଡରାଇ ନା କହିତେ ଓ ଡରାଇ, ଆମାର ସନ୍ଦ ହୟ, ପାଛେ ତୋମାରେ ହାରାଇ, ହାରାଇ ।” ମାଷ୍ଟରଙ୍କ ଆଖିରୁ ଲୁହ ଝରଝର ହୋଇ ଖସି ପଡ଼ୁଥାଏ । ନରେନ୍ଦ୍ରଙ୍କ ଅବସ୍ଥା ମଧ୍ୟ ଠିକ୍‌ ସେହିପରି ।

 

ରାତି ହେଲା । କେବଳ ନରେନ୍ଦ୍ର ବ୍ୟତୀତ ଅନ୍ୟମାନଙ୍କୁ ସେ ଚାଲିଯିବାକୁ କହିଲେ । ନରେନ୍ଦ୍ରଙ୍କୁ ପାଖକୁ ଡାକି କହିଲେ “ମୁଁ ଜାଣେ, ତୁମେ ମା’ଙ୍କ କାର୍ଯ୍ୟ କରିବାପାଇଁ ଆସିଛ ଏବଂ ଏହି ସଂସାରରେ ବେଶୀଦିନ ରହିପାରିବ ନାହିଁ । କିୁନ୍ତୁ ମୋ ପାଇଁ ତୁମକୁ ରହିବାକୁ ହେବ ।” ନରେନ୍ଦ୍ର ଏଥିରେ ସମ୍ମତ ହେଲେ ।

 

ତାଙ୍କର ମାନସିକ ସ୍ଥିରତା ଆସିଲା । ସେ କିଛି ଟଙ୍କା ରୋଜଗାର କରିବା ପାଇଁ ତାଙ୍କର ଚେଷ୍ଟାକୁ ଦ୍ଵିଗୁଣିତ କଲେ । କିଛି ଅନୁବାଦ କାର୍ଯ୍ୟ, ସଲିସିଟର କାର୍ଯ୍ୟାଳୟରେ କିଛି କାମ ପାଇବା ହେତୁ ଚଳିବାରେ ଅସୁବିଧା ହେଲାନାହିଁ । ସେପ୍ଟେମ୍ବର ୬ ତାରିଖରେ ଅଧର ଚନ୍ଦ୍ର ସେନ୍‌ଙ୍କ ଗୃହକୁ ଶ୍ରୀ ରାମକୃଷ୍ଣ ଆସିବା ସମୟରେ ସେଠାରେ ନରେନ୍ଦ୍ର ଉପସ୍ଥିତ ରହି, “ଯାବେ କି ହେ ଦିନ ଆମାର ବିଫଳେ ଚଲିୟେ” ଗୀତ ବୋଲି ଉପସ୍ଥିତ ସମବେତ ଭକ୍ତମାନଙ୍କୁ ମୁଗଧ୍‌ କରିଥିଲେ । ଅଧରଙ୍କ ଘରେ ଭକ୍ତମାନଙ୍କ ସହିତ ନରେନ୍ଦ୍ରଙ୍କ ସାଙ୍ଗରେ କୀର୍ତ୍ତନରେ ମତୁଆଲା ହୋଇ ଶ୍ରୀ ରାମକୃଷ୍ଣ ନାଚିଲେ । ଯିବା ସମୟରେ ନରେନ୍ଦ୍ରଙ୍କୁ ତା ପରଦିନ ଦକ୍ଷିଣେଶ୍ଵର ଆସିବାକୁ କହିଲେ । ‘ମୁଁ ଚେଷ୍ଟା କରିବି ।’ ଏହା ଥିଲା ନରେନ୍ଦ୍ରଙ୍କ ଉତ୍ତର ।

 

୧୪ ସେପଟେମ୍ବରକୁ ନରେନ୍ଦ୍ର ଦକ୍ଷିଣେଶ୍ଵର ଆସି କେତେଗୁଡ଼ିଏ ଗୀତ ଗାଇଲେ । ଆଗମନୀ ସଙ୍ଗୀତର ମୁର୍ଚ୍ଛନା ଝରିପଡ଼ୁଥିଲା ନରେନ୍ଦ୍ରଙ୍କ କଣ୍ଠରୁ । ଶ୍ରୀ ରାମକୃଷ୍ଣ ନୀରବରେ ତାଙ୍କ ନିକଟରେ ଦଣ୍ଡାୟମାନଥିଲେ ।

 

ନରେନ୍ଦ୍ରନାଥ ମାଷ୍ଟରଙ୍କର ଭବତାରିଣୀ ମା କାଳୀଙ୍କୁ ଶକ୍ତି ଭାବରେ, ଜଗତ୍‍ଜନନୀ ଭାବରେ, ବ୍ରହ୍ମସ୍ଵରୂପିଣୀ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟହେଲେ, ସେ ସମ୍ପର୍କରେ ସେ କହିଥିଲେ, “ଶ୍ରୀ ରାମକୃଷ୍ଣର ଇଚ୍ଛାଶକ୍ତିର ପ୍ରଭାବ ଯେ କି ତାଙ୍କୁ କାଳୀଙ୍କୁ ସମର୍ପଣ କରି ଦେଇଥିଲେ ଏବଂ ଦ୍ଵତୀୟତଃ ତାଙ୍କ ଉପରେ ଯେଉଁ ଅଭାବନୀୟ ଦୁଃଖ ଦୁର୍ବିପାକ ପଡ଼ିଲା ଯେଉଁ ସୁଯୋଗକୁ ଜଗତ୍‍ଜନନୀ ବ୍ୟବହାର କରି ତାଙ୍କୁ ‘କ୍ରୀତଦାସ’ କରିପାରିଥିଲେ।”

 

ପିତାଙ୍କ ମୃତ୍ୟୁ ପରେ ଆର୍ଥିକ ଅଭାବରେ ଦିନ ବିତାଇବା ସମୟରେ ସେ ସ୍ଥିର କଲେ ତାଙ୍କର ଏହି ଦୁର୍ଦ୍ଦଶାରୁ ମିୁକ୍ତି ପାଇଁ ସେ ରାମକୃଷ୍ଣଙ୍କୁ ଅନୁରୋଧ କରିବେ କାରଣ ଈଶ୍ଵର ତାଙ୍କ କଥା ଶୁଣନ୍ତି । ସେ ଦକ୍ଷିଣେଶ୍ଵରରେ ପହଞ୍ଚି ମାଷ୍ଟରଙ୍କୁ ତାଙ୍କ ପାଇଁ କହିବାକୁ ନିବେଦନ କଲେ । ତାଙ୍କର ଏ ପ୍ରକାର ଅନୁରୋଧ ଶୁଣି ମାଷ୍ଟର କହିଲେ “ହେ ମୋର ସନ୍ତାନ ! ମୁଁ ଏପରି ପ୍ରାର୍ଥନା ମା’ଙ୍କୁ କରିପାରିବି ନାହିଁ । ତୁମେ ନିଜେ ଯାଇ କାହିଁକି ମା’ଙ୍କୁ ପ୍ରାର୍ଥନା କରୁନାହଁ ?” ନରେନ୍ଦ୍ରନାଥ ଏହାର ପ୍ରତ୍ୟୁତ୍ତରରେ କହିଲେ, “ମୁଁ ମା’ଙ୍କୁ ଜାଣେନାହିଁ । ତୁମେ ମୋ ପାଇଁ ଯାଇ ଦୟାକରି କୁହ ।”

 

ଏହା ଶୁଣି ଶ୍ରୀ ରାମକୃଷ୍ଣ କହିଲେ “ମୁଁ ଏକଥା ବହୁଥର କହିଛି । କିନ୍ତୁ ତୁମେ ତାଙ୍କୁ ଗ୍ରହଣ କରୁନାହଁ । ତେଣୁ ସେ ମୋର ପ୍ରାର୍ଥନା ଗ୍ରହଣ କରିବେ ନାହିଁ । ଠିକ୍‌ ଅଛି ଆଜି ମଙ୍ଗଳବାର, ଆଜି ରାତିରେ କାଳୀ ମନ୍ଦିରକୁ ଯାଅ । ମା’ଙ୍କୁ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କର ଏବଂ ଯାହା ମାଗିବାର କଥା ତାଙ୍କୁ ମାଗ । ତୁମର ପ୍ରାର୍ଥନା ନିଶ୍ଚୟ ପୂର୍ଣ୍ଣ ହେବ ।”

 

ଠିକ୍‌ ୯ଟା ବେଳେ ଶ୍ରୀ ରାମକୃଷ୍ଣ ଏହାର ପ୍ରକୃଷ୍ଟ ସମୟ ବୋଲି କହି ତାଙ୍କୁ ପଠାଇଲେ-। ନରେନ୍ଦ୍ର ଧିରେ ଧିରେ ମନ୍ଦିର ଦିଗକୁ ଅଗ୍ରସର ହେଲେ । ତାଙ୍କର ହୃଦୟ ଅନିର୍ବଚନୀୟ ଆନନ୍ଦରେ ପୂର୍ଣ୍ଣ ହୋଇଗଲା । ସେ ଦେଖିଲେ ଦେବୀ ଜୀବନ୍ତ ଓ ସଚେତନ । ଅବାରିତ ଭାବେ ଦିବ୍ୟପ୍ରେମ ଓ ସୌନ୍ଦର୍ଯ୍ୟ ବିଚ୍ଛୁରିତ । ସେ ଅତି ଆନନ୍ଦ ପୂର୍ଣ୍ଣ ଓ ପ୍ରଫୁଲ୍ଲ ହୃଦୟରେ ତାଙ୍କ ପାଦତଳେ ବାରମ୍ବାର ସାଷ୍ଟାଙ୍ଗ ପ୍ରଣିପାତ କରିବାକୁ ଲାଗିଲେ ଏବଂ କେଉଁଥିପାଇଁ ତାଙ୍କ ନିକଟକୁ ଆସିଥିଲେ, ତାହା ଭୁଲିଗଲେ । ସେ ପ୍ରାର୍ଥନା କଲେ “ମା, ମୋତେ ବିବେକ ଦିଅ । ମୋତେ ବୈରାଗ୍ୟ ଦିଅ । ମୋତେ ଜ୍ଞାନ ଦିଅ । ମୋତେ ଭକ୍ତି ଦିଅ । ମୋତେ ତୁମର ଦିବ୍ୟଦର୍ଶନ ସଦାସର୍ବଦା ମିଳୁ ।” ସେ ଅନୁଭବ କଲେ ମା’ ତାଙ୍କର ପ୍ରାର୍ଥନା ପୂରଣ କରିଛନ୍ତି । ସେ ଅତ୍ୟନ୍ତ ଭାବବିହ୍ଵଳ ହୋଇ ମାଷ୍ଟରଙ୍କ ନିକଟକୁ ଫେରିଆସିଲେ । ମାଷ୍ଟର ଉତ୍କଣ୍ଠିତ ହୋଇ ନରେନ୍ଦ୍ରଙ୍କୁ ଅପେକ୍ଷା କରିଥାନ୍ତି । ସେ ପଚାରିଲେ, “ତୁମେ ତୁମ ସାଂସାରିକ ଅଭାବ ଅନାଟନ ଦୂର କରିବା ବିଷୟ ମା’ ଙ୍କୁ ମାଗିଲ ତ ?” ନାଁ ସେ ଏହା ସମ୍ପୁର୍ଣ୍ଣ ଭୁଲିଯାଇଛନ୍ତି । ପୁନରାୟ ମାଷ୍ଟରଙ୍କ ନିର୍ଦ୍ଦେଶରେ ସେ ମା’ଙ୍କ ନିକଟକୁ ଗଲେ-। ଯଥପୂର୍ବ ଫେରି ଆସିଲେ । ମାଷ୍ଟର ତାଙ୍କୁ ଭର୍ତ୍ସନା କରି କହିଲେ, “ଏଇ ଦି’ ପଦ କଥା କହିପାରୁ ନାହଁ ? ଏଥରକ ମନରେ ସ୍ଥିର କରି ନେଲେ କ’ଣ କହିବେ କିନ୍ତୁ ଲଜ୍ଜାରେ ତାଙ୍କ ମୁଖ ରକ୍ତିମ ହୋଇ ଉଠିଲା– “କେତେ ଛୋଟ କଥା କହିବା ପାଇଁ ମୁଁ ମା’ ଙ୍କ ନିକଟକୁ ଆସିଛି ?” ସେ ନିଜକୁ ନିଜେ କହିଲେ । “ଜଣେ ମହାନ ଦୟାଳୁ ସମ୍ରାଟଙ୍କୁ କେତେଟା ପରିବା ମାଗିବା ।” ସେ ମା’ଙ୍କ ସମ୍ମୁଖରେ ବାରମ୍ବାର ନତଜାନୁ ହୋଇ ସାଷ୍ଟାଙ୍ଗ ପ୍ରଣାମ କଲେ ଓ କହିଲେ, “ମା, ମୋର ତୁମ୍ଭ ନିକଟରେ ଅନ୍ୟ କିଛି ପ୍ରାର୍ଥନା ନାହିଁ । ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ ।” ଫେରିଆସିଲେ ମାଷ୍ଟରଙ୍କ ନିକଟକୁ ଏବଂ କହିଲେ, “ମହାଶୟ; ଆପଣ ମୋ ଉପରେ ଆପଣଙ୍କର ପ୍ରଭାବ ବିସ୍ତାର କରିଛନ୍ତି ଏବଂ ମୋର ସ୍ମୃତିବିଭ୍ରମ ଘଟାଇଛନ୍ତି ନଚେତ୍‌ ତିନି ତିନି ଥର ଚେଷ୍ଟା କରି ମୁଁ ପରାସ୍ତ ହୋଇଥାନ୍ତି-? ବର୍ତ୍ତମାନ ଆପଣ ମୋତେ ବରପ୍ରଦାନ କରନ୍ତୁ ଯେ ମୋ ପରିବାରର ଲୋକେ ଉପାସ ରହିବେ ନାହିଁ ।”

 

ଏହା ଶୁଣି ମାଷ୍ଟର କହିଲେ “ଏପରି ପ୍ରାର୍ଥନା ମୋ ତୁଣ୍ଡକୁ ଆସେ ନାହିଁ । ତେଣୁ ମୁଁ ତୁମକୁ ମା’ଙ୍କ ନିକଟକୁ ପଠାଇଥିଲି । ଯାହା ଜଣାଯାଉଛି ତୁମେ ସଂସାରର ଭୋଗବିଳାସକୁ ଉପଭୋଗ କରିବା ପାଇଁ ଜନ୍ମ ହୋଇନାହଁ ।”

 

ନରେନ୍ଦ୍ର ବାରମ୍ବାର ତାଙ୍କୁ ପ୍ରାର୍ଥନା ପୂରଣ କରିବାକୁ ଅନୁରୋଧ କରିବାରୁ ସେ କହିଲେ “ଠିକ୍‌ଅଛି; ତୁମ୍ଭ ପରିବାର ଲୋକମାନଙ୍କର ଖାଇବା ଓ ପିନ୍ଧିବାର ଅଭାବ ରହିବ ନାହିଁ ।”

 

ନରେନ୍ଦ୍ର କାଳୀଙ୍କୁ ଭବତାରୀଣ ମା ଭାବରେ ଗ୍ରହଣ କରିଛନ୍ତି । ସେ ମାଷ୍ଟରଙ୍କୁ ମା’ଙ୍କର ସଙ୍ଗୀତ ଶିଖାଇବାକୁ ଅନୁରୋଧ କରିଛନ୍ତି । ମାଷ୍ଟର ତାଙ୍କୁ ଏପରି ଶିଖାଇଛନ୍ତି “ମା; ତୁମି ତାରା ତ୍ରିଗୁଣଧାରା ପରତ୍‌ପରା-ସାକାର, ଆକାର, ନିରାକାର ।” ସେ ରାତିସାରା ଗୀତକୁ ଗାଇବାରେ ଲାଗିଛନ୍ତି ।

 

ନରେନ୍ଦ୍ରଙ୍କର ମା’ଙ୍କ ଦର୍ଶନରେ ଯାହା ଯାହା ଘଟିଲା, ତାର ବୈଶିଷ୍ଟ୍ୟ ସେ ତାଙ୍କୁ ବୁଝାଇଛନ୍ତି । ତା’ପରଦିନ ଚାରିଟାବେଳେ ନରେନ୍ଦ୍ର ତାଙ୍କ ପ୍ରକୋଷ୍ଠକୁ ଆସିଛନ୍ତି । ସେ ନରେନ୍ଦ୍ରଙ୍କ କୋଳରେ ବସି ତାଙ୍କ ଶରୀର ଓ ନରେନ୍ଦ୍ରଙ୍କ ଶରୀରକୁ ଦେଖାଇ-କହିଛନ୍ତି, “ଏ ଦୁଇଟି ଶରୀର ଭିତରେ କିଛି ପାର୍ଥକ୍ୟ ଅଛି ବୋଲି ମୁଁ ଭାଵୁନାହିଁ । ମୁଁ ‘ଏହା’ ଏବଂ ମୁଁ ‘ତାହା’ ମଧ୍ୟ । ଗଙ୍ଗାବକ୍ଷକୁ ବାଡ଼ିଟିଏ ଫିଙ୍ଗାଗଲା ଏବଂ ଯେପରି ତାହା ପାଣିକୁ ଦୁଇଭାଗ କରିଦେଲା । ବାସ୍ତବରେ ତାହା ଏକ-। ମୋ କହିବାର ଅର୍ଥ ତୁମେ ବୁଝିପାରୁଛ ? ଯାହା କିଛି ରହିଛି ତାହା ସଵୁ ହେଉଛି ମା ।”

 

ନରେନ୍ଦ୍ର କାଳୀଙ୍କୁ ଗ୍ରହଣ କରିବା ଦ୍ଵାରା ସେ ସେହି ସତ୍ୟକୁ ପ୍ରତ୍ୟାକ୍ଷାନୁଭବ କରିଛନ୍ତି– ବ୍ରହ୍ମ ଏବଂ ପ୍ରକୃତି– ଏକ । ଶିବ ଓ କାଳୀ ଯଦିଓ ପୃଥକ କିନ୍ତୁ ଏକ । ଏହି ପ୍ରତ୍ୟକ୍ଷାନୁଭୂତିର ପ୍ରକୃତ ବୈଶିଷ୍ଟ୍ୟ ଭଲ ଓ ମନ୍ଦ, ସୁନ୍ଦର ଓ କୁତ୍ସିତ, ଉତ୍ତମଗୁଣ ଓ ମନ୍ଦଗୁଣ ଏବଂ ସବୁକିଛି ବିରୋଧାଭାସର ମୂଳ ହେଉଛନ୍ତି ଈଶ୍ଵର । “କିଏ ମନ୍ଦ ସୃଷ୍ଟି କରିଛି ?” ସ୍ଵାମୀ ବିବେକାନନ୍ଦ ପ୍ରଶ୍ନ କରିଛନ୍ତି ଓ ତାର ଉତ୍ତର ‘ଈଶ୍ଵର’ ମଧ୍ୟ କହିଛନ୍ତି, “ସେ ମୃତ୍ୟୁ ଓ ଜୀବନ, ପ୍ଲେଗ ଓ ମହାମାରୀ ଏବଂ ସବୁକିଛି । ଯଦି ସବୁକିଛି ଈଶ୍ଵର, ସେ ଭଲ, ସେ ଦୁଷ୍ଟ, ସେ ସୁନ୍ଦର, ସେ ଭୟଙ୍କର, ସେ ହିଁ ଜୀବନ ଓ ସେ ହିଁ ମୃତ୍ୟୁ-।” କାଳୀଙ୍କୁ ଗ୍ରହଣ କରିବା ପରେ ନରେନ୍ଦ୍ର ହିଁ ଦୃଢ଼ଚିତ୍ତରେ ଏବଂ କୌଣସି ପ୍ରକାର ସନ୍ଦିଗ୍‍ଧମନା ନ ହୋଇ ସେହି ମାର୍ଗରେ ଚାଲିବାକୁ ଆରମ୍ଭ କରିଛନ୍ତି ।

 

ରୋମାଁରୋଲାଁଙ୍କ ଭାଷାରେ, “ସେହି ସମୟଠାରୁ ଗୋଟିଏ ନୂତନ ଜୀବନ ତାଙ୍କ ପାଇଁ ଆରମ୍ଭ ହୋଇଛି । ସେ ଜାଣିବାକୁ ପାଆନ୍ତି, ବିଶ୍ଵାସ କରନ୍ତି ଏବଂ ତାଙ୍କର ବିଶ୍ଵାସ ଜାତ ହୁଏ ……. ଦୁଃଖରେ ,ଆଖି ଲୁହରେ ଭିଜା ହୋଇଥିବା ରୁଟିର ସ୍ଵାଦକୁ ….... କିମ୍ବା ଦୁଃଖ ଦୈନ୍ୟରେ ସଢ଼ିଥିବା ଗୁରୁଭାଇମାନଙ୍କର ସ୍ନେହକୁ ଭୁଲିପାରନ୍ତି ନାହିଁ ।

Image

 

କାଶୀପୁର ଉଦ୍ୟାନବାଟୀ

 

କ୍ରମେ କ୍ରମେ ଶ୍ରୀ ରାମକୃଷ୍ଣଙ୍କ ସ୍ଵାସ୍ଥ୍ୟରେ ଅବନତି ଘଟିବାକୁ ଆରମ୍ଭ ହୋଇଥାଏ । ସେ ଗଳା କର୍କଟ ରୋଗରେ ପୀଡ଼ିତହୋଇ କଷ୍ଟ ଅନୁଭବ କରୁଥାଆନ୍ତି । ତାଙ୍କର ଶିଷ୍ୟମାନେ ଚିକିତ୍ସାର ସୁବିଧା ପାଇଁ ତାଙ୍କୁ ୧୮୮୫ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଶ୍ୟାମାପୁକୁର ଓ ପରେ ଡ଼ିସେମ୍ବର ୧୧ ତାରିଖବେଳକୁ ୯୦, କାଶୀପୁରରୋଡ଼, ବଗିଚା ଗୃହକୁ ଟ ୮୦-୦୦ ରେ ଭଡ଼ାନେଇ ସ୍ଥାନାନ୍ତରିତ କଲେ । ତାଙ୍କର ଚିକିତ୍ସାର ଦାୟିତ୍ଵ ନେଇଥାନ୍ତି ବିଶିଷ୍ଟ ହୋମିଓପ୍ୟାଥିକ ଚିକିତ୍ସକ ଡାକ୍ତର ମହେନ୍ଦ୍ରଲାଲ ସରକାର । ତାଙ୍କର ସ୍ଵାସ୍ଥ୍ୟ ଦିନକୁଦିନ ଖରାପ ଆଡ଼କୁ ଯାଉଥିବାରୁ ନରେନ୍ଦ୍ର ନିଜର ନିଷ୍ପତ୍ତି ଶୀଘ୍ର ଗ୍ରହଣ କରନ୍ତୁ ବୋଲି ବିଚାର କରି ଶ୍ରୀ ରାମକୃଷ୍ଣ ବ୍ୟସ୍ତ ହୋଇଉଠୁଥାନ୍ତି । ନରେନ୍ଦ୍ରଙ୍କ ପରିବାରର ଆର୍ଥିକ ଅବସ୍ଥା ସେଯାଏ ସୁଧୁରି ନଥାଏ ।

 

ଦିନେ ରାତିରେ ନରେନ୍ଦ୍ର ତାଙ୍କ ମନର ସନ୍ଦେହ ଗୁରୁଭାଇମାନଙ୍କ ନିକଟରେ ପ୍ରକାଶ କଲେ । ସେ ଆଦୌ ଶୋଇପାରିଲେ ନାହିଁ । ବଡ଼ ଗୋପାଳ, ଶରତ, କାଳୀ ଏବଂ ଅନ୍ୟ କେତେକ ଚାହିଁ ଥିବାର ଦେଖି ସେମାନଙ୍କୁ ବଗିଚାରେ ତାଙ୍କ ସହିତ ଚାଲିବାକୁ ଡାକିଲେ । ସେ ସେମାନଙ୍କୁ କହିଲେ “ଯାହା ଜଣାପଡ଼ୁଛି ମାଷ୍ଟର ତାଙ୍କର ମରଶରୀର ତ୍ୟାଗ କରିବେ । ତାଙ୍କର ସେବାକରି ଯେତେ ସମ୍ଭବ ଆଧ୍ୟାତ୍ମିକ ଶକ୍ତି ଆହରଣ କରିବା କଥା କର । ଏବେ ବି ସମୟ ଅଛି । ପ୍ରାର୍ଥନା ଜପ ଧ୍ୟାନ ଇତ୍ୟାଦି କର । ଏ କାମ ବା ସେ କାମ ଶେଷ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିବ ବୋଲି ଭାବିବା ବୃଥା । ପ୍ରଥମେ ଆମକୁ ଆମର ଇଚ୍ଛାର ମୂଳୋତ୍ପାଟନ କରିବାକୁ ହେବ ।”

 

ସେ ଗୋଟିଏ ଗଛ ତଳେ ବସି ପଡ଼ିଲେ ଏବଂ ସେଠାରେ ଶୁଖିଲା କାଠର ଗୋଟିଏ ଗଦା ଥିବାର ଦେଖି ତାଙ୍କର ଗୁରୁଭାଇମାନଙ୍କୁ ସନ୍ନ୍ୟାସୀମାନଙ୍କ ପରି ଧୁନି ଲଗାଇବାକୁ କହିଲେ । ଅଗ୍ନିପ୍ରଜ୍ଜ୍ଵଳିତ ହେବାକୁ ଲାଗିଲା । ତା ସହିତ ସେମାନଙ୍କ ମନ ଭିତରେ ଥିବା ଇଚ୍ଛାମାନେ ଜଳି ଜଳି ନଷ୍ଟ ହେବାରେ ଲାଗିଲେ । ପ୍ରତ୍ୟେକ ସେହି ଅଗ୍ନିରେ ଶୁଷ୍କ କାଠ ନିକ୍ଷେପ କରି ହୃଦୟର ଇଚ୍ଛାମାନଙ୍କୁ ଜ୍ଵଳନ୍ତ ଅଗ୍ନି ଭିତରେ ନିର୍ବାପିତ କଲେ । ସେମାନଙ୍କର ହୃଦୟରେ ଭରିଗଲା ଅମାପ ଆନନ୍ଦ ।

 

ନରେନ୍ଦ୍ର ନେଲେ ସେମାନଙ୍କର ନେତୃତ୍ଵ । ସେମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ମାଷ୍ଟରଙ୍କ ସେବାପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । ଏକ ପକ୍ଷରେ ମାଷ୍ଟରଙ୍କର ପବିତ୍ର, ନିଃସ୍ଵାର୍ଥପର ପ୍ରେମର ଆକର୍ଷଣ ଓ ଅନ୍ୟପକ୍ଷରେ ନରେନ୍ଦ୍ରଙ୍କର ବ୍ୟକ୍ତିତ୍ଵ ଓ ଭ୍ରାତୃତ୍ଵ ସେମାନଙ୍କୁ ଏକ ପରିବାରର ସଦସ୍ୟ ଭାବରେ ବାନ୍ଧି ରଖିବାକୁ ସକ୍ଷମ ହେଲା । ସେମାନେ ଥିଲେ ବାରଜଣ, ଯେଉଁମାନେ ପରବର୍ତ୍ତୀ ସମୟରେ ରାମକୃଷ୍ଣ ସଂଘର ମୂଳଦୁଆ ପକାଇ ଥିଲେ । ଏମାନଙ୍କୁ ଦେଖି ଶ୍ରୀ ରାମକୃଷ୍ଣ କହିଥିଲେ, “ମୋର ରୋଗ କେବଳ ଉପଲକ୍ଷ୍ୟ ମାତ୍ର ଏହା ତୁମ୍ଭମାନଙ୍କୁ ଏକାଠି କରିବାକୁ ସମ୍ଭବ ହୋଇଛି ।” ସେହି ବାରଜଣ ଥିଲେ ନରେନ୍ଦ୍ର, ରାଖାଲ, ବାବୁରାମ, ନିରଞ୍ଜନ, ଯୋଗେନ୍‌, ଲାଟୁ, ତାରକ, ବଡ଼ଗୋପାଳ, କାଳୀ, ଶଶି, ଶରତ ଓ ଗୋପାଳ ସାନ ।

 

ସେଇ ସମୟରେ ନରେନ୍ଦ୍ର ଆଇନ୍ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥାନ୍ତି । ଏପରିକି କାଶୀପୁର ଉଦ୍ୟାନବାଟୀଠାରେ ସେ ବହି ପଢ଼ିବାରେ ଏତେ ମନୋନିବେଶ କରିଥାନ୍ତି ଯେ ଉପରମହଲାକୁ ଯାଇ ମାଷ୍ଟରଙ୍କୁ ସାକ୍ଷାତ୍‍ କରିବାକୁ ସମୟ ପାଉ ନ ଥାନ୍ତି । ଏହାକୁ ଲକ୍ଷ୍ୟକରି ଦିନେ ଶ୍ରୀ ରାମକୃଷ୍ଣ କହିଲେ “ଯଦି ତୁମେ ଓକିଲ ହେବାକୁ ଚାହୁଁଛ, ତେବେ ମୁଁ ତୁମ ହାତରୁ ଜଳ ମଧ୍ୟ ସ୍ପର୍ଶ କରିବି ନାହିଁ ।” ଏତିକିରେ ନରେନ୍ଦ୍ରଙ୍କ ଓକିଲାତି ପଢ଼ିବା ଓ ପରୀକ୍ଷା ଦେବାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ସେ ସାଧନାରେ ନିମଗ୍ନ ହେଲେ ଏବଂ ଦିନେ ଏକପ୍ରକାର ଶିହରଣ ନିଜ ଭିତରେ ଅନୁଭବ କଲେ । ଲକ୍ଷ୍ୟ କଲେ ତାଙ୍କ ଭିତରେ କୁଣ୍ଡଳିନୀ ଜାଗ୍ରତ ହେଉଛି ।

 

ତା ପରଦିନ ମାଷ୍ଟରଙ୍କ କୋଠରିକୁ ଯାଇ କହିଲେ, “ସମସ୍ତେ ଅପରୋକ୍ଷାନୁଭୂତି ପାଇବାର ଆଶୀର୍ବାଦ ଆପଣଙ୍କଠାରୁ ପାଇଲେଣି । ମୋତେ ମଧ୍ୟ କିଛି ଦିଅନ୍ତୁ ଯେତେବେଳେ ସମସ୍ତେ ଲାଭ କଲେଣି,ମୁଁ କାହିଁକି ନ ପାରିବି ?”

 

“ତୁମେ କଣ ଚାହଁ ?” ପଚାରିଲେ ମାଷ୍ଟର । ତାହା ଶୁଣି ନରେନ୍ଦ୍ର କହିଲେ, ମୁଁ କେବଳ ଖାଇବା ସମୟତକ ଛାଡ଼ି ଦୀର୍ଘସମୟ ଧରି ଭାବସମାଧି ମଧ୍ୟରେ ବୁଡ଼ି ରହିବାକୁ ଚାହୁଁଛି । ଏହା ଶୁଣି ମାଷ୍ଟର ଆହୁରି ଅଧିକ ଉଚ୍ଚ ଅବସ୍ଥା ରହିଛି ଏବଂ ସମୟକ୍ରମେ ତାହାକୁ ସେ ପ୍ରାପ୍ତ ହେବେ ବୋଲି କହିଲେ ।

 

ନରେନ୍ଦ୍ର ଗୃହକୁ ଫେରିଗଲେ ମଧ୍ୟ ତାଙ୍କର କୌଣସି କଥାରେ ମନ ଲାଗିଲା ନାହିଁ । ଜାନୁୟାରୀ ୪ ତାରିଖ ଦିନ ମାଷ୍ଟରଙ୍କ ସହିତ ବସିବା ବେଳେ ସାଧନା କରିବାକୁ ଇଚ୍ଛା ପ୍ରକାଶ କଲେ । ମାଷ୍ଟରଙ୍କ ନିର୍ଦ୍ଦେଶରେ ପଞ୍ଚବଟୀରେ ଜପ, ଧ୍ୟାନରେ ନିମଗ୍ନ ହେଲେ । ତାଙ୍କ ମନରେ ତ୍ୟାଗ ଓ ବୈରାଗଭାବ ଉଦ୍ରେକ ହେଲା । ପୁନଶ୍ଚ ନରେନ୍ଦ୍ର ନିର୍ବିକଳ୍ପ ସମାଧି ଅବସ୍ଥା ପାଇବାକୁ ବ୍ୟାକୁଳ ହୋଇ ଶ୍ରୀ ରାମକୃଷ୍ଣଙ୍କୁ ପ୍ରାର୍ଥନା କଲେ । ନରେନ୍ଦ୍ରଙ୍କ ମନରେ ଶଙ୍କା-କାଳେ ମାଷ୍ଟର ଦେହତ୍ୟାଗ କରି ଚାଲିଯିବେ । ଶ୍ରୀ ରାମକୃଷ୍ଣ ତାଙ୍କୁ କୋପଦୃଷ୍ଟିରେ ଚାହିଁ ଭର୍ତ୍ସନା କରି କହିଲେ, “ତୁମକୁ ଲଜ୍ଜ୍ୟା ଲାଗୁନାହିଁ ? ତୁମେ ହେଉଛ ବିରାଟ ଆଧାର । ଏପରି କହିବା ତୁମକୁ କଣ ଶୋଭା ଦିଶୁଛି ? ମୁଁ ଭାବିଥିଲି ତୁମେ ଏକ ବିରାଟ ବଟବୃକ୍ଷ ହେବ, ଯାହା ତଳେ ବସି ହଜାର ହଜାର ସନ୍ତାପିତ ହୃଦୟର ଦୁଃଖ ଦୂରହେବ । ତାକୁ ଛାଡ଼ି ତୁମେ ତୁମ ନିଜର ମୁକ୍ତିପାଇଁ ଅନୁରୋଧ କରୁଛ-। ଏପରି କ୍ଷୁଦ୍ର କ୍ଷୁଦ୍ର କଥା ଭାବ ନାହିଁ । ତୁମେ କିପରି ଏପରି ଏକପାଖିଆ ଆଦର୍ଶକୁ ଧରି ସନ୍ତୁଷ୍ଟ ହେବ । ମୋର ଉଦ୍ଦେଶ୍ୟ ସର୍ବବ୍ୟାପକତା । ମୁଁ ମାଛ ଖାଇବାକୁ ଭଲ ପାଏ–ଭଜା, ସିଝା, ଝୋଳ, ବେସର – ବିଭିନ୍ନ ପ୍ରକାର ପ୍ରସ୍ତୁତି । ମୁଁ ଈଶ୍ଵରଙ୍କୁ ସମାଧି ଅବସ୍ଥାରେ ବ୍ରହ୍ମଭାବରେ ଅନୁଭୂତ ହେବାବେଳେ ତାଙ୍କର ବିଭିନ୍ନ ରୂପ ଓ ମଣିଷ ସହିତ ମଧୁର ସଂପର୍କକୁ ମଧ୍ୟ ଗ୍ରହଣ କରେ-। ତୁମେ ମଧ୍ୟ ସେହିପରି କର ।”

 

ନରେନ୍ଦ୍ର ଜାଣନ୍ତି ନିର୍ବିକଳ୍ପ ସମାଧି ଅବସ୍ଥାରେ ବ୍ୟକ୍ତିର ବ୍ୟକ୍ତିତ୍ଵ ସାମଗ୍ରିକ ଭାବେ ଦିବ୍ୟପ୍ରେମରେ ମଜ୍ଜିରହେ । ଏଥିରେ ମିଳେ ଆଶ୍ଚର୍ଯ୍ୟ ପ୍ରକାର ସ୍ତବ୍‌ଧତା । ମାୟାର ଏକପାର୍ଶ୍ଵ, କିନ୍ତୁ ମାୟାର ଅନ୍ୟପାର୍ଶ୍ଵରେ ଏହା ମହାଜ୍ୟୋତି, ବିସ୍ତାରିତ ଔଜ୍ଜ୍ଵଲ୍ୟ, ସୀମାହୀନ ଦିବ୍ୟଚେତନାର ଅଲୋକପ୍ରବାହ । ସମାଧିର ଏହି ଶୀର୍ଷ ଅବସ୍ଥାରେ ଥରେ ପହଞ୍ଚିବା ପରେ, କେବଳ କେତେକ କ୍ଷେତ୍ରରେ ହୁଏତ ଶରୀର ରହିପାରେ ନଚେତ୍‌ ଶରୀର ତ୍ୟାଗ ହୋଇ କେବଳ ଶବ ପରି ପଡ଼ିରହେ ଏବଂ ଏହାକୁ ନିର୍ବାଣ କୁହାଯାଏ ।

 

ଶ୍ରୀ ରାମକୃଷ୍ଣ ଜାଣିଥିଲେ ନରେନ୍ଦ୍ର ବ୍ରହ୍ମକୁ ଉପଲବ୍‍ଧି କରି ତାକୁ ମାନବସେବାରେ ପରିବର୍ତ୍ତିତ କରିପାରିବେ । ସେଥିପାଇଁ ନରେନ୍ଦ୍ର ଆଧ୍ୟାତ୍ମିକ ଅନୁଭୂତିର ଶୀର୍ଷ ନିର୍ବିକଳ୍ପ ସମାଧି ଅବସ୍ଥାରେ ରହି ନିର୍ବାଣ ଲାଭ କରନ୍ତୁ ତାହା ଚାହୁଁ ନଥିଲେ । ଏହା ସମଗ୍ର ମାନବସମାଜର କଲ୍ୟାଣକଳ୍ପେ ଲାଗୁ, ତାହା ଥିଲା ତାଙ୍କର ଇଚ୍ଛା ।

 

ହଠାତ୍‌ ଦିନେ ସନ୍ଧ୍ୟାବେଳେ ଅଭାବନୀୟ ଓ ଅବଚେତନ ଭାବେ ନରେନ୍ଦ୍ରଙ୍କର ଏହି ସର୍ବଶ୍ରେଷ୍ଠ ସିଦ୍ଧିଲାଭ ହେଲା । ସେ ଚିତ୍ ଅବସ୍ଥାରେ ଶୋଇରହି ଧ୍ୟାନସ୍ଥ ଥିବାବେଳେ ଅନୁଭବ କଲେ ତାଙ୍କ ମସ୍ତିଷ୍କ ଚାରିପାଖରେ ଆଲୋକବର୍ତ୍ତିକା ସୃଷ୍ଟି ହୋଇଛି । ଯେପରି କେହି ଜଣେ ତାଙ୍କ ମୁଣ୍ଡ ପଛପାଖରେ ଆଲୋକ ପିଣ୍ଡୁଳା ରଖିଦେଇଛି । ହଠାତ୍‌ ତାଙ୍କର ଚେତନାଶକ୍ତି ଲୋପ ପାଇଲା ଏବଂ ସେ ଦୀର୍ଘଶ୍ଵାସ ପକାଇବାକୁ ଲାଗିଲେ । ତାଙ୍କର ଆତ୍ମା ଉତ୍‌ଥିତ ଓ ବିଧ୍ଵଂସିତ ହୋଇ ଜଣାଗଲା ଯେପରି ସବୁକିଛି ଭାବନା, ଅନୁଭବ ଓ କଳ୍ପନା ତାଙ୍କର ମନରୂପକ ପାତ୍ରରୁ ନିଗାଡ଼ି ହୋଇ ଖସିପଡ଼ୁଛି । ଏହିପରି ଦୈବିକ ଘୁର୍ଣ୍ଣିମାନ ଅବସ୍ଥାରୁ ତାଙ୍କର ଆତ୍ମା ଏକ ଭାବସମାଧି ଅବସ୍ଥାରେ ପ୍ରବେଶ କଲା ଓ ତାଙ୍କର ସମଗ୍ର ବ୍ୟକ୍ତିତ୍ଵ, ଦେବତ୍ଵ ମଧ୍ୟରେ ଓ ଦୈବୀ ଚେତନା ମଧ୍ୟରେ ଖିନ୍‌ଭିନ୍‌ ହୋଇଗଲା । ବ୍ୟକ୍ତିତ୍ଵ ସମ୍ପୂର୍ଣ୍ଣ ଲୋପ ହୋଇ କେବଳ ଦେବତ୍ଵ ରହିଲା । ପରିଶେଷରେ ଏକ ଉଜ୍ଜ୍ଵଳ ଆଲୋକ ତାଙ୍କ ଆତ୍ମା ଭିତର ଦେଇ ବ୍ୟକ୍ତିତ୍ଵର ଶେଷସୀମା ପର୍ଯ୍ୟନ୍ତ ଯାଇ ବାହ୍ୟଦଶା ଶୁନ୍ୟ କରି ଚିରଶାନ୍ତି ଲାଭ କଲା ।

 

ସେଦିନ ଗୁରୁଭାଇମାନେ ନିଜ ନିଜର ଧ୍ୟାନଜପରେ ବ୍ୟସ୍ତ ଥିଲେ । କୋଠରି ଭିତରେ ଥିଲେ ବଡ଼ ଗୋପାଳ । ନରେନ୍ଦ୍ର ଚିତ୍କାର କରି ଅସ୍ପଷ୍ଟ ଭାବରେ କହୁଥିଲେ, ହେ ଗୋପାଳଦା ! ହେ ଗୋପାଳଦା ! ମୋ ଶରୀର କୁଆଡ଼େ ଗଲା ? ମୋ ଦେହ କେଉଁଠି ? ବଡ଼ ଗୋପାଳ ଚିହିଁକି ଉଠିଲେ । ସେ ଜାଣି ପାରିଲେ ନାହିଁ କଣ ଘଟିଛି । ନରେନ୍‌ଙ୍କ ଶରୀର ଚିତ୍ ହୋଇ ପଡ଼ିଥିଲା– ନୀର୍ଜିବ, ଏହା କଣ ମୃତ ? ସେ ବ୍ୟସ୍ତ ହୋଇ ସମସ୍ତଙ୍କୁ ଡାକିଲେ । ସମସ୍ତେ ରୁଣ୍ଡ ହୋଇ ନରେନ୍‍ଙ୍କର ମୃତ ପ୍ରାୟ ପଡ଼ିଥିବା ଶରୀରକୁ ଦେଖୁଥିଲେ । ତାଙ୍କର ନିଃଶ୍ଵାସ ବନ୍ଦ ହୋଇଯାଇଥିଲା-। ଘଣ୍ଟା ବିତିବାକୁ ଲାଗିଲା । ସମସ୍ତେ ମାଷ୍ଟରଙ୍କ ନିକଟକୁ ଗଲେ । କେତେକ ଜଗି ରହିଲେ ନରେନ୍‌ର ଦେହକୁ । ମାଷ୍ଟର ଧିର ଓ ଶାନ୍ତ ଭାବରେ ବସିଥିଲେ । ସେ ଜାଣନ୍ତି ନରେନ୍‍ର କ’ଣ ହୋଇଛି । ଧିର ଗଳାରେ କହିଲେ “ସେ ସେମିତି ଥାଉ । ସେପରି ଅବସ୍ଥା ପାଇବା ପାଇଁ ସେ ମୋତେ ବହୁତ ଗାଳି ଦେଇଛି ।”

 

ଗୁରୁଭାଇମାନେ ଫେରିଆସିଲେ ତାଙ୍କ ନିର୍ଜୀବ ପ୍ରାୟ ଶରୀର ନିକଟକୁ । ଦିନ ପ୍ରାୟ ୯ଟା ବେଳକୁ ସାମାନ୍ୟ ପ୍ରାଣ ଆସିବା ପରି ଜଣାଗଲା । ହଠାତ୍‌ସେ ନିଜର ଚେତା ଫେରିପାଇ ଢୋଳାଇ ଢୋଳାଇ ଉଠିଲେ ଓ ଆନନ୍ଦରେ ଚିତ୍କାର କଲେ “ହୋ ଏ କ’ଣ ଘଟିଗଲା !” ମାଷ୍ଟରଙ୍କ ନିକଟରେ ଆନନ୍ଦ ଓ ଉତ୍‍ଫୁଲ୍ଲ ହୃଦୟରେ ପହଞ୍ଚିବାକ୍ଷଣି ମାଷ୍ଟର ତାଙ୍କୁ ଗଭୀର ନିରୀକ୍ଷଣ କରି କହିଲେ “ବର୍ତ୍ତମାନ ଜଗତ୍‍ଜନନୀ ମା’ ତୋତେ ସବୁକିଛି ଦେଖାଇଦେଲେ । ଯେପରି ସମ୍ପତ୍ତି ବାକ୍ସ ଭିତରେ ବନ୍ଦ ହୋଇରହେ ତୁମର ଏହି ଅନୁଭୂତି ଠିକ୍‌ ଚାବିପଡ଼ି ରହିଲା ଓ ତାର କାଠି ମୋ ନିକଟରେ ସାଇତା ହୋଇ ରହିଲା । ବର୍ତ୍ତମାନ ତୁମକୁ କାର୍ଯ୍ୟ କରିବାକୁ ହେବ । ତୁମେ ଯେଉଁଦିନ ମୋ କାର୍ଯ୍ୟ ସମ୍ପୂର୍ଣ୍ଣ କରିବ,ଏହି ସମ୍ପତ୍ତି ବାକ୍ସ ସେହିଦିନ ଖୋଲାଯିବ ଏବଂ ଆଜି ଯେପରି ଜାଣିଲ, ସେଦିନ ମଧ୍ୟ ସେହିପରି ଜାଣିପାରିବ।”

 

ନରେନ୍ଦ୍ର ମାଷ୍ଟରଙ୍କୁ ଏହି ଅବସ୍ଥାରେ ରହିବା ପାଇଁ ଅନୁରୋଧ କଲେ । ମାଷ୍ଟର ତାଙ୍କୁ ଗାଳିଦେଇ କହିଲେ ଯେ ସମାଧି ଅବସ୍ଥା ସେ ଯେ କୌଣସି ସମୟରେ ଅନୁଭବ କରିପାରିବେ । ମଣିଷମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ପ୍ରବାହିତ କରିବାକୁ ସେ ନିର୍ଦ୍ଦେଶ ଦେଲେ ।

 

କାଶୀପୁରଠାରେ ଅନ୍ୟ ଏକ ଘଟଣା ଘଟିଲା । ବଡ଼ଗୋପାଳ ବୃନ୍ଦାବନ ତୀର୍ଥାଟନରେ ଯାଇଥିବାବେଳେ ସାଙ୍ଗରେ କେତେଗୁଡ଼ିଏ ରୁଦ୍ରାକ୍ଷ ଓ ଗେରୁଆବସ୍ତ୍ର ଆଣିଥିଲେ । ସେ ସେହିଗୁଡ଼ିକୁ ଗଙ୍ଗାସାଗର ମେଳା ଉଦ୍ଦେଶ୍ୟରେ ଯାଉଥିବା ସାଧୁମାନଙ୍କୁ ଦେବାକୁ ମନସ୍ଥ କରିଥିଲେ । ଶ୍ରୀ ରାମକୃଷ୍ଣ ବଡ଼ଗୋପାଳଙ୍କଠାରୁ ୧୨ଗୋଟି ରୁଦ୍ରାକ୍ଷ ଓ ଗେରୁଆବସ୍ତ୍ର ଆଣି, ତାହାକୁ ମନ୍ତ୍ରପୂତ କରି ନରେନ୍ଦ୍ର, ରାଖାଲ ,ନିରଞ୍ଜନ, ବାବୁରାମ, ଶଶି, ଶରତ, କାଳୀ,ଯୋଗେନ୍, ଲାଟୁ, ତାରକ ଓ ବଡ଼ଗୋପାଳଙ୍କୁ ଦେଇଥିଲେ । ଗୋଟିଏ ଧୋତି ରୁଦ୍ରାକ୍ଷ ବିଶିଷ୍ଟ ନାଟ୍ୟକାର ଗିରୀଶଚନ୍ଦ୍ର ଘୋଷଙ୍କ ପାଇଁ ସାଇତି ରଖିଥିଲେ । ରୁଦ୍ରାକ୍ଷ ଓ ଧୋତି ଦେଇ ସନ୍ନ୍ୟାସ ମନ୍ତ୍ରରେ ଦୀକ୍ଷିତ କଲେ । ସନ୍ନ୍ୟାସ ମନ୍ତ୍ର ଦେବା ପରେ ଶ୍ରୀ ରାମକୃଷ୍ଣ ସେମାନଙ୍କୁ ଭିକ୍ଷା କରିବାକୁ (ମଧୁକରୀ) ନିର୍ଦ୍ଦେଶ ଦେଲେ । ଏହି ଭିକ୍ଷାଲବ୍‍ଧ ଚାଉଳ ଓ ପରିବାକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ମା’ ଶାରଦା-ଦେବୀ । ଏହା ଥିଲା ରାମକୃଷ୍ଣ ସଘଂ ଗଠନର ମୂଳଦୁଆ ।

 

ଏମାନଙ୍କର ନେତୃତ ନେଇଥିଲେ ନରେନ୍ଦ୍ରନାଥ । ଶ୍ରୀ ରାମକୃଷ୍ଣ କହିଲେ “ମୁଁ ସେମାନଙ୍କୁ ତୋ ଦାୟୀତ୍ଵରେ ଛାଡ଼ିଦେଇ ଯାଉଛି । ଦେଖିବୁ ସେମାନେ ଯେପରି ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରନ୍ତି ଓ ଘରକୁ ନ ଫେରନ୍ତି ।” ଏ କଥାକୁ ଉଲ୍ଲେଖ କରିବାକୁ ଯାଇ ସ୍ଵାମୀ ବିବେକା ନନ୍ଦ ୧୮୯୫ ମସିହାରେ ଇଂଲଣ୍ଡରୁ ସ୍ଵାମୀ ରାମକୃଷ୍ଣ ନନ୍ଦଙ୍କୁ ଏକ ପତ୍ରରେ ଲେଖିଥିଲେ “ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ଶ୍ରୀ ରାମକୃଷ୍ଣ ମୋ ମଧ୍ୟଦେଇ କାର୍ଯ୍ୟ କରୁଛନ୍ତି ।” କାରଣ ନରେନ୍ଦ୍ର ଲୋକଶିକ୍ଷା ଦେବ, ଏହା ବହୁ ପୂର୍ବରୁ ଶ୍ରୀ ରାମକୃଷ୍ଣ ଜାଣିଥିଲେ । ଦିନେ ସନ୍ଧ୍ୟାରେ ନରେନ୍ଦ୍ର ଦକ୍ଷିଣେଶ୍ଵରଠାରେ ଶ୍ରୀ ରାମକୃଷ୍ଣଙ୍କ କୋଠରିକୁ ପ୍ରବେଶ କରିବା ସମୟରେ ମାଷ୍ଟର କହିଲେ “ନରେନ୍ ଲୋକଶିକ୍ଷା ଦେବେ ।” ନରେନ୍ଦ୍ର ଏହାର ପ୍ରତିବାଦ କରିବାରୁ ମାଷ୍ଟର କହିଲେ “ତୁମକୁ ଏହା କରିବାକୁ ହେବ । ତୁମର ହାଡ଼ ତୁମକୁ ଏହା କରିବାକୁ ବାଧ୍ୟ କରିବ ।” ଏହାର କିଛିଦିନ ପୂର୍ବରୁ ମାଷ୍ଟର ନରେନ୍ଦ୍ରଙ୍କୁ କହିଥିଲେ “ମୋର ସିଦ୍ଧି (ଯୋଗଶକ୍ତି) ସମୟ ଆସିଲେ ତୋ ଶରୀର ମଧ୍ୟ ଦେଇ ପ୍ରକାଶିତ ହେବ-।” ସେ ଯେ ଦିନେ ସମଗ୍ର ବିଶ୍ଵବନ୍ଦନୀୟ ଗୁରୁଭାବରେ ଅବତୀର୍ଣ୍ଣ ହେବେ, ଏକଥା ମାଷ୍ଟର ଜାଣି ତାଙ୍କର ଜ୍ଞାନଭଣ୍ଡାରକୁ ବୃଦ୍ଧି କରିବାକୁ କହୁଥିଲେ ।

 

ଶ୍ରୀ ରାମକୃଷ୍ଣ ମହାସମାଧି ଲାଭ କରିବାର ଚାରିଦିନ ପୂର୍ବରୁ ନରେନ୍ଦ୍ରଙ୍କୁ କୋଠରିକୁ ଡାକି ତାଙ୍କ ସମ୍ମୁଖରେ ଧ୍ୟାନ କରିବାକୁ କହିଲେ । ନରେନ୍ଦ୍ର ଧ୍ୟାନାତୀତ ହୋଇ ସମାଧିସ୍ଥ ହେଲେ ଏବଂ ତାଙ୍କର ସମସ୍ତ ପ୍ରକାର ବାହ୍ୟଚେତନା ଲୋପ ପାଇଲା । ସେହି ଅବସ୍ଥାରେ ଶ୍ରୀ ରାମକୃଷ୍ଣ ତାଙ୍କୁ ସ୍ପର୍ଶ କଲେ । ଚେତନା ପାଇବା ପରେ ନରେନ୍ଦ୍ର ଦେଖିଲେ ମାଷ୍ଟରଙ୍କ ଚକ୍ଷୁଦ୍ଵୟରୁ ଧାର ଧାର ଲୁହ ବହିଚାଲିଛି । ନରେନ୍‌ ତାଙ୍କର ଦୁଃଖର କାରଣ ପଚାରିବାରୁ ମାଷ୍ଟର କହିଲେ, “ଆଜି ମୁଁ ତୁମକୁ ମୋର ସର୍ବସ୍ଵ ଦେଇ ଫକୀର ହୋଇଗଲି । ଏହି ଶକ୍ତିବଳରେ ତୁମେ ଜଗତର ଅପାର କଲ୍ୟାଣ କରିବ ଏବଂ ତା’ପରେ ହିଁ ଏ ସଂସାରରୁ ଫେରିଯିବ ।”

 

ଏହାଶୁଣି ନରେନ୍ଦ୍ର ନିଜ ହୃଦୟର ଉଚ୍ଛ୍ଵାସବୁ ରୋକି ପାରିଲେ ନାହିଁ; ଭୋ ଭୋ ହୋଇ କାନ୍ଦି ବାକୁ ଲାଗିଲେ ।

 

ଯେଉଁ ଶକ୍ତି ଶ୍ରୀ ରାମକୃଷ୍ଣଙ୍କ ଶରୀର ମଧ୍ୟରେ ଥିଲା, ସେ ତାକୁ ସ୍ଵଇଚ୍ଛାରେ ଶିଷ୍ୟକୁ ପ୍ରଦାନ କଲେ । ତାଙ୍କ ଦେହରେ ଅବସ୍ଥାନ କରୁଥିବା ମହାମାୟା କାଳୀ ବା ମା’ ନରେନ୍ଦ୍ରଙ୍କ ଦେହରେ ପ୍ରବେଶ କଲେ, ଯେଉଁଥିପାଇଁ ସେ ନରେନ୍ଦ୍ରଙ୍କୁ ଆଧ୍ୟତ୍ମିକ ଭକ୍ତିରେ ପ୍ରସ୍ତୁତ କରିଚାଲିଥିଲେ-। ଶ୍ରୀ ରାମକୃଷ୍ଣ ନିଜର ସମସ୍ତ ଆଧ୍ୟାତ୍ମିକ ଶକ୍ତିକୁ ଦେଇ ନରେନ୍ଦ୍ରଙ୍କ ଶରୀରରେ ସମ୍ପୂର୍ଣ୍ଣ ଭାବେ ମିଶାଯାଇ ତାଙ୍କର ଗୁରୁ ହେବାର ସମସ୍ତ ଦାୟିତ୍ଵ ସମ୍ପାଦନ କଲେ ।

 

ଶେଷ ଦୁଇଦିନ ପୂର୍ବରୁ ପୁନର୍ବାର ନରେନ୍ଦ୍ରଙ୍କୁ ଡାକି କହିଲେ, “ଦେଖ୍ ନରେନ୍‌ ! ମୁଁ ମୋର ସନ୍ତାନମାନଙ୍କୁ (ଶିଷ୍ୟମାନଙ୍କୁ ଦେଖାଇ) ତୋ ଦାୟୀତ୍ଵରେ ଛାଡ଼ିଯାଉଛି । ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ଓ ଦକ୍ଷ । ସେମାନଙ୍କୁ ପ୍ରେମମାର୍ଗ ଦର୍ଶନ କରାଅ ଏବଂ ମୋ କାର୍ଯ୍ୟ ସମ୍ପାଦନ କର ।”

ମାଷ୍ଟରଙ୍କର ପ୍ରାୟ ଶେଷ ସମୟ । ହଠାତ୍‌ ନରେନ୍‍ଙ୍କ ମନରେ ଏକ ଚିନ୍ତା ପ୍ରବେଶ କଲା । ସେ ନିଜକୁ ନିଜେ କହିଲେ, “ସେ ବହୁସମୟରେ କହିଛନ୍ତି ସେ ହେଉଛନ୍ତି ଅବତାର । ଯଦି ମୃତ୍ୟୁର ଠିକ୍‌ ଅବ୍ୟବହିତ ପୂର୍ବରୁ ସେହି କଥା କହନ୍ତି, ତେବେ ମୁଁ ତାକୁ ବିଶ୍ଵାସ କରିବି ।” ହଠାତ୍‌ ମାଷ୍ଟର ତାଙ୍କର ସମସ୍ତ ଶକ୍ତିକୁ ଏକାଠି କରି ତାଙ୍କୁ କହିଲେ, “ହେ ମୋର ନରେନ୍‌ ! ତୁମେ ଏ ପର୍ଯ୍ୟନ୍ତ ବିଶ୍ଵାସ କରିପାରିଲ ନାହିଁ ? ଯେ ରାମ, ଯେ କୃଷ୍ଣ, ଇଦାନୀଂ ବର୍ତ୍ତମାନ ସେ ରାମକୃଷ୍ଣ । କିନ୍ତୁ ଏହା ତୋର ବେଦାନ୍ତ ଦୃଷ୍ଟିକୋଣରୁ ନୁହେଁ ।”

ନରେନ୍ଦ୍ର ଏହା ଶୁଣି ହତବାକ୍‌ । ଯେପରି ହଠାତ୍‌ ବିଜୁଳି ଆଲୋକ ତଡ଼ିତ୍-ବେଗରେ ଗୃହ ମଧ୍ୟରେ ପ୍ରବେଶ କଲା ।

ଦିବ୍ୟଲୀଳାରେ ଅବତୀର୍ଣ୍ଣ ହୋଇ ଶ୍ରୀ ରାମକୃଷ୍ଣ ପୃଥିବୀରେ ଯେଉଁ ଲୀଳାଖେଳା କରୁଥିଲେ ତାର ଯବନିକା ପଡ଼ିଲା । ସେଦିନ ଥିଲା ୧୬ ଅଗଷ୍ଟ ୧୮୮୬ ରବିବାର ବ୍ରାହ୍ମମୁହୂର୍ତ୍ତ । ଅଗଣିତ ଭକ୍ତ ଓ ଶିଷ୍ୟମାନଙ୍କୁ ଶୋକସାଗରରେ ଭସାଇ ମହାସମାଧିରେ ଲୀନ ହେଲେ ।

ମାଷ୍ଟରଙ୍କ ଅନୁପସ୍ଥିତିରେ, ତାଙ୍କର ହସ ହସ ମୁହଁରେ ଲାଗିଥିବା ହାସ୍ୟଛଟାର ସମ୍ମୋହନ ଶକ୍ତିର ଅଭାବରେ ଆରମ୍ଭ ହେଲା ଆଉ ଏକ ଅଧ୍ୟାୟ, ଯାହାର ଦାୟିତ୍ଵ ଓ ନେତୃତ୍ଵ ନେଲେ ନରେନ୍ଦ୍ରନାଥ ।

Image

 

ରାମକୃଷ୍ଣ ସଂଘର ଭିତ୍ତିଭୂମି – ବରାହ ନଗର ମଠ

 

ଶ୍ମଶାନ ଘାଟରୁ କାଶୀପୁର ଉଦ୍ୟାନବାଟୀ । ମସ୍ତକରେ ଅସ୍ଥି ପାଉଁଶଭରା ତାମ୍ର କଳସୀ-। ସବୁ ଯେପରି ଶୂନ୍ୟ । ମାଷ୍ଟର ନାହାନ୍ତି । ଚିନ୍ତିତ, ଦୁଃଖିତ ଓ ବିବ୍ରତ ମନନେଇ ତରୁଣ ଶିଷ୍ୟଗଣ କ’ଣ କରିବେ ଭାବୁଥିବାବେଳେ କାଶୀପୁର ଉଦ୍ୟାନବାଟୀରେ ଭଡ଼ା ରହିବାର ସମୟ ଅତିକ୍ରାନ୍ତ ହେଲା । ଶ୍ରୀ ମା’ ସାରଦାଦେବୀ ଭକ୍ତ ବଳରାମ ବୋଷଙ୍କ ଘରେ ରହିଲେ । ଦାରୁଣ ଦୁର୍ବିପାକ । ନିଜ ନିଜ ଗୃହ ସଂସାରକୁ ଫେରିଯିବାକୁ ମନରେ ଉତ୍କଣ୍ଠା ନାହିଁ; ରହିବା ପାଇଁ ବାସ ନାହିଁ । ଇତଃସ୍ତତଃ ଭ୍ରମଣ କରିବାକୁ ଲାଗିଲେ ଏହି ତରୁଣ ସନ୍ନ୍ୟାସୀମାନେ ।

 

ନରେନ୍‌ ଚିତିନ୍ତ ହୋଇପଡ଼ିଲେ । ଭକ୍ତ ସୁରେନ୍‌ ମିତ୍ର ଆଗେଇଆସିଲେ ସାହାଯ୍ୟ କରିବାକୁ । ବରାହନଗର ଠାରେ ଭବନାଥଙ୍କ ଚେଷ୍ଟାରେ ଏକ ଅବ୍ୟବହୃତ ଘର ମିଳିଗଲା । ‘ଭୂତକୋଠି’ ନାମରେ ପରିଚିତ ଏହି ପରିତ୍ୟକ୍ତ, ଜୀର୍ଣ୍ଣ ଗୃହଟିକୁ ମାତ୍ର ଦଶଟଙ୍କା ଭଡ଼ାରେ ନେଲେ-। ଗଙ୍ଗାକୂଳରେ ଅବସ୍ଥିତ ଏହି କୋଠଟି ଥିଲା ନିକାଞ୍ଚନ । ଘରଭଡ଼ା ନେବା ମାତ୍ରେ ସାନଗୋପାଳ ମାଷ୍ଟରଙ୍କର ବିଛଣା ଇତ୍ୟାଦି ନିଜ କାନ୍ଧରେ ବୋହିଆଣି ସେଠାରେ ରଖି ପୂଜା କରିବାକୁ ଆରମ୍ଭ କଲେ । ଶରତ, ବଡ଼ଗୋପାଳ, କାଳି, ତାରକ ଆସି ସେଠାରେ ରହିବାକୁ ଲାଗିଲେ । ନରେନ୍ଦ୍ର, ଶଶି, ରାଖାଲ, ଶରତ, ବାବୁରାମ ଓ ନିରଞ୍ଜନ ଇତ୍ୟାଦି କେବେକେବେ ସେଠାକୁ ଆସୁଥିଲେ । ନରେନ୍ଦ୍ର ପ୍ରାୟତଃ ସେଠାକୁ ଆସୁଥିଲେ ହେଁ ୧୮୮୭ ଜୁନ୍‌ ମାସ ମଧ୍ୟଭାଗ ବେଳକୁ ଗୃହତ୍ୟାଗ କରି ବରାହ ନଗର ମଠରେ ରହିବାକୁ ଲାଗିଲେ ।

 

ନରେନ୍ଦ୍ର ଗୁରୁ ଭାଇମାନଙ୍କୁ ଏକତ୍ର କରିବା, ସେମାନଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ଅନୁପ୍ରାଣୀତ କରି ଏକତ୍ର ରଖିବାକୁ ସକ୍ଷମ ହୋଇପାରିଥିଲେ । ବାବୁରାମଙ୍କ ମାତା ମାତଙ୍ଗିନୀ ଦେବୀଙ୍କ ଅନୁରୋଧକୁ ରକ୍ଷାକରି କଲିକତାଠାରୁ ୨୪ କି.ମି. ଦୂର ଆଣ୍ଟପୂରକୁ ନରେନ୍ଦ୍ର ଓ ତାଙ୍କର ଗୁରୁଭାଇମାନେ ଯାଇଥିଲେ । ଆଣ୍ଟପୁରର ମନୋରମ ପ୍ରାକୃତିକ ପରିବେଶରେ ସେମାନଙ୍ଗ ହୃଦୟରେ ଆଧ୍ୟାତ୍ମିକଭାବନାର ଦୀପ୍ତି ଉଦ୍ଭାସିତ ହୋଇ ଉଠୁଥିଲା । ନରେନ୍ଦ୍ର ସେମାନଙ୍କୁ ବାରମ୍ବାର କହୁଥିଲେ, “ଈଶ୍ଵରଙ୍କର ପ୍ରତ୍ୟକ୍ଷ ଅନୁଭୂତି ହିଁ ଜୀବନରେ ଏକମାତ୍ର ଲକ୍ଷ୍ୟ ।” ସେମାନଙ୍କ ମୁହଁରେ ସଦାସର୍ବଦା ଶ୍ରୀ ରାମକୃଷ୍ଣଙ୍କ ନାମ ଲାଗିରହିଥିଲା ।

 

୨୪ ଡିସେମ୍ବର ୧୮୮୬ । ଆକାଶରେ ଅନେକ ଉଜ୍ଜ୍ଵଳ ତାରକା । ଗୃହ ଅଗଣାରେ ବଡ଼ ବଡ଼ କାଠ ଖଣ୍ଡର ଧୁନି ଜାଳି ଧ୍ୟାନରତ ସେହି ତରୁଣ ସନ୍ନ୍ୟାସୀଗଣ । ହଠାତ୍‌ ନରେନ୍ଦ୍ର ସେହି ନୀରବତା ଭଙ୍ଗ ତରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହନୀୟ ଜୀବନ ସଂପର୍କରେ କହିବାକୁ ଲାଗିଲେ । ସେ ତାଙ୍କର ଉଦ୍‌ବୁଦ୍ଧ ସ୍ଵରରେ ସେମାନଙ୍କୁ ଜଣେ ଜଣେ ଧର୍ମ ପ୍ରଚାରକ ହୋଇ ମାଷ୍ଟରଙ୍କ ପ୍ରଦର୍ଶିତ ନୂତନ ବାର୍ତ୍ତା ମାନବ ସମାଜକୁ ପ୍ରଗତି ଓ ମୁକ୍ତିର ମାର୍ଗ ଦେଖାଇବାକୁ ଏବଂ ସେଥିପାଇଁ ତ୍ୟାଗମୟ ଜୀବନକୁ ଜୀବନର ଶ୍ରେଷ୍ଠ ଆଧାରଭାବେ ଗ୍ରହଣ କରିବାକୁ କହିଲେ । ପରେ ସେମାନେ ଜାଣିଲେ ଯେ ସେହି ଦିନଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନର ପୂର୍ବସଂଧ୍ୟା । ସେମାନେ ସମସ୍ତେ ତ୍ୟାଗକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ ସେହି ପ୍ରଜ୍ଜ୍ଵଳିତ ଅଗ୍ନି ନିକଟରେ ଶପଥ ନେଲେ । ଶାସ୍ତ୍ରାନୁମୋଦିତ ଭାବରେ ସନ୍ନ୍ୟାସ ଗ୍ରହଣ କରିବାର ଆବଶ୍ୟକତା ଅନୁଭବ କରି ସନ୍ନ୍ୟାସ ନେବାକୁ ପ୍ରସ୍ତୁତ ହେଲେ ।

 

ଆଣ୍ଟପୁରରୁ ବରାହନଗର ମଠକୁ ଫେରି ୧୮୮୭ ଜାନୁୟାରୀ ମାସରେ ଭାରତରେ ଯୁଗଯୁଗରୁ ପ୍ରଚଳିତ ଶାସ୍ତ୍ରୀୟ ବିଧି ଅନୁସାରେ ବିରଜା ହୋମ କଲେ । କାଳି ହେଲେ ତନ୍ତ୍ରଧାରକ । ନରେନ୍ଦ୍ର ମନ୍ତ୍ର ଉଚ୍ଚାରଣ କଲେ । ଜଣକ ପରେ ଜଣେ ନିଜନିଜର ପିଣ୍ଡ ଦାନ କଲେ । ନିଜ ନିଜର ଉପବୀତ ତ୍ୟାଗ କଲେ । ଏହି ହୋମରେ ପ୍ରଥମେ ନରେନ୍ଦ୍ର ଓ ପରେ ଅନ୍ୟମାନେ ଯୋଗଦେଲେ-। ହୋମ ସମାପ୍ତ ହେବା ପରେ କାଳି ମନ୍ତ୍ର ଉଚ୍ଚାରଣ କଲେ ଓ ଅନ୍ୟମାନେ ଅଗ୍ନିରେ ପିଣ୍ଡ ପ୍ରକ୍ଷେପଣ କଲେ । ଏହି ସନ୍ନ୍ୟାସୀମାନେ ପରମ୍ପରା ଅନୁସାରେ ନୂତନ ନାମ ନେଲେ-। ନରେନ୍ଦ୍ରନାଥ ଗୁଣ ଓ କର୍ମ ଅନୁସାରେ ସେମାନଙ୍କର ନାମ ସ୍ଥିର କଲେ ।

 

ନରେନ୍ଦ୍ରନାଥଙ୍କର ସନ୍ନ୍ୟାସ ନାମ ହେଲା ସ୍ଵାମୀ ବିବେକାନନ୍ଦ । ଶ୍ରୀ ରାମକୃଷ୍ଣଙ୍କର ଷୋଳଜଣ ସନ୍ନ୍ୟାସୀ ଶିଷ୍ୟମାନଙ୍କର ନାମ ଥିଲା – ସ୍ଵାମୀ ବିବେକାନନ୍ଦ (ନରେନ୍ଦ୍ରନାଥ), ସ୍ଵାମୀ ବ୍ରହ୍ମାନନ୍ଦ (ରାଖାଲ), ସ୍ଵାମୀ ପ୍ରେମାନନ୍ଦ (ବାବୁରାମ), ସ୍ଵାମୀ ଯୋଗାନନ୍ଦ (ଯୋଗେନ୍‌), ସ୍ଵାମୀ ନିରଞ୍ଜନାନନ୍ଦ (ନିରଞ୍ଜନ), ସ୍ଵାମୀ ରାମକୃଷ୍ଣାନନ୍ଦ (ଶଶୀ), ସ୍ଵାମୀ ଶିବାନନ୍ଦ (ତାରକ), ସ୍ଵାମୀ ତୁରୀୟାନନ୍ଦ (ହରି), ସ୍ଵାମୀ ଅଭେଦାନନ୍ଦ(କାଳୀ), ସ୍ଵାମୀ ସାରଦାନନ୍ଦ(ଶରତ), ସ୍ଵାମୀ ଅଦ୍ଵୈତାନନ୍ଦ (ଗୋପାଳ), ସ୍ଵାମୀ ସୁବୋଧାନନ୍ଦ (ସୁବୋଧ), ସ୍ଵାମୀ ଅଖଣ୍ଡାନନ୍ଦ ,(ଗଙ୍ଗାଧର) ଓ ସ୍ଵାମୀ ବିଜ୍ଞାନାନନ୍ଦ (ହରିପ୍ରସନ୍ନ) ।
 

ନରେନ୍ଦ୍ରନାଥ ସନ୍ନ୍ୟାସ ନାମ ନେଇଥିଲେ ମଧ୍ୟ ସେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନାମ ବ୍ୟବହାର କରିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ରକୁ ଯିବା ଅବକାଶରେ ଅର୍ଥାତ୍‌ ଚିକାଗୋ ଧର୍ମସଭାରେ ଯୋଗଦାନ ପରେ ହିଁ ସେ ସ୍ଵାମୀ ବିବେକାନନ୍ଦ ନାମରେ ପରିଚିତ ହେଲେ । ପରିବ୍ରାଜକ ଥିବା ସମୟରେ ସେ ‘ସଚ୍ଚିଦାନନ୍ଦ’ ନାମ ମଧ୍ୟ ବ୍ୟବହାର କରିଥିଲେ ।

 

ନରେନ୍ଦ୍ରନାଥ ଗୁରୁଭାଇମାନଙ୍କୁ ଏକାଠି କରି ସନ୍ନ୍ୟାସ ନାମଗ୍ରହଣ, ଅର୍ଥାତ୍‌ ସମ୍ପୂର୍ଣ୍ଣତ୍ୟାଗ, ବରାହନଗର ମଠ ସ୍ଥାପନ କରି ରାମକୃଷ୍ଣ ମଠର ଭିତ୍ତିଭୂମି ପ୍ରସ୍ତୁତ କରିବା ଓ ରାମକୃଷ୍ଣଙ୍କର ବାର୍ତ୍ତାକୁ ଜଗତ୍‌ ସମ୍ମୁଖରେ ଉପସ୍ଥାପିତ କରିବା ମୂଳରେ ଶ୍ରୀ ରାମକୃଷ୍ଣ ନିଜେ ବିଦ୍ୟମାନ – ଏହା ବାରମ୍ବାର ଘୋଷଣା କରିଥିଲେ । ସେ ୧୮୯୦ ମେ ୨୬ ତାରିଖରେ ବାରାଣସୀରୁ ବାବୁ ପ୍ରମଦା ଦାସ ମିତ୍ରଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ “(୧) ମୁଁ ପ୍ରଥମରୁ ଆପଣଙ୍କୁ କହିଛି ମୁଁ ଶ୍ରୀ ରାମକୃଷ୍ଣଙ୍କର କ୍ରୀତଦାସ । ତିଳ ଓ ତୁଳସୀ ଅର୍ପଣକରି ମୁଁ ନିଜକୁ ତାଙ୍କ ପାଦ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରିଛି । ମୁଁ ତାଙ୍କୁ ତ୍ୟାଗ କରିବା ଅସମ୍ଭବ । (୨) ତାଙ୍କର ମୋତେ ନିର୍ଦ୍ଦେଶ ମୁଁ ତାଙ୍କର ତ୍ୟାଗୀ ଭକ୍ତମାନଙ୍କର ସେବା କରିବି ଏବଂ ତାହାକୁ ସୁରକ୍ଷିତ ରଖିବା ପାଇଁ ସ୍ଵର୍ଗ, ନର୍କ, ମୁକ୍ତି ବା ଯାହା ମୋତେ ଭୋଗ କରିବାକୁ ପଡ଼ିବ, ତାକୁ ସାଦର ଗ୍ରହଣ କରିବି । (୩) ତାଙ୍କର ନିର୍ଦ୍ଦେଶ – ଏହି ସର୍ବତ୍ୟାଗୀ ଭକ୍ତମଣ୍ଡଳୀ ସଂଘବଦ୍ଧ ହେବେ ଏବଂ ମୁଁ ତାର ରକ୍ଷଣାବେକ୍ଷଣ କରିବି । ହୁଏତ କେହିକେହି ତୀର୍ଥାଟନରେ ଯାଇପାରେ । ନିତ୍ୟସିଦ୍ଧିଙ୍କ ପାଇଁ ସଦାସର୍ବଦା ତୀର୍ଥାଟନ ପ୍ରଯୁଜ୍ୟ କିନ୍ତୁ ଯେଉଁମାନେ ଅଭ୍ୟାସ କରୁଛନ୍ତି, ସେମାନଙ୍କ ନିମିତ୍ତ ନୁହେଁ । (୪) ତାଙ୍କର ଏହି ନିର୍ଦ୍ଦେଶ ଅନୁସାରେ ତାଙ୍କ ଦ୍ଵାରା ଗଠିତ ସନ୍ନ୍ୟାସୀସଂପ୍ରଦାୟ ବର୍ତ୍ତମାନ ବରାହ ନଗରର ଏକ ଅର୍ଦ୍ଧଭଗ୍ନ କୋଠାଘରେ ଏକତ୍ର ସମାବେଶ ହୋଇଛନ୍ତି ।”

 

ଶ୍ରୀ ରାମକୃଷ୍ଣଙ୍କ ଭାବଧାରାରେ ଅନୁପ୍ରାଣୀତ, ତାଙ୍କଦ୍ଵାରା ସଂସ୍ଥାପିତ ରାମକୃଷ୍ଣ ସଂଘର ପ୍ରଥମ ମୂଳଦୁଆସୂରୂପ ବରାହନଗରଠାରେ ମଠ ସ୍ଥାପିତ ହେଲା । ବରାହନଗର ମଠର ସନ୍ନ୍ୟାସୀମାନେ ଥିଲେ ତରୁଣ । ସେମାନେ ବଙ୍ଗାଳୀ, ଶିକ୍ଷିତ ଓ ମଧ୍ୟବିତ୍ତ ପରିବାରରୁ ଆସି ଏକ ଭଙ୍ଗା, ଅପରିଚ୍ଛନ୍ନ, ଭୂତପ୍ରେତ ବାସ କରୁଥିବା ସ୍ଥାନରେ ତାହାକୁ ‘ମଠ’ ନାମରେ ନାମିତ କରି ରହିଥିଲେ । ସ୍ଵଳ୍ପ ଭିକ୍ଷା କରି ଦିନସାରା ଭଜନ, କୀର୍ତ୍ତନ, ଜପ ଓ ଧ୍ୟାନ ଇତ୍ୟାଦିରେ ସମୟ ଅତିବାହିତ କଲେ । ଉଚ୍ଚଶିକ୍ଷା ଲାଭ କରି ଗୃହସ୍ଥ ଜୀବନ ବିତାଇବା ପରିବର୍ତ୍ତେ ସେମାନେ ତ୍ୟାଗପୁତ ସନ୍ନ୍ୟାସୀ ଜୀବନକୁ ଆଦରିନେବା ଓ ଈଶ୍ଵରପ୍ରାପ୍ତି ଏକମାତ୍ର ଲକ୍ଷ୍ୟ ବୋଲି ବିଚାର କରିବା ସାଧାରଣ ଲୋକମାନଙ୍କ ନିକଟରେ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଥିଲା । ସେମାନେ ପରିଷ୍କାର ପରିଚ୍ଛନ୍ନ ରହୁଥିଲେ ଏବଂ ଗେରୁଆ ବସ୍ତ୍ର ପରିଧାନ କରୁଥିଲେ ।

 

ମଠରେ ଜୀବନ ଥିଲା ନିରାଡ଼ମ୍ବର । ଆର୍ଥିକ ଅଭାବ ଓ ଅନାଟନ ମଧ୍ୟରେ ସେମାନେ ଦାରିଦ୍ର୍ୟକୁ ସେମାନଙ୍କର ଏକାନ୍ତ ସହଚର ଭାବେ ଗ୍ରହଣ କରିଥିଲେ । ଏପରି ଅବସ୍ଥା ସମ୍ପର୍କରେ ସ୍ଵାମୀଜୀ ଶିଷ୍ୟ ଶରତଚନ୍ଦ୍ରଙ୍କୁ କହିଥିଲେ, “ଅର୍ଥାଭାବ ଯୋଗୁଁ ମୁଁ ମଠକୁ ବନ୍ଦ କରିଦେବାକୁ ଇଚ୍ଛା କରୁଥିଲି । କିନ୍ତୁ କେବେହେଲେ ଶିଶିକୁ ମୋ କଥାରେ ସହମତ କରିପାରିଲି ନାହିଁ । ଦିନେ ଦିନେ ମଠରେ ଚାଉଳର ଦାନା ମଧ୍ୟ ନଥିଲା । ଭିକ୍ଷାମାଗି ଚାଉଳ ସଂଗ୍ରହ କରିବାବେଳକୁ ଲୁଣ ନ ଥିଲା । କିନ୍ତୁ ଏଥିପ୍ରତି କେହି ଭ୍ରୂକ୍ଷେପ କରୁ ନଥିଲେ । ଅମ୍ଭେମାନେ ଆଧ୍ୟାତ୍ମିକ ସାଧନାରେ ମଜ୍ଜି ଯାଉଥିଲୁ-। ସିଝା ବେଲପତ୍ର, ଭାତ ଓ ଲୁଣ ମାସ ମାସ ଧରି ଆମ୍ଭର ଖାଦ୍ୟ ହୋଇଥିଲା । ସେହି ସମୟର କୃଚ୍ଛ୍ର ସାଧନା ଦେବତାମାନଙ୍କୁ ମଧ୍ୟ ବିସ୍ମିତ କରିବ, ମଣିଷ କିବା ଛାର ।” ବସ୍ତ୍ର ଅଭାବରୁ ଖଣ୍ଡିଏ ଧୋତି ଓ ଚାଦର ବାହାରକୁ ଯିବାବେଳେ ସମସ୍ତେ ବ୍ୟବହାର କରୁଥିଲେ । ମଠରେ ଆରମ୍ଭ ହୋଇଯାଇଥିଲା ମାଷ୍ଟରଙ୍କର ପୂଜାର୍ଚ୍ଚନା । ନରେନ୍ଦ୍ର ଏହାକୁ କ୍ରମଶଃ ଗ୍ରହଣ କରି ନେଇଥିଲେ । ନରେନ୍ଦ୍ର ଓ ଗୁରୁଭାଇମାନଙ୍କ ମଧ୍ୟରେ ଅନାବିଳ ସ୍ନେହର ରଜ୍ଜୁ ବାନ୍ଧିହୋଇ ଯାଉଥାଏ । ସେ ସେମାନଙ୍କୁ ସାଧନାରେ ସିଦ୍ଧିଲାଭ କରିବା ପ୍ରଚେଷ୍ଟାରେ ସାହାଯ୍ୟ କରୁଥିଲେ । ଦିନେ ଦିନେ କହିବେ, “ମାଷ୍ଟର ନିଜେ ମୋତେ ତୁମ୍ଭମାନଙ୍କର ଦାୟିତ୍ଵ ନ୍ୟାସ୍ତ କରିନାହାନ୍ତି କି ?” ସେମାନେ ମଧ୍ୟ ମାଷ୍ଟରଙ୍କ କହିବା କଥାର ସତ୍ୟତା ଉପଲବ୍‍ଧି କରୁଥାନ୍ତି । ନରେନ୍ଦ୍ରଙ୍କର ସୌମ୍ୟ ମୁଖମଣ୍ଡଳ, ବିସ୍ଫାରିତ ନୟନ, କହିବାର ଭଙ୍ଗୀ, ଚାଲିବାର ସୌଷ୍ଠବ, ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରି ପ୍ରୋତ୍ସାହନ ଦେବାର ଶୈଳୀ ଏବଂ ସମୟ ସମୟରେ କରୁଥିବା ଭର୍ତ୍ସନା ତାଙ୍କୁ ସେମାନଙ୍କର ସର୍ବବାଦୀସମ୍ମତ ନେତା ଭାବରେ ଗ୍ରହଣ କରିବାରେ କୌଣସି ଦ୍ଵିଧା ବା ସଙ୍କୋଚ ସୃଷ୍ଟି କରି ନଥିଲା ଏବଂ ସେମାନେ ସେମାନଙ୍କର ମାର୍ଗଦର୍ଶକଭାବେ ସେମାନଙ୍କୁ ଗ୍ରହଣ କରିଥିଲେ । ନରେନ୍ଦ୍ର ଅତ୍ୟନ୍ତ ଶ୍ରଦ୍ଧା ଓ ସ୍ନେହ ବଳରେ ସେମାନଙ୍କ ଭିତରେ ‘ଶିବଜ୍ଞାନେ ଜୀବସେବା’ ଭାବକୁ ଜ୍ଵଳନ୍ତ ଅଗ୍ନିପିଣ୍ଡ ପରି ପ୍ରଜ୍ଜ୍ଵଳିତ କରିବାରେ କ୍ରମସଃ ସକ୍ଷମ ହୋଇଥିଲେ । ସେ ସେମାନଙ୍କୁ ଶିକ୍ଷାଦେଇ ଉତ୍ତମ ମଣିଷ ଭାବରେ ନିଜକୁ ଗଢ଼ିବାକୁ ପ୍ରେରଣା ଦେଉଥିଲେ । ମଠରେ ଆନନ୍ଦ ଓ ଉତ୍ସାହରେ ଶିବରାତ୍ରି ପାଳନ କଲେ । ନରେନ୍ଦ୍ରଙ୍କ ରଚିତ ଶିବ ସଙ୍ଗୀତ ଗାନ କରି ଆଧ୍ୟାତ୍ମିକ ରସ ପାନ କଲେ-। ସେମାନଙ୍କ ମନରେ ଯୁଗ ଯୁଗ ଧରି ସନ୍ନ୍ୟାସୀ ସମ୍ପ୍ରଦାୟର ତୀର୍ଥାଟନ ଇଚ୍ଛା କ୍ରମଶଃ ବଳବତ୍ତର ହେବାର ଲାଗିଥାଏ । ନାମ, ରୂପ ଓ ଯାବତୀୟ ବନ୍ଧନରୁ ମୁକ୍ତିଲାଭ କରି ସର୍ବଶ୍ରେଷ୍ଠ ଧାର୍ମିକ ଜୀବନଯାପନ କରିବା ପାଇଁ ଆଗ୍ରହ ହେତୁ ନିକାଞ୍ଚନରେ, ଉଦ୍ଦେଶ୍ୟ-ହୀନ ଭାବରେ ବୁଲିବା ପାଇଁ ନରେନ୍ଦ୍ରଙ୍କ ହୃଦୟ ବ୍ୟାକୁଳ ହେବାକୁ ଲାଗିଲା ଓ ସେ ଭାରତର ପଥପ୍ରାନ୍ତରରେ ଘୂରିବା ପାଇଁ ଦୃଢ଼ ସଂକଳ୍ପ ହେଲେ ।

Image

 

ଭାରତର ପଥପ୍ରାନ୍ତେ

 

ସ୍ଵାମୀଜୀ ନିଜର ଶକ୍ତି ଓ ସାମର୍ଥ୍ୟକୁ କଳନା କରିବାକୁ, ଏକ ନୂତନ ଜୀବନର ଅନୁଭୂତି ପାଇବାକୁ, ସମ୍ପୂର୍ଣ୍ଣଭାବେ ନିଜକୁ ଭୟଶୂନ୍ୟ କରିବାକୁ ଏବଂ ସେହି ସମୟରେ ତାଙ୍କର ଗୁରୁଭାଇମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ାହେବା ପାଇଁ ସ୍ଥିର କରି ମଠରୁ ଭ୍ରମଣରେ ବାହାରିଯିବା ପାଇଁ ସ୍ଥିର କଲେ । ମନରେ ଦୃଢ଼-ସଂକଳ୍ପ । ତାଙ୍କର ପରିଭ୍ରମଣ କାଳରେ କେହି ଯେପରି ତାଙ୍କର ସନ୍ଧାନ ନ ପାଆନ୍ତୁ, ରାସ୍ତାର ଧୂଳି ତାଙ୍କ ପାଦଦ୍ଵୟକୁ ଧୂସରିତ କରୁ, ଆସାନ୍ତା କାଲି ପାଇଁ ଖାଦ୍ୟ ଓ ବିଶ୍ରାମର ଚିନ୍ତା ନ ରହୁ, ଏହା ହେଲା ତାଙ୍କ ମନର ବିଚାର । ଜଣେ ସାମାନ୍ୟ ସାଧୁ ଭାବରେ, ଗେରୁଆବସ୍ତ୍ର ପରିଧାନ କରି, ହାତରେ କମଣ୍ଡଳୁ ଧରି, ଝୁଲାରେ ଭଗବତ୍ ଗୀତା ଓ ଖ୍ରୀଷ୍ଟସାଧନାର ଆଉ ଖଣ୍ଡେ ବହି ରଖି ଭାରତର ପଦପ୍ରାନ୍ତରରେ ଜଣେ ମୁକ୍ତ ସନ୍ନ୍ୟାସୀ ଭାବରେ ବୁଲିବାକୁ ତାଙ୍କ ମନ ବ୍ୟାକୁଳ ହୋଇଉଠିଲା । କେବଳ ନିଜ ଆତ୍ମା ହିଁ ନିଜର ସହଚର । ତାଙ୍କର ଏପ୍ରକାର ଦୃଢ଼ତାକୁ ଗୁରୁଭାଇମାନେ ଗ୍ରହଣ କରିପାରିଲେ ନାହିଁ । କେହି ନା କେହି ତାଙ୍କ ସହିତ ଯାଉ, ଏହା ସେମାନେ ଚାହିଁଲେ କାରଣ ସ୍ଵାମୀଜୀଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ନ ଥାଏ-

 

ଗୁରୁଭାଇମାନଙ୍କର ଅନୁରୋଧକୁ ଏଡ଼ାଇବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ସେ ଯେତେଥର ନ ଫେରିବାକୁ ପ୍ରତିଜ୍ଞାବଦ୍ଧ ହୋଇ ଯାତ୍ରା ଆରମ୍ଭ କଲେ, କେହି ନା କେହି ଗୁରୁଭାଇଙ୍କର ଅସୁସ୍ଥତା ଓ ଗୃହୀଭକ୍ତ ବଳରାମ ବୋଷଙ୍କର ମୃତ୍ୟୁ ତାଙ୍କୁ ଫେରିଆସିବାକୁ ବାଧ୍ୟ କରୁଥିଲା । ୧୮୯୦ ଜୁଲାଇ ମାସରେ ସ୍ଵାମୀ ଅଖଣ୍ଡାନନ୍ଦଙ୍କ ସହିତ ଯାତ୍ରା କରିବା ସମୟରେ ସେ ନ ଫେରିବାକୁ ସଂକଳ୍ପବଦ୍ଧ ହେଲେ ।

 

କଲିକତାରୁ ବନାରସ । ଶ୍ରୀ ଶ୍ରୀ କାଶୀଧାମ । ପ୍ରତ୍ୟେକ ଦିନ ପତିତପାବନୀ ଭାଗୀରଥୀରେ ସ୍ନାନ, ବିଶ୍ଵନାଥଙ୍କର ଦର୍ଶନ । ସାଂୟକାଳରେ ଶ୍ମଶାନଘାଟ ନିକଟରେ ଗଭୀର ତପସ୍ୟାରେ ମଗ୍ନ ହୋଇଯାଉଥିଲେ । ସଂସାରର ଅନ୍ଧକାରକୁ ଦୂର କରିବାପାଇଁ ବୁଦ୍ଧଙ୍କର ଅମୃତମୟ ବାଣୀ ଯେଉଁ ସ୍ଥାନରୁ ବିଚ୍ଛୁରିତ ହୋଇଥିଲା, ସେହି ସାରନାଥ ଦେଖିବାକୁ ଭୁଲିଲେ ନାହିଁ-। କାଶୀଧାମରେ ଥିବା ଅବକାଶରେ ବଙ୍ଗଗୌରବ ପଣ୍ଡିତ ଭୂଦେବ ମୁଖୋପାଧ୍ୟାୟଙ୍କ ସହିତ ତାଙ୍କର ପରିଚୟ ହେଲା । ଭୂଦେବ ମହାଶୟ ସ୍ଵାମୀଜୀଙ୍କର ତେଜୋଦୀପ୍ତ ଗଭୀର ଅନ୍ତର୍ଦୃଷ୍ଟିସମ୍ପନ୍ନ ଅଭିଜ୍ଞତା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କଲେ ଏବଂ ଭବିଷ୍ୟତରେ ମହାନ୍ ବ୍ୟକ୍ତି ହେବେ ବୋଲି କହିଲେ ।

 

ବାରାଣସୀର ବିଖ୍ୟାକ୍ତ ଜଡ଼ ସନ୍ନ୍ୟାସୀ ତ୍ରୈଲଙ୍ଗ ସ୍ଵାମୀଙ୍କୁ ଦର୍ଶନ କଲେ । ସେ ପୂର୍ବରୁ ତ୍ରୈଲଙ୍ଗ ସ୍ଵାମୀଙ୍କର ତ୍ୟାଗପୁତ ଜୀବନ ସମ୍ପର୍କରେ ଶ୍ରୀ ରାମକୃଷ୍ଣଙ୍କଠାରୁ ଶୁଣିବାକୁ ପାଇଥିଲେ । ସେ ସ୍ଵାମୀ ଭାସ୍କରାନନ୍ଦଙ୍କର ମହନୀୟ ଗୁଣାବଳୀ ଶ୍ରବଣ କରି ତାଙ୍କୁ ସାକ୍ଷାତ୍‍ କଲେ । ସେ ସନ୍ନ୍ୟାସୀ ଜୀବନର ଆଦର୍ଶ ସମ୍ପର୍କରେ ସ୍ଵାମୀଜୀଙ୍କୁ ଉପଦେଶ ଦେବାବେଳେ କହିଲେ, ‘‘କେହି ସମ୍ପୂର୍ଣ୍ଣ ରୂପେ କାମିନୀକାଞ୍ଚନ ତ୍ୟାଗ କରିପାରେ ନାହିଁ । ଏହାଶୁଣି ସ୍ଵାମୀଜୀ ସେପରି ଏକ ବ୍ୟକ୍ତିଙ୍କୁ ସେ ଦେଖିଛନ୍ତି, ଓ ସେ ହେଉଛନ୍ତି ଶ୍ରୀ ରାମକୃଷ୍ଣ ବୋଲି କହିବାରୁ ଉତ୍‍କ୍ଷିପ୍ତ ହୋଇଉଠିଲେ ସ୍ଵାମୀ ଭାସ୍କରାନନ୍ଦ ଏବଂ ସ୍ଵାମୀଜୀଙ୍କୁ ଲକ୍ଷ୍ୟ କରି କହିଲେ “ତୁମେ କ’ଣ ଜାଣିଛ ? ତୁମେ ସାମାନ୍ୟ ବାଳକ ମାତ୍ର ।’’ ସ୍ଵାମୀଜୀ ତାଙ୍କର ତେଜୋଦୀପ୍ତ ଯୁକ୍ତି ଉପସ୍ଥାପନା କରି ସେ ସ୍ଥାନ ପରିତ୍ୟାଗ କରିଥିଲେୁ ।

 

ବାରାଣସୀରେ ଥିବାବେଳେ ତାଙ୍କର ଏକ ଅଭାବନୀୟ ଅନୁଭୂତି ହେଲା । ସେହି ଅନୁଭୂତିରୁ ସେ ମୂଲ୍ୟବାନ ଶିକ୍ଷାଲାଭ କରିଥିଲେ– ଯାହାକୁ ସେ ବହୁବର୍ଷ ପରେ “ଧର୍ମ କ’ଣ ?” ଏହି ଶୀର୍ଷକ ଭାଷଣ ଦେବାବେଳେ କହିଥିଲେ । ତାଙ୍କ ଭାଷାରେ “ମୁଁ ଯେତେବେଳେ ବାରାଣସୀରେ ଥିଲି, ସେତେବେଳେ କୌଣସି ଏକ ରାସ୍ତାରେ ଯିବାବେଳେ ତାର ଏକ ପାର୍ଶ୍ଵରେ ଜଳପୂର୍ଣ୍ଣ ଏକ ବଡ଼ ପୁଷ୍କରିଣୀ ଏବଂ ଅନ୍ୟପାର୍ଶ୍ଵରେ ଏକ ବୃହତ୍ କାନ୍ଥ ଥିଲା । ସେହି ସ୍ଥାନରେ ଅନେକଗୁଡ଼ିଏ ମାଙ୍କଡ଼ ରହିଥିଲେ । ବାରାଣସୀର ସେହି ମାଙ୍କଡ଼ଗୁଡ଼ିକ ବିରାଟକାୟ ଜନ୍ତୁ ଓ କ୍ରୋଧୀ ଥିଲେ । ସେମାନେ ମୋତେ ସେ ବାଟଦେଇ ନ ଛାଡ଼ିବାକୁ ବଦ୍ଧପରିକର ହୋଇ ଖୁବ୍‌ ଜୋରରେ ଚିତ୍କାର କଲେ ଓ ଖତେଇ ହୋଇ ମୋ ଆଡ଼କୁ ମାଡ଼ି ଆସିଲେ । ସେମାନେ ମୋର ନିକଟବର୍ତ୍ତୀ ହେବାରୁ ମୁଁ ପ୍ରାଣଭୟରେ ଦୌଡ଼ିବାକୁ ଲାଗିଲି । ସେମାନେ ମୋତେ ଗୋଡ଼ାଇ କାମୁଡ଼ିବାକୁ ଉଦ୍ୟତ ହେଲେ । ମୁଁ କିଂକର୍ତ୍ତବ୍ୟବିମୂଢ଼ ଥିବାବେଳେ ଜଣେ ବୃଦ୍ଧ ସନ୍ନ୍ୟାସୀ ବଡ଼ ପାଟିରେ ଚିତ୍କାର କରି କହୁଥିଲେ ‘‘ରହିଯାଅ ! ପଶୁମାନଙ୍କର ସମ୍ମୁଖୀନ ହୁଅ ।” ମୁଁ ସାହସ ସହିତ ବୁଲିପଡ଼ି ସେମାନଙ୍କୁ ଚାହିଁଲି । ସେମାନେ ପଛଘୁଞ୍ଚା ଦେଇ ପଳାୟନ କଲେ । ତାହା ମୋ ଜୀବନରେ ଏକ ଶିକ୍ଷାପ୍ରଦ ଘଟଣା ହେଲା– ବିଘ୍ନ ବା ବିପଦ ଦେଖି କେବେ ପଳାଇବ ନାହିଁ, ସାହସର ସହିତ ସମ୍ମୁଖୀନ ହେବ । ଜୀବନରେ ଦୁର୍ଦ୍ଦଶା ଉପରକୁ ଆସିବାବେଳେ, ପଛଘୁଞ୍ଚା ଦେଇ ଦୌଡ଼ି ପଳାଅ ନାହିଁ । ଯଦି ଆମକୁ ମୁକ୍ତି ପାଇବାକୁ ହେବ, ତେବେ ପ୍ରକୃତିକୁ ଜୟକରି ତାକୁ ପାଇବାକୁ ହେବ । ପ୍ରକୃତି ପାଖରୁ ପଳାଇ ନୁହେଁ । କାପୁରୁଷ କେବେହେଲେ ଜୟୀ ହୁଏନାହିଁ । ଯଦି ଆମେ ଚାହୁଁ ଯେ ଭୟ, ବାଧା, ବିପତ୍ତି ଓ ଅଜ୍ଞତା ଆମ ସମ୍ମୁଖରୁ ଦୂରେଇଯାଉ, ତେବେ ଆମକୁ ସେଗୁଡ଼ିକ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ପଡ଼ିବ ।

 

ବାରାଣସୀରୁ ଅଯୋଧ୍ୟା । ରାମଚନ୍ଦ୍ରଙ୍କର ଅକ୍ଷୟକୀର୍ତ୍ତିକୁ ମାନସପଟରେ ଆଙ୍କି ସ୍ଵାମୀଜୀ ଲକ୍ଷ୍ନୌ ବାଟଦେଇ ଆଗ୍ରାରେ ପହଞ୍ଚିଲେ । ଆଗ୍ରା ଦୁର୍ଗ ଦେଖିବାମାତ୍ରେ ଭାରତ ଇତିହାସର ଛବି ତାଙ୍କ ମନଶ୍ଚକ୍ଷୁରେ ଝଲସିଗଲା । ସେ ମୁସଲମାନ୍‍ମାନଙ୍କ ଦ୍ଵାରା ନିର୍ମିତ ଏହି ସ୍ଥାପତ୍ୟରେ ଭାରତୀୟ କଳାର ଚରମ ବୈଶିଷ୍ଟ୍ୟ ଲକ୍ଷ୍ୟ କରିଥିଲେ ଏବଂ ମୁସଲମାନ୍‍ ଶାସକମାନଙ୍କ ଦ୍ଵାରା କିପରି ଭାରତୀୟ ସଂସ୍କୃତିର ସମନ୍ଵୟ ଘଟିଛି ତାହା ହୃଦୟଙ୍ଗମ କଲେ ।

 

ଆଗ୍ରା ପରେ ଶ୍ରୀ ଶ୍ରୀ ବୃନ୍ଦାବନଧାମ । ଯମୁନା ନଦୀ ଦୃଷ୍ଟିପଥାରୂଢ଼ ହେବାମାତ୍ରେ ତାଙ୍କ ହୃଦୟରେ ଆନନ୍ଦର ଜୁଆର । ମନରେ ରାଧା ଓ କୃଷ୍ଣଙ୍କର ଅନାବିଳ ପ୍ରେମ ଭାବନା ଜାଗ୍ରତ ହେଲା-। ସେ ଶ୍ରୀକୃଷ୍ଣ ପ୍ରେମରେ ବିଗଳିତ ହୋଇ ଯମୁନାକୂଳରେ ବୁଲିବାକୁ ଲାଗିଲେ ।

 

ନିଜର ଏକମାତ୍ର କୌପୀନ ଖଣ୍ଡିକୁ କୂଳ ଉପରେ ରଖି ରାଧାକୁଣ୍ଡ ଭିତରେ ସ୍ନାନ କଲେ-। ସ୍ନାନ ସମାପନ ଅନ୍ତେ ଉପରକୁ ଉଠିବାମାତ୍ରେ ଦେଖିଲେ କୌପୀନ ଖଣ୍ଡିକୁ ନେଇ ମାଙ୍କଡ଼ ଗଛ ଡାଳରେ । କ’ଣ କରିବେ । ଉଲଗ୍ନ ଅବସ୍ଥାରେ ଯିବେ କୁଆଡ଼େ ? ମାଙ୍କଡ଼କୁ କୌପୀନ ଫେରାଇ ଦେବାପାଇଁ ଶତ ଅନୁରୋଧ, ଅନୁନୟର କୌଣସି ଫଳ ହେଲା ନାହିଁ । ବରଂ ବାନର ମୁଖଭଙ୍ଗୀ କରି ବ୍ୟଙ୍ଗବିଦ୍ରୂପ କଲା । ସମ୍ପୂର୍ଣ୍ଣ ନଗ୍ନାବସ୍ଥାରେ ବୃନ୍ଦାବନର ଜନପଦ ମଧ୍ୟକୁ ନ ଯାଇ ସ୍ଵାମୀଜୀ ଜଙ୍ଗଲ ଦିଗକୁ ଦୌଡ଼ିଲେ । ମନରେ ସଂକଳ୍ପ କଲେ ପରିଧେୟ ବସ୍ତ୍ର ନ ପାଇବା ପର୍ଯ୍ୟନ୍ତ ଅରଣ୍ୟ ମଧ୍ୟରେ ପ୍ରାୟୋପବେଶନ କରିବେ । ଏହି ସମୟରେ କାହାର କଣ୍ଠସ୍ଵର ଶୁଣି ଚାହିଁବାମାତ୍ରେ ଦେଖିଲେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଧାଇଁ ଧାଇଁ ଆସୁଛି । ସେ ନବାଗତଙ୍କ ହାତରୁ ବସ୍ତ୍ର ଓ ଖାଦ୍ୟଦ୍ରବ୍ୟ ସାଦର ଗ୍ରହଣ କଲେ । ସେହି ବ୍ୟକ୍ତି ଘନଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇଯାଇଥିଲେ । ହଠାତ୍‌ ତାଙ୍କର ଚୈତନ୍ୟ ଉଦୟ ହେଲା । ଧନ୍ୟ ଶ୍ରୀକୃଷ୍ଣଙ୍କ ଲୀଳା – ‘ଜୟ ରାଧେ ଶ୍ରୀ ରାଧେ’ କହି ଆନନ୍ଦାଶ୍ରୁ ନିର୍ଗତ କରି ଯେତେବେଳେ ରାଧାକୁଣ୍ଡ ନିକଟରେ ପହଞ୍ଚିଲେ ସେଠାରେ ଥୁଆ ହୋଇଥିଲା କୌପୀନ ଖଣ୍ଡିକ । ଏହି ମଧୁର ଲୀଳାଭିନୟ କଥା ଚିନ୍ତାକରି ସେ ଯୁକ୍ତିସହ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିଲେ ନାହିଁ ।

 

ବୃନ୍ଦାବନ ଧାମରୁ ଯାତ୍ରାପଥ ଅମରନାଥ ସ୍ଥିରକରି ହାଜ୍‍ରସ୍ ଷ୍ଟେସନ ନିକଟରେ କ୍ଲାନ୍ତ, ଶାନ୍ତ ଓ ଅବସନ୍ନ ଶରୀରକୁ ବୃକ୍ଷତଳେ ଲମ୍ବାଇ ଦେଇଥିବାବେଳେ, ଷ୍ଟେସନ ମାଷ୍ଟର ଶରତଚନ୍ଦ୍ର ଗୁପ୍ତ ତାଙ୍କୁ ଦେଖି ସଭକ୍ତି ପ୍ରଣାମ କଲେ, ଓ ପାଦଧୂଳି ଗ୍ରହଣକରି ଅତି ବିନୟ ହୋଇ ତାଙ୍କୁ ଗୃହକୁ ନିମନ୍ତ୍ରଣ କଲେ । ସ୍ଵାମୀଜୀ ତାଙ୍କ ଅନୁରୋଧ ରକ୍ଷାକରି ପଛେ ପଛେ ଚାଲିଲେ ।

 

ପ୍ରଥମ ଦର୍ଶନରେ ଶରତବାବୁ ସ୍ଵାମୀଜୀଙ୍କ ପାଦତଳେ ନିଜକୁ ସମର୍ପଣ କଲେ । ଯାଥାରୀତି ଚର୍ଚ୍ଚା କରିବା ପରେ ସ୍ଵାମୀଜୀ ବିଶ୍ରାମ କଲେ । ନିଜକୁ ସୁସ୍ଥ ଅନୁଭବ କଲେ । ଶରତଚନ୍ଦ୍ର ଆତ୍ମଜ୍ଞାନ ପାଇବାକୁ ସ୍ଵାମିଜୀଙ୍କୁ ଅନୁରୋଧ କଲେ । ସ୍ଵାମୀଜୀ ତାଙ୍କ ଜିଜ୍ଞାସୁ ମନ ପାଇଁ କୌଣସି ଉପଦେଶ ନ ଦେଇ ମନକୁ ଗୀତ ଗାଇବାକୁ ଲାଗିଲେ । ଏହାର ଭାବାର୍ଥ ଥିଲା, “ଯଦି ତୁମେ ଜ୍ଞାନଲାଭ କରିବାକୁ ଚାହୁଁଛ, ତୁମେ ତୁମ୍ଭର ସୁନ୍ଦର ମୁଖମଣ୍ଡଳକୁ ଭସ୍ମାଚ୍ଛାଦିତ କର ନଚେତ୍ ମୋ ପାଖରୁ ପ୍ରସ୍ଥାନ କର ।’’ ଏହାଥିଲା ଭରତଚନ୍ଦ୍ର ରାୟ ଗୁଣାକାରୀଙ୍କର ‘ବିଦ୍ୟାସୁନ୍ଦରୀ’ ଉପନ୍ୟାସର ଅଂଶ । କିନ୍ତୁ ଶରତଚନ୍ଦ୍ର ଅତ୍ୟନ୍ତ ଆଜ୍ଞାବହ ଶିଷ୍ୟତୁଲ୍ୟ ମୁଖମଣ୍ଡଳରେ ଚୁଲି ପାଉଁଶକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ସ୍ଵାମୀଜୀଙ୍କ ନିକଟରେ ପହଞ୍ଚିଲେ । ସ୍ଵାମୀଜୀ ବିସ୍ମୟବିମୁଗ୍ଧ ନେତ୍ରରେ ସେହି ଯୁବକଙ୍କୁ ଚାହିଁ ରହିଲେ ।

 

ଅଧିକାଂଶ ସମୟ ସ୍ଵାମୀଜୀ ଚିନ୍ତିତ ରହୁଥିବାର ଦେଖି ଦିନେ ଶରତଚନ୍ଦ୍ର ଏହାର କାରଣ ପଚାରିଲେ । ଦୀର୍ଘଶ୍ଵାସ ପକାଇ ସ୍ଵାମୀଜୀ ଉତ୍ତର ଦେଲେ, “ବତ୍ସ ! ମୋର ଏକ ବିରାଟ କାର୍ଯ୍ୟ ପୂରଣ କରିବାକୁ ଅଛି । ମୋ ଶକ୍ତିର କ୍ଷୁଦ୍ରତ୍ଵ ଦେଖି ମୁଁ ହତୋତ୍ସାହ ହୋଇଯାଉଛି । ମୋତେ ମୋ ଗୁରୁଙ୍କ ନିର୍ଦ୍ଦେଶ, ଏହି କାର୍ଯ୍ୟ କରିବାକୁ ହେବ। ସନାତନ ଧର୍ମର ଲୁପ୍ତ ଗୈାରବର ପୁନରୁଦ୍ଧାର କରିବା ହେଉଛି ତାଙ୍କର ଅଭିପ୍ରେତ କର୍ମ । ହାୟ, ଧର୍ମର କି ଶୋଚନୀୟ ଅଧଃପତନ । ଅନାହାରକ୍ଳିଷ୍ଟ ଭାରତବାସୀଙ୍କର କି ମର୍ମଭେଦୀ ଦୂରବସ୍ଥା ! ଭାରତକୁ ପୁନରାୟ ଧର୍ମର ବୈଦ୍ୟୁତିକ ଶକ୍ତି ସାହାଯ୍ୟରେ ସଞ୍ଜୀବିତ କରିବାକୁ ହେବ । ତାହାର ଆଧ୍ୟାତ୍ମିକତା ଦ୍ଵାରା ସମଗ୍ର ଜଗତକୁ ଜୟ କରିବାକୁ ହେବ । କିନ୍ତୁ ଉପାୟ କ’ଣ ? ଏହା କହିବାବେଳେ ତାଙ୍କର ଚକ୍ଷୁଯୁଗଳ ବ୍ୟଥିତ ହୋଇଉଠିଲା । ଶରତଚନ୍ଦ୍ର ସ୍ତମ୍ଭୀଭୂତ । ସେ ସାହସ ସଞ୍ଚୟ କରି କହିଲେ, “ସ୍ଵାମୀଜୀ; ମୁଁ ନିଜକୁ ଆପଣଙ୍କ ନିକଟରେ ସମର୍ପଣ କରୁଛି । ମୋତେ କ’ଣ କରିବାକୁ ହେବ”?

 

ସ୍ଵାମୀଜୀ ଛିଡ଼ାହୋଇ ଗମ୍ଭୀର ସ୍ଵରରେ କହିଲେ, “ଏହି ମହତ୍ କାର୍ଯ୍ୟରେ ଆତ୍ମ ନିୟୋଗ କରିବା ନିମିତ୍ତ ତୁମେ ଭିକ୍ଷାପାତ୍ର ଓ କମଣ୍ଡଳୁ ଧରି ରାସ୍ତାରେ ଠିଆହେବାକୁ ପ୍ରସ୍ତୁତ କି ? ତୁମେ କ’ଣ ତ୍ୟାଗୀ ଜୀବନର ଦୁଃସହ କଠୋରତା ସହ୍ୟ କରିପାରିବ ?”

 

ଦୃଢ଼ତାର ସହ ଶରତ୍‍ବାବୁ ତତ୍‍କ୍ଷଣାତ୍ ଉତ୍ତର ଦେଲେ, “ଅବଶ୍ୟ ଆପଣଙ୍କର ଦୟା ହେଲେ, ମୁଁ ନିଶ୍ଚୟ ସହ୍ୟ କରିପାରିବି ।”

 

ସ୍ଵାମୀଜୀ ପୁନରାୟ ସେ ସ୍ଥାନ ପରିତ୍ୟାଗ କରି ଯାତ୍ରାପଥରେ ଅଗ୍ରସର ହେବାକୁ ମନ ବଳାନ୍ତେ, ଶରତଚନ୍ଦ୍ର ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିବା ପାଇଁ ଅନୁରୋଧ କଲେ । କିନ୍ତୁ ଶରତଙ୍କର ଏକା ଜିଦ୍‌ । ସ୍ଵାମୀଜୀ କିଛି ସମୟ ଚିନ୍ତାକରି ପଚାରିଲେ, “ସତରେ କ’ଣ ତୁମେ ମୋର ଅନୁଗମନ ଲାଗି ପ୍ରସ୍ତୁତ ହୋଇଅଛ ? ମୋ ଭିକ୍ଷାଝୁଲି ନେଇ ଷ୍ଟେସନର କୁଲିମାନଙ୍କ ଘରୁ ଭିକ୍ଷା ମାଗି ଆସ-।”

 

ପ୍ରଫୁଲ୍ଲ ଚିତ୍ତରେ ଶରତଚନ୍ଦ୍ର କାନ୍ଧରେ ଝୁଲାମୁଣି ପକାଇ ଭିକ୍ଷା କରିବାକୁ ବାହାରିଗଲେ-। ଭିକ୍ଷାଲବ୍‍ଧ ପଦାର୍ଥ ଧରି ଫେରିଆସିବାର ଦେଖି ସ୍ଵାମୀଜୀ ଆନନ୍ଦିତ ହୋଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲେ । ଦୀକ୍ଷା ସମାପନାନ୍ତେ ଶରତଚନ୍ଦ୍ର ହେଲେ ସ୍ଵାମୀ ସଦାନନ୍ଦ-ସ୍ଵାମୀଜୀଙ୍କର ପ୍ରଥମ ସନ୍ନ୍ୟାସୀ ଶିଷ୍ୟ । ଗୁରୁ ଓ ଶିଷ୍ୟ ସେହି ସ୍ତାନ ପରିତ୍ୟାଗ କରି ଋଷିକେଶ ଅଭିମୁଖେ ଯାତ୍ରା କଲେ-

 

ଋଷିକେଶ ଠାରେ ସ୍ଵାମୀ ସଦାନନ୍ଦଙ୍କର ସ୍ଵାସ୍ଥ୍ୟ ଖରାପ ହେବାରୁ ବାଧ୍ୟହୋଇ ସ୍ଵାମୀଜୀ ହାତ୍‍ରାସ୍ ଦେଇ ବରାହ ନଗର ମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ବରାହ ନଗର ଅବସ୍ଥାନ କାଳରେ ବେଦ ଅଧ୍ୟୟନ ପାଇଁ ସେ ପାଣିନିଙ୍କର ଅଷ୍ଟାଧ୍ୟାୟୀ ବ୍ୟାକରଣ ପଢ଼ିବାର ଆବଶ୍ୟକତାକୁ ଉପଲବ୍‍ଧି କଲେ । ସେତେବେଳେ ବଙ୍ଗଳାରେ ଭୋପଦେବଙ୍କର ମୁଗ୍ଧବୋଧ ବ୍ୟାକରଣର ପ୍ରଚଳନ ଥାଏ । କଲିକତା ବିଶ୍ଵ-ବିଦ୍ୟାଳୟରେ ବି.ଏ. (ଅନର୍ସ) ପାଇଁ ସିଦ୍ଧାନ୍ତ କୌମୁଦୀର ଲଘୁ ସଂସ୍କରଣ ଲଘୁ-କୌମୁଦୀ ବ୍ୟବହୃତ ହେଉଥାଏ । ସ୍ଵାମୀଜୀ ଅଷ୍ଟାଧ୍ୟାୟୀ ବ୍ୟାକରଣ ସାହାଯ୍ୟରେ ବୈଦିକ ସାହିତ୍ୟ ଅଧ୍ୟୟନ ପାଇଁ ପ୍ରମଦବାବୁଙ୍କୁ ଚିଠି ଲେଖି ତାର ଏକ କପି ମଗାଇଲେ । ସେତେବେଳକୁ ସେ ବିହାର ଓ ଉତ୍ତର ପଶ୍ଚିମାଞ୍ଚଳରେ ପଦବ୍ରଜରେ ପରିଭ୍ରମଣ କରି ବିଭିନ୍ନପ୍ରକାର ଆଚାରବ୍ୟବହାର, ରୀତିନୀତି ସହିତ ପ୍ରତ୍ୟକ୍ଷ ଭାବରେ ପରିଚିତ ହେବାର ସୁଯୋଗ ପାଇଥିଲେ । ଧର୍ମନାମରେ କୁସଂସ୍କାର, ସଂକୀର୍ଣ୍ଣତାବୋଧ, ବ୍ରାହ୍ମଣ୍ୟବାଦର ପ୍ରାଧାନ୍ୟ ଇତ୍ୟାଦି ଭାରତକୁ କିପରି ସଂକୀର୍ଣ୍ଣ ଆଞ୍ଚଳିକତାରେ ଭର୍ତ୍ତି କରିଦେଇଛି, ତାହା ଗୁରୁଭାଇମାନଙ୍କୁ ବୁଝାଇ ଶ୍ରୀ ରାମକୃଷ୍ଣଙ୍କର ଜୀବନୀ ଓ ଉପଦେଶ ମାଧ୍ୟମରେ ସନାତନ ଧର୍ମର ମୌଳିକ ସତ୍ୟ ଓ ଏକାତ୍ମତାର ବିଶ୍ଵାସକୁ ପ୍ରତିଷ୍ଠାନ କରିବା ପାଇଁ କାର୍ଯ୍ୟ କରିବାକୁ ସେମାନଙ୍କୁ ପ୍ରସ୍ତୁତ କଲେ ।

 

ହିମାଳୟର ବରଫାବୃତ ମନୋରମ ପ୍ରକୃତି ତାଙ୍କୁ ଯିବାପାଇଁ ଆହ୍ଵାନ କରୁଥିଲା । ସେ ମଠ ପରିତ୍ୟାଗ କରି ଏଲାହାବାଦ ଦେଇ ଗାଜୀପୁରରେ ପହଞ୍ଚିଲେ । ବିଖ୍ୟାତ ସାଧୁ ପାଓହାରୀ ବାବାଙ୍କ ଦର୍ଶନ ଓ ତାଙ୍କ ସହିତ ଦର୍ଶନର ନିଗୁଢ଼ବତ୍ତ୍ଵ-ମାନଙ୍କର ଆଲୋଚନାରେ ଉଭୟ ପରସ୍ପର ପ୍ରତି ଆକୃଷ୍ଟ ହେଲେ । ରାୟବାହାଦୂର ଗଗନଚନ୍ଦ୍ର ରାୟଙ୍କ ଗୃହରେ ଅତିଥି ଭାବେ ରହି ସେ ସେଠାରେ ପ୍ରତ୍ୟେକ ରବିବାର ଦିନ ଶାସ୍ତ୍ରାଲୋଚନା କରୁଥିଲେ । ସେ ଉପସ୍ଥିତ ଭକ୍ତମାନଙ୍କୁ ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ପରିବର୍ତ୍ତନ ସଂସ୍କାର ପାଇଁ ଅସୀମ ପ୍ରେମ ଓ ଅନନ୍ତ ଧୈର୍ଯ୍ୟ ସହିତ ଶିକ୍ଷାବିସ୍ତାର ମାଧ୍ୟମରେ ଧୀରେ ଧୀରେ ଜାତିକୁ ଉନ୍ନତ କରିବାକୁ କହିଥିଲେ । ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଦୃଷ୍ଟିରେ ବିଚାର ନକରି ଗଭୀର ଅଧ୍ୟବସାୟ ସହିତ ସନାତନଧର୍ମର ମହତ୍ତ୍ଵ, ହିନ୍ଦୁଜାତିର ଉଦ୍ଦେଶ୍ୟ କ’ଣ ଓ ଏହାର ଜୀବନୀ ଶକ୍ତି କେଉଁଠାରେ, ତାହା ଅନ୍ଵେଷଣ କରିବାକୁ କହି ଭାରତବର୍ଷ ନିଜର ଜାତୀୟ ଜୀବନାଦର୍ଶରୁ ବିଚ୍ୟୁତ ହେବା ଫଳରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସମନ୍ଵୟ ନାହିଁ ଓ ଏହି ସମନ୍ଵୟ ଆଣିବା ଏବଂ ଆଧ୍ୟାତ୍ମିକ ଭିତ୍ତିରେ ହିନ୍ଦୁ ସଭ୍ୟତାର ପ୍ରକୃତ ରୂପକୁ ଦେଖିବା ଉପରେ ସେ ଗୁରୁତ୍ଵ ଦେଇଥିଲେ ।

 

ପାଓହାରୀ ବାବା ଯୋଗମାର୍ଗରେ ସିଦ୍ଧିଲାଭ କରିଥିଲେ ଓ ତାଙ୍କଠାରୁ ଯୋଗଶିକ୍ଷା କରିବାର ଆଗ୍ରହ ସ୍ଵାମୀଜୀଙ୍କର ହୋଇଥିଲା । ସେ ଏହି ବ୍ରହ୍ମଜ୍ଞ ପୁରୁଷଙ୍କଠାରୁ ହଠଯୋଗ ଶିକ୍ଷାକରି ଉଦ୍‌ବେଳିତ ହୃଦୟରେ ଶାନ୍ତିଲାଭ କରିବେ ବୋଲି ଭାବିଲେ ।

 

ଦୀକ୍ଷା ନେବାର ଦିନ ସ୍ଥିରହେଲା । ଗଭୀର ରାତ୍ରିରେ ପାଓହାରୀବାବାଙ୍କ ଗୁହା ନିକଟକୁ ଯିବାକୁ ପ୍ରସ୍ତୁତ ହେବାବେଳେ ଦେଖିଲେ ଶ୍ରୀ ରାମକୃଷ୍ଣଙ୍କ ରୂପ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ । ନିର୍ନିମେଷ ନୟନରେ ଚାହିଁଛନ୍ତି ଯେପରି ଦୁଃଖରେ ଅଭିଭୁତ । ମାଷ୍ଟର ତାଙ୍କୁ କିଛି କହିଲେ ନାହିଁ କିନ୍ତୁ ଲୋତକର ଘନ କୁହୁଡ଼ି ମଧ୍ୟରେ ଶିଷ୍ୟ ଦେଖିବାକୁ ପାଇଲେ ଶକ୍ତି, ଦେବତ୍ଵ, ପ୍ରେମ ଓ ଅନ୍ତର୍ଦୃଷ୍ଟିର ଭାଷା । ଶ୍ରୀ ରାମକୃଷ୍ଣଙ୍କର ଏହି ଅଦ୍ଭୁତ ଦର୍ଶନ ନିଜ ମସ୍ତିଷ୍କର ଦୁର୍ବଳତା ବୋଲି ଭାବି ଆଗାମୀ ରାତ୍ରିରେ ପାଓହାରୀ ବାବାଙ୍କ ନିକଟକୁ ଯିବାକୁ ସ୍ଥିରକଲେ । ପୁନରାୟ ସେହି ପୂର୍ବଦୃଷ୍ଟ ଜ୍ୟୋତିର୍ମୟ ମୂର୍ତ୍ତି । ସେ ଗଭୀର ମର୍ମବେଦନାରେ କହିଲେ, “ହେ ରାମକୃଷ୍ଣ ! ତୁମେ ହିଁ ମୋର ଏକମାତ୍ର ଆରାଧ୍ୟ । ମୁଁ ତୁମର କ୍ରୀତଦାସ । ମୋର ଏହି ଆତ୍ମହରା ଦୁର୍ବଳତାକୁ କ୍ଷମାକର ।”

 

ଏ ସମ୍ପର୍କରେ ପ୍ରମାଦାବାବୁଙ୍କୁ ସ୍ଵାମୀଜୀ ଏକ ଚିଠିରେ ଲେଖିଥିଲେ, “ଶ୍ରୀ ରାମକୃଷ୍ଣଙ୍କ ପରିପୂର୍ଣ୍ଣ ପୂର୍ଣ୍ଣତା, ମଣିଷ ପାଇଁ ଗଭୀର ସମବେଦନା, ଦୟାଭାବରେ ସେ ହିଁ ଅନନ୍ୟ । ମାନବଜାତିର କଲ୍ୟାଣ ପାଇଁ ମନୁଷ୍ୟ ଶରୀର ଧାରଣ କରିଥିଲେ– ଏହାହିଁ ତାଙ୍କ ବିଷୟରେ ମୋର ଦୃଢ଼ ବିଶ୍ଵାସ ।”

 

ସ୍ଵାମୀଜୀ ଗାଜୀପୁରଠାରେ ଥିବାବେଳେ ତାଙ୍କ ମନରେ ଉଠୁଥିବା ଉଦ୍‌ବେଳନ, ବାବାଙ୍କଠାରୁ ଦୀକ୍ଷା ନେବାର ଇଚ୍ଛା, ଶ୍ରୀ ରାମକୃଷ୍ଣଙ୍କର ରୂପଦର୍ଶନ ଓ ଗୁରୁଭାଇମାନଙ୍କର ତାଙ୍କ ପ୍ରତି ପ୍ରେମର ଅକୁଣ୍ଠ ନିଷ୍ଠା ମଧ୍ୟରେ ଋଷିକେଶକୁ ଯିବାକୁ ଇଛାକରି ଯାଇପାରି ନଥିଲେ । ବାରାଣସୀ ଫେରି ପ୍ରମଦାବାବୁଙ୍କ ଘରେ ଭକ୍ତ ବଳରାମ ବୋଷଙ୍କର ଦେହାନ୍ତ ଶୁଣି ସ୍ଵାମୀଜୀ ବିଳାପ କରିବାକୁ ଲାଗିଲେ । ଏହାଦେଖି ପ୍ରମାଦବାବୁ କହିଲେ, “ଏ କ’ଣ ସ୍ଵାମୀଜୀ ! ଆପଣ ଜଣେ ସନ୍ନ୍ୟାସୀ । ଆପଣଙ୍କୁ ଶୋକାର୍ତ୍ତା ହେବା ଶୋଭା ପାଏନି ।”

 

ଏହାର ଉତ୍ତରରେ ସ୍ଵାମୀଜୀ ଗମ୍ଭୀର ହୋଇ କହିଲେ, “ଆପଣ କ’ଣ ଭାବୁଛନ୍ତି ଯେ ସନ୍ନ୍ୟାସୀର ହୃଦୟ ବୋଲି କିଛି ନାହିଁ ? ପ୍ରକୃତ ସନ୍ନ୍ୟାସୀ ପର ପାଇଁ ସାଧାରଣ ମଣିଷଠାରୁ ଅଧିକ ଅନୁଭବ କରେ । ମୁଁ ତ ମଣିଷ ଭିନ୍ନ ଅନ୍ୟ କିଛି ନୁହେଁ । ପଥର ହୃଦୟ ପରି ଅନୁଭୂତିହୀନ ସନ୍ନ୍ୟାସ ଜୀବନ ମୋର ସ୍ଫୃହଣୀୟ ନୁହେଁ ।”

 

ସେ ଫେରି ଆସିଲେ ପୁନର୍ବାର ବରାହ ନଗର ମଠକୁ । କିଛିଦିନ ପରେ ପୁଣି ଆରମ୍ଭ ହେଳା, ପରିଭ୍ରମଣ । ଏଥରକ ଆଦୌ ନ ଫେରିବାକୁ ସ୍ଥିର ନିଶ୍ଚିତ କରି ଗୁରୁଭାଇମାନଙ୍କୁ କହିଥିଲେ, “ଯେ ପର୍ଯ୍ୟନ୍ତ ମୋର ସ୍ପର୍ଶ ମନୁଷ୍ୟକୁ ପରିବର୍ତ୍ତନ କରିବାରେ ସାହାଯ୍ୟ ନ କରିଛି, ସେ ପର୍ଯ୍ୟନ୍ତ ଆଉ ଫେରିବି ନାହିଁ ।” ସେ ଯାତ୍ରା କରିବା ପୂର୍ବରୁ ହାଓଡ଼ା ନିକଟସ୍ଥ ଘୁଷୁଡ଼ାଠାରେ ଅବସ୍ଥାନ କରୁଥିବା ରାମକୃଷ୍ଣ ଭକ୍ତ ଜନନୀ ଶ୍ରୀଶ୍ରୀ ସାରଦା ଦେବୀଙ୍କୁ ସାକ୍ଷାତ୍‍ କରି ପବିତ୍ର କରଣଯୁଗଳ ବନ୍ଦନା କରି କହିଲେ, “ମା ! ଯେ ପର୍ଯନ୍ତ ଶ୍ରୀ ଗୁରୁ ଇପ୍‍ସିତ କାର୍ଯ୍ୟ ସମ୍ପାଦନ ନ କରିଛି, ସେ ପର୍ଯ୍ୟନ୍ତ ଆଉ ଫେରିବି ନାହିଁ । ତୁମେ ଆଶୀର୍ବାଦ କର ଯେପରି ସଂକଳ୍ପରେ ସିଦ୍ଧିଲାଭ ହୁଏ ।” ମା’ଙ୍କର କଲ୍ୟାଣହସ୍ତ ତାଙ୍କର ମସ୍ତକ ସ୍ପର୍ଶ କଲା ।

 

ସ୍ଵାମୀଜୀ ସଦାସର୍ବାଦା ପାର୍ଥିବ ବସ୍ତୁର ଉର୍ଦ୍ଧ୍ୱରେ ଥିବା ଜ୍ଞାନ ପାଇବାକୁ ଅନୁସନ୍ଧିତ୍ସୁ, ଥିଲେ ଏବଂ ବର୍ଷ ବର୍ଷଧରି କୃଚ୍ଛ୍ର ସାଧନା କରିବା ଦ୍ଵାରା ସେ ସେହି ଉଚ୍ଚସ୍ଥାନରେ ପହଞ୍ଚି ପାରିଥିଲେ-। ତାଙ୍କ ଜନ୍ମର ଉଦ୍ଦେଶ୍ୟ ସମ୍ପର୍କରେ ତାଙ୍କ ନିକଟରେ ଏକ ସ୍ଥୂଳ ଧାରଣା ରହିଥିଲେ ହେଁ, ତାଙ୍କ ପରିଭ୍ରମଣ କାଳରେ ଏହି ମାଟିର ସ୍ପର୍ଶ ଫଳରେ ତାହା କ୍ରମଶଃ ଉନ୍ମୋଚିତ ହେଲା ଏବଂ ଯତ୍ରଣାଦଗ୍‍ଧ ଏହି ମନୁଷ୍ୟମାନଙ୍କ ମଧ୍ୟରେ ସେ ସମଗ୍ର ବିଶ୍ଵସତ୍ତା ସହିତ ବ୍ୟକ୍ତିସତ୍ତାର ପରିପ୍ରକାଶ ସହିତ ପରିଚିତ ହେଲେ । ସେ ଉପଲବ୍‍ଧି କଲେ ସାମାନ୍ୟତମ କୀଟପତଙ୍ଗଠାରୁ ଅଣୁ ପରମାଣୁ ପର୍ଯ୍ୟନ୍ତ ସବୁକିଛି ସେହି ବ୍ରହ୍ମର ପରିପ୍ରକାଶ ।

 

କଲିକତାରୁ ବାହାରି ସ୍ଵାମୀଜୀ ଓ ଅଖଣ୍ଡାନନ୍ଦ (ଗଙ୍ଗାଧର) ଭାଗଲପୁର ଦେଇ ଦେଓଘରଠାରେ ‘ଭାରତୀୟ ଜାତୀୟତାର ପିତାମହ’ ଶ୍ରୀ ରାଜନାରାୟଣ ବୋଷଙ୍କ ସହିତ ସାକ୍ଷାତ୍‍ ଓ ଆଲୋଚନା କରିଥିଲେ । ରାଜନାରାୟଣବାବୁ ତତ୍‍କାଳୀନ ୟଙ୍ଗ୍ ବେଙ୍ଗଲର ବିପ୍ଳବୀ ଓ ପ୍ରାଚୀନ ଭାରତୀୟ ଆଦର୍ଶ ଓ ସଂସ୍କୃତିର ବିଚାରବନ୍ତ ପୁରୁଷ ଥିଲେ । ତାଙ୍କ ସହିତ ବିଚାର ଓ ଆଲୋଚନା ଦ୍ଵାରା ସେ ବେଶ୍‌ ପ୍ରଭାବିତ ହୋଇଥିଲେ ।

 

ବୈଦ୍ୟନାଥ ଧାମଠାରୁ ଉଭୟ ସନ୍ନ୍ୟାସୀ ଗାଜୀପୁର ଦେଇ ବାରାଣସୀ ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିଲେ । ସେଠାରୁ ନୈନିତାଲ ବାଟଦେଇ ଅଲମୋଡ଼ା ଯିବା ରାସ୍ତାରେ ଏକ ବିରାଟ ଅଶ୍ଵତ୍‌ଥ ବୃକ୍ଷ ତଳେ ସ୍ଵାମୀଜୀ ଧ୍ୟାନସ୍ଥ ହେଲେ । ପ୍ରାୟ ଘଣ୍ଟାକ ପରେ ସେ ଧ୍ୟାନରୁ ଉଠି ସେ ଗଙ୍ଗାଧରକୁ କହିଲେ, ଏହି ବୃକ୍ଷତଳେ ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ସମାଧାନ ହେଲା । ତାଙ୍କର ଅନୁଭୂତିକୁ ବର୍ଣ୍ଣନା କରିବାକୁ ଯାଇ ସେ କହିଲେ, “ସମଗ୍ର ବିଶ୍ଵଜଗତ୍ ମନୁଷ୍ୟ ସମାଜର କ୍ଷୁଦ୍ର ପ୍ରତିରୂପ ସହିତ ସମାନ ।” ତାଙ୍କର ଏହି ଚିନ୍ତାଧାରା ସେ ‘ଥାଉଜେଣ୍ଡ୍‍ ଆଇଲାଣ୍ଡ୍ ପାର୍କ’ରେ ଦେଇଥିବା ଭାଷଣରେ ପରିପ୍ରକାଶ ଲଭିଥିଲା । ସେ ସେହି ସହସ୍ର ଦୀପୋଦ୍ଵାନରେ କହିଥିଲେ, “ପ୍ରଥମରେ କେତେକ ଶବ୍ଦ ମାତ୍ର ଥିଲା; ସେହି ଶବ୍ଦ ବ୍ରହ୍ମ ସହିତ ବିଦ୍ୟମାନ ଥିଲା ଏବଂ ସେହି ଶବ୍ଦ ହିଁ ବ୍ରହ୍ମ । ଯେତେବେଳେ ସେହି ନିରପେକ୍ଷ ବ୍ରହ୍ମସତ୍ତାକୁ ଆମେ ବିଶ୍ଵଜଗତରେ ପ୍ରତିଫଳିତ ହେବା ଦେଖୁ, ସେତେବେଳେ ଆମେ ତାହାକୁ ପ୍ରକୃତି ବୋଲି କହିଥାଉ ।”

 

ଅଲମୋଡ଼ାଠାରେ ପହଞ୍ଚିବା ମାତ୍ରେ ସ୍ଵାମୀଜୀ ଭୋକରେ ଆଉଟୁପାଉଟୁ ହୋଇଗଲେ-। ଅଖଣ୍ଡାନନ୍ଦ ବହୁ ଅନୁସନ୍ଧାନ ପରେ ଏକ ପୂର୍ଣ୍ଣକୁଟୀରରେ ଥିବା ଜଣେ ମୁସଲମାନ୍‍ଫକୀରଙ୍କଠାରୁ କାକୁଡ଼ିଟିଏ ମାଗିକରି ଆଣିଲେ । ଏହା ସ୍ଵାମୀଜୀଙ୍କ ପାଇଁ ଦେବପ୍ରଦତ୍ତ ଥିଲା । ବହୁବର୍ଷ ପରେ ଅଲମୋଡ଼ା ସମ୍ବର୍ଦ୍ଧନା ସଭାରେ ହଲ୍ ଘରର ଏକ କୋଣରେ ଉପବିଷ୍ଟ ଏହି ଫକୀରଙ୍କୁ ଦେଖି ସ୍ଵାମୀଜୀ ବିହ୍ଵଳ ହୋଇ କୁଣ୍ଢାଇ ପକାଇଲେ ଏବଂ ସେ କିପରି ତାଙ୍କର ଜୀବନରକ୍ଷା କରିଥିଲେ ତାହା ବର୍ଣ୍ଣନା କଲେ।

 

ହିମାଳୟର ବୈରାଗ୍ୟୋଦ୍ଦୀପକ ମନୋହର, ଗମ୍ଭୀର ଛବିରେ ମୁଗ୍ଧ ହୋଇ ସ୍ଵାମୀଜୀ ପ୍ରତ୍ୟେକ ଦିନ ଗଭୀର ଧ୍ୟାନରେ ମଗ୍ନ ହେଉଥିଲେ । ସେମାନେ ବଦ୍ରୀନାଥ ଅଭିମୁଖେ ଯାତ୍ରା କଲେ । ଭାରତରେ ଥିବା ଚାରିଗୋଟି ଧାମରୁ ବଦ୍ରୀନାଥ ଅନ୍ୟତମ । ହିମାଳୟ ପର୍ବତମାଳାର ୨୩୩୨୦ ଫୁଟ ଉଚ୍ଚତାରେ ଏହା ଅବସ୍ଥିତ । ବଦ୍ରୀନାରାୟଣ ଯିବା ରାସ୍ତାରେ ଗୁରୁଭ୍ରାତ ଅଖଣ୍ଡାନନ୍ଦ ପୀଡ଼ିତ ହୋଇପଡ଼ିବାରୁ ତାଙ୍କୁ ବାଧ୍ୟ ହୋଇ ଡେରାଡୁନ୍‍କୁ ଫେରିବାକୁ ହୋଇଥିଲା । ଅଖଣ୍ଡାନନ୍ଦ ସୁସ୍ଥ ହେବା ପରେ ସେ ଋଷିକେଶକୁ ଫେରିଆସି ଶାସ୍ତ୍ରଚର୍ଚ୍ଚା, ଜପ ଓ ଧ୍ୟାନରେ ସମୟ କଟାଇଲେ । ଏହି ଦିନଗୁଡ଼ିକର ଆନନ୍ଦମୟ ସ୍ମୃତିକୁ ମନେପକାଇ ସେ ତାଙ୍କ ପରିବ୍ରାଜକ ନାମକ ପୁସ୍ତକରେ ଉଲ୍ଲେଖ କରିଥିଲେ–

 

“ଋଷିକେଶର ଗଙ୍ଗା ମନେଅଛି ? ସେହି ନିର୍ମଳ, ନୀଳାଭ ଜଳ – ଯାହା ମଧ୍ୟରେ ଦଶହାତ ଗଭୀରରେ ମାଛର ଡେଣା ଗଣାଯାଏ, ସେହି ଅପୂର୍ବ ସୁସ୍ଵାଦୁ ‘ହିମଶୀତଳ ଗଙ୍ଗାବାରି ମନୋହାରୀ’ ଆଉ ସେହି ଅଦ୍ଭୁତ ‘ହର୍‌ ହର୍‌ ହର୍‌’ ତରୋଙ୍ଗତ୍‌ଥିତ ଧ୍ଵନି, ସାମାନାରେ ଗିରି ନର୍ଝରର ‘ହର୍‌ହର୍‌’ ପ୍ରତିଧ୍ଵନି, ସେ ବିପିନରେ ବାସ, ମାଧୁକରୀ ଭିକ୍ଷା, ଗଙ୍ଗା ଗର୍ଭରେ କ୍ଷୁଦ୍ର ଦ୍ଵୀପାକାର ଶିଳାଖଣ୍ଡ ଉପରେ ଭୋଜନ, କରପୁଟରେ ଅଞ୍ଜଳି ଅଞ୍ଜଳି ସେହି ଜଳପାନ, ଚାରିଆଡ଼େ କଣ ପ୍ରତ୍ୟାଶୀ ମତ୍ସ୍ୟକୁଳର ନିର୍ଭୟ ବିଚରଣ ? ସେ ଗଙ୍ଗାଜଳ ପ୍ରୀତି, ଗଙ୍ଗାର ମହିମା, ସେ ଗଙ୍ଗାବାରିର ବୈରାଗ୍ୟପ୍ରଦ ସ୍ପର୍ଶ, ସେ ହିମାଳୟ-ବାହିନୀ ଗଙ୍ଗା, ଶ୍ରୀନଗର, ଟିହରି, ଉତ୍ତରକାଶୀ, ଗଙ୍ଗୋତ୍ରୀ…. ହିନ୍ଦୁର ମା’ ସାଙ୍ଗରେ ଏ କି ସମ୍ବନ୍ଧ ! ଗଙ୍ଗା ଗଙ୍ଗା କରି ଜନ୍ମ କଟାଏ ….ମୁଁ ସେଥିରୁ ବିଦେଶ ଭ୍ରମଣବେଳେ ନେଇଯାଇଥିଲି । ସୁବିଧା ପାଇଲେ ବିନ୍ଦୁଏ ଅଧବିନ୍ଦୁଏ ପାନ କରୁଥିଲି । ପାନ କରିବା ମାତ୍ରେ ସେହି ପାଶ୍ଚାତ୍ୟ ଜଳସ୍ରୋତ ମଧ୍ୟରେ, ସଭ୍ୟତାର କଲ୍ଲୋଳ ମଧ୍ୟରେ, ସେ କୋଟିକୋଟି ମାନବର ଉନ୍ମତପ୍ରାୟ ଦ୍ରୁତ ପଦସଞ୍ଚାର ମଧ୍ୟରେ ମନ ଯେପରି ସ୍ଥିର ହୋଇଯାଉଥିଲା-। ସେ ଜନସ୍ରୋତ, ସେ ରଜୋଗୁଣର ଆସ୍ଫାଳନ, ପଦେ ପଦେ ସେହି ପ୍ରତିଦ୍ଵନ୍ଦ୍ୱୀ ସଂଘର୍ଷ, ସେ ବିଳାସ କ୍ଷେତ୍ର, ଅମରାବତୀ ସମ ପ୍ୟାରିସ, ଲଣ୍ଡନ, ନିଉୟର୍କ, ବର୍ଲିନ୍‌, ରୋମ ସବୁ ଲୋପ ହୋଇଯାଉଥିଲା; ଆଉ ଶୁଣୁଥିଲି ସେହି ‘ହର ହର ହର’ ଦେଖୁଥିଲି– ସେହି ହିମାଳୟ କ୍ରୋଡ଼ସ୍ଥ ବିଜନବିପିନ ଆଉ କଲ୍ଲୋଳିନୀ ପୁର ତରଙ୍ଗିଣୀ ଯେପରି ହୃଦୟରେ ମସ୍ତକରେ ଶିରାରେ-ଶିରାରେ ସଞ୍ଚାର କରୁଛନ୍ତି, ଆଉ ଗର୍ଜି ଗର୍ଜି ଡାକୁଛନ୍ତି ‘ହର୍‌ ହର୍‌ ହର୍‌’ ।

 

ଦୀର୍ଘପଥ ଭ୍ରମଣଜନିତ କ୍ଳାନ୍ତ ଓ ଉଗ୍ରତପସ୍ୟା ତାଙ୍କର ଶରୀର ସହ୍ୟ କରି ପାରିଲା ନାହିଁ । ସେ ପ୍ରବଳ ଜ୍ଵର ଓ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ହେଲେ । କୌଣସି ଔଷଧ କାର୍ଯ୍ୟ କଲା ନାହିଁ । ନାଡ଼ିର ଗତି କ୍ରମଶଃ କ୍ଷୀଣ ହେବାକୁ ଲାଗିଲା । ସ୍ଵାମୀଜୀଙ୍କର ଏତାଦୃଶ ଅବସ୍ଥାରେ ବିଚଳିତ ଗୁରୁଭ୍ରାତା ଈଶ୍ଵରଙ୍କୁ ତାଙ୍କର ଜୀବନରକ୍ଷା ପାଇଁ ପ୍ରାର୍ଥନା କଲେ । ଏହି ସମୟରେ ଜଣେ ଅଜ୍ଞାତନାମା ସନ୍ନ୍ୟାସୀ ସେଠାରେ ଉପସ୍ଥିତ ହୋଇ କିଛି ଚୂର୍ଣ୍ଣ ମହୁ ବା ପାଉଁଶରେ ଗୋଳାଇ ଖାଇବାକୁ ଦେଲେ । ଆସ୍ତେ ଆସ୍ତେ ସ୍ଵାମୀଜୀ ଭଲ ହେବାକୁ ଲାଗିଲେ ।

 

ହିମାଳୟ ପର୍ବତମାଳାର ମନୋରମ ଦୃଶ୍ୟ ପରିତ୍ୟାଗ କରି ମିରଟ୍‌ଠାରେ ପହଞ୍ଚିଲେ । ସ୍ଵାମୀଜୀ ମିରଟ୍‌ଠାରେ ଅବସ୍ଥାନ କରୁଥିବା ଜାଣି ସ୍ଵାମୀ ବ୍ରହ୍ମାନନ୍ଦ, ଅଖଣ୍ଡାନନ୍ଦ, ତୁରୀୟାନନ୍ଦ, ସାରଦାନନ୍ଦ, କୃପାନନ୍ଦ ଓ ଅଦ୍ଵୈତାନନ୍ଦ ତାଙ୍କ ପାଖରେ ପହଞ୍ଚିଲେ । ଗୋଟିଏ ସ୍ଥାନରେ ଶ୍ରୀ ରାମକୃଷ୍ଣଙ୍କର ସାତଜଣ ଶିଷ୍ୟ ଏକକାଳୀନ ଉପସ୍ଥିତ । କୀର୍ତ୍ତନ, ଭଜନ, ଜପ, ଧ୍ୟାନ, ବେଦାନ୍ତ ଚର୍ଚ୍ଚା ଇତ୍ୟାଦି ଅବିରତ ଚାଲିଲା । ସ୍ଵାମୀଜୀ ଗୁରୁଭାଇମାନଙ୍କ ଗହଣରେ ମୃଚ୍ଛକଟିକ, ଅଭିଜ୍ଞାନ-ଶାକୁନ୍ତଳମ୍‌, କୁମାରସମ୍ଭବ ଓ ମେଘଦୂତ ଇତ୍ୟାଦି କାବ୍ୟ ସମ୍ଭାର ପଢ଼ିବାକୁ ଲାଗିଲେ ।

 

ମିରିଟ୍‌ଠାରେ ସ୍ଵାମିଜୀଙ୍କ ନିମିତ୍ତ ଗୁରୁଭାଇ ପ୍ରତିଦିନ ମୋଟା ମୋଟା ବହି ନେଇ ଆସୁଥିଲେ ଏବଂ ତା’ପରଦିନ ଫେରାଇ ନୂଆବହି ଆଣୁଥିଲେ । ଲାଇବ୍ରେରିଆନ୍‌ ଏହା ଦେଖି ଭାବିଲେ ସ୍ଵାମୀଜୀ ବହି ପଢ଼ିବାର ଛଳନା କରୁଛନ୍ତି । ଏକଥା ସେ ସ୍ଵାମୀଜୀଙ୍କର ଗୁରୁଭାଇଙ୍କୁ ଇଙ୍ଗିତରେ ପ୍ରକାଶ କଲେ । ଦିନେ ସ୍ଵାମୀଜୀ ସେହି ଲାଇବ୍ରେରିୟାନ୍ ସମ୍ମୁଖରେ ଉପସ୍ଥିତ ହୋଇ କହିଲେ, “ମୁଁ ସେ ବହିଗୁଡ଼ିକୁ ଭଲଭାବେ ପଢ଼ିଛି । ଆପଣଙ୍କ ସନ୍ଦେହମୋଚନ ନିମିତ୍ତ ଯେ କୌଣସି ପ୍ରଶ୍ନ ପଚାରିପାରନ୍ତି” । ଲାଇବ୍ରେରିୟାନ୍‌ ତାଙ୍କୁ ପ୍ରଶ୍ନ କଲେ ଏବଂ ତାଙ୍କର ଉତ୍ତର ଶୁଣି ସ୍ତବ୍ଧ ଓ ବିସ୍ମିତ ହୋଇ ଭାବିଲେ, ‘ଏହା କ’ଣ ସମ୍ଭବ ?’

 

ସ୍ନେହବନ୍ଧନରୁ ମୁକ୍ତ ହୋଇ ଏକାକୀ ବୁଲିବାକୁ ଆଗ୍ରହ ପ୍ରକାଶ କଲେ ସ୍ଵାମୀଜୀ । ଗୁରୁଭାଇମାନଙ୍କଠାରୁ ବିଦାୟ ନେଇ ମିରଟ୍‌ ତ୍ୟାଗ କରି ରାଜପୁତନାର ପ୍ରବେଶଦ୍ଵାର ଆଲଓ୍ଵାରଠାରେ ଅବତରଣ କଲେ । ସେ ସେଠାରେ ମୌଲବୀ ସାହେବଙ୍କର ଆତିଥ୍ୟ ସ୍ଵୀକାର କରିଥିଲେ । ସେଠାରେ ଥିବା ସମୟରେ ଜଣେ ଗରିବ ବୃଦ୍ଧ ମହିଳା ତାଙ୍କୁ ନିଜ ପୁତ୍ର ଭାବେ ରୁଟି ଆଣି ଖାଇବାକୁ ଦେଲେ । ଅନ୍ୟ ଜଣେ ବୈଷ୍ଣବ ସନ୍ନ୍ୟାସୀ ରାମସ୍ନେହୀ ଭିକ୍ଷାଲବ୍‌ଧ ଅଟାରେ ରୁଟି କରି ସ୍ଵାମୀଜୀଙ୍କୁ ପରଶୁଥିଲେ । ସେଠାରେ ନାନା ପ୍ରକାର ଶାସ୍ତ୍ର ଆଲୋଚନା ସମୟରେ ଜଣେ ପ୍ରଶ୍ନ କଲେ, ବାବାଜୀ ! ଆପଣ ଗେରୁଆ ଲୁଗା ପିନ୍ଧୁଛନ୍ତି କାହିଁକି ? ”

 

“ଗେରୁଆବସ୍ତ୍ର ଭିକ୍ଷୁକର ବସନ । ଯଦି ମୁଁ ସାଧାରଣ ଲୋକଙ୍କପରି ବସ୍ତ୍ରାଦି ପରିଧାନ କରି ବୁଲେ, ତାହାହେଲେ ଦରିଦ୍ର ଭିକ୍ଷୁକଗଣ ମୋତେ ଧନଶାଳୀ ଭାବି ଭିକ୍ଷା ମାଗିବେ । ମୁଁ ନିଜେ ଜଣେ ଭିକ୍ଷୁକ । ମୋ ହାତରେ ଗୋଟିଏ ବୋଲି ପଇସା ନାହିଁ । କାହାକୁ ନିରାଶ କଲେ ମୋତେ କଷ୍ଟହୁଏ । କିନ୍ତୁ ମୋର ଗୈରିକ ବସନ ଦେଖି ସେମାନେ ନିଜ ପରି ମୋତେ ଭିକ୍ଷୁକ ମନେ କରି ଭିକ୍ଷା ମାଗିବେ ନାହିଁ ।”

 

ସ୍ଵାମୀଜୀଙ୍କର ବିଦବତ୍ତା ଓ ଗୁଣ ଶ୍ରବଣ କରି ସେହି ରାଜ୍ୟରେ ଦେଓ୍ଵାନ୍‍ ତାଙ୍କୁ ନିମନ୍ତ୍ରଣ କଲେ । ସେ ସ୍ଵାମୀଜୀ ମାଧ୍ୟମରେ ଅଲଓ୍ଵାର ରାଜାଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ମହାରାଜ ମଙ୍ଗଳସିଂହଙ୍କ ସହିତ ଦେଓ୍ଵାନଙ୍କ ବଙ୍ଗଳାରେ ସାକ୍ଷାତ୍‍ ହେଲା । ମହାରାଜ ସ୍ଵାମୀଜୀଙ୍କର କୁଶଳ ଜିଜ୍ଞାସା କରି ପଚାରିଲେ । “ସ୍ଵାମିଜୀ ମହାରାଜା ! ଆପଣ ଜଣେ ବିଦ୍ଵାନ ଓ ମହାପଣ୍ଡିତ । ଉତ୍ତମ ରୋଜଗାର ପନ୍ଥା ଗ୍ରହଣ ନକରି ଏପରି ଭିକ୍ଷାବୃତ୍ତି ଅବଲମ୍ବନ କରୁଛନ୍ତି କାହିଁକି ?” ଉତ୍ତରରେ ସ୍ଵାମୀଜୀ କହିଲେ “ମହାରାଜ ! ଆପଣ ରାଜକାର୍ଯ୍ୟ ଅବହେଳା କରି ସବୁବେଳେ ସାହେବମାନଙ୍କ ସହିତ ଶିକାର କରି ବୁଲୁଛନ୍ତି କାହିଁକି ?” ସଭାସଦ୍‌ମାନେ ସ୍ଵାମୀଜୀଙ୍କ ଉତ୍ତରରେ ଭୟ ପାଇଗଲେ-। ‘ମୋତେ ଏହା ଭଲଲାଗେ’ । ଏ ଉତ୍ତର ଦେଲେ ମହାରାଜ । ସ୍ଵାମୀଜୀ ତତ୍‌କ୍ଷଣାତ୍‌ ମହାରାଜଙ୍କୁ କହିଲେ, “ସେଇଥିପାଇଁ ମୁଁ ଜଣେ ଫକୀର ଭାବରେ ବୁଲୁଛି । ମୋତେ ଭଲ ଲାଗେ-।”

 

ମହାରାଜ ଅନୁଭବ କଲେ ସ୍ଵାମୀଜୀ କେବଳ ପଣ୍ଡିତ ନୁହଁନ୍ତି– ନିର୍ଭୀକ ଓ ସ୍ପଷ୍ଟବାଦୀ ମଧ୍ୟ । ସେ କୌତୁହଳ ସହିତ ପଚାରିଲେ, “ଦେଖନ୍ତୁ ବାବାଜୀ ମହାରାଜ; ମୋର ପିତୁଳା ପୂଜାରେ ଆଦୌ ବିଶ୍ଵାସ ନାହିଁ । ଏଥିପାଇଁ କ’ଣ ମୋତେ ଦୁଃଖ ଭୋଗ କରିବାକୁ ପଡ଼ିବ ?” – ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବିଶ୍ଵାସ ଅନୁଯାୟୀ ନିଜ ଧର୍ମର ଆଦର୍ଶକୁ ମାନିବ । ସଭାସଦ୍‌ମାନେ ସ୍ଵାମୀଜୀଙ୍କ ଉତ୍ତରରେ ଭୟ ପାଇଲେ । ମହାରାଜଙ୍କର ଏକ ତୈଳଚିତ୍ର କାନ୍ଥରେ ଶୋଭା ପାଉଥିଲା । ସ୍ଵାମିଜୀ ତାହାକୁ ତଳକୁ ଆଣିବାକୁ କହିଲେ । ସମସ୍ତଙ୍କ ସମ୍ମୁଖରେ ସେହି ଫଟୋଚିତ୍ରକୁ ଧରି, ଦେବାନ୍‌ଙ୍କୁ ସେହି ଚିତ୍ର ଉପରେ ଛେପ ପକାଇବାକୁ କହିଲେ । ଭୟରେ ବିବ୍ରତ ଦେବାନ୍‌ ଓ ସଭାସଦ୍‌ ସ୍ଵାମୀଜୀଙ୍କ କଥାରେ ଆଶ୍ଚର୍ଯ୍ୟ । କେହି ତାଙ୍କ ନିର୍ଦ୍ଦେଶ ପାଳନ ନ କରିବାରୁ ସ୍ଵାମୀଜୀ ମହାରାଜାଙ୍କୁ ଲକ୍ଷ୍ୟକରି କହିଲେ, “ମହାଭାଗ ! ଦେଖନ୍ତୁ ଏହା ଗୋଟିଏ ଛବି ମାତ୍ର । କିନ୍ତୁ ତା’ ଭିତରେ ସେମାନେ ଆପଣଙ୍କୁ ଦେଖୁଛନ୍ତି । ବ୍ୟକ୍ତି ପ୍ରତି ଯେଉଁ ସମ୍ମାନବୋଧ ସେହି ଭାବନା ଏହି ଛବିକୁ ଦେଖି ହେଉଛି । ଠିକ୍‌ ସେହିପରି ପିତୁଳା । ମଣିଷ ପିତ୍ତଳ ବା ପଥର ପୂଜା କରୁନାହିଁ, ସେମାନେ ସେହି ମୂର୍ତ୍ତିକୁ ପୂଜା କରିବା ଦ୍ଵାରା ତାଙ୍କ ମନକୁ ଇଷ୍ଟଚିନ୍ତା ପ୍ରବେଶ କରୁଅଛି । ପ୍ରତ୍ୟେକ ମଣିଷ ସେହି ଏକ ଈଶ୍ଵରଙ୍କୁ ନିଜ ନିଜ ବିଚାର ଓ ବୁଝାମଣା ଯୋଗୁ ପୂଜା କରୁଛି ।”

 

ମହାରାଜ କୃତଜ୍ଞ ଦୃଷ୍ଟିରେ ହାତଯୋଡ଼ି ଏକ ନୂତନ ଅଭିଜ୍ଞତା ଲାଭକଲେ ବୋଲି କହିଲେ । ତାଙ୍କର ଜ୍ଞାନଚକ୍ଷୁ ଉନ୍ମୀଳିତ ହେଲା । ଦେଓ୍ଵାନଙ୍କ ଅନୁରୋଧରେ ସ୍ଵାମୀଜୀ କିଛିଦିନ ଆଲଓ୍ଵାରଠାରେ ରହିଥିଲେ । ସେଠାରେ କେତେକ ବିଶ୍ଵାସୀ ଓ ପବିତ୍ରହୃଦୟ ଯୁବକ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ସ୍ଵାମୀଜୀ ଜୟପୁରରେ ପହଞ୍ଚି ଜନୈକ ବ୍ୟାକରଣବିଦ୍‌ଙ୍କଠାରୁ ପାଣିନି ଅଷ୍ଟାଧ୍ୟାୟୀ ଶିକ୍ଷା କଲେ । ସ୍ଵାମୀ ଅଖଣ୍ଡାନନ୍ଦ ତାଙ୍କୁ ଖୋଜି ଖୋଜି ସେଠାରେ ପହଞ୍ଚିବାରୁ ତାଙ୍କୁ ତତ୍‌କ୍ଷଣାତ୍‌ ସେ ସ୍ଥାନ ପରିତ୍ୟାଗ କରି ଯିବାକୁ କହିଲେ ।

 

ଆଜମୀର, ପୁଷ୍କରତୀର୍ଥରେ ଭ୍ରମଣ କରି ମାଉଣ୍ଟ୍‍ଆବୁଠାରେ କିଛିଦିନ କଟାଇବାକୁ ସ୍ଥିରକଲେ । ସେଠାରେ ଖେତ୍ଡ଼ି ମହାରାଜଙ୍କର ମୁନ୍‌ସୀ ଜଗମୋହନ ଲାଲଙ୍କ ସହିତ ସାକ୍ଷାତ୍‍ ହେଲା । ଖେତ୍ଡ଼ି ମହାରାଜ ତାଙ୍କର ପାରିଷଦମାନଙ୍କ ସହିତ ସେଠାରେ ଗ୍ରୀଷ୍ମକାଳ କଟାଇବାକୁ ଆସିଥିଲେ । ମୁନ୍‍ସୀ ସ୍ଵାମୀଜୀଙ୍କୁ ରାଜଭବନକୁ ନେଇଗଲେ । ରାଜା ନିଜେ ସ୍ଵାଗତ ସମ୍ଭାଷଣ କରି ତାଙ୍କୁ ଆସନ ପ୍ରଦାନ କଲେ ଏବଂ ସ୍ଵଂୟ ଦଣ୍ଡାୟମାନ ହୋଇ ପ୍ରଶ୍ନ କଲେ “ସ୍ଵାମୀଜୀ ! ଜୀବନଟା କ’ଣ ?”

 

ଏହାର ଉତ୍ତରରେ ସ୍ଵାମୀଜୀ କହିଥିଲେ, “ନିଜ ସ୍ଵରୂପକୁ ବ୍ୟକ୍ତ କରିବା ପାଇଁ ଅନବରତ ଚେଷ୍ଟା କରୁଥିବା ଅନ୍ତନିର୍ହିତ ଶକ୍ତି ବହିଃପ୍ରକୃତି ଦ୍ଵାରା କବଳିତ – ଏହି କବଳରୁ ମୁକ୍ତି ପାଇବାର ଚେଷ୍ଟା ହେଉଛି ଜୀବନ । ”

 

ମହାରାଜ ଅଜିତ ସିଂହ ଓ ଦେବାନ୍‌ ମୁନ୍‌ସି ଜଗମୋହନଲାଲ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଅଜିତ୍‌ ସିଂହ ଓ ସ୍ଵାମୀଜୀଙ୍କ ମଧ୍ୟରେ ନିବିଡ଼ ପ୍ରେମ ଓ ସ୍ନେହ ବନ୍ଧନ ହୋଇଥିଲା ।ମହାରାଜ ସ୍ଵାମୀଜୀଙ୍କୁ ଏକ ପୁତ୍ର ସନ୍ତାନ ପାଇବାକୁ ପ୍ରାର୍ଥନା କରିଥିଲେ । ସେହି ପ୍ରାର୍ଥନାକୁ ଆଶୀର୍ବାଦ ପ୍ରଦାନ କରି ସ୍ଵାମୀଜୀ ଆଜମିର ଦେଇ ଅହମଦାବାଦରେ ପହଞ୍ଚିଥିଲେ ।

 

ଆବୁପାହାଡ଼ରେ ଥିବାବେଳେ ସ୍ଵାମୀଜୀ ଜଣେ ମୁସଲମାନ୍‍ଙ୍କ ଘରେ ରହିଥିବାର ଦେଖି ମୁନ୍‍ସୀ ଜଗମୋହନ ଲାଲ ତାଙ୍କୁ ପଚାରିଥିଲେ, “ଆପଣ ତ ହିନ୍ଦୁ ସାଧୁ; ଆପଣ ମୁସଲମାନ୍‍ ଘରେ କିପରି ରହୁଛନ୍ତି ?” ରାଗିଉଠି ସ୍ଵାମୀଜୀ କହିଲେ “ଏ କ’ଣ ଆପଣ କହୁଛନ୍ତି ? ମୁଁ ଜଣେ ସନ୍ନ୍ୟାସୀ । ମୁଁ ଆପଣଙ୍କର ସମସ୍ତ ସାମାଜିକ ବିଧି ନିଷେଧର ଉର୍ଦ୍ଧ୍ଵରେ । ମୁଁ ମେହନ୍ତର ସାଙ୍ଗରେ ଖାଇପାରେ । କାରଣ ଏହା ଶାସ୍ତ୍ର, ଭଗବାନଙ୍କ ଦ୍ଵାରା ଅନୁମୋଦିତ । କିନ୍ତୁ ଆପଣମାନଙ୍କର ଆପଣମାନଙ୍କ ସମାଜ ଲାଗି ଭୟ ଅଛି । ଆପଣମାନେ ଭଗବାନ ବା ଶାସ୍ତ୍ରର ଧାର ଧାରନ୍ତି ନାହିଁ-। ବିଶ୍ଵପ୍ରପଞ୍ଚର ସର୍ବତ୍ର ବ୍ରହ୍ମ ପ୍ରକାଶିତ । ମୋ ଦୃଷ୍ଟିରେ ଉଚ୍ଚନୀଚ ନାହିଁ । ଶିବ, ଶିବ ।” ଏହା ଶୁଣି ଜଗମୋହନ ଲାଲ ବିସୃୟ ବିମୁଗ୍‌ଧ।

 

ଦିନେ ସନ୍ଧ୍ୟାରେ ରାଜଦରବାରରେ ସଙ୍ଗୀତର ଆୟୋଜନ ହେଲା । ବାଈଜୀ ଗୀତ ଗାଇବେ । ସ୍ଵାମୀଜୀ ରାଜାଙ୍କର ଅତିଥି । ସ୍ଵାମୀଜୀ ଆସିଲେ ନାହିଁ । କହି ପଠାଇଲେ, “ସନ୍ନ୍ୟାସୀ ପକ୍ଷରେ ଏପରି ଅନୁଷ୍ଠାନରେ ଉପସ୍ଥିତ ବାଞ୍ଛନୀୟ ନୁହେଁ । ଦୁଃଖିତ ମର୍ମାହତ ହୋଇ ଗାୟିକା ଗୀତ ଗାଇଲେ, ପ୍ରଭୁ ମେରେ ଅବଗୁଣ ଚିତ୍ତ ନା ଧରୋ, ସମଦରଶୀ ହ୍ୟାୟ ନାମ ତିହାରୋ, ଅବ ମୋହି ପାର୍ କରୋ ।” ପ୍ରଭୁ ମୋର ଦୋଷ ଦେଖନାହିଁ । ତୁମର ନାମ ସମଦର୍ଶୀ – ମୋତେ ଉଦ୍ଧାର କର ।

 

ସ୍ଵାମୀଜୀ ସୁଗାୟକ । ସଙ୍ଗୀତର ମଧୁର ସ୍ଵର ସ୍ଵାମୀଜୀଙ୍କ କାନରେ କହିଦେଲା ସେହି ଚିରନ୍ତନ ସତ୍ୟ ଯେ ଭଗବାନ ସର୍ବବସ୍ତୁରେ ବିରାଜିତ । ଗୀତଟି ଶୁଣି ସ୍ଵାମୀଜୀ ନିଜ ମନକୁ ଧିକ୍‍କାର କଲେ– “ଏହା କ’ଣ ମୋର ସନ୍ନ୍ୟାସ ? ମୁଁ ସନ୍ନ୍ୟାସୀ ଅଥଚ ମୋର ଏବଂ ଏହି ନାରୀ ମଧ୍ୟରେ ଭେଦଜ୍ଞାନ ରହିଯାଇଛି ।” ସେ ବୁଝିଲେ ସମସ୍ତଙ୍କ ଭିତରେ ସେହି ଗୋଟିଏ ସତ୍ତା ବିଦ୍ୟମାନ କାହାକୁ ଘୃଣା କରିପାରିବେ ନାହିଁ । ତତ୍‌କ୍ଷାଣତ୍‌ ସଭାକୁ ଯାଇ ବାଈଜୀଙ୍କୁ ମାତୃ ସମ୍ବୋଧନ କରି କ୍ଷମା ଯାଚନା କଲେ । ଏହି ଘଟଣା ଦ୍ଵିତୀୟଥର ଖେତ୍ଡ଼ି ଆସିବା ସମୟରେ ଘଟିଥିଲା ।

 

ଗୁଜୁରାଟର ବାଲୁକାମୟ ପ୍ରଦେଶ ପଦବ୍ରଜରେ ଭ୍ରମଣକରି ସ୍ଵାମୀଜୀ ଅହମଦବାଦ, ଜୁନାଗଡ଼,ଲିମ୍ଵଡ଼ି, ଭୋଜ, ଭେରାଓଲ, ପ୍ରଭାସ ଓ ସୋମନାଥ ଦର୍ଶନ କରିସାରି ପୋର ବନ୍ଦରରେ ପହଞ୍ଚିଲେ । ଲିମ୍ବଡ଼ି ମହାରାଜା ସ୍ଵାମୀଜୀଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ସେ ସ୍ଵାମୀଜୀଙ୍କୁ ପୋରବନ୍ଦର ପରିଭ୍ରମଣ ସମୟରେ ଦେଖି ଲିମ୍ବଡ଼ି ରାଜପ୍ରସାଦକୁ ସଶ୍ରଦ୍ଧ ପାଛୋଟି ଆଣିଥିଲେ । ପୋରବନ୍ଦରଠାରେ ବିଖ୍ୟାତ୍‍ପଣ୍ଡିତ ଶଙ୍କର ପାଣ୍ଡୁରଙ୍ଗଙ୍କ ସହିତ ପରିଚିତ ଓ ବନ୍ଧୁତ୍ଵ ହୋଇଥିଲା । ସ୍ଵାମୀଜୀଙ୍କର ଅସାଧାରଣ ଧୀଶକ୍ତି ଓ ପବିତ୍ରତା ଦେଖି ପଣ୍ଡିତ ପାଣ୍ଡୁରଙ୍ଗ କହିଲେ “ସ୍ଵାମୀଜୀ ! ଏ ଦେଶରେ ଧର୍ମ ପ୍ରଚାର କରି ଆପଣ ବିଶେଷ ସୁବିଧା କରିପାରିବେ ବୋଲି ମନେହୁଏ ନାହିଁ । ଆପଣଙ୍କ ଉଦାର ଭାବ ଆମ ଲୋକମାନେ ଖୁବ୍‌ ଶୀଘ୍ର ବୁଝିପାରିବେ ନାହିଁ । ବୃଥା ଶକ୍ତିକ୍ଷୟ ନକରି ଆପଣ ପାଶ୍ଚାତ୍ୟକୁ ଯାଅନ୍ତୁ । ସେଠାକାର ଲୋକେ ମହତ୍ତ୍ଵ ଓ ପ୍ରତିଭାର ସମ୍ମାନ କରି ଜାଣନ୍ତି । ଆପଣ ନିଶ୍ଚୟ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଉପରେ ସନାତନ ଧର୍ମର ଅପୂର୍ବ ଜ୍ଞାନଲୋକ ନିକ୍ଷେପ କରି ଗୋଟିଏ ଅଭିନବ ଯୁଗ ସୃଷ୍ଟି କରିପାରିବେ ।”

 

ଏହା ଶୁଣି ସ୍ଵାମୀଜୀ କହିଥିଲେ, “ଏହା ଉତ୍ତମ ବିଚାର । କିନ୍ତୁ ମୁଁ ସନ୍ନ୍ୟାସୀ । ମୋ ପାଇଁ ପୂର୍ବ ବା ପଶ୍ଚିମର ଅର୍ଥ କ’ଣ ? ଯଦି ଆବଶ୍ୟକ ପଡ଼େ ତେବେ ମୁଁ ପଶ୍ଚିମକୁ ଯିବି ।”

 

ପଣ୍ଡିତ ପାଣ୍ଡୁରଙ୍ଗ ପାଶ୍ଚାତ୍ୟ ଦେଶ ପର୍ଯ୍ୟଟନ କାଳରେ ଫରାସୀ ଭାଷା କାମରେ ଲାଗିବ ବୋଲି ଫରାସୀ ଭାଷା ପଢ଼ିବାକୁ ସ୍ଵାମୀଜୀଙ୍କୁ ପ୍ରବର୍ତ୍ତାଇଥିଲେ । ସ୍ଵାମୀଜୀ ଫରାସୀ ଭାଷା ଶିଖି ସେହି ଭାଷାରେ ଚିଠି ଲେଖି ଆଲମ ବଜାର ମଠକୁ ପଠାଇଥିଲେ ।

 

ପୋରବନ୍ଦର ବା ଜୁନାଗଡ଼ଠାରେ, ଚିକାଗୋଠାରେ ଆଗାମୀ ବର୍ଷ ଧର୍ମ ସମ୍ମେଳନ ହେବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେଠାରେ ଅବସ୍ଥାନ କାଳରେ ତାଙ୍କର ଗୁରୁଭ୍ରାତ ସ୍ଵାମୀ ତ୍ରିଗୁଣାତୀତାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତ୍‍ ହୋଇଥିଲା । କଥା ପ୍ରସଙ୍ଗରେ ସ୍ଵାମୀଜୀ କହିଥିଲେ “ଭାଇ ସାରଦା ! ମାଷ୍ଟର ମୋ ସମ୍ବନ୍ଧରେ ଯେଉଁ ସବୁ କଥା କହିଥିଲେ, ତାହାକୁ ମୁଁ ବୁଝିବାକୁ ଆରମ୍ଭ କରିଛି । ମୋର ମନେହୁଏ, ମୋ ଭିତରେ ଯେତେ ଶକ୍ତି ଅଛି ସେଥିରେ ମୁଁ ସମଗ୍ର ବିଶ୍ଵକୁ ଓଲଟ ପାଲଟ କରିଦେବି ।”

 

ସେ ପୋରବନ୍ଦରରୁ ଦ୍ଵାରକା, ସେଠାରୁ ଭେଟ ଦ୍ଵାରକା (ଦ୍ଵୀପ ଦ୍ଵାରକା) ନାରାୟଣ ସରୋବର, ଆଶାପୁରୀ ମାଣ୍ଡଭି) ଇତ୍ୟାଦି ବୁଲି ପୁନର୍ବାର ପୋରବନ୍ଦର ଦେଇ ଜୁନାଗଡ଼ ଓ ଭୋଜରାଜ୍ୟରେ ଉପସ୍ଥିତ ହୋଇଥିଲେ । କାଥିଆଓ୍ଵାଡ଼୍‍ରେ ଥିବାବେଳେ ସ୍ଵାମୀଜୀଙ୍କର ଏକ ଅପୂର୍ବ ଅନୁଭବ ହୋଇଥିଲା– ସେ ଏକ ମରୀଚିକା ଦେଖିଥିଲେ । ସେ ସମ୍ପର୍କରେ ଆମେରିକାରେ ଭାଷଣ ଦେବାବେଳେ ଏକ ବକ୍ତୃତା “ଦି ରିଏଲ୍ ଆଣ୍ଡ ଅପାରେଣ୍ଟ ମ୍ୟାନ” ରେ କହିଥିଲେ “ଥରେ ମୁଁ ଭାରତର ମରୁଭୂମିରେ ଭ୍ରମଣ କରୁଥିଲି । ମୁଁ ଏକ ମାସରୁ ଅଧିକ ଭ୍ରମଣ କରିଥିଲି, ଆଉ ପ୍ରତିଦିନ ମୋ ସମ୍ମୁଖରେ ଅତିଶୟ ମନୋରମ ଦୃଶ୍ୟସମୂହ – ଅତି ସୁନ୍ଦର ବୃକ୍ଷ ହ୍ରଦାଦି – ଦେଖିବାକୁ ପାଉଥାଏ । ଦିନେ ମୁଁ ଅତି ତୃଷାର୍ତ୍ତ ହୋଇ ଏକ ହ୍ରଦରେ ଜଳପାନ କରିବାକୁ ଇଚ୍ଛା କଲି । କିନ୍ତୁ ଯେମିତି ହ୍ରଦ ଆଡ଼କୁ ଅଗ୍ରସର ହେଲି, ସେମିତି ତାହା ଅନ୍ତର୍ହିତ ହୋଇଗଲା । ତତ୍‌କ୍ଷାଣତ୍‌ ମୋ ମସ୍ତିଷ୍କରେ ଯେପରି ପ୍ରବଳ ଆଘାତ ସହ ଏହି ଜ୍ଞାନ ଆସିଲା – ସାରା ଜୀବନ ଧରି ମୁଁ ଯେଉଁ ମରୀଚିକା କଥା ପଢ଼ିଛି, ଏହା ସେହି ମରୀଚିକା । ସେତେବେଳେ ମୁଁ ମୋର ନିଜର ଏହି ବୁଦ୍ଧିହୀନତା ସ୍ମରଣ କରି ହସିବାକୁ ଲାଗିଲି ଯେ ଗତ ଏକମାସ ଧରି ଏହି ଯେଉଁ ସୁନ୍ଦର ଦୃଶ୍ୟ ଓ ହ୍ରଦାଦି ଦେଖିବାକୁ ପାଇଥିଲି ତାହା ସବୁ ମରୀଚିକା ବ୍ୟତୀତ ଆଉ କିଛି ନୁହେଁ, ଅଥଚ ମୁଁ ସେତେବେଳେ ତାହା ବୁଝିପାରିନଥିଲି । ପରଦିନ ପ୍ରଭାତରେ ମୁଁ ପୁଣି ଚାଲିବାକୁ ଲାଗିଲି – ସେହି ହ୍ରଦ, ସେହିସବୁ ଦୃଶ୍ୟ ପୁଣି ଦେଖାଦେଲା; କିନ୍ତୁ ସଙ୍ଗେ ସଙ୍ଗେ ତତ୍‌କ୍ଷାଣତ୍‌ ମୋର ଏହି ଜ୍ଞାନ ମଧ୍ୟ ଆସିଲା ଯେ ତାହା ମରୀଚିକା ମାତ୍ର । ଥରେ ଜାଣିପାରିବାରୁ ତାହାର ଭ୍ରମୋତ୍ପାଦିକା ଶକ୍ତି ନଷ୍ଟ ହେଲା । ଏହି ଭଳି ଏହି ଜଗଦ୍‍ଭ୍ରାନ୍ତି ଦିନେ ଘୁଞ୍ଚିବ । ଏହି ସମୁଦାୟ ବ୍ରହ୍ମାଣ୍ଡ ଦିନେ ଆମ୍ଭମାନଙ୍କ ସମ୍ମୁଖରୁ ଅନ୍ତର୍ହିତ ହେବ । ଏହାର ନାମ ହିଁ ପ୍ରତ୍ୟକ୍ଷାନୁଭୂତି । × × × ଏହି ଜଗତ୍‌, ନରନାରୀ, ପ୍ରାଣୀ ସବୁ ପୁଣି ଆସିବେ, ଯେପରିକି ପରେ ମଧ୍ୟ ମରୀଚିକା ଦେଖାଯାଇଥିଲା, କିନ୍ତୁ ପୂର୍ବଭଳି ସେମାନଙ୍କର ଶକ୍ତିବିସ୍ତାର କରିପାରିବେ ନାହିଁ । କାରଣ ସଙ୍ଗେ ସଙ୍ଗେ ଏହି ଜ୍ଞାନ ଜନ୍ମିବ ଯେ, ମୁଁ ଏମାନଙ୍କର ସ୍ଵରୂପ ଜାଣିଛି । ସେତେବେଳେ ସେମାନେ ଆଉ ଆବଦ୍ଧ କରିପାରିବେ ନାହିଁ, କୌଣସିମତେ ଦୁଃଖ କଷ୍ଟ ,ଶୋକ ଆଉ ଆସିପାରିବ ନାହିଁ ।”

 

ରାମେଶ୍ଵର ଯିବାର ଇଚ୍ଛା ମନରେ ଜାଗ୍ରତ ହେଲା । ସେ ସେଠାକୁ ଯିବା ପୂର୍ବରୁ ବନ୍ଧୁ ଦେଓ୍ଵାନ୍‍ଜୀଙ୍କ ଅନୁରୋଧ କ୍ରମେ ବରୋଦା ଓ ଇନ୍ଦୋର ଇତ୍ୟାଦି ବୁଲି ଦେଖିଥିଲେ । ବରୋଦାରେ ରାଜା ସାୟାଜୀ ରାଓ ଗାଇକେଓ୍ଵାଡ଼୍‍ଙ୍କର ଦକ୍ଷତା, କ୍ଷମତା ଓ ଦେଶାତ୍ମକବୋଧ ଦେଖି ପ୍ରୀତ ହେଲେ । ବରୋଦାରୁ ଖଣ୍ଡଓ୍ଵାଠାରେ ହରିଦାସବାବୁଙ୍କ ଆତିଥ୍ୟ ଗ୍ରହଣ କଲେ । ଆମେରିକାର ଚିକୋଗଠାରେ ଧର୍ମ ମହାସମ୍ମେଳନ ହେଉଥିବାର ଖବର ପ୍ରକାଶିତ ହୋଇଥାଏ । ପୂର୍ବରୁ ପୋରବନ୍ଦର ଓ ଜୁନାଗଡ଼ରେ ଏ ବିଷୟ ଶୁଣିଥାନ୍ତି । ସ୍ଵାମୀଜୀ ଆମେରିକା ଯାତ୍ରା କରି ହିନ୍ଦୁଧର୍ମର ପ୍ରତିନିଧିତ୍ଵ କରନ୍ତୁ ଏହି ପ୍ରସ୍ତାବ ହରିଦାସ ବାବୁ ଦେଲେ । ଏହାର ଉତ୍ତରେ ଯଦି ଯାତାୟାତ ଖର୍ଚ୍ଚ ମିଳେ, ଯିବାକୁ ପ୍ରସ୍ତୁତ ବୋଲି ସ୍ଵାମୀଜୀ କହିଥିଲେ ।

 

ଖଣ୍ଡଓ୍ଵାରୁ ବମ୍ବେ । ପ୍ରାୟ ଦୁଇମାସ ଅବଧି ବମ୍ବେରେ ଅବସ୍ଥାନ କାଳରେ ସେ ସେଠାକାର ରକ୍ଷଣଶୀଳ ପଣ୍ଡିତ ଓ ସମାଜ ସଂସ୍କାରମାନଙ୍କ ସହିତ ପରିଚିତ ହୋଇଥିଲେ । ବମ୍ବେଠାରେ ପୁନା ଯିବା ସମୟରେ ସେ ୮ ଦିନ ଲୋକମାନ୍ୟ ବାଳ ଗଙ୍ଗାଧର ତିଳକଙ୍କର ଅତିଥି ହୋଇ ରହିଥିଲେ । ଲୋକମାନ୍ୟ ତିଳକ ମରହଟ୍ଟା ଓ କେଶରୀ ପତ୍ରିକାର ସମ୍ପାଦକ ଏବଂ ଜଣେ ନିର୍ଭୟମନା ଦେଶପ୍ରେମୀ ଓ ଜାତୀୟତାବାଦୀ ନେତା ଥିଲେ । ସ୍ଵାମୀଜୀଙ୍କର ପାଣ୍ଡତ୍ୟ ଓ ବାଗ୍ମିତାରେ ତିଳକ ମୁଗ୍‌ଧ ହୋଇଥିଲେ ।

 

ପୁନାରୁ କୋହ୍ଲାପୁର ଦେଇ ବେଲଗାଁଓ ଠାରେ ପହଞ୍ଚିଲେ । ସେଠାରେ ମିଷ୍ଟର ଭାଟେଙ୍କ ଘରେ ରହିବା ସମୟରେ ‘ବେଦାନ୍ତ ଦର୍ଶନ’ ସଂପର୍କରେ ଆଲୋଚନା କରୁଥିଲେ । ସ୍ଵାମୀଜୀ ଆଲୋଚନା କଲାବେଳେ ଯୁକ୍ତିରେ ବିଜୟଲାଭ କରିବାକୁ ଚାହୁଁ ନଥିଲେ । କେବଳ ଅନୁଭବ ସୃଷ୍ଟି କରିବାକୁ ଇଚ୍ଛା କରୁଥିଲେ । ସମଗ୍ର ରାଷ୍ଟ୍ର ଓ ବିଶ୍ଵକୁ ହିନ୍ଦୁଧର୍ମ ମୃତପ୍ରାୟ ନୁହେ ଏବଂ ବେଦାନ୍ତର ଅମୂଲ୍ୟସମ୍ପଦକୁ ଜଗତ୍ ସମ୍ମୁଖରେ ଉନ୍ମୋଚନ କରିବାର ବେଳ ଉପସ୍ଥିତ ହୋଇଛି – ଦେଖାଇବା ଥିଲା ସେହି ଅନୁଭବ ।

 

ବେଲଗାଁଓ ଠାରେ ହରିପଦ ମିତ୍ର ଓ ତାଙ୍କ ସ୍ତ୍ରୀ ଇନ୍ଦୁମତୀ ଦେବୀ ଦୀକ୍ଷାଗ୍ରହଣ କରିଥିଲେ । ସ୍ଵାମୀଜୀ ସେମାନଙ୍କୁ ତାଙ୍କ ପିଲାଦିନଠାରୁ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଯାତ୍ରାର ବହୁ ସମୟରେ ତାଙ୍କୁ ଅନାହାରରେ ରହିବାକୁ ପଡ଼ିଛି । ଉତ୍ତର ପ୍ରଦେଶରେ ଗ୍ରୀଷ୍ମକାଳରେ ଯାତ୍ରା କଲାବେଳେ ଟ୍ରେନ୍‍ରେ ସହଯାତ୍ରୀ ବ୍ୟବସାୟୀ ତାଙ୍କ ସମ୍ମୁଖରେ ବସି ଆନନ୍ଦରେ ପାଣିପିଇ କହୁଥିଲେ– ଏହା ହେଉଛି ଗୃହସ୍ଥର କର୍ମ କରିବା ଦ୍ଵାରା ଫଳପ୍ରାପ୍ତି । ସ୍ଵାମୀ କାର୍ଯ୍ୟ କରୁ ନ ଥିବାରୁ ସମାଜ ଉପରେ ବୋଝ । ତାରାଗଡ଼ ଷ୍ଟେସନରେ ଟ୍ରେନ୍‍ ଅଟକିଲା । ବିଶ୍ରାମାଳୟରେ ସ୍ଥାନ ନ ପାଇ ସେ ପ୍ଲାଟଫର୍ମ ବାରାଣ୍ଡାରେ କାନ୍ଥକୁ ଆଉଜି ବସି ରହିଲେ । ସେହି ବ୍ୟବସାୟୀ ତାଙ୍କ ଅନତିଦୂରରେ ବସି ଦିବ୍ୟଭୋଜନ କରିବାକୁ ଲାଗିଥିଲେ ଓ ଗାର୍ହସ୍ଥ୍ୟ ଜୀବନର ସୁଖ ବିଷୟରେ ଭାଷଣ ଦେବାରେ ଲାଗିଥିଲେ ।

 

ଏହି ସମୟରେ ଏକ ଅଦ୍ଭୁତ ଘଟଣା ଘଟିଲା । ଜଣେ ବ୍ୟକ୍ତି କାଖରେ ଆସନ ଜାକି, ପାଣି ସୁରେଇ, ଓ କିଛି ଖାଦ୍ୟ ପୁଡ଼ିଆ ଧରି ସେଠାରେ ଉପସ୍ଥିତ ହେଲେ । ସେ ଆସନ ବିଛାଇଦେଇ ଖାଦ୍ୟକୁ ଯତ୍ନରେ ରଖି, ସ୍ଵାମୀଜୀଙ୍କୁ ଆହାର କରିବାକୁ ଅନୁରୋଧ କଲେ । ସ୍ଵାମୀଜୀ ଭାବିଲେ ବୋଧହୁଏ ଲୋକଟି ଭୁଲ୍ କରୁଛି । କିନ୍ତୁ ସେହି ବ୍ୟକ୍ତି ତାର ଅନୁରୋଧକୁ ବାରମ୍ବାର ଦୋହରାଇଲା ଏବଂ କିପରି ତାର ପ୍ରଭୁ ଶ୍ରୀରାମ ଦର୍ଶନ ଦେଇ ସେ ଅଭୁକ୍ତ ହୋଇ ତାଙ୍କର ରୂପକୁ ଦେଖାଇଛନ୍ତି ତାହା ବର୍ଣ୍ଣନା କଲା । ସ୍ଵାମୀଜୀ ତାଙ୍କ ପ୍ରଦତ୍ତ ଖାଦ୍ୟ ଗ୍ରହଣ କଲେ । ସେହି ଉଦ୍ଧତ ବ୍ୟବସାୟୀଙ୍କର ମୋହଭଙ୍ଗ ଘଟିଲା ଓ ସ୍ଵାମୀଜୀଙ୍କ ଚରଣ ଧୂଳି ନେଇ ପ୍ରସ୍ଥାନ କଲେ ।

 

ଏହି ଘଟଣାମାନ ସ୍ଵାମୀଜୀଙ୍କ ମନରେ – ଈଶ୍ଵର ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଓ ସାଧାରଣ ମଣିଷମାନଙ୍କ ପ୍ରତି ତାଙ୍କର ଅନୁଭବକୁ ବୃଦ୍ଧି କରିବାରେ ଲାଗିଲା । ଅନ୍ୟ ଏକ ଦିନର ଘଟଣା । ରାଜସ୍ଥାନର କୌଣସି ଏକ ରେଳଷ୍ଟେସନରେ ସ୍ଵାମୀଜୀ ରହିଥାନ୍ତି । ଅନେକ ଲୋକ ଆସି ତାଙ୍କଠାରୁ ଧର୍ମପ୍ରସଙ୍ଗ ଶୁଣୁଥାନ୍ତି । ଲୋକ ଆସିବାର ଶେଷ ହେଉ ନ ଥାଏ । ଏହିପରି ତିନି ଦିନ ଗଲା । ଅନାହାରରେ ସ୍ଵାମୀଜୀ ଧର୍ମକଥା କହିଚାଲୁଥାନ୍ତି । ପାଣି ଟିକିଏ ମଧ୍ୟ ପିଇ ନ ଥାନ୍ତି । ଜଣେ ଗରିବ ଲୋକ ତାଙ୍କ ନିକଟକୁ ଆସି କହିଲା, “ଆପଣ ତିନି ଦିନ ଧରି ଖାଦ୍ୟ ଓ ପାଣି ନ ନେଇ ଉପଦେଶ ଦେଇ ଚାଲିଛନ୍ତି– ଏହା ମୋତେ ବଡ଼ କଷ୍ଟ ଦେଉଛି ।” ସ୍ଵାମୀଜୀ ତାଙ୍କୁ କିଛି ଖାଦ୍ୟ ଦେବାକୁ କହିଲେ । ସେ ଜାତିରେ ଚମାର । ତା ହାତ ରୁଟି ଖାଇଲେ, ରଜା ଦଣ୍ଡ ଦେବେ – ଏହି ଭୟରେ ସେ ଅଟା ଓ ଡାଲି ଆଣିଦେବ ବୋଲି କହିଲା । ସ୍ଵାମୀଜୀଙ୍କ ଏକାନ୍ତ ଅନୁରୋଧରେ ଲୋକଟି ରାଜା ଦଣ୍ଡାଦେଶକୁ ଭ୍ରୂକ୍ଷେପ ନ କରି ରୁଟି ତିଆରି କରି ସ୍ଵାମୀଜୀଙ୍କୁ ଖାଇବାକୁ ଦେଲା । ତାହାର ଦୟାରେ ଲୋତକାପ୍ଲୁତ ହୋଇଉଠିଲା ସ୍ଵାମୀଜୀଙ୍କର ହୃଦୟ । ସେ ଭାବିଲେ, “ଆମ ଦେଶରେ କୁଡ଼ିଆ ଘରେ ଏଭଳି କେତେ ମଣିଷ ବାସ କରନ୍ତି, ଯେଉଁମାନେ ବାହାରେ ଦୀନଦରିଦ୍ର କିନ୍ତୁ ଅନ୍ତରରେ ଅତ୍ୟନ୍ତ ମହାନ୍‌ ।”

 

ଷ୍ଟେସନରେ ଥିବା କେତେଜଣ ଭଦ୍ରଲୋକଙ୍କର ଏହା ନଜରକୁ ଆସିବାରୁ ସେମାନେ ସ୍ଵାମୀ କିପରି ନୀଚଲୋକ ହାତରୁ ଖାଦ୍ୟ ଖାଇଲେ, ଏହା ଠିକ୍‌ ହୋଇନି ବୋଲି ମନ୍ତବ୍ୟ ଦେବାରୁ ସ୍ଵାମୀଜୀ ଉତ୍ତରଦେଲେ, “ତୁମେ ମୋତେ ତିନିଦିନ ଧରି କଥା କୁହାଇଲ ଅଥଚ ମୋର କିଛି ଖବର ନେଲନାହିଁ; କିନ୍ତୁ କହୁଛ ଏ ଛୋଟଲୋକ; ଏବଂ ତୁମେ ସବୁ ଭଦ୍ର । ଯେଉଁ ବ୍ୟକ୍ତି ମନୁଷ୍ୟତ୍ଵ ଦେଖାଇଲା, ସେ କିପରି ନୀଚ ହେଲା ?”

 

ଭାରତର ବିଭିନ୍ନ ପଥ ଓ ପ୍ରାନ୍ତରରେ ସେ ପାଦରେ ଖରା, ବର୍ଷା, ଶୀତରେ ଭ୍ରମଣ କରି ପାହାଡ଼ ପର୍ବତ, ଜଙ୍ଗଲ, ମରୁଭୂମି, ନଗର, ସହର, ଜନବସତି, ଗ୍ରାମ, ଝୁମ୍ପୁଡ଼ି ଦେଇ ଭାରତର ବୈଚିତ୍ର୍ୟକୁ ଜାଣିବାକୁ ଚେଷ୍ଟା କରିଥିଲେ । ସେ ଅନୁଭବ କରୁଥିଲେ ଯେ ସବୁକିଛି ସେହି ପରମାତ୍ମାଙ୍କର ପ୍ରକାଶ । ତାଙ୍କର ବ୍ୟକ୍ତିଗତ ସତ୍ତା କେବଳ ବିଶ୍ଵସତ୍ତାର ଅଂଶବିଶେଷ । ଯେଉଁ ଶିକ୍ଷା ସେ ଦକ୍ଷିଣେଶ୍ଵରରେ ପାଇଥିଲେ, ତାହା ତାଙ୍କର ଅନ୍ତରସ୍ଥ ହେବାକୁ ଲାଗିଥିଲା । ତାଙ୍କ ହୃଦୟରେ ଦରିଦ୍ର, ଦୁର୍ବଳ ଓ ନିମ୍ନବର୍ଗର ଜନଗଣଙ୍କ ପାଇଁ ସମବେଦନା ଭରି ଯାଇଥିଲା । ସେ ପରିଷ୍କାର ଭାବରେ ତାଙ୍କ ଜୀବନର ଉଦ୍ଦେଶ୍ୟ କ’ଣ ତାହା ବୁଝିପାରୁଥିଲେ ।

 

ସେ ହରିପଦବାବୁଙ୍କଠାରୁ ବିଦାୟ ନେଇ ମାଜଗାଁଓ ହୋଇ ଗୋଆ ଅଭିମୁଖେ ଯାତ୍ରା କଲେ । ଗୋଆରେ ସେ ପୁରାତନ ଲାଟିନ୍‌ ପୁସ୍ତକମାନଙ୍କରୁ ଖ୍ରୀଷ୍ଟିୟାନ୍‌ ଧର୍ମ ସଂପର୍କରେ ପଢ଼ି ବୁଝିଥିଲେ । ସେଠାରୁ ଧାରଓ୍ଵାର ଓ ବାଙ୍ଗାଲୋର । ବାଙ୍ଗାଲୋର ଠାରେ ରାଜପ୍ରାସାଦରେ ଦେଓ୍ଵାନଙ୍କ ଅନୁରୋଧକ୍ରମେ ଏକ ପଣ୍ଡିତ ସଭାରେ ଯୋଗଦେଇ ସେ ବେଦାନ୍ତ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପିତ କରି କହିଲେ, “ବେଦାନ୍ତ ଶାସ୍ତ୍ର କେତେଗୋଟି ଦାର୍ଶନିକ ମତବାଦର ସମଷ୍ଟି ନୁହେଁ, ଏହା ସାଧକ ଜୀବନର ବିଭିନ୍ନାବସ୍ଥାରେ ଅନୁଭୂତ ସତ୍ୟସମୂହ । ଅତଏବ, ଗୋଟିକୁ ସତ୍ୟ ବୋଲି ପ୍ରତିପାଦିତ କଲେ ଅପରଟିକୁ ମିଥ୍ୟା ପ୍ରମାଣ କାରିବାର କୌଣସି ଆବଶ୍ୟକତା ନାହିଁ ।”

 

ମହୀଶୂର ମାହାରାଜା ଶ୍ରୀ ଚାମାରାଜେନ୍ଦ୍ର ଓ୍ଵାଦେକରଙ୍କ ସହିତ ତାଙ୍କର ନିଗୁଢ଼ ବନ୍ଧୁତା ହୋଇଥିଲା ।

 

ସେଠାରେ କଥାପ୍ରସଙ୍ଗରେ ମହାରାଜାଙ୍କୁ କହିଲେ, “ଆମ୍ଭମାନଙ୍କର ବର୍ତ୍ତମାନ ପ୍ରୟୋଜନ, ପାଶ୍ଚାତ୍ୟ ବିଜ୍ଞାନ ସାହାଯ୍ୟରେ ଆର୍ଥିକ ଓ ସାମାଜିକ ବ୍ୟବସ୍ଥା ଉନ୍ନତ କରିବାକୁ ଚେଷ୍ଟା କରିବା; କିନ୍ତୁ ଇଉରୋପୀୟମାନଙ୍କ ଦୁଆରେ ଠିଆହୋଇ କେବଳ ମାତ୍ର କ୍ରନ୍ଦନ ଓ ଭିକ୍ଷା କଲେ ଭକ୍ତ ଉଦ୍ଦେଶ୍ୟ ସିଦ୍ଧି ହେବନାହିଁ । ଭାରତବର୍ଷ ସେମାନଙ୍କୁ ଦେବ ଆଧ୍ୟାତ୍ମିକ ଜ୍ଞାନ । ସେହି କାରଣରୁ ସମୟେ ସମୟେ ବେଦାନ୍ତର ଅତ୍ୟୁଦାର ଧର୍ମ ପ୍ରଚାର କରିବା ଲାଗି ପାଶ୍ଚାତ୍ୟ ଦେଶକୁ ଯିବାକୁ ମୋର ଇଚ୍ଛା ।” ମହାରାଜା ସେଥିପାଇଁ ଅର୍ଥ ସାହାଯ୍ୟ କରିବାକୁ ଆଗଭର ହୁଅନ୍ତେ ସ୍ଵାମୀଜୀ ତାହାକୁ ଗ୍ରହଣ କଲେ ନାହିଁ । ଯେ ପର୍ଯ୍ୟନ୍ତ ତାଙ୍କର ପରିବ୍ରାଜକ ବ୍ରତ ଉଦ୍‌ଯାପିତ ହୋଇନଥାଏ ।

 

ମହୀଶୂର ମହାରାଜା ସାର୍‌ ଶେଷାଦ୍ରିଙ୍କର ଅତ୍ୟନ୍ତ ପ୍ରୀତିଭାଜନ ହୋଇ ସ୍ଵାମୀଜୀ କୋଚିନ ରାଜ୍ୟର ତ୍ରିଚୁର ଅଭିମୁଖେ ଗଲେ । ସେ ଏର୍ଣ୍ଣାକୁଲମ୍‍ଠାରେ ଅବସ୍ଥାନ କରିବା ସମୟରେ ନାୟାର ସମ୍ପ୍ରଦାୟର ରକ୍ଷଣଶୀଳତା ଓ ଖ୍ରୀଷ୍ଟିୟାନମାନେ ହିନ୍ଦୁଜାତିର ସ୍ଵୈରାଚାରର ସୁଯୋଗନେଇ କିପରି ଧର୍ମାନ୍ତରୀକରଣ କରାଉଛନ୍ତି, ତାହା ଜାଣିବାକୁ ପାଇଥିଲେ ।

 

କୋଚିନ ପରେ ତ୍ରିଭେନ୍ଦ୍ରମ୍‍ରେ ପ୍ରଫେସର୍ ସୁନ୍ଦରମ୍‌ ଆୟାରଙ୍କ ଘରେ ଅତିଥି ହେବା ସମୟରେ ପ୍ରାଚୀନ କାଳରେ ବ୍ରାହ୍ମଣମାନେ ମାଂସ, ଘୁଷୁରୀ ମାଂସ ଏବଂ ଏପରିକି ଗୋମାଂସ ଭକ୍ଷଣ କରୁଥିବାର ଜାଣିଥିଲେ । ସେଠାରେ ମାନ୍ଦ୍ରାଜର ଡେପୁଟି ଏକାଉଣ୍ଟାଣ୍ଟ ଜେନେରାଲ ଶ୍ରୀ ମନ୍ମଥନାଥ ଭଟ୍ଟାଚାର୍ଯ୍ୟଙ୍କ ସହିତ ସାକ୍ଷାତ୍‍ ହୋଇଥିଲା । ତାଙ୍କ ସହିତ କନ୍ୟାକୁମାରୀ ଗମନ କଲେ-

 

ଭାରତର ଦକ୍ଷିଣର ଶେଷପ୍ରାନ୍ତରରେ କନ୍ୟାକୁମାରୀରେ ପହଞ୍ଚି ସ୍ଵାମୀଜୀ ଦେବୀ କୁମାରୀଙ୍କ ଚରଣତଳେ ସାଷ୍ଟାଙ୍ଗ ପ୍ରଣିପାତ ହେଲେ ଓ ନିଜ ମାତୃଭୂମି ଏବଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ତାଙ୍କ ସମ୍ମୁଖରେ ୨୧/୨ ଫର୍ଲଙ୍ଗ ଦୂରରେ ଗଭୀର ସମୁଦ୍ର ମଧ୍ୟରେ ଶିଳାଖଣ୍ଡ ଦୃଶ୍ୟମାନ ହେଉଥିଲା । କଥିତ ଅଛି-ସେହି ଶିଳାଖଣ୍ଡ ଉପରେ ପାର୍ବତୀ ନିଜେ କନ୍ୟାରୂପ ଗ୍ରହଣ କରିଥିବା ସମୟରେ ଶିବଙ୍କୁ ପାଇବା ପାଇଁ ସେଠାରେ ତପସ୍ୟା କରିଥିଲେ । ସେହିଦିନଠାରୁ ସେହି ଶିଳାଖଣ୍ଡର ନାମ ଶ୍ରୀପାଦ ଶିଳା ।

 

ସେହି ଉତ୍‌ଥିତ ତରଙ୍ଗର ତୀବ୍ର ଜଳରାଶି ମଧ୍ୟରେ ବିପଦସଙ୍କୁଳ ସାକମାନଙ୍କର ଆକ୍ରମଣକୁ ଭ୍ରୂକ୍ଷେପ ନକରି ସ୍ଵାମୀଜୀ ସମୁଦ୍ର ମଧ୍ୟକୁ ଲମ୍ଫପ୍ରଦାନ କଲେ ଏବଂ ସନ୍ତରଣ ପୂର୍ବକ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ । ନାବ ଦ୍ଵାରା ପାରିହେବା ପାଇଁ ତାଙ୍କ ନିକଟରେ ପଇସାଟିଏ ନ ଥିଲା ।

 

ସମ୍ମୁଖରେ ଉତ୍‌ଥିତ ତରଙ୍ଗ ଆନ୍ଦୋଳିତ ଉଚ୍ଛ୍ଵସିତ ସୁନୀଳ ଜଳଧୀ, ପଶ୍ଚାତ୍‍ରେ ଶୈଳ କାନନ-କାନ୍ତାର ପରିଶୋଭିତା ଶସ୍ୟାଶ୍ୟାମଳା ଭାରତବର୍ଷ ଏବଂ ତାହାର ଶେଷ ଶିଳାଖଣ୍ଡ ଉପରେ ଯୋଗାସନରେ ସମାସୀନ ନବଭାରତର ମନ୍ତ୍ରଗୁରୁ-ପରିବ୍ରାଜକାଚାର୍ଯ୍ୟ-ତେଜୋଦୀପ୍ତ ତରୁଣ ସନ୍ନ୍ୟାସୀ-ସ୍ଵାମୀ ବିବେକାନନ୍ଦ ।

 

ସ୍ଵାମୀଜୀ ନିଜ ମନଶ୍ଚକ୍ଷୁରେ ଦେଖୁଥିଲେ ଓ ଭାବୁଥିଲେ ଶ୍ରୀଗୁରୁଙ୍କ ଆଦେଶ ପାଳନପୂର୍ବକ ସମଗ୍ର ଭାରତବର୍ଷ ପରିଭ୍ରମଣ କରି ଧନୀ, ନିର୍ଧନ, ଉଚ୍ଚ, ନୀଚ, ରାଜା-ମହାରାଜା, ପଣ୍ଡିତ, ମୂର୍ଖ ପ୍ରତ୍ୟେକଙ୍କର ଦ୍ଵାରେ ଦ୍ଵାରେ ବୁଲି ଅପରୋକ୍ଷାନୁଭୂତିଲବ୍‌ଧ ସତ୍ୟ ପ୍ରଚାର କରିଛନ୍ତି । ଆଉ କ’ଣ କାମ ବାକି ରହିଲା ?

 

ସେ ନିଜର ପ୍ରିୟ ମାତୃଭୂମି ଭାରତମାତାଙ୍କୁ ସ୍ମରଣ କରି ଧ୍ୟାନସ୍ଥ ହେଲେ । ତାଙ୍କ ଚିତ୍ତଦର୍ପଣରେ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଚିତ୍ରସମୂହ ଗୋଟି ଗୋଟି ହୋଇ ପ୍ରତିଫଳିତ ହେବାକୁ ଲାଗିଲା । ସେ ଦେଖିଲେ ଧର୍ମକ୍ଷେତ୍ର ଭାରତବର୍ଷ ଦୁର୍ଭିକ୍ଷ, ମହାମାରୀ, ଦୈନ୍ୟ, ଦୁଃଖ, ରୋଗ ଓ ଶୋକରେ ଜର୍ଜରିତ । ଗୋଟିଏ ପକ୍ଷରେ ଧନୀମାନଙ୍କର ଦରିଦ୍ରମାନଙ୍କୁ ନିଷ୍ପେଷିତ କରି ବିଳାସପୂର୍ଣ୍ଣ ଜୀବନ ଓ ଅନ୍ୟପକ୍ଷରେ ଅନାହାରରେ ଜୀର୍ଣ୍ଣଶୀର୍ଣ୍ଣ, ଛିନ୍ନବସନ, ଯୁଗ ଯୁଗର ନିରାଶ ଅନ୍ଧକାରରେ ବୁଡ଼ି ରହିଥିବା ନରନାରୀ, ବାଳକ ବାଳିକାଙ୍କର ‘ହା- ଅନ୍ନ’ର ଚିତ୍କାର-। ଶିକ୍ଷାଦୀକ୍ଷାର ଅଭାବରେ ନିମ୍ନଜାତିଗୁଡ଼ିକ ପୁରୋହିତ ସମ୍ପ୍ରଦାୟର ହୃଦୟହୀନ ନିଷ୍ଠୁର ବ୍ୟବହାର ଯୋଗୁ ସନାତନ ଧର୍ମ ପ୍ରତି ବୀତଶ୍ରଦ୍ଧ ଏବଂ ସହସ୍ରାଧିକ ଧର୍ମାନ୍ତର । କୋଟି କୋଟି ଲୋକ ନିଜ ନିଜର ଆଶା, ବିଶ୍ଵାସ ଓ ନୈତିକବଳକୁ ହଜାଇଦେଇଛନ୍ତି । ଶିକ୍ଷିତ ନାମଧାରୀ ବ୍ୟକ୍ତିବିଶେଷ ପାଶ୍ଚାତ୍ୟ ଶିକ୍ଷାର ଅନୁକରଣରେ ସେମାନଙ୍କ ପ୍ରତି ସହାନୁଭୂତି ନାହିଁ ଏବଂ ନୂଆ ନୂଆ ସମାଜ ଓ ସମ୍ପ୍ରଦାୟ ଗଠନକରି ହିନ୍ଦୁଧର୍ମ ଉପରେ ଅଭିଶାପ ବର୍ଷଣ କରୁଛନ୍ତି । ଧର୍ମ ହୋଇପଡ଼ିଛି ପ୍ରାଣହୀନ ଆଚାର ନୀୟମର ସମଷ୍ଟି ଏବଂ କୁସଂସ୍କାରର ଚେର ସମ୍ପୂର୍ଣ୍ଣ ମାଡ଼ିବସିଛି । ମନରେ ବର୍ତ୍ତମାନ ଭାରତ ପ୍ରାୟ ‘ଆଶା, ଉଦ୍ୟମ, ଆନନ୍ଦ ଓ ଉତ୍ସାହର କଙ୍କାଳ ପରିପୂର୍ଣ୍ଣ ମହାଶ୍ମଶାନରେ ପରିଣତ’ ହୋଇଛି ।

 

କରୁଣାରେ ଦ୍ରବୀଭୂତ ହୋଇଉଠିଲା ତାଙ୍କର ହୃଦୟ । ହଜାର ହଜାର ଅଜ୍ଞ, ମୋହାନ୍ଧ, ଅତ୍ୟାଚାର-ପ୍ରପୀଡ଼ିତ, ଉପେକ୍ଷିତ ଦେବଋଷିଙ୍କ ବଂଶଧରଗଣଙ୍କ ପାଇଁ କାନ୍ଦି ଉଠିଲା । ସେ ଭାବିବାକୁ ଲାଗିଲେ, “ଆମ୍ଭେମାନେ ଲକ୍ଷଲକ୍ଷ ସନ୍ନ୍ୟାସୀ ଏହିମାନଙ୍କ ଅନ୍ନର ଜୀବନଧାରଣ କରି ଏମାନଙ୍କ ଲାଗି କ’ଣ କରୁଛୁ ? ତାଙ୍କୁ ଦର୍ଶନଶାସ୍ତ୍ର ଶିକ୍ଷା ଦେଉଛୁ ! ଧୀକ୍‌ ଭଗବାନ ଶ୍ରୀ ରାମକୃଷ୍ଣ କହୁଥିଲେ, “ଖାଲି ପେଟରେ ଧର୍ମ ହୁଏନାହିଁ, ମୋଟା ଭାତ, ମୋଟା ଲୁଗାର ବନ୍ଦୋବସ୍ତ ଦରକାର-।” ଭୋକିଲା ଲୋକଙ୍କୁ ଧର୍ମୋପଦେଶ ଦେବା ମୂଢ଼ତା । ସେମାନଙ୍କ ନିକଟରେ ଯଥେଷ୍ଟ ଧର୍ମ ରହିଛି, ବର୍ତ୍ତମାନ ପ୍ରୟୋଜନ ଶିକ୍ଷା ବିସ୍ତାର । ଦରକାର ଅଶନ-ବସନର ସଂସ୍ଥାନ; କିନ୍ତୁ କିପରି ଏହା ସମ୍ଭବ ହେବ ? ଏ କାର୍ଯ୍ୟରେ ଅଗ୍ରସର ହେବାକୁ ହେଲେ ପ୍ରଥମେ ଆବଶ୍ୟକ ‘ମଣିଷ’, ଦ୍ଵିତୀୟରେ ଅର୍ଥ ।”

 

କ’ଣ କରିପାରିବେ ସେ ? ତାଙ୍କର ସମ୍ବଳ କଟିର କୌପୀନ ମାତ୍ର । କେବଳ ନୈରାଶ୍ୟ । ହଠାତ୍‌ ନୈରାଶ୍ୟର ଘନ ଅନ୍ଧକାରକୁ ଦୂରକରି ଆଶାର ଆଲୋକ ବିଚ୍ଛୁରିତ ହେଲା । ସେ ଏକ ନୂତନ ଅନୁଭୂତି ପ୍ରାପ୍ତ ହେଲେ ଓ ଭାବିଲେ, “ଶ୍ରୀ ଶ୍ରୀ ଗୁରୁମହାରାଜଙ୍କ ଆର୍ଶୀବାଦରେ ଏହି ମହାନ୍‍ କାର୍ଯ୍ୟଭାର ମୁଁ ଗ୍ରହଣ କରିବି । ତାଙ୍କରି ଇଚ୍ଛାରେ ଅଦୂର ଭବିଷ୍ୟତର ଭାରତର ନଗର ଓ ଗ୍ରାମମାନଙ୍କରେ ହଜାର ହଜାର ନର ଓ ନାରୀ ଜନ୍ମଗ୍ରହଣ କରିବେ, ଯେଉଁମାନେ ଗତାନୁଗତିକ ଭାବରେ ସ୍ଵାର୍ଥାନ୍ଧ ହୋଇ ଭୋଗଳାଲସା ପଛରେ ଦୌଡ଼ିବେ ନାହିଁ। ଯେଉଁମାନେ ନରନାରାୟଣଙ୍କଠାରେ ସର୍ବସ୍ଵ ଅର୍ପଣ କରି ଏହି ମହାନ୍‌ ଯୁଗଚକ୍ର-ବିବର୍ତ୍ତନରେ ସହାୟକ ହେବେ-। କିନ୍ତୁ ଟଙ୍କା କେଉଁଠୁ ଆସିବ ? ଏହି ଚିନ୍ତା ମୁଣ୍ଡକୁ ନେଇ ହୃଦୟର ରକ୍ତ ମୋକ୍ଷଣ କରୁକରୁ ସମଗ୍ର ଭାରତ-ବର୍ଷ ଭ୍ରମଣ କଲି । ଧନୀ, ରାଜା, ମହାରାଜା ସମସ୍ତଙ୍କ ଦ୍ଵାରକୁ ଯାଇଛି, ଦରିଦ୍ରଙ୍କ ପାଇଁ ସାହାଯ୍ୟ ପ୍ରାର୍ଥନା କରିଛି; କିନ୍ତୁ କେବଳ ମୌଖିକ ସହାନୁଭୂତି ପାଇଛି ମାତ୍ର । କେବଳ ମାତ୍ର ହିନ୍ଦୁସ୍ଥାନର ମୁଖାପେକ୍ଷୀ ହୋଇ ରହିବା, ଅଯଥା ସମୟ ନଷ୍ଟ କରିବା । ଏହି ବିସ୍ତୀର୍ଣ୍ଣ ଜଳଧି ପାର ହୋଇ ଭାରତର ଲକ୍ଷ ଲକ୍ଷ ଦରିଦ୍ର ଲୋକଙ୍କ ପ୍ରତିନିଧିସ୍ଵରୂପ ମୁଁ ପାଶ୍ଚାତ୍ୟ ଦେଶକୁ ଯିବି । ସେଠାରେ ମସ୍ତିଷ୍କ ବଳରେ ଅର୍ଥୋପାର୍ଜନ କରି ସ୍ଵଦେଶକୁ ଫେରିଆସିବି ଏବଂ ଅବଶିଷ୍ଟ ଜୀବନ ମାତୃଭୂମିର ଉନ୍ନତିକଳ୍ପେ ବ୍ୟୟ କରିବି; କିମ୍ବା ଏହି ଚେଷ୍ଟାରେ ପ୍ରାଣତ୍ୟାଗ କରିବି ।”

 

ସାମାଧି ଭଗ୍ନ କରି କୂଳକୁ ଫେରିଆସିବା ବେଳକୁ ସ୍ଵାମୀଜୀ ବିଶ୍ଵପ୍ରେମିକରେ ପରିବର୍ତ୍ତିତ ହୋଇଯାଇଥିଲେ । ଯେଉଁ ସତ୍ୟକୁ ଶ୍ରୀଗୁରୁଙ୍କ ଚରଣତଳେ ବସି ଉପଲବ୍‍ଧି କରିଥିଲେ ତାହାକୁ ପ୍ରଚାର କରିବା, ବିଶ୍ଵ ମାନବର ମଙ୍ଗଳ କାମନା କରି ନିଜକୁ ସମ୍ପୂର୍ଣ୍ଣ ବଳିଦେବା ଓ ଭାରତର ଅତୀତ ଗୌରବର ଧ୍ଵଂସାବଶେଷକୁ ଉଦ୍ଧାର କରି ତାର ପ୍ରାଣରେ ନୂତନ ଉତ୍ସାହ, ଉଦ୍ଧୀପନା ଓ ଜୀବନ ସୃଷ୍ଟି କରିବାପାଇଁ ସେ ଆଗଭର ହୋଇଉଠିଲେ ।

 

କନ୍ୟାକୁମାରୀ ଠାରୁ ରାମାନାଦ ଓ ପଣ୍ଡିଚେରୀ । ପୁନର୍ବାର ସାକ୍ଷାତ୍‍ ହେଲା ମନ୍ନଥବାବୁଙ୍କ ସହିତ । ତାଙ୍କ ଅନୁରୋଧରେ ସ୍ଵାମୀଜୀ ମାନ୍ଦ୍ରାଜ ଗମନ କଲେ । ମାନ୍ଦ୍ରାଜରେ ରହଣି କାଳରେ ତାଙ୍କର ସମବେଦନାକାତର ବିଶାଳ ହୃଦୟ, ଉଦାର ଧର୍ମଗତ, ସମସ୍ତଙ୍କୁ ଆଲିଙ୍ଗନ କରି ଆଶ୍ରୟ ଦେବା ନିମିତ୍ତ ସଦାସର୍ବଦା ପ୍ରସ୍ତୁତ ମନ ସହିତ ପ୍ରତ୍ୟକ୍ଷ ଭାବରେ ପରିଚିତ ହୋଇ ମାନ୍ଦ୍ରାଜର ଶିକ୍ଷିତ ଯୁବ-ସମ୍ପ୍ରଦାୟ ଆକୃଷ୍ଟ ହୋଇ ତାଙ୍କୁ ଗୁରୁପଦରେ ବରଣ କରିଥିଲେ । ଯୁକ୍ତରାଷ୍ଟ୍ର ଚିକାଗୋ ଧର୍ମମେଳାର ଅଂଶସ୍ଵରୂପ ସେଠାରେ ଏକ ଧର୍ମସଭାର ଆୟୋଜନ ହେଉଥାଏ । ଏହି ଧର୍ମ ସମ୍ମେଳନରେ ପୃଥିବୀର ଯାବତୀୟ ଧର୍ମ-ସମ୍ପ୍ରଦାୟର ପ୍ରତିନିଧିମାନେ ଯୋଗ ଦେଉଥାନ୍ତି । ମାନ୍ଦ୍ରାଜର ଯୁବ ଶିଷ୍ୟଗଣ ସ୍ଵାମୀଜୀ ଭାରତକୁ ପ୍ରତିନିଧିତ୍ଵ କରିପାରିବେ – ଏହା ସ୍ଥିର ନିଶ୍ଚିତ କରି ଅର୍ଥ ସଂଗ୍ରହରେ ଲାଗିଗଲେ । ତତ୍‌କ୍ଷଣାତ୍‌ ପ୍ରାୟ ପାଞ୍ଚଶତଟଙ୍କା ସଂଗୃହୀତ ହେଲା । ସେହି ସ୍ଵଳ୍ପ ପରିମାଣ ଅର୍ଥରେ ଆମେରିକା ଯିବା ଅସମ୍ଭବ ବୋଲି ବିଚାର କରି, ସେହି ଅର୍ଥକୁ ଦରିଦ୍ର ନାରାୟଣଙ୍କ ସେବାରେ ଲଗାଇବାକୁ ନିର୍ଦ୍ଦେଶ ଦେଇ ସ୍ଵାମୀଜୀ କହିଲେ, “ଯଦି ମା’ଙ୍କର ଇଚ୍ଛା ଥିବ, ତେବେ ଅର୍ଥ ନିଶ୍ଚୟ ଆସିବ ।” ସେ ପର୍ଯ୍ୟନ୍ତ ତାଙ୍କ ମନ ଭିତରେ ଯିବା ଓ ନ ଯିବା ନେଇ ସଂଘର୍ଷ ଲାଗିଥିଲା ।

 

ହଠାତ୍‌ ହାଇଦ୍ରାବାଦ ଯିବାପାଇଁ ନିମନ୍ତ୍ରଣ ମିଳିଲା । ହାଇଦ୍ରାବାଦ ଷ୍ଟେସନରେ ତାଙ୍କୁ ସ୍ଵାଗତ କରିବା ପାଇଁ ବିପୁଳ ଜନସମାବେଶ । ସହରର ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ । ହାଇଦ୍ରାବାଦର ମେହବୁକ୍‌ କଲେଜରେ ଭାଷଣ ଦେବାବେଳେ ସେ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯାଉଛନ୍ତି ଓ ଯିବାର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ହାଇଦ୍ରାବାଦରୁ ମାନ୍ଦ୍ରାଜ ଫେରିଆସି ଶିଷ୍ୟ ଓ ଭକ୍ତମଣ୍ଡଳୀଙ୍କର ତାଙ୍କୁ ହିନ୍ଦୁଧର୍ମର ପ୍ରତିନିଧିଭାବେ ପ୍ରେରଣ କରିବାର ସଙ୍କଳ୍ପ ଦେଖି ସେ ଶିଷ୍ୟ ଆଲସିଙ୍ଗା ପେରୁମଲ୍‌ଙ୍କୁ କହିଲେ, “ଯଦି ମୋର ଆମେରିକା ଗମନ ମା’ଙ୍କର ଏକାନ୍ତ ଇଚ୍ଛା ହୁଏ, ତେବେ ମୋତେ ଯିବାକୁ ହିଁ ହେବ ।” ଶିଷ୍ୟମାନେ ଲାଗିପଡ଼ିଲେ ଅର୍ଥ ସଂଗ୍ରହରେ । ନିଃସ୍ଵାର୍ଥପର, ପବିତ୍ର ହୃଦୟ ମନ୍ଦ୍ରାଜର ଏହି ଯୁବଗଣଙ୍କର ଅସୀମ ଚେଷ୍ଟା ଓ ସଂକଳ୍ପ ଫଳରେ ଆମେରିକା ଯାତାୟାତର ଅର୍ଥ ସଂଗ୍ରହ ହୋଇପାରିଥିଲା ।

 

ଦିନେ ସ୍ଵାମୀଜୀ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସ୍ଵପ୍ନରେ ଦେଖିଲେ ଶ୍ରୀ ରାମକୃଷ୍ଣଦେବ ଦିବ୍ୟଦେହରେ ସମୁଦ୍ରକୂଳଠାରୁ ବିସ୍ତୀର୍ଣ୍ଣ ସଲିଳ ଉପରେ ପଦବ୍ରଜରେ ଅଗ୍ରସର ହେଉଛନ୍ତି ଏବଂ ତାଙ୍କୁ ଅନୁସରଣ କରିବା ଲାଗି ହାତରେ ସଂଙ୍କେତ ଦେଉଛନ୍ତି । ମନରେ ଦେଖାଦେଇଥିବା ଦ୍ଵନ୍ଦ୍ୱ ଦୂର ହେଲା । ସେ ମା ଶ୍ରୀ ଶାରଦାଦେବୀଙ୍କୁ ପତ୍ର ଲେଖି ତାଙ୍କର ଆଶୀର୍ବାଦ ପ୍ରାର୍ଥନା କଲେ । ଯଥାସମୟରେ କରୁଣାମୟୀ ଜନନୀଙ୍କ ସ୍ନେହସିକ୍ତ ଅନୁମତି ପ୍ରାପ୍ତହୋଇ ଗଦ୍‌ଗଦ୍‌ ହୋଇଉଠିଲେ ସ୍ଵାମୀଜୀ । ଭକ୍ତ ଓ ଶିଷ୍ୟଗଣଙ୍କୁ କହିଲେ, “ବତ୍ସଗଣ ! ଶ୍ରୀ ଶ୍ରୀ ମାଆଙ୍କ ଆଦେଶ ପ୍ରାପ୍ତ ହୋଇଛି । ସମସ୍ତ ସଂଶୟ ଭାବନା ଦୂର ହୋଇଛି; ମୁଁ ଆମେରିକା ଯିବାକୁ ପ୍ରସ୍ତୁତ । କରୁଣାମୟୀ ଜନନୀ ଆଶୀର୍ବାଦ କରିଛନ୍ତି; ଆଉ ଚିନ୍ତା କ’ଣ ?” ଯାତ୍ରାପାଇଁ ପ୍ରସ୍ତୁତ ହେବାବେଳେ ଖେତଡ଼ି ମହାରାଜ ଅଜିତ୍‌ ସିଂହ ଗୁରୁକୃପା ହେତୁ ପୁତ୍ରଲାଭ କରିଥିବାରୁ ଗୁରୁଙ୍କୁ ନେବାପାଇଁ ମୁନ୍‍ସୀ ଜଗମୋହନ ଲାଲ୍‌ଙ୍କୁ ପଠାଇଥିଲେ ଓ ସେ ଆସି ମାନ୍ଦ୍ରାଜରେ ଉପସ୍ଥିତ ହେଲେ । ବହୁ ଅନୁରୋଧ ପରେ ସ୍ଵାମୀଜୀ ଖେତଡ଼ି ଯିବାପାଇଁ ରାଜି ହେଲେ ଓ ବୋମ୍ବାଇ ଠାରୁ ଆମେରିକା ଯାତ୍ରା କରିବାର ସ୍ଥିର ହେଲା ।

 

ଖେତଡ଼ିଠାରେ ନବଜାତକ ଶିଶୁକୁ କଲ୍ୟାଣ କରି ସ୍ଵାମୀଜୀ ବୋମ୍ବାଇ (ବମ୍ବେ) ଅଭିମୁଖେ ଯାତ୍ରା କଲେ । ତାଙ୍କ ସହିତ ଥିଲେ ମୁନ୍‍ସୀ ଜଗମୋହନ ଲାଲ୍‌ । ଆବୁରୋଡ଼ ଷ୍ଟେସନରେ ସେ ଗାଡ଼ିର କମ୍ପାଟ୍‍ମେଣ୍ଟରେ ଜଣେ ବଙ୍ଗାଳୀ ଅନୁରାଗୀଙ୍କ ସହିତ ଆଲୋଚନା କରୁଥିବାବେଳେ ଇଉରୋପିୟାନ୍‌ ଟିକେଟ୍ ଚେକର୍ ସେହି ଭଦ୍ରବ୍ୟକ୍ତିଙ୍କୁ ସେଠାରୁ ଓହ୍ଲାଇଯିବାକୁ କହିଲେ । ସେ ମଧ୍ୟ ରେଳ କର୍ମଚାରୀ ଓ ସେହି କମ୍ପାଟ୍‍ମେଣ୍ଟରେ ଯାତ୍ରା କରି କୌଣସି ଗର୍ହିତ କାର୍ଯ୍ୟ କରୁନାହାନ୍ତି ବୋଲି ଯେତେ ବୁଝାଇଲେ ମଧ୍ୟ ଟିକେଟ୍‌ ଚେକର୍ କୌଣସି କଥା ଶୁଣିଲେ ନାହିଁ । ସ୍ଵାମୀଜୀ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିବାରୁ ସେ ସ୍ଵାମୀଜୀଙ୍କୁ ‘ତୁମ୍‌ କାହେ ବାତ୍‌ କର୍‍ତେ ହୋ ?’ କହି ଧମକ ଦେବାକୁ ଚାହିଁଲେ । ଏହା ଶୁଣି ସ୍ଵାମୀଜୀ ଗର୍ଜିଉଠି କହିଲେ ‘ତୁମ୍‌’ କାହିଁକି କହୁଛ । ଭଦ୍ରତା ଜାଣିନାହଁ ?’ ସାହେବ ଅପ୍ରସ୍ତୁତ ହୋଇ ଇଂରେଜୀରେ କହିଲେ, “ଦୁଃଖିତ । ମୁଁ ଏହି ହିନ୍ଦୀଭାଷା ଭଲ ଭାବରେ ଜାଣି ନ ଥିଲି । ମୁଁ ଖାଲି ଏହି ଲୋକଟିକୁ ………… (I only wanted this man)” ସ୍ଵାମୀଜୀ ଆଉ ସହିପାରିଲେ ନାହିଁ । କଥା ଶେଷ କରିବାକୁ ନ ଦେଇ ସେ ତୀବ୍ର କଣ୍ଠରେ କହିଲେ, ତୁମେ ଏବେ କହିଲ ଯେ ହିନ୍ଦୀ ଭାଷା ଜାଣିନାହଁ । ବର୍ତ୍ତମାନ ଦେଖୁଛି ଯେ ତୁମେ ତୁମର ନିଜ ଭାଷା ମଧ୍ୟ ଭଲ ଜାଣିନାହଁ । ‘ଲୋକଟା’ କହୁଛ କାହାକୁ ? ସେ ଜଣେ ଭଦ୍ର ଲୋକ (Gentleman) । ତାଙ୍କର ଦୁର୍ବ୍ୟବହାର ପାଇଁ ଉପରିସ୍ଥ ଅଫିସରଙ୍କୁ ଜଣାଇବେ ବୋଲି ଧମକ ଦେଲେ । ସାହେବ ଜଣକ ଡରିଯାଇ ଚୁପ୍‌ଚାପ୍‌ ପଳାଇଯାଇଥିଲା ।

 

ସ୍ଵାମୀଜୀ ପରେ ମୁନ୍‍ସୀ ଜଗମୋହନ ଲାଲ୍‍ଙ୍କୁ କହିଥିଲେ, “ୟୁରୋପୀୟମାନଙ୍କ ସହିତ ବ୍ୟବହାରରେ ଆମର କ’ଣ କରିବା ଉଚିତ୍‌ ଦେଖିଲ ତ ? ଏପରି ଆତ୍ମସମ୍ମାନ ଜ୍ଞାନ, ଶିକ୍ଷା ଓ ସଭ୍ୟତାରେ ହିନ୍ଦୁମାନେ ଜଗତର କୌଣସି ଜାତିଠାରୁ ହୀନ ନୁହଁନ୍ତି । କିନ୍ତୁ ସେମାନେ ନିଜକୁ ହୀନ ମନେକରନ୍ତି ବୋଲି ଗୋଟିଏ ସାମାନ୍ୟ ବିଦେଶୀ ମଧ୍ୟ ଆମକୁ ଗୋଇଠାମାରେ ଆଉ ଆମେ ଚୁପ୍‌ଚାପ୍‌ ତାହା ହଜମ୍‌ କରୁ ।”

 

ସେହି ଆବୁରୋଡ଼୍ ଷ୍ଟେସନଠାରେ ଗୁରୁଭାଇ ସ୍ଵାମୀ ତୁରୀୟାନନ୍ଦଙ୍କ (ହରି ମହାରାଜ) ସହିତ ସାକ୍ଷାତ୍‍ ହେଲା । ସ୍ଵାମୀଜୀ ତୁରୀୟାନନ୍ଦଙ୍କୁ କହିଥିଲେ “ହରିଭାଇ ,ମୁଁ ଏବେ ମଧ୍ୟ ତୁମର ତଥାକଥିତ ଧର୍ମର କିଛିହେଲେ ବୁଝିପାରେନାହିଁ । ଏହା କହିବାବେଳେ ସ୍ଵାମୀଜୀଙ୍କ ମୁହଁରେ ବିଷାଦର ଛାୟା ଖେଳିଗଲା । ନିଜ ଛାତିରେ ହାତ ରଖି କହିଲେ “କିନ୍ତୁ ମୋର ହୃଦୟ ଖୁବ୍‌ ବଢ଼ିଯାଇଛି ଏବଂ ମୁଁ ଅନ୍ୟର କଷ୍ଟରେ କଷ୍ଟ ଅନୁଭବ କରିବାକୁ ଶିଖିଛି । ବିଶ୍ଵାସକର, ମୋର ତୀବ୍ର ଦୁଃଖବୋଧ ଜାଗିଛି ।” ଏହା ଶୁଣି ତୁରୀୟାନନ୍ଦ ସ୍ତମ୍ଭିତ ।

 

ସ୍ଵାମୀ ତୁରୀୟାନନ୍ଦ ପରବର୍ତ୍ତୀ ସମୟରେ କହିଥିଲେ, “ଆମେରିକା ଯିବାର ଅବ୍ୟବହିତ ପୂର୍ବରୁ ତାଙ୍କ ମୁଖମଣ୍ଡଳକୁ ଚାହିଁଲେ ଜଣାପଡ଼ୁଥିଲା ତାଙ୍କ ସାଧନା ପୂର୍ଣ୍ଣ ହୋଇଛି ଏବଂ ସେ ମାଷ୍ଟରଙ୍କ ବାର୍ତ୍ତାକୁ ସମଗ୍ର ବିଶ୍ଵ ସମ୍ମୁଖରେ ଉପସ୍ଥିତ କରିବାକୁ ଯାଉଛନ୍ତି ।”

 

ଯାତ୍ରାର ଦିନ କ୍ରମସଃ ନିକଟ ହୋଇ ଆସୁଥାଏ । ମାନ୍ଦ୍ରାଜରୁ ଶିଷ୍ୟ ଆଲସିଙ୍ଗା ଗୁରୁଦର୍ଶନ ଇଚ୍ଛାରେ ଆସି ବୋମ୍ବାଇଠାରେ ଷ୍ଟେସନରେ ହିଁ ସ୍ଵାମୀଜୀଙ୍କ ସହିତ ମିଳିତ ହୋଇଥିଲେ-। ମୁନ୍‍ସୀ ଜଗମୋହନ ସ୍ଵାମୀଜୀଙ୍କ ନିମିତ୍ତ ଜାହାଜରେ ଗୋଟିଏ ପ୍ରଥମ ଶ୍ରେଣୀ କେବିନ୍ ରିଜର୍ଭ କରି ରଖିଥିଲେ ।

 

୧୮୯୩ ମେ ୩୧ ତାରିଖ । ଓରିଏଣ୍ଟ କମ୍ପାନୀ ଜାହାଜ ‘ଦି ପେନିନ୍‌ସୁଲାର’ ବୋମ୍ବାଇ ବନ୍ଦର ପରିତ୍ୟାଗ କଲା । ଅଶ୍ରୁପୂର୍ଣ୍ଣ ଲୋଚନରେ ସାଷ୍ଟାଙ୍ଗପ୍ରଣିପାତ କରି ଶ୍ରୀ ଗୁରୁଦେବଙ୍କୁ ବିଦାୟ ଜଣାଇଲେ ବିଶ୍ଵସ୍ତ ଆଲସିଙ୍ଗା ଓ ମୁନ୍‍ସୀ ଜଗମୋହନ । ଅନେକ ଦୂର ପର୍ଯ୍ୟନ୍ତ ଜାହାଜର ଡେକ୍‌ ଉପରେ ଠିଆ ହୋଇଥିବା ସ୍ଵାମୀଜୀଙ୍କୁ ଚାହିଁ ବିଦାୟ ଜଣାଉଥିଲେ ସେ ଦୁହେଁ ସ୍ଵାମୀଜୀଙ୍କର ଆଶୀର୍ବାଦ ମୁଦ୍ରା ସେମାନଙ୍କ ଆଡ଼କୁ ପ୍ରସାରିତ ହୋଇ ରହିଥିଲା ।

 

“ସର୍ବୋପରି ସକଳ ଧର୍ମ ସତ୍ୟ ଏବଂ ସବୁଗୁଡ଼ିକ ଈଶ୍ଵରୋପଲବ୍‍ଧିର ବିଭିନ୍ନ ଉପାୟ ମାତ୍ର” – ସ୍ଵୀୟ ଆଚାର୍ଯ୍ୟ ଶ୍ରୀ ଶ୍ରୀ ରାମକୃଷ୍ଣଦେବଙ୍କର ଏହି ମୌଳିକ ଉପଦେଶବାଣୀ ସିଂହ ବିକ୍ରମରେ ସଂକୀର୍ଣ୍ଣତା, ଧର୍ମାନ୍ଧତା, ରକ୍ଷଣଶୀଳତା ଓ ଘୃଣା ବିରୋଧରେ ପ୍ରଚାର କରିବା ପାଇଁ ଶ୍ରୀ ଗୁରୁଙ୍କ ମଙ୍ଗଳମୟୀ ଇଚ୍ଛାରେ ଚାଳିତ ହୋଇ ସ୍ଵାମୀଜୀ ଚିକାଗୋ ଅଭିମୁଖେ ଯାତ୍ରା କଲେ ।

 

ଦୂର ଦିଗ୍‌ବଳୟରେ ତାଙ୍କ ପ୍ରିୟ ମାତୃଭୂମିର ଶେଷ ଧୂସର ରେଖାଟି ବିଲୀନ ହୋଇଗଲା ।

Image

 

Unknown

ଆମେରିକା ଯାତ୍ରା

 

ସମୁଦ୍ର ଯାତ୍ରା ଥିଲା କ୍ଲାନ୍ତିକର ଓ ପୀଡ଼ାଦାୟକ । କେବଳ ସମୁଦ୍ରର ନୀଳ-ଜଳରାଶି । ବୋମ୍ବାଇଠାରୁ ଦୀର୍ଘ ଆଠହଜାର ମାଇଲ ରାସ୍ତା । କଲୋମ୍ବୋ, ପେନାଙ୍ଗ, ସିଙ୍ଗାପୁର, ହଂକଂ, କ୍ୟାଣ୍ଟନ, ନାଗାସାକୀ, କୋବ୍‌, ୟକୋହାମା ପରିଦର୍ଶନ କରି ଅବଶେଷରେ ଭାଙ୍କୁଭର୍‍ଠାରେ ପହଞ୍ଚିଲେ । ସେ ଭାଙ୍କୁଭର୍‍ଠାରୁ ଚିକୋଗୋ ଟ୍ରେନ୍‍ଯୋଗେ ଯାତ୍ରା କରିଥିଲେ । ଜାହାଜ ଯେଉଁ ଯେଉଁ ସ୍ଥାନରେ ରହୁଥିଲା, ସେ ସେହି ସ୍ଥାନମାନଙ୍କୁ ଦେଖିବା ସହିତ ସେଠାକାର ଲୋକମାନଙ୍କ ସମ୍ପର୍କରେ ଅନୁଧ୍ୟାନ କରୁଥିଲେ ଓ ରୀତିନୀତି ବିଷୟରେ ବୁଝୁଥିଲେ । ସେ ଜାପାନୀ ଲୋକମାନଙ୍କର ପରିଷ୍କାରପରିଛନ୍ନତା, ଦେଶାତ୍ମବୋଧ ଓ ସ୍ଵାବଲମ୍ବନଶୀଳତା ଦେଖି ପ୍ରୀତ ହୋଇଥିଲେ ଏବଂ ଏ ସମ୍ପର୍କରେ ମାନ୍ଦ୍ରାଜର ଶିଷ୍ୟମାନଙ୍କୁ ଆଲସିଙ୍ଗାଙ୍କ ମାଧ୍ୟମରେ ଏକ ପତ୍ର ପଠାଇଥିଲେ । ସେହି ଚିଠିରେ ସ୍ଵାମୀଜୀ ଲେଖିଥିଲେ, “ସାରା ଜୀବନ ଖାଲି ବାଜେ କଥା କହୁଛ । ଆସ, ଏମାନଙ୍କୁ ଦେଖିଯାଅ; ତା’ ପରେ ଘରକୁ ଯାଇ ଲଜ୍ଜାରେ ମୁହଁ ଲୁଚାଅ । ତୁମ୍ଭେମାନେ ଦେଶଛାଡ଼ି ବାହାରକୁ ଗଲେ ଜାତି ଚାଲିଯାଏ । ଏହି ହଜାର ବର୍ଷର କୁସଂସ୍କାର ମୁଣ୍ଡରେ ଧରିବସିଛ-। ହଜାରେ ବର୍ଷ ହେଲା ଖାଦ୍ୟଅଖାଦ୍ୟର ଶୁଦ୍ଧିଅଶୁଦ୍ଧି ବିଚାର କରି ଶକ୍ତି କ୍ଷୟ କରୁଛ । ପୌରୋହିତ୍ୟ ରୂପକ ଅହମିକାର ଗଭୀର ଘୂର୍ଣ୍ଣିରେ ଭଉଁରୀ ବୁଲୁଛ । ସାମାଜିକ ଅତ୍ୟାଚାର ତୁମ୍ଭମାନଙ୍କର ମନୁଷ୍ୟତ୍ଵକୁ ନଷ୍ଟ କରି ଦେଉଛି ।” ପୁନରାୟ ଯୁବକମାନଙ୍କୁ ଆହ୍ଵାନ କରି ଲେଖିଥିଲେ, ‘ଆସ, ମଣିଷ ହୁଅ । ନିଜ ସଂକୀର୍ଣ୍ଣ ଗର୍ତ୍ତ ମଧ୍ୟରୁ ବାହାରିଆସି ବିଦେଶକୁ ଯାଇ ଦେଖ ସବୁ ଜାତି କିପରି ଉନ୍ନତି ପଥରେ ଚାଲିଛନ୍ତି । ତୁମେ କ’ଣ ମନୁଷ୍ୟକୁ ଭଲପାଅ ? ତୁମେ କ’ଣ ଦେଶକୁ ଭଲପାଅ ? ତାହାହେଲେ ଆସ ଆମେ ଭଲହେବା ପାଇଁ ପ୍ରାଣପଣେ ଚେଷ୍ଟା କରିବା । ପଛକୁ ଚାହଁନାହିଁ – ଅତି ପ୍ରିୟ ଆତ୍ମୀୟସ୍ଵଜନ କାନ୍ଦନ୍ତୁ ପଛକେ, ପଛକୁ ଚାହଁନା – ସାମନାକୁ ଆଗେଇଆସ । ଭାରତମାତା ଅନ୍ତତଃ ଏହିପରି ସହସ୍ର ଯୁବକଙ୍କର ବଳି ଚାହାଁନ୍ତି । ମନେରଖ – ମଣିଷ ଚାହାଁନ୍ତି, ପଶୁ ନୁହେଁ । ଜାହାଜରେ ଯାତ୍ରା କରିବା ସମୟରେ ଜାମସେଦ୍‍ଜୀ ଟାଟାଙ୍କ ସହିତ ତାଙ୍କର ସାକ୍ଷାତ୍‍ ହୋଇଥିଲା ଏବଂ ସ୍ଵାମୀଜୀ ତାଙ୍କୁ ଭାରତରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରବୁଦ୍ଧ କରିଥିଲେ ।

 

ଜାହାଜରେ ଯାତ୍ରା କରିବା ସମୟରେ ସେ ଥଣ୍ଡାଯୋଗୁ କଷ୍ଟ ଅନୁଭବ କରିଥିଲେ । ଚିକାଗୋରେ ପହଞ୍ଚି ଜାଣିବାକୁ ପାଇଲେ ଧର୍ମ ମହାସଭା ବସିବାକୁ ଡେରିଅଛି । ସେଥିରେ ପ୍ରତିନିଧି ହେବାର ସମୟ ମଧ୍ୟ ଉତ୍ତୀର୍ଣ୍ଣ । ଯେଉଁମାନଙ୍କ ପାଖରେ ପ୍ରତିନିଧି ହେବା ପାଇଁ ପରିଚୟପତ୍ର ନାହିଁ, ସେମାନେ ପ୍ରତିନିଧିଭାବରେ ସ୍ଥାନ ପାଇପାରିବେ ନାହିଁ । କ’ଣ କରିବେ ଏହି ଦୋଦୁଲ୍ୟମାନ ଚିନ୍ତାରେ ସେ ସବୁକିଛି ଭଗବାନଙ୍କ ମଙ୍ଗଳମୟ ହସ୍ତରେ ଅର୍ପଣ କଲେ । ଆମେରିକାର ଜୀବନଯାତ୍ରା ଅଧିକ ବ୍ୟୟବହୁଳ ଏବଂ କ୍ରମଶଃ ତାଙ୍କ ନିକଟରୁ ଅର୍ଥ ସରିସରି ଆସୁଥାଏ । ସେ ଚିକାଗୋରେ ପହଞ୍ଚି ପ୍ରଦର୍ଶନୀ ପଡ଼ିଆକୁ ବୁଲିଯାଇଥିଲେ । ସେଠାରେ ସେ ଏକ ନୂତନ ପୃଥିବୀକୁ ଦେଖିବାକୁ ପାଇଲେ । ସେ ପାଶ୍ଚତ୍ୟ ସଭ୍ୟତା ସମ୍ପର୍କରେ ଅବଗତ ହେବାବେଳେ ଦେଖିଲେ ଯେ ଶକ୍ତି, ସାମର୍ଥ୍ୟ ଓ କାର୍ଯ୍ୟଦକ୍ଷତା ସହିତ ନୈତିକ ମୁଲ୍ୟବୋଧର କୌଣସି ସଂପର୍କ ନାହିଁ ।

 

ଚିକାଗୋରେ ଦୀର୍ଘଦିନ ଧରି ରହିପାରିବାର ଅସମର୍ଥତା ଅନୁଭବ କରି ସେ ସେହି ସ୍ଥାନ ପରିତ୍ୟାଗପୂର୍ବକ ବୋଷ୍ଟନ ଅଭିମୁଖେ ଯାତ୍ରାକଲେ । ଟ୍ରେନ୍‍ରେ ତାଙ୍କର ଜଣେ ସହଯାତ୍ରିଣୀ ମିସ୍‌ ସାନବର୍ଣ୍ଣ ତାଙ୍କୁ ମେଟ୍‍କାଫ୍‍ରେ ରହିବାକୁ ଅନୁରୋଧ କଲେ । ସ୍ଵାମୀଜୀ ତାଙ୍କ ସହିତ ଆସି ତାଙ୍କର ବଗିଚାଘର ‘ବ୍ରିଜ୍‌ ମେଡୋଜ୍‌’ରେ ଅବସ୍ଥାନ କଲେ । ସେଠାରେ ରହିବା ସମୟରେ ସ୍ଵାମୀଜୀ ଆଲସିଙ୍ଗାଙ୍କୁ ଲେଖିଥିଲେ, “ଏଠାକୁ ଆସିବା ପୂର୍ବରୁ ଯେଉଁସବୁ ସୁନେଲୀ ସ୍ଵପ୍ନ ଦେଖୁଥିଲି ତାହା ଭାଙ୍ଗିଯାଇଛି । ବର୍ତ୍ତମାନ ଅସମ୍ଭବ ସହିତ ଯୁଦ୍ଧ କରିବାକୁ ହେଉଛି । ବହୁଥର ଭାବୁଛି, ଏ ଦେଶ ଛାଡ଼ି ଚାଲିଯିବି କିନ୍ତୁ ପୁଣି ଭାବେ, ନାଁ, ମୁଁ ଭଗବାନଙ୍କର ଆଦେଶ ପାଇଛି । ମୋ ଦୃଷ୍ଟିରେ କୌଣସି ପଥ ଦେଖାଯାଉ ନାହିଁ; କିନ୍ତୁ ତାଙ୍କ ଚକ୍ଷୁ ତ ସବୁ ଦେଖୁଛି । ମରେ କି ବଞ୍ଚେ ମୋର ଉଦ୍ଦେଶ୍ୟ ଭୁଲିବି ନାହିଁ ।”

 

ସେତେବେଳେ ମଧ୍ୟ ତାଙ୍କ ହୃଦୟରେ ଭାରତର ଅଗଣିତ ଦରିଦ୍ର, ନିଷ୍ପେଷିତ, କୁସଂସ୍କାରରେ ନିପୀଡ଼ିତ ଲୋକଙ୍କ ଅବସ୍ଥା ଚକ୍ଷୁ ସମ୍ମୁଖରେ ଉଦ୍‌ଭାସିତ ହୋଇଉଠୁଥିଲା । ସେ ମାନ୍ଦ୍ରାଜର ଶିଷ୍ୟମାନଙ୍କୁ ଲେଖିଥିଲେ, “ବତ୍ସ, ସାହସ ଅବଲମ୍ବନ କର । ଭଗବାନଙ୍କର ଇଚ୍ଛାରେ ଆମମାନଙ୍କ ଦ୍ଵାରା ମହତ୍ କାର୍ଯ୍ୟ ସମ୍ପନ୍ନ ହେବ । ବିଶ୍ଵାସ କର, ଆମ୍ଭେମାନେ ହିଁ ଏହି ମହତ୍‍ କାର୍ଯ୍ୟ କରିବା । ଆମେ ଦରିଦ୍ର, ଲୋକମାନେ ଆମକୁ ଘୃଣା କରନ୍ତି କିନ୍ତୁ ଆମେ ଲୋକମାନଙ୍କର ଦୁଃଖ ପ୍ରାଣେ ପ୍ରାଣେ ବୁଝିଛୁ ।”

 

“ମୁଁ ବାରବର୍ଷ ହୃଦୟରେ ଏହି ଭାରନେଇ ଓ ମୁଣ୍ଡରେ ଏହି ଚିନ୍ତା ନେଇ ବୁଲୁଛି । ମୁଁ ତଥାକଥିତ ଅନେକ ଧନୀ ଓ ବଡ଼ଲୋକଙ୍କର ଦ୍ଵାରେ ଦ୍ଵାରେ ବୁଲୁଛି; ସେମାନେ କେବଳ ମୋତେ ଜୁଆଚୋର ଭାବିଛନ୍ତି, ହୃଦୟର ରକ୍ତ ନିଗାଡ଼ି ମୁଁ ଅର୍ଦ୍ଧେକ ପୃଥିବୀ ଅତିକ୍ରମ କରି ଏହି ବିଦେଶରେ ସାହାଯ୍ୟପ୍ରାର୍ଥୀ ହୋଇ ଉପସ୍ଥିତ ହୋଇଛି । …… ମୁଁ ଏହି ଦେଶରେ ଅନାହାରରେ ବା ଶୀତରେ ମରିପାରେ । କିନ୍ତୁ ମୋର ମାନ୍ଦ୍ରାଜବାସୀ ଯୁବକଗଣ, ତୁମ୍ଭମାନଙ୍କର ନିକଟରେ ଏହି ଗରିବ, ଆଜ୍ଞ, ଅତ୍ୟାଚାର ପ୍ରପୀଡ଼ିତମାନଙ୍କ ପାଇଁ ଏହି ସହାନୁଭୂତି, ଏହି ପ୍ରାଣପଣ ଚେଷ୍ଟା ଦାୟସ୍ଵରୂପ ଅର୍ପଣ କରୁଛି । …… ତୁମ୍ଭେମାନେ ସାରା ଜୀବନ ଏହି ତିରିଶ କୋଟି ଭାରତବାସୀଙ୍କ ଉଦ୍ଧାର ପାଇଁ ବ୍ରତ ଗ୍ରହଣ କର, ଯେଉଁମାନେ ଦିନକୁ ଦିନ ବୁଡ଼ିଯାଉଛନ୍ତି । ଦୃଢ଼ବିଶ୍ଵାସ, ଗଭୀର ସହାନୁଭୂତି । ଜୟ ପ୍ରଭୁ ଜୟ । ତୁଚ୍ଛ ଜୀବନ …… ତୁଚ୍ଛ ମରଣ …… ତୁଚ୍ଛ କ୍ଷୁଧା …… ତୁଚ୍ଛ ତୃଷ୍ଣା । …… ଅଗ୍ରସର ହୁଅ, ପଛକୁ ଚାହଁ ନାହିଁ । କିଏ ପଡ଼ିଲା ଦେଖିବାକୁ ଯାଅ ନାହିଁ ।”

 

ଯେଉଁ ବ୍ୟକ୍ତିଙ୍କ ନିକଟରୁ ଏହିପରି ଉତ୍ସାହପ୍ରଦ ବାଣୀ ଓ ଈଶ୍ଵରଙ୍କ ପ୍ରତି ଅକୁଣ୍ଠ ଶରଣାଗତ ହୋଇ କାର୍ଯ୍ୟ କରିବାର ଉପଦେଶ ମିଳୁଥିଲା, ସେ କପର୍ଦ୍ଦକଶୂନ୍ୟ ହୋଇ କ୍ଷୁଧାର୍ତ୍ତ ଓ ସ୍ଵଳ୍ପ ପୋଷାକ ଫଳରେ ଜଳବାୟୁଜନିତ ଦୁର୍ଦ୍ଦଶା ଭୋଗ କରୁଥିଲେ । ଆଲସିଙ୍ଗାଗଙ୍କୁ ଲେଖିଥିଲେ, “ଏତେ ସଂଗ୍ରାମ ପରେ, ଏତେ ଶୀଘ୍ର ମୁଁ ଆଶା ପରିତ୍ୟାଗ କରିପାରୁନାହିଁ । ତୁମେ ଯେତେଦୂର ପାରିବ, ମୋତେ ସାହାଯ୍ୟ କରିବାକୁ ଚେଷ୍ଟାକର ।”

 

ମିସ୍‌ ସାନବର୍ଣ୍ଣଙ୍କ ଅନୁରୋଧକ୍ରମେ ବୋଷ୍ଟନଠାରେ ରହିବା ଫଳରେ ତାଙ୍କର ଖର୍ଚ୍ଚ ଅନେକାଂଶରେ କମିଗଲା । ସେ ତାଙ୍କ ଘରେ ରହିବା ସମୟରେ ହାଭାର୍ଡ ବିଶ୍ଵବିଦ୍ୟାଳରେ ପ୍ରଖ୍ୟାତନାମା ଗ୍ରୀକ୍‌ଭାଷା ପ୍ରଫେସର୍‍ମିଃ. ଜେ. ଏଚ୍. ରାଇଟ୍‍ଙ୍କ ସହିତ ସାକ୍ଷାତ୍‍ ହେଲା । ସେମାନଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହେବା ପରେ ସ୍ଵାମୀଜୀଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ ହୋଇ ସେ କହିଲେ, “ଆପଣ ଚିକାଗୋ ଧର୍ମ-ମହାସଭାକୁ ହିନ୍ଦୁଧର୍ମର ପ୍ରତିନିଧିତ୍ଵରୂପେ ଯାଆନ୍ତୁ; ତାହାହେଲେ ବେଦାନ୍ତ ପ୍ରଚାର କାର୍ଯ୍ୟରେ ଅଧିକତର ସାଫ୍ୟଲ୍ୟ ଲାଭ କରିବେ ।” ଏହା ଶୁଣି ସ୍ଵାମୀଜୀ ତାଙ୍କର ପ୍ରକୃତ ଅସୁବିଧା ବର୍ଣ୍ଣନା କଲେ । ପ୍ରଫେସର୍‌ ଆଶ୍ଚର୍ଯ୍ୟ ହୋଇ କହିଲେ, “ସ୍ଵାମୀଜୀ ! ଆପଣଙ୍କୁ ପରିଚୟପତ୍ର ମାଗିବା ଯାହା, ସୂର୍ଯ୍ୟଙ୍କୁ ଆଲୋକ ଦେବା ଅଧିକାର ସାବ୍ୟସ୍ତ କରିବାକୁ କହିବା ଠିକ୍‌ ସେଇଆ ।” ମିଃ ରାଇଟ୍‌ ତତ୍‌କ୍ଷଣାତ୍‌ ଧର୍ମ ମହାସଭା ସହିତ ସଂଶ୍ଳିଷ୍ଟ ତାଙ୍କର ବନ୍ଧୁ ମିଃ ବନି ସାହେବ (ମିଃ ଚାର୍ଲସ କବି) ଙ୍କୁ ଏକ ପତ୍ରରେ ସ୍ଵାମୀଜୀଙ୍କ କଥା ଜଣାଇଲେ-। ଏହି ପତ୍ରରେ ସେ ଲେଖିଥିଲେ, “ଏହି ବ୍ୟକ୍ତିଙ୍କର ପାଣ୍ଡିତ୍ୟ ଆମ ଦେଶର ସମସ୍ତ ଶିକ୍ଷିତ ବ୍ୟକ୍ତିଙ୍କର ସମବେତ ପାଣ୍ଡିତ୍ୟ ଅପେକ୍ଷା ବେଶୀ ।” ସେ ସ୍ଵାମୀଜୀଙ୍କ ହସ୍ତରେ ପ୍ରତିନିଧି ନିର୍ବାଚନସଭାର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଆଉ କେତେଗୁଡ଼ିଏ ପତ୍ରଦେଲେ ।

 

ମନରେ ଅପୂର୍ବ ଉତ୍ସାହ ଓ ଆନନ୍ଦ ନେଇ ସ୍ଵାମୀଜୀ ବୋଷ୍ଟନରୁ ଚିକାଗୋ ଅଭିମୁଖେ ଯାତ୍ରା କଲେ । ଚିକାଗୋ ରେଳଷ୍ଟେସନରେ ଓହ୍ଲାଇବାମାତ୍ରେ ତାଙ୍କର ସମସ୍ତ ଆନନ୍ଦ କ୍ଷଣକ ମଧ୍ୟେ ଉଭେଇଗଲା । ପ୍ରଫେସର୍ ରାଇଟ୍‍ଙ୍କ ପ୍ରଦତ୍ତ ସମସ୍ତ କାଗଜ ସେ ହଜାଇଦେଇଥିଲେ । ଏହି ବିରାଟ ସହରରେ ଡକ୍ଟର ବ୍ୟାରୋଜଙ୍କ ଠିକଣା ଖୋଜି ପାଇବା ଥିଲା ଦୁଃସାଧ୍ୟ । ପଥଚାରୀମାନେ ତାଙ୍କୁ ନିଗ୍ରୋ ଭାବି ଘୃଣାରେ ତାଙ୍କ ନିକଟରୁ ମୁହଁ ଫେରାଇ ଚାଲିଗଲେ । ଏପରିକି ରାତିରେ କେଉଁଠାରେ ରହିବେ, ହୋଟେଲ କେଉଁଠି ତାହା ଜାଣି ନପରି, ରେଳଷ୍ଟେସନ ନିକଟସ୍ଥ ମାଲଗୋଦାମ ସମ୍ମୁଖରେ ପଡ଼ିଥିବା ଗୋଟିଏ ପ୍ରକାଣ୍ଡ ‘ପ୍ୟାକିଙ୍ଗକେସ୍‌’ ଭିତରେ ରାତ୍ରି କଟାଇବାକୁ ସ୍ଥିର କରି, ତାହା ଭିତରେ ପ୍ରବେଶ କଲେ ।

 

ସକାଳ ହେଲା । ସୂର୍ଯ୍ୟ ଉଦୟ ହେଲେ । ପୁଣି ଥରେ ମନରେ ଆଶା ଓ ଉତ୍ସାହ । ସମ୍ମିଳନୀର ସ୍ଥାନ ପାଇଯିବେ ବୋଲି ନୂତନ ଉତ୍ସାହରେ ଚିକାଗୋ ସହରର ପ୍ରଶସ୍ତ ଆଭିଜାତ୍ୟସମ୍ପନ୍ନ ରାସ୍ତାରେ ଚାଲିବାକୁ ଲାଗିଲେ । କିନ୍ତୁ ବିଧିର ଗତି ବିଚିତ୍ର । ତାଙ୍କର ଅପରିଷ୍କାର ପୋଷାକ, କ୍ଷୁଧା ଓ କ୍ଲାନ୍ତିରେ ଅବସନ୍ନ ଚେହେରାକୁ ଦେଖି ସମସ୍ତେ ଦୁଆର କବାଟ ବନ୍ଦ କରିଦେଲେ । ଚାଲି ଚାଲି କ୍ଷୁଧାରେ କ୍ଲାନ୍ତ ହୋଇ ସେ ଆଉ ଆଗକୁ ପାଦ ପକାଇପାରିଲେ ନାହିଁ । ଶ୍ରାନ୍ତ, କ୍ଲାନ୍ତ ଓ ଅବସନ୍ନ ଦେହରେ ରାସ୍ତାକଡ଼ରେ ବସି ରହି ଶ୍ରୀଗୁରୁଙ୍କୁ ସ୍ମରଣ କରି ଧ୍ୟାନସ୍ଥ ହେଲେ-। ମୁଖମଣ୍ଡଳରେ ପ୍ରଶାନ୍ତି ବିରାଜମାନ କରୁଥିଲା ।

 

ସହସା ତାଙ୍କ ସମ୍ମୁଖରେ ଥିବା ସୁବୃହତ ପ୍ରାସାଦର ଦ୍ଵାର ଉନ୍ମୁକ୍ତ କରି ଜଣେ ଅପୂର୍ବ ସୁନ୍ଦରୀ ମହିଳା ବିରାଜମାନ କଲେ ଓ ସ୍ଵାମୀଜୀଙ୍କ ନିକଟକୁ ଆସି ଧୀରେ ଧୀରେ ମଧୁର ସ୍ଵରରେ ପଚାରିଲେ, “ମହାଶୟ ! ଆପଣ କ’ଣ ଧର୍ମମହାସଭାର ଜଣେ ପ୍ରତିନିଧି ?” ବିସ୍ମୟରେ ଚାହିଁରହି ସ୍ଵାମୀଜୀ ସଂକ୍ଷେପରେ ନିଜର ଦୁରବସ୍ଥା ସଂପର୍କରେ ବର୍ଣ୍ଣନା କଲେ ଏବଂ ମିଃ ବ୍ୟାରୋଜ ସାହେବଙ୍କ ଅଫିସ ଠିକଣା ହଜାଇ ସେ କିପରି ପ୍ରଭୁଙ୍କ ଇଚ୍ଛା ଉପରେ ସବୁକିଛି ଛାଡ଼ିଦେଇ ସେଠାରେ ବସିଛନ୍ତି ତାହା କହିଲେ । ସେହି ଦୟାର୍ଦ୍ର ହୃଦୟା ମହିଳା ଥିଲେ ମିସେସ୍‌ ଜର୍ଜ ଡବ୍‌ଲ୍ୟୁ ହେଲ୍‌। ସେ ସ୍ଵାମୀଜୀଙ୍କୁ ନିଜ ଘରକୁ ନେଇଯାଇ ଭୃତ୍ୟବର୍ଗଙ୍କୁ ତାଙ୍କର ଯଥୋଚିତ ସେବା କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ ପ୍ରାତଃ ଭୋଜନ ଶେଷ ହେବାପରେ ସେ ନିଜେ ସ୍ଵାମୀଜୀଙ୍କୁ ଧର୍ମ ସଭାକୁ ନେଇଯିବେ ବୋଲି କହିଲେ ।

 

ସ୍ଵାମୀଜୀଙ୍କ ଜୀବନର ଆଉ ଏକ ବୈଚିତ୍ର୍ୟପୂର୍ଣ୍ଣ ଅଧ୍ୟାୟର ପରିସମାପ୍ତି ହେଲା ।

Image

 

ଧର୍ମ ମହାସମ୍ମେଳନ

 

ସମଗ୍ର ବିଶ୍ଵ କ୍ଷମତା ବଳୟରେ ଆମେରିକାର ନିଜକୁ ପ୍ରତିଷ୍ଠିତ କରିବାର ସଂକଳ୍ପ ନେଇ ଉତ୍ସବାଦିଅନୁଷ୍ଠାନ କରି ପ୍ରତିପତ୍ତି ଦେଖାଇବାର ପ୍ରବୃତ୍ତି ଜାଗ୍ରତ ହେଲା । କଲମ୍ବସ୍‍ଙ୍କର ଆମେରିକା ଆବିଷ୍କାର କରିବାରେ ଚାରିଶହ ବର୍ଷ ପୂର୍ତ୍ତି ଏହି ଉତ୍ସବ ପାଳନରେ ଖୋରାକ ଯୋଗାଇଲା । ଚିକାଗୋ ସହରର ନାଗରିକମାନେ କଲମ୍ବସ୍‍ଙ୍କର ଆବିଷ୍କାର ପାଇଁ ଏକ ବିଶ୍ଵ ବାଣିଜ୍ୟ ମେଳାକରି ସେଥିରେ ବିଶ୍ଵ ବାଣିଜ୍ୟ ସଂପ୍ରଦାୟ ଯୋଗଦେବାକୁ ନିମନ୍ତ୍ରଣ କରିବା ପାଇଁ ସ୍ଥିର କଲେ । ସେହି ସମୟରେ ନ୍ୟୁୟର୍କ ପରେ ଚିକାଗୋ ଥିଲା ସର୍ବବୃହତ ଏବଂ ସବୁଠାରୁ ବଡ଼ ରେଳକେନ୍ଦ୍ର ସେଠାରେ ଅବସ୍ଥିତ ଥିଲା । କଲମ୍ବସ୍‍ପ୍ରଦର୍ଶନୀ ଏବଂ ବାଣିଜ୍ୟ ମେଳା ସବୁଠାରୁ ଧନୀରାଷ୍ଟ୍ରଦ୍ଵାରା ଅନୁଷ୍ଠିତ ହୋଇ ବିଶ୍ଵ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସଙ୍ଗଠକମାନେ ସ୍ଥିର କରିଥିଲେ-। ବିଶିଷ୍ଟ ଆଇନ୍‍ଜୀବୀ ଓ ସମାଜସେବୀ ମିଷ୍ଟର ଚାର୍ଲସ ବନିଙ୍କ ପ୍ରସ୍ତାବ ଅନୁସାରେ ସଙ୍ଗଠକମାନେ ମାନବର ବସ୍ତୁଗତ ପ୍ରଗତି ପରିବର୍ତ୍ତେ ମାନବିକ ଚିନ୍ତାଧାରାର ପ୍ରଗତି ଏଥିରେ ସ୍ଥାନ ପାଇବ ବୋଲି ଗ୍ରହଣ କଲେ । ଏହି ବିଶ୍ଵ କଂଗ୍ରେସରେ ବିଭିନ୍ନ ବିଷୟବସ୍ତୁ ମଧ୍ୟରେ ‘ଧର୍ମ’ ଏକ ବିଷୟବସ୍ତୁ ଭାବରେ ସ୍ଥାନ ପାଇଥିଲା ଏବଂ ଧର୍ମ ମହାସମ୍ମେଳନ ଅନୁଷ୍ଠିତ କରି ବିଶ୍ଵର ବିଭିନ୍ନ ଧର୍ମର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଗଲା ।

 

ଚିକାଗୋ ଚର୍ଚ୍ଚର ଧର୍ମଯାଚକ ରିଭୟର୍ଡ଼୍‍ ଜନ୍‌ ହେନେରୀ ବରୋଜ୍ ସାଧାରଣ କମିଟିରେ ଚେୟାରମ୍ୟାନ୍ ହେଲେ । ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମିଃ ବନି କହିଥିଲେ, “ମୁଁ ମୋର ଯୁବାବସ୍ଥାରୁ ବିଶ୍ଵର ବିଭିନ୍ନ ଧର୍ମ ସମ୍ପର୍କରେ ଅବଗତ ହୋଇଥିଲି ଏବଂ ପରବର୍ତ୍ତୀ ସମୟରେ ବହୁ ଚର୍ଚ୍ଚର ନେତୃମଣ୍ଡଳୀଙ୍କ ସହିତ ଐକାନ୍ତିକ ସମ୍ପର୍କରେ ଗଢ଼ିଉଠିଥିଲା । ମୋର ବିଶ୍ଵାସ ହେଲା ଯେ ଯଦି ବିଶ୍ଵର ବିଭିନ୍ନ ଧର୍ମକୁ ଏକାଠି କରି ବନ୍ଧୁତ୍ଵପୂର୍ଣ୍ଣଭାବେ ଆଲୋଚନା କରାଯାଇପାରେ; ତେବେ ସେମାନଙ୍କ ଭିତରେ ଅନେକ ସାମଞ୍ଜସ୍ୟର ଅର୍ଥ ମିଳିବ ଏବଂ ଆଗାମୀ ଦିନମାନଙ୍କରେ ଈଶ୍ଵର ଓ ମନୁଷ୍ୟର ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଭିତରେ ସହଯୋଗର ବାତାବରଣରେ ବୃଦ୍ଧି ଘଟିବ ।”

 

ସଭାପତି ମିଃ ବନିଙ୍କର ଉଦ୍ଦେଶ୍ୟ ମହତ୍‌ ହୋଇଥିଲେ ମଧ୍ୟ ଏହି ମହାସମ୍ମେଳନର ଉଦ୍ଦେଶ୍ୟ ଥିଲା ‘ନିଜ ଧର୍ମର ପ୍ରାଧାନ୍ୟ ଦେଖାଇବା ’ଏବଂ ସେମାନଙ୍କର ଆତ୍ମପ୍ରତ୍ୟୟ ଥିଲା ଯେ ଖ୍ରୀଷ୍ଟଧର୍ମ ବିଶ୍ଵର ଶ୍ରେଷ୍ଠଧର୍ମ ହେବ । ଧର୍ମ ମହାସମ୍ମେଳନ ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜ ନିଜର ପ୍ରତିନିଧି ପ୍ରେରଣର ବ୍ୟବସ୍ଥା ହୋଇଥାଏ । ସେହି ଧର୍ମ ମହାସମ୍ମେଳନରେ ଅନେକ ବିସପ୍‌, ଆର୍ଚବିସପ୍‌, କ୍ୟାଡ଼ିନାଲ ଯୋଗଦେବାବେଳେ ଅନେକ ଧର୍ମତତ୍ତ୍ଵାଧିକାରୀ ଓ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଶାସ୍ତ୍ରଜ୍ଞମାନେ ଯୋଗ ଦେଇଥିଲେ । ପ୍ରତ୍ୟେକଦିନର ଦର୍ଶକ ପ୍ରାୟ ଛଅ ହଜାରରୁ ଦଶହଜାର ଥିଲା ।

 

୧୧ ସେପ୍‌ଟେମ୍ବର ୧୮୯୩ । ଧର୍ମ ମହାସମ୍ମେଳନ ଆରମ୍ଭ ହେଲା । ମିଚିଗାନ୍ ଆଭେନ୍ୟୁଠାରେ ଅବସ୍ଥିତ ଆର୍ଟ ଇନ୍‍ଷ୍ଟିଚ୍ୟୁଟ ବିଲଡିଂରେ ଏହା ଆରମ୍ଭ ହେଲା । ଏହି ଆର୍ଟ ଇନ୍‍ଷ୍ଟିଚ୍ୟୁଟରେ ଅନେକ ତୈଳଚିତ୍ର, ବ୍ରୋଞ୍ଜ ମୂର୍ତ୍ତି, ଶିଳା ଖୋଦିତ ମୂର୍ତ୍ତି ଓ ବହୁ ବିଧ କଳା ସାମଗ୍ରୀର ସମାହାର ହୋଇ ଏକ ବର୍ଣ୍ଣାଢ଼୍ୟ ପରିପ୍ରକାଶ ଘଟିଥିଲା । ନିର୍ଦ୍ଦିଷ୍ଟ ସମୟର ବହୁପୂର୍ବରୁ କଲମ୍ବସ୍‍ ହଲ୍‌ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଆଗତ ଶ୍ରୋତୃ-ମଣ୍ଡଳୀ ଦ୍ଵାରା ପୂର୍ଣ୍ଣ ହୋଇଯାଇଥିଲା । ବିଭିନ୍ନ ଜାତିର ଉଡ଼୍‍ଡ଼ୀୟମାନ ପତାକା ତଳେ ବିଶାଳ ଜନତାର ଉଲ୍ଲାସ ଧ୍ଵନି ମଧ୍ୟରେ ବିଭିନ୍ନ ବାରଟି ଧର୍ମର ପ୍ରତିନିଧିଗଣ ହାତ ଧରାଧରି ହୋଇ ଆଗେଇ ଆସିଲେ । କେନ୍ଦ୍ରସ୍ଥଳରେ ଆସୀନ ହେଲେ ମାର୍କିନୀ ଯୁକ୍ତରାଷ୍ଟ୍ର ଗୀର୍ଜାର ପ୍ରଧାନଯାଜକ କାର୍ଡ଼ିନାଲ ଗିବନ୍‍ସ୍‍ । ତାଙ୍କର ଉଜ୍ଜ୍ୱଳ ରକ୍ତବର୍ଣ୍ଣ ପୋଷାକ ସମତୁଲ୍ୟ ପୋଷାକରେ ଭୂଷିତ ହୋଇ ପ୍ରାଚ୍ୟ ପ୍ରତିନିଧିଗଣ ତାଙ୍କର ଉଭୟ ପାର୍ଶ୍ଵରେ ଉପବିଷ୍ଟ କରିଥିଲେ । ବ୍ରାହ୍ମ, ବୌଦ୍ଧ ଓ ଇସ୍‌ଲାମ୍‍ ଧର୍ମାନୁରାଗୀଙ୍କ ମଧ୍ୟରେ ମନୋରମ ଉଜ୍ଜ୍ଵଳ ରକ୍ତିମ ପୋଷାକ ପରିହିତ ବାଗ୍ମୀ ସନ୍ନ୍ୟାସୀ ହରିଦ୍ରାବର୍ଣ୍ଣର ବୃହତ ଉର୍ଷ୍ଣୀଷଭୂଷିତ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ । ତାଙ୍କ ପାର୍ଶ୍ଵରେ ପୀତ, ଲୋହିତ, ଓ ଶୁଭ୍ର ବେଶଭୂଷାରେ ସଜ୍ଜିତ ଭାରତର ଏକେଶ୍ଵରବାଦୀ ବା ବ୍ରାହ୍ମ ସମାଜର ବି. ବି. ନାଗରକର, ସିଂହଳର ବୌଦ୍ଧପଣ୍ଡିତ ଧର୍ମପାଳ ଓ ପ୍ରତାପଚନ୍ଦ୍ର ମଜୁମଦାର ଉପବେଶନ କଲାବେଳେ ତାଙ୍କ ନିକଟରେ ଜୈନମାନଙ୍କର ପ୍ରତିନିଧି ବୀର ଚାନ୍ଦ ଗାନ୍ଧୀ ଓ ବ୍ରାହ୍ମମାନଙ୍କର ପ୍ରତିନିଧି ଜ୍ଞାନଚାନ୍ଦ ମଜୁମଦାର ଓ ଆନିବେସାନ୍ତ ଉପସ୍ଥିତ ଥିଲେ ।

 

ଜାପାନ ଓ ଚୀନ୍‍ର ଖ୍ୟାତନାମା ବ୍ୟକ୍ତିଗଣ ରେଶମ ନିର୍ମିତ ଉଜ୍ଜ୍ଵଳ ଓ ମୁଲ୍ୟବାନ ବେଶରେ ବୌଦ୍ଧଧର୍ମ, ତାଓ-ଧର୍ମ, କନ୍‌ଫୁସିଅସ୍‍ଙ୍କ ମତ ଓ ଶିଣ୍ଟୋଧର୍ମର ପ୍ରତିନିଧିତ୍ଵ କରୁଥିଲେ । ଗ୍ରୀକ୍‌ ଧର୍ମଯାଜକ ଜାନ୍ତେର ଓ ଆଫ୍ରିକାର ମେଥଡିଷ୍ଟ ଚର୍ଚ୍ଚର ଧର୍ମଯାଜକ ଆର୍ନେଟଙ୍କ ପଶ୍ଚାତ୍‍ରେ ପ୍ରୋଟେଷ୍ଟାଣ୍ଟ ପ୍ରତିନିଧି ଓ ନିମନ୍ତ୍ରିତ ଅତିଥୀମାନେ ଉପବେଶନ କରି ଏକଶତ ଲମ୍ବ ଓ ପନ୍ଦର ଫୁଟ ଚଉଡ଼ା ବିଶିଷ୍ଟ ସେହି ସଭାମଞ୍ଚର ଶୋଭା ବର୍ଦ୍ଧନ କଲେ ।

 

କଲମ୍ବସ୍‍ଙ୍କର ଏହି ସ୍ମୃତିବର୍ଷରେ ଯଥାଯୋଗ୍ୟ ବକ୍ତବ୍ୟ ଓ ପ୍ରାର୍ଥନାଦ୍ଵାରା ମିଃ ଗିବନ୍‌ସ୍‌ ସଭାକାର୍ଯ୍ୟ ଆରମ୍ଭ କଲେ । ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରତିନିଧିମାନଙ୍କୁ ସ୍ଵାଗତ କରାଗଲା । ପ୍ରତ୍ୟେକ ପ୍ରତିନିଧି ପ୍ରତ୍ୟୁତ୍ତର ଦେବାବେଳେ ଧ୍ୟାନସ୍ଥ ମୁଦ୍ରାରେ ବସି ରହିଥିଲେ ସ୍ଵାମୀ ବିବେକାନନ୍ଦ । ସମ୍ମେଳନର ଅପରାହ୍ନ ଅଧିବେଶନରେ ଯେତେବେଳେ ତାଙ୍କୁ କହିବା ପାଇଁ ଆହ୍ଵାନ କରାଗଲା, ସେତେବେଳେ ଏହି ଭାରତୀୟ ଯୁବ ସନ୍ନ୍ୟାସୀଙ୍କର ତେଜୋମୟ ଶରୀର ଓ ଗୈରିକ ବସନ ଶ୍ରୋତାମାନଙ୍କର ଦୃଷ୍ଟିଆକର୍ଷଣ କଲା ।

 

ସେ ବିଷୟରେ ସ୍ଵାମୀଜୀ ପତ୍ରରେ ଲେଖିଥିଲେ, “କଳ୍ପନା କରି ଦେଖ – ତଳେ ଗୋଟିଏ ହଲ୍‍; ତା ଉପରେ ପ୍ରକାଣ୍ଡ ଗ୍ୟାଲେରୀ, ସେଥିରେ ଆମେରିକାର ବଛାବଛା ଛଅ ସାତ ହଜାର ସୁଶିକ୍ଷିତ ନରନାରୀ ଖୁନ୍ଦାଖୁନ୍ଦି ହୋଇ ବସିଥାନ୍ତି; ପ୍ଲାଟଫର୍ମ ଉପରେ ପୃଥିବୀର ସବୁ ଜାତିର ପଣ୍ଡିତଙ୍କ ସମାବେଶ । ଆଉ ମୁଁ, ଯେ ଜନ୍ମହେବା ଦିନୁ କେବେହେଲେ ସାଧାରଣଙ୍କ ସମ୍ମୁଖରେ ବକ୍ତୃତା ଦେଇନାହିଁ, ସେ ଏହି ମହାସଭାରେ ବକ୍ତୃତା ଦେବେ । x x x ମୁଁ ନିର୍ବୋଧ; ମୁଁ କିଛି ପ୍ରସ୍ତୁତ କରିନାହିଁ । ମୁଁ ଦେବୀ ସରସ୍ଵତୀଙ୍କୁ ପ୍ରଣାମ କରି ଅଗ୍ରସର ହେଲି ।”

 

“ଆମେରିକାବାସୀ ଭଗିନୀ ଓ ଭାତୃଗଣ !” କହିବାମାତ୍ରେ ସମଗ୍ର ପାର୍ଲାମେଣ୍ଟ ଯେପରି ଏକ ନୂତନ ଉଦ୍ଦୀପନାର ଝଡ଼ ମଧ୍ୟରେ ପ୍ରବେଶ କଲା । ଶହ ଶହ ସଂଖ୍ୟାରେ ଶ୍ରୋତୃମଣ୍ଡଳୀ ଦଣ୍ଡାୟମାନ ହୋଇ ଘନଘନ କରତାଳି ଧ୍ଵନିରେ ସମଗ୍ର ହଲ୍‍ ଗୃହକୁ ପ୍ରକମ୍ପିତ କରିବାକୁ ଲାଗିଲେ-। ଦୁଇ ମିନିଟ୍‌ ଧରି କରତାଳି ମାଧ୍ୟମରେ ସେହି ସ୍ଵତଃସ୍ଫୁର୍ତ୍ତ ଆନନ୍ଦ ପରିସ୍ଫୁଷ୍ଟ ହେବାରେ ଲାଗିଲା ।’

 

ଭଗିନୀ ନିବେଦିତା ଏହାକୁ ଲକ୍ଷ୍ୟକରି କହିଛନ୍ତି ,“ଯେତେବେଳେ ସେ ସରଳ ଭାରତୀୟ ସମ୍ବୋଧନ ମାଧ୍ୟମରେ ଆମେରିକାବାସୀଙ୍କୁ ‘ଭଗିନୀ ଓ ଭ୍ରାତା’ ବୋଲି ସମ୍ଭାଷଣ କଲେ, ଯେତେବେଳେ ସେହି ପ୍ରାଚ୍ୟ ସନ୍ନ୍ୟାସୀ ନାରୀଜାତିକୁ ପ୍ରଥମ ସ୍ଥାନ ଦେଲେ ଏବଂ ସମଗ୍ର ଜଗତକୁ ପରିବାର ବୋଲି ଘୋଷଣା କଲେ, ସେତେବେଳେ ସେହି ମହାସମ୍ମେଳନରେ ଆନନ୍ଦର ଯେଉଁ ଶିହରଣ ସଞ୍ଚାରିତ ହୋଇଥିଲା, ତାହା ଶ୍ରୋତୃବର୍ଗଙ୍କ ନିକଟରୁ ମୁଁ ଅନେକ ଥର ଶୁଣିଛି । ସେମାନେ କହିଲେ ଆମର ସ୍ଵଜାତୀୟ କୌଣସି ବ୍ୟକ୍ତି ଏପରି ଭାବରେ ଆମକୁ ସମ୍ବୋଧନ କରିବା କଥା ଭାବିପାରିଲେ ନାହିଁ କାହିଁକି ?”

ସଭାଗୃହରେ ନୀରବତା ଖେଳିଯିବା ପରେ ସେ ସ୍ଵାଗତସମ୍ଭାଷଣର ଉତ୍ତର ଦେବାକୁ ଯାଇ କହିଲେ, “ଆଜି ଆପଣମାନେ ଆମ୍ଭମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ପୃଥିବୀରେ ସର୍ବପେକ୍ଷା ପ୍ରାଚୀନ ସନ୍ନ୍ୟାସୀ ସମାଜ ପକ୍ଷରୁ ଆଜି ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ସର୍ବଧର୍ମର ଜନନୀ ସ୍ଵରୂପ ଯେଉଁ ହିନ୍ଦୁଧର୍ମ, ତାହାର ପ୍ରତିନିଧିଭାବେ ମୁଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ସମସ୍ତ ହିନ୍ଦୁଜାତି ଓ ସଂପ୍ରଦାୟ ଅନ୍ତର୍ଗତ କୋଟିକୋଟି ନରନାରୀଙ୍କ ପକ୍ଷରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।”

“ଯେଉଁ ଧର୍ମ ଜଗତ୍‍କୁ ଆବହମାନ କାଳରୁ ଅନ୍ୟ ମତ ସହିଷ୍ଣୁତା ଓ ସର୍ବବିଧ ମତ ସ୍ଵୀକାର କରିବାକୁ ଶିକ୍ଷା ଦେଇ ଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌରବାନ୍ଵିତ ମନେକରେ । ଆମ୍ଭେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟକରୁ ତାହା ନୁହେଁ ବରଂ ସବୁ ଧର୍ମଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ଵାସ କରୁ ।”

“ଏହି ଧର୍ମ ମହାସଭା ଗୀତା– ପ୍ରଚାରିତ ସେହି ଅଦ୍ଭୂତ ମତର ସଭ୍ୟତା ପ୍ରତିପନ୍ନ କରୁଛି, ସେହି ବାଣୀ ହିଁ ଘୋଷଣା କରୁଛି;

“ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତଞ୍ଚୈବ ଭଜାମ୍ୟହମ୍

ମମ ବତ୍ସାଂ ନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।”

 

ଯେ ଯେଉଁ ଭାବେ ଆଶ୍ରୟ କରିଆସୁନା କାହିଁକ, ମୁଁ ତାଙ୍କୁ ସେହି ଭାବରେ ଅନୁଗ୍ରହ କରିଥାଏ । ହେ ଅର୍ଜ୍ଜୁନ ! ମନୁଷ୍ୟମାନେ ସର୍ବତୋଭାବେ ମୋ ଦିଗକୁ ହିଁ ଅନୁଗମନ କରିଥାନ୍ତି ।”

 

“ସାମ୍ପ୍ରଦାୟୀକତା, ସଂକୀର୍ଣ୍ଣତା ଓ ଏ ସବୁର ଭୟାବହ ଫଳସ୍ଵରୂପ ଧର୍ମୋନ୍ମତ୍ତତା ଏହି ସୁନ୍ଦର ଧରାକୁ ବହୁକାଳ ଧରି ଅଧିକାର କରି ରଖିଛି । ଏଗୁଡ଼ିକ ପୃଥିବୀକୁ ନରଶୋଣିତରେ ସିକ୍ତ କରିଛି, ସଭ୍ୟତାକୁ ଧ୍ଵଂସ କରିଛି ଓ ସମଗ୍ର ଜାତିକୁ ହତାଶାରେ ମଗ୍ନ କରିଛି । ଏହିସବୁ ଭୀଷଣ ପିଶାଚଗୁଡ଼ିକ ଯଦି ନଥାନ୍ତେ ତାହାହେଲେ ମାନବ ସମାଜ ଆଜି ପୂର୍ବାପେକ୍ଷା ବହୁଗୁଣ ଉନ୍ନତ ହୋଇଥାନ୍ତା । ତେବେ ଏମାନଙ୍କର ମୃତ୍ୟୁକାଳ ଉପସ୍ଥିତ, ମୁଁ ସର୍ବାନ୍ତକରଣରେ ଆଶାକରେ ଯେ, ଏହି ଧର୍ମ-ମହାସମିତିର ସମ୍ମାନାର୍ଥେ ଆଜି ଯେଉଁ ଘଣ୍ଟାଧ୍ଵନି ନିନାଦିତ ହୋଇଛି ତାହା ହିଁ, ସର୍ବବିଧ ଧର୍ମୋନ୍ମତ୍ତତା, ତରବାରୀ ଅଥବା ଲେଖନୀ ଦ୍ଵାରା ଅନୁଷ୍ଠିତ ସର୍ବପ୍ରକାର ନିର୍ଯ୍ୟାତନାର ଏବଂ ସେହି ଏକ ଲକ୍ଷ୍ୟ ଦିଗକୁ ଅଗ୍ରସର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବବିଧ ଅସଦ୍‌ଭାବର ସମ୍ପୂର୍ଣ୍ଣ ଅବସାନର ବାର୍ତ୍ତା ଘୋଷଣା କରୁ ।”

 

ହୃଦୟର ଆବେଗରେ ଅବଶ ହୋଇ ବସିପଡ଼ିଲେ ସ୍ଵାମୀଜୀ । କିନ୍ତୁ ଜୟ କରିନେଇଥିଲେ ଉପସ୍ଥିତ ସମବେତ ଶ୍ରୋତାମଣ୍ଡଳୀଙ୍କୁ । ଧର୍ମ ମହାସଭାର ସେହି ସଭାମଞ୍ଚ ଉପରେ ବିଶ୍ଵଭାତୃତ୍ଵ ଓ ବିଶ୍ଵପ୍ରେମ ହିଁ ଧର୍ମର ମୂଳକଥା ଏବଂ ସେହି ପ୍ରେମର ବାଣୀର ପ୍ରତୀକ ଭାବେ ଉପସ୍ଥିତ ଥିଲେ ସ୍ଵାମୀ ବିବେକାନନ୍ଦ । ଭାଷା କେବଳ ମାଧ୍ୟମ ହୋଇଥିଲା । ଅନୁଭୂତିର ସାକାର ରୂପ ବିବେକାନନ୍ଦ ରୂପରେ ପ୍ରକଟିତ ହୋଇ ସେହି ପାଞ୍ଚଅକ୍ଷର ମଧ୍ୟରେ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କ ହୃଦୟରେ ପ୍ରେମର ପ୍ଲାବନ ସୃଷ୍ଟି କଲା । ଶହ ଶହ ସଂଖ୍ୟାରେ ସମସ୍ତେ ତାଙ୍କ ପାଖରେ ପହଞ୍ଚି ତାଙ୍କର ଟିକିଏ ସ୍ପର୍ଶ ପାଇଁ ବ୍ୟାକୁଳ ହୋଇଉଠିଲେ ।

 

“ନରେନ୍‌ ଲୋକଶିକ୍ଷା ଦେବେ” ଶ୍ରୀ ରାମକୃଷ୍ଣଙ୍କର ଏହି ଭବିଷ୍ୟତ ବାଣୀ ଅକ୍ଷରେଅକ୍ଷରେ ସତ୍ୟ ହେବାକୁ ଲାଗିଲା । ସେ ସମଗ୍ର ବିଶ୍ଵପ୍ରସିଦ୍ଧ, ବିଶ୍ଵବନ୍ଦନୀୟ ହୋଇଗଲେ । ଧର୍ମ ମହାସଭାରେ ତାଙ୍କର ଐତିହାସିକ ଉପସ୍ଥିତ ଦୈବୀ ପ୍ରେରିତ ହୋଇ ମାନବଜାତି ମନରୁ ଅନ୍ଧ ଧାର୍ମିକତା ଦୂରକରି ସେମାନଙ୍କୁ ସେମାନଙ୍କର ଦେବତ୍ଵ ସଂପର୍କରେ ସଚେତନ କରାଇବା ଓ ବେଦାନ୍ତ ଦର୍ଶନରେ ଥିବା ଆଧ୍ୟାତ୍ମିକ ସତ୍ୟସମୂହକୁ ଗ୍ରହଣ କରିବାର ଆହ୍ଵାନ ଥିଲା । ତାଙ୍କଠାରେ ଆଧୁନିକ ପାଶ୍ଚାତ୍ୟଜଗତ ପ୍ରାଚୀନ ଭାରତକୁ ଉପଲବ୍‍ଧି କଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସେ ବନ୍ଧନର ସେତୁ ହେଲେ ।

 

“ଏହି ମହାନ୍‍ ହିନ୍ଦୁ ଝଡ଼ ସମଗ୍ର ପୃଥିବୀକୁ ଦୋହଲାଇ ଦେଲେ” – ଏହା ଥିଲା ମ୍ୟାରୀ ଲୁଇସ୍‌ ବର୍କାଙ୍କର ମନ୍ତବ୍ୟ ।

 

ଧର୍ମ ଅଧିବେସନରେ ଏହି ସଫଳତା ପରେ ରାତ୍ରିରେ ନିଦ୍ରା ଯିବାବେଳେ ତାଙ୍କ ଆଖିକୁ ନିଦ ଆସୁନଥିଲା । ସମଗ୍ର ଭାରତର ଅବସ୍ଥା ତାଙ୍କ ମନଶ୍ଚକ୍ଷୁରେ ଜଳ ଜଳ ହୋଇ ଦିଶୁଥିଲା । ସେ ଦେଖୁଥିଲେ ଭାରତର ଦାରିଦ୍ର୍ୟ ଓ ନିର୍ଯ୍ୟାତନା । ଆଖି ଲୁହରେ ତକ୍ତପୋଷ ଓଦା ହୋଇଗଲା । ସେ ଭୂମିରେ ଗଡ଼ିଗଡ଼ି କାନ୍ଦି କାନ୍ଦି ସ୍ଵଗତୋକ୍ତି କଲେ, “ହେ ମାତଃ । ଯେତେବେଳେ ମୋର ମାତୃଭୂମି ଦାରିଦ୍ର୍ୟ ଭିତରେ ବୁଡ଼ିରହିଛି, ମୁଁ ନାମ ଯଶ ଲାଭ କରି କ’ଣ କରିବି ? ଭାରତର ଜନଗଣଙ୍କୁ କିଏ ଉଠାଇବ ? ହେ ମାତଃ, ମୋତେ ପଥ ଦେଖାଅ, ମୁଁ ସେମାନଙ୍କୁ କିପରି ସାହାଯ୍ୟ କରିପାରେ ।”

 

ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀସମ୍ପନ୍ନ ଧର୍ମ ମହାସମ୍ମେଳନରେ (ବିଭିନ୍ନ ଧର୍ମବିଷୟକ) ପ୍ରବନ୍ଧାଦି ଆଲୋଚନା କରିବା ପାଇଁ ସତର ଦିନ ଲାଗିଥିଲା । ଅଭ୍ୟର୍ଥନାର ଉତ୍ତର ବ୍ୟତୀତ ଖୋଲା ଅଧିବେଶନରେ ସ୍ଵାମୀଜୀ ସମୁଦାୟ ପାଞ୍ଚଗୋଟି ଭାଷଣ ଦେଇଥିଲେ । ସେଗୁଡ଼ିକ ହେଲା– (୧) ଭ୍ରାତୃଭାବ (୨) ହିନ୍ଦୁଧର୍ମ (୩) ଧର୍ମ ଭାରତର ସର୍ବପ୍ରଧାନ ଆବଶ୍ୟକତା ନୁହେଁ (୪) ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସମ୍ପର୍କ (୫) ବିଦାୟ ଭାଷଣ ।

 

ଏହା ବ୍ୟତୀତ ସେ ଧର୍ମ-ବିଜ୍ଞାନ ଅଧିବେଶନରେ ଯେଉଁ ବକ୍ତୃତା ଦେଇଥିଲେ, ସେଗୁଡ଼ିକ ହେଲା– (୧) ରକ୍ଷଣଶୀଳ ହିନ୍ଦୁଧର୍ମ ଓ ବେଦାନ୍ତ ଦର୍ଶନ (୨) ଆଧୁନିକ ଭାରତର ଧର୍ମସମୁହ (୩) ପୂର୍ବ ବିଷୟର ପୁନରାବୃତ୍ତି (୪) ହିନ୍ଦୁଧର୍ମର ସାରାଂଶ ।

 

ସେ ଧର୍ମ ମହାସଭାର ପ୍ରଧାନ ଆକର୍ଷଣ ହୋଇଥିଲେ । ଶ୍ରୋତାମାନେ ଜଟିଳ ଦାର୍ଶନିକ ତତ୍ତ୍ଵ ଶୁଣି ହଲ୍‍ଘର ଛାଡ଼ି ଚାଲିଯିବାକୁ ଆରମ୍ଭ କଲାବେଳେ, ସଭାପତି ଘୋଷଣା କରନ୍ତି ସ୍ଵାମୀ ବିବେକାନନ୍ଦ କିଛି କହିବେ । ଏହାହିଁ ଯଥେଷ୍ଟ ହୁଏ । ଶ୍ରୋତାମାନେ ଘଣ୍ଟା ପରେ ଘଣ୍ଟା ବସି ରହନ୍ତି ସ୍ଵାମୀଜୀଙ୍କ ଭାଷଣ ଅପେକ୍ଷାରେ ।

 

ସେପେଟ୍‌ମ୍ବର ୧୯ ତାରିଖ ଦିନ ହିନ୍ଦୁ ଧର୍ମ ସମ୍ପର୍କରେ ଏକ ଲିଖିତ ଭାଷଣ ପାଠକରି ସେ କହିଲେ, “ହିନ୍ଦୁଧର୍ମ ସମସ୍ତ ଧର୍ମଭାବନାର ଏକୀଭୁତ ରୂପ ଏବଂ ବିଜ୍ଞାନର ଅତି ଆଧୁନିକ ଆବିଷ୍କାରସମୂହ ବେଦାନ୍ତର ଯେଉଁ ଉଚ୍ଚ ଆଧ୍ୟାତ୍ମିକ ଭାବର ପ୍ରତିଧ୍ଵନି ମାତ୍ର, ସେହି ସର୍ବୋତ୍କୃଷ୍ଟ ବେଦାନ୍ତ ଜ୍ଞାନଠାରୁ ନିମ୍ନସ୍ତରର ମୂର୍ତ୍ତିପୂଜା ଓ ଆନୁଷଙ୍ଗିକ ପୌରାଣିକ ଗଳ୍ପ ପର୍ଯ୍ୟନ୍ତ – ଏପରିକି ବୌଦ୍ଧମାନଙ୍କର ଅଜ୍ଞେୟବାଦ, ଜୈନମାନଙ୍କର ନିରୀଶ୍ଵରବାଦ – ହିନ୍ଦୁଧର୍ମରେ ପ୍ରତ୍ୟେକଟିର ସ୍ଥାନ ଅଛି ।”

 

“ଆତ୍ମାକୁ ଦେହ ବୋଲି ଜ୍ଞାନ କରିବା ମୂଳରେ ରହିଛି ଅଜ୍ଞତା । ଏହି ଅଜ୍ଞତାରୂପକ ପଟଳକୁ ଦୂର କରିବାର ଉପାୟ ହେଉଛି – ନିଜକୁ ଅନୁଭବ କରିବା ଯେ ଆମେ ହେଉଛୁ ଅମୃତର ସନ୍ତାନ ।”

 

ସେ ଏହାକୁ ଉଲ୍ଲେଖ କରି କହିଛନ୍ତି, “ବିଶ୍ଵ ସମ୍ମୁଖରେ ଦଣ୍ଡାୟମାନ ହୋଇ ଋଷି ଉଚ୍ଚସ୍ଵରରେ ଏହି ଆନନ୍ଦ ସମାଚାର ଘୋଷଣା କରେ, “ଶୁଣ ଶୁଣ ଅମୃତର ପୁତ୍ରଗଣ, ଶୁଣ ଦିବ୍ୟଲୋକର ଅଧିବାସୀଗଣ, ମୁଁ ସେହି ପୁରାତନ ମହାନ୍ ପୁରୁଷଙ୍କୁ ଜାଣିଛି । ଆଦିତ୍ୟ ପରି ତାଙ୍କର ବର୍ଣ୍ଣ ,ସେ ସକଳ ଅଜ୍ଞାନ ଅନ୍ଧକାରର ଅତୀତ, କେବଳ ତାଙ୍କୁ ଜାଣିବା ଦ୍ଵାରା ହିଁ ମୃତ୍ୟୁକୁ ଅତିକ୍ରମ କରାଯାଏ । ଆଉ ଅନ୍ୟ ପଥ ନାହିଁ ।” “ତୁମ୍ଭେମାନେ ଅମୃତର ଅଧିକାରୀ । ହିନ୍ଦୁମାନେ ତୁମକୁ ପାପୀ କହିବାକୁ ଚାହାନ୍ତି ନାହିଁ । ତୁମ୍ଭେମାନେ ଈଶ୍ଵରଙ୍କର ସନ୍ତାନ, ଅମୃତର ଅଧିକାରୀ, ପବିତ୍ର ଓ ପୂର୍ଣ୍ଣ । ମର୍ତ୍ତ୍ୟଭୂମିର ଦେବତା ତୁମ୍ଭେମାନେ, ତୁମେ ପୁଣି ପାପୀ ? ମଣିଷକୁ ପାପୀ କହିବା ହିଁ ମହାପାପ । ମାନବର ଯଥାର୍ଥସ୍ଵରୂପ ଉପରେ ଏହି ମିଥ୍ୟା କଳଙ୍କାରୋପ । ଉଠ, ଆସ, ସିଂହସ୍ଵରୂପ ହେବା ସତ୍ତ୍ଵେ ତୁମ୍ଭେମାନେ ନିଜକୁ ମେଷତୁଲ୍ୟ ମନେକରୁଛ । ଏହି ଭ୍ରମକୁ ଦୂର କରିଦିଅ । ତୁମ୍ଭେମାନେ ଆମର ଆତ୍ମା, ମୁକ୍ତ ଆତ୍ମା – ଚିର ଆନନ୍ଦମୟ । ତୁମେ ଜଡ଼ ନୁହଁ, ତୁମେ ଦେହ ନୁହଁ, ଜଡ଼ ତୁମର ଦାସ, ତୁମେ ଜଡ଼ର ଦାସ ନୁହଁ !”

 

ସ୍ଵାମୀ ବିବେକାନନ୍ଦ ତାଙ୍କର ହିନ୍ଦୁଧର୍ମର ବକ୍ତବ୍ୟ ‘ସାର୍ବଜନୀନ ଧର୍ମ’ କହି ସମାପନରେ କହିଲେ, “ହିନ୍ଦୁମାନେ ହୁଏତ ତାଙ୍କର ସବୁ ପରିକଳ୍ପନା କାର୍ଯ୍ୟରେ ପରିଣତ କରି ପାରିନାହାନ୍ତି, କିନ୍ତୁ ଯଦି କେବେ ସାର୍ବଜନୀନ ଧର୍ମର ଉଦ୍ଭବ ହୁଏ, ତେବେ ତାହା କୌଣସି ଦେଶ ବା କାଳରେ ସୀମାବଦ୍ଧ ହେବନାହିଁ । ଯେଉଁ ଅସୀମ ଭବବାନଙ୍କ ବିଷୟ ଏହି ଧର୍ମଦ୍ଵାରା ପ୍ରଚାରିତ ହେବ, ଏ ଧର୍ମ ମଧ୍ୟ ତାଙ୍କପରି ଅସୀମ ହେବ, ସେହି ଧର୍ମର ସୂର୍ଯ୍ୟ-କୃଷ୍ଣଭକ୍ତ, ଖ୍ରୀଷ୍ଟଭକ୍ତ, ସାଧୁଅସାଧୁ– ସମସ୍ତଙ୍କ ଉପରେ ସମଭାବରେ ସ୍ଵୀୟ କିରଣ ବିତରଣ କରିବ । ସେହି ଧର୍ମ ବ୍ରାହ୍ମଣ ବା ବୌଦ୍ଧ, ଖ୍ରୀଷ୍ଟିୟାନ୍‍ ବା ମୁସଲମାନ୍‍ମାନଙ୍କର ହେବନାହିଁ; ବରଂ ତାହା ସକଳ ଧର୍ମର ସମଷ୍ଟିରୂପ ହେବ । ତହିଁରେ ଉନ୍ନତି ପାଇଁ ସୀମାହୀନ ଅବକାଶ ରହିବ, ସ୍ଵୀୟ ଉଦାରତାବଶତଃ ସେହି ଧର୍ମ ପ୍ରସାରିତ ହସ୍ତରେ ପୃଥିବୀର ସବୁ ନରନାରୀଙ୍କୁ ସାଦର ଆଲିଙ୍ଗନ କରିବ; ପଶୁତୁଲ୍ୟ ଅତି ହୀନ ବର୍ବର ମଣିଷଠାରୁ ଆରମ୍ଭ କରି ହୃଦୟ ଓ ମସ୍ତିଷ୍କର ଗୁଣରାଶି ପାଇଁ ଯେଉଁମାନେ ସମଗ୍ର ମାନବଜାତିର ଉର୍ଦ୍ଧ୍ଵରେ ସ୍ଥାନ ପାଇଛନ୍ତି, ସମାଜ ଯେଉଁମାନଙ୍କୁ ସାଧାରଣ ମଣିଷ କହିବାକୁ ସାହସ ନକରି ସଶ୍ରଦ୍ଧ ଭୟରେ ଦେଖନ୍ତି, ସେହି ଶ୍ରେଷ୍ଠ ମାନବ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ଵୀୟ ଅଙ୍କରେ ସ୍ଥାନ ଦେବ । ସେହି ଧର୍ମର ନୀତିରେ କାହାପ୍ରତି ବିଦ୍ଵେଷ ଓ ଉତ୍ପୀଡ଼ନର ସ୍ଥାନ ରହିବ ନାହିଁ, ଏହାଦ୍ଵାରା ପ୍ରତ୍ୟେକ ନରନାରୀର ଦେବ ସ୍ଵଭାବ ସ୍ଵୀକୃତ ହେବ ଏବଂ ଏହାର ସମଗ୍ର ଶକ୍ତି ମାନବକୁ ତାହାର ଦେବସ୍ଵଭାବ ଉପଲବ୍‍ଧି କରାଇବା ଦିଗରେ ସାହାଯ୍ୟ କରିବା ପାଇଁ ସତତ ନିଯୁକ୍ତ ରହିବ ।”

 

ପରିଶେଷରେ ସେ ଆହ୍ଵାନ କରି କହିଥିଲେ, “ଏପରି ଏକ ଧର୍ମ ଉପସ୍ଥାପିତ କର, ସମସ୍ତେ ତୁମର ଅନୁବର୍ତ୍ତୀ ହେବେ । ଯେ ହିନ୍ଦୁମାନଙ୍କର ବ୍ରହ୍ମ, ପାରସିକମାନଙ୍କର ଅହୁର-ମଜଦା, ବୌଦ୍ଧମାନଙ୍କର ବୁଦ୍ଧ, ମୁସଲମାନ୍‌ମାନଙ୍କର ଆଲ୍ଲା, ଇହୁନ୍ଦୀମାନଙ୍କର ଜିହୋବା, ଖ୍ରୀଷ୍ଟିୟାନ୍‍ମାନଙ୍କର ‘ସ୍ଵର୍ଗସ୍ଥ ପିତା’ – ସେ ଏହି ମହତ୍‍ଭାବକୁ କାର୍ଯ୍ୟରେ ପରିଣତ କରିବାର ଶକ୍ତି ତୁମମାନଙ୍କୁ ପ୍ରଦାନ କରନ୍ତୁ । …… ସ୍ଵାଧୀନତାର ମାତୃଭୂମି କଲମ୍ବିୟା ! ତୁମ୍ଭେ କେବେହେଲେ ପ୍ରତିବେଶୀର ଶୋଣିତରେ ନିଜ ହସ୍ତ ରଞ୍ଜିତ କରନାହିଁ । ପ୍ରତିବେଶୀର ସର୍ବଶ୍ଵ ଅପହରଣ କରି ଧନଶାଳୀ ହେବାର ସହଜ ପନ୍ଥା ଆବିଷ୍କାର କରନାହିଁ, ସଭ୍ୟତାର ପୁରୋଭାଗରେ ସମନ୍ଵୟର ପତାକା ବହନ କରି ବୀରଦର୍ପରେ ଅଗ୍ରସର ହେବାର ଭାର ତେଣୁ ତୁମ ଉପରେ ହିଁ ନ୍ୟସ୍ତ ହୋଇଛି-।”

 

ହିନ୍ଦୁ ଧର୍ମର ଏହି ବାର୍ତ୍ତା ଧର୍ମ ମହାସମ୍ମେଳନରେ ଘୋଷଣା କରି ସ୍ଵାମୀଜୀଙ୍କର ପୃଥିବୀ ପ୍ରତି ଯେ ଏକ ବାର୍ତ୍ତା ରହିଛି, ତାହାର ସ୍ଵୀକୃତି ମିଳିଲା । “ଯେତେବେଳେ ସେ କହିବାକୁ ଆରମ୍ଭ କଲେ, ସେତେବେଳେ ତାହା ଥିଲା ହିନ୍ଦୁମାନଙ୍କର ଧର୍ମଧାରଣା ସଂପର୍କିତ କେତେକ ଚିନ୍ତା; କିନ୍ତୁ ପରିସମାପ୍ତି ବେଳକୁ ‘ହିନ୍ଦୁଧର୍ମ’ ଜନ୍ମଲାଭ କରିଥିଲା ।”

 

ଧର୍ମ ମହାସମ୍ମେଳନର ଶେଷ ଦିନ । ହଲ୍‌ଗୃହଟି ଶ୍ରୋତୃମଣ୍ଡଳୀ ଦ୍ଵାରା ପୂର୍ଣ୍ଣ । ସେଦିନ ବକ୍ତାଭାବେ ସ୍ଵାମୀଜୀ ଯେଉଁ ମତବ୍ୟକ୍ତ କରିଥିଲେ, ତାହାକୁ ଲକ୍ଷ୍ୟ କରି ଅକ୍ଟୋବର ୭ ତାରିଖ ‘କ୍ରିଟିକ୍‌’ ରେ ତାହାର ସମ୍ବାଦଦାତା ମିସ୍‌ମୁନରୋ ତାଙ୍କୁ ‘ଦୈବୀଶକ୍ତିସମ୍ପନ୍ନ ବକ୍ତା’ ବୋଲି ଅଭିହିତ କରିଥିଲେ । ସ୍ଵାମୀଜୀ ଧର୍ମ ମହାସମ୍ମେଳନର ଉଦ୍ୟୋକ୍ତାମାନଙ୍କୁ ସେମାନଙ୍କର କଳ୍ପନାକୁ ସାକାର ରୂପ ଦେଇଥିବା ହେତୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଯେଉଁ ବକ୍ତାମାନେ ସଭାମଞ୍ଚରୁ ଉଦାରଭାବ ପରିବେଷଣ କରିଛନ୍ତି, ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସେ ଧର୍ମ ସମନ୍ଵୟର ସାଧାରଣ ଭିତ୍ତିଭୂମି ସଂପର୍କରେ ଉଲ୍ଲେଖ କରି କହିଲେ, “ଯଦି ଏଠାରେ କେହି ଆଶା କରନ୍ତି ଯେ ଏହି ଐକ୍ୟ ପ୍ରଚଳିତ ଧର୍ମଗୁଡ଼ିକ ମଧ୍ୟରୁ ଗୋଟିକର ଅଭ୍ୟୁଦୟ ଓ ଅପରଗୁଡ଼ିକର ବିନାଶ ଦ୍ଵାରା ସାଧିତ ହେବ, ତେବେ ମୁଁ ତାଙ୍କୁ କହିବି, “ଭାଇ ! ଏହା ତମର ଦୂରାଶା । ମୋର ଇଚ୍ଛାନୁହେଁ ଯେ ଜଣେ ଖ୍ରୀଷ୍ଟୟାନ୍ ହିନ୍ଦୁ ହେଉ । ଈଶ୍ଵର ତାହା ନ କରନ୍ତୁ, ମୋର କ’ଣ ଇଚ୍ଛା ଯେ କୌଣସି ହିନ୍ଦୁ ବା ବୈାଦ୍ଧ ଖ୍ରୀଷ୍ଟିୟାନ୍‍ ହୁଅନ୍ତୁ ? ଭଗବାନ ତାହା ନ କରନ୍ତୁ । ପ୍ରତ୍ୟେକ ଧର୍ମ ଅନ୍ୟାନ୍ୟ ଧର୍ମର ସାର ଗ୍ରହଣ କରି ପୃଷ୍ଟିଲାଭ କରିବ, ସ୍ଵୀୟ ବିଶେଷତ୍ଵ ବଜାୟ ରଖି ନିଜ ପ୍ରକୃତି ଅନୁଯାୟୀ ବର୍ଦ୍ଧିତ ହେବ ।”

 

ପରିସମାପ୍ତି କରି କହିଲେ, “ଯଦି ଏହି ଧର୍ମ ମହାସମିତି ଜଗତ୍‌ ସମ୍ମୁଖରେ କିଛି ପ୍ରମାଣ କରିଥାଏ, ତେବେ ତାହା ଏତିକି ଯେ ସାଧୁ ଚରିତ୍ର, ପବିତ୍ରତା ଓ ଦୟା ଦାକ୍ଷିଣ୍ୟ ଜଗତର କୌଣସି ଗୋଟିଏ ବିଶେଷ ଧର୍ମମଣ୍ଡଳୀର ନିଜସ୍ଵ ନୁହେଁ ଏବଂ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ର ନରନାରୀ ଜନ୍ମଗ୍ରହଣ କରିଛନ୍ତି ।”

 

“ଏହି ସକଳ ପ୍ରତ୍ୟକ୍ଷ ପ୍ରମାଣ ଥିବା ସତ୍ତ୍ଵେ ଯଦି କେହି ଏପରି ସ୍ଵପ୍ନ ଦେଖନ୍ତି ଯେ ଅନ୍ୟାନ୍ୟ ଧର୍ମଗୁଡ଼ିକ ଲୋପ ପାଇବ ଓ କେବଳ ତାଙ୍କର ଧର୍ମ ହିଁ ବଞ୍ଚିରହିବ, ତେବେ ସେ ବାସ୍ତବିକ କୃପାର ପାତ୍ର; ତାଙ୍କ ପାଇଁ ମୁଁ ଆନ୍ତରିକ ଭାବରେ ଦୁଃଖିତ ଓ ତାଙ୍କୁ ମୁଁ ସ୍ପଷ୍ଟଭାବରେ କହୁଛି ଯେ ତାଙ୍କ ବାଧା ସତ୍ତ୍ଵେ ଅତି ଶୀଘ୍ର ପ୍ରତେକ ଧର୍ମର ପତାକା ଉପରେ ଲିଖିତ ହେବ, “ବିବାଦ ନୁହେଁ ସହାୟତା, ବିନାଶ ନୁହେଁ ପରସ୍ପରର ଭାବଗ୍ରହଣ, ମତବିରୋଧ ନୁହେଁ, ସମନ୍ଵୟ ଓ ଶାନ୍ତି ।”

 

ଜଣେ ଅଜଣା ସନ୍ନ୍ୟାସୀରୁ ସ୍ଵାମୀଜୀ ସମଗ୍ର ବିଶ୍ଵ ସମ୍ମୁଖରେ ଧର୍ମପ୍ରବର୍ତ୍ତକ ମହାପୁରୁଷଭାବେ ଅବତୀର୍ଣ୍ଣ ହେଲେ । ତାଙ୍କର ବଡ଼ ବଡ଼ ଫଟୋ ଚିକାଗୋ ସହରର ବିଭିନ୍ନ ରାସ୍ତାରେ ଶୋଭା ପାଇବାକୁ ଲାଗିଥିଲା ଏବଂ ସେହି ଛବି ତଳେ ଲେଖା ଯାଇଥିଲା, ‘ସନ୍ନ୍ୟାସୀ ବିବେକାନନ୍ଦ’ । ରାସ୍ତାରେ ଯାତାୟାତ କରୁଥିବା ଲୋକେ ସେହି ଛବି ନିକଟରେ ଅଟକି ନତମସ୍ତକ ହୋଇ ହାତଯୋଡ଼ି ନମସ୍କାର କରୁଥିଲେ । ବହୁ ଆମେରିକାବାସୀଙ୍କ ଗୃହରେ ସ୍ଵାମୀଜୀଙ୍କର ପୂର୍ଣ୍ଣାବୟବ ଚିତ୍ର ଶୋଭା ପାଇବାକୁ ଲାଗିଲା ।

 

‘ନ୍ୟୁୟର୍କ ହେରାଲଡ଼୍’ ପତ୍ରିକାରେ ପ୍ରକାଶିତ ହେଲା, “ଚିକାଗୋ ଧର୍ମ-ମହାସଭାରେ ବିବେକାନନ୍ଦ ହିଁ ସର୍ବଶ୍ରେଷ୍ଠ ବିଗ୍ରହ । ତାଙ୍କର ବକ୍ତୃତା ଶ୍ରବଣ କଲେ ମନେହୁଏ ଧର୍ମମାର୍ଗରେ ଏପରି ସମୁନ୍ନତ ଜାତି ପାଖକୁ ଆମ ଧର୍ମପ୍ରଚାରକଙ୍କୁ ପ୍ରେରଣ କରିବା ନିହାତି ନିର୍ବୋଧତା ।”

 

ବ୍ରହ୍ମବିଦ୍ୟା ସମିତିର ନେତ୍ରୀ ଶ୍ରୀମତୀ ଆନିବେଶାନ୍ତ ପରବର୍ତ୍ତୀ ସମୟରେ ଲେଖିଥିଲେ, “ଦ୍ରୁତ ଉନ୍ନତି ଶୀଳ, ଉଦ୍ଧତ ପାଶ୍ଚାତ୍ୟଜଗତରେ ଭାରତମାତା ତାଙ୍କର ଯୋଗ୍ୟତମ ସନ୍ତାନକୁ ଦୂତରୂପେ ନିଯୁକ୍ତ କରି ଗୌରବାନ୍ଵିତ ହୋଇଥିଲେ । ଏହି ଦୂତ ତାଙ୍କ ପୁଣ୍ୟ ଜନ୍ମଭୂମିର ଗୌରବ କାହାଣୀ ବିସ୍ମୁତ ନହୋଇ ଭାରତର ବାର୍ତ୍ତା ଘୋଷଣା କରିଥିଲେ । ଶକ୍ତିମାନ, ଦୃଢ଼ସଂକଳ୍ପ, ପୁରୁଷକାରସମ୍ପନ୍ନ ସ୍ଵାମୀଜୀଙ୍କର ସ୍ଵମତ ସମର୍ଥନ କରିବା ପାଇଁ ଯଥେଷ୍ଟ କ୍ଷମତା ଥିଲା ।” ଯୁଗାଚାର୍ଯ୍ୟ ସ୍ଵାମୀ ବିବେକାନନ୍ଦ ପାଶ୍ଚାତ୍ୟ ସମାଜ ଓ ଧର୍ମ ଉପରେ କି ଅସାଧାରଣ ପ୍ରଭାବ ବିସ୍ତାର କରିଥିଲେ, ତାହା ଉଲ୍ଲେଖକରି ଅଙ୍ଗୀୟ ବିଜ୍ଞାନ ସଭାର ସଭାପତି ଲଣ୍ଡନର ପ୍ରସିଦ୍ଧ ପତ୍ରିକା ‘ପାଇଓନିୟର’ ରେ ଲେଖିଥିଲେ, ‘ହିନ୍ଦୁଧର୍ମର ଏକମାତ୍ର ପ୍ରତିନିଧି ସ୍ଵାମୀ ବିନେକାନନ୍ଦ ହିଁ ଏହି ମହାସଭାର ଅବିସମ୍ବାଦିତ ଭାବରେ ସର୍ବାପେକ୍ଷା ଲୋକପ୍ରିୟ ଓ ପ୍ରଭାବଶାଳୀ ବ୍ୟକ୍ତି । x x x ଅତ୍ୟନ୍ତ ଧର୍ମାନ୍ଧ ଖ୍ରୀଷ୍ଟୟାନ୍ ମଧ୍ୟ କହିଛନ୍ତି, ‘ସ୍ଵାମୀଜୀ ମଣିଷଙ୍କ ଭିତରେ ଅତି-ମାନବ ।’’ “ଭାରତ ଭୂମିର ଗୈରିକ ବସନଧାରୀ ସନ୍ନ୍ୟାସୀଙ୍କ ସାର୍ବଜନୀନ ମହାନୁଭବତା ଓ ସଦାଶୟ ଗୁଣ ଏବଂ ଜ୍ଞାନଗୌରବ ଓ ବ୍ୟକ୍ତିଗତ ଚରିତ୍ରମାଧୁର୍ଯ୍ୟରେ ଏ ଦେଶରୁ ସାମ୍ପ୍ରଦାୟିକ ବିଦ୍ଵେଶ ଓ ହିଂସା ତରୋହିତ ହୋଇଛି ।”

 

କେତେକ ଖବରକାଗଜ ପ୍ରଶଂସାସୂଚକ ମନ୍ତବ୍ୟ ଦେବାବେଳେ ଅନ୍ୟ କେତେକ ଈର୍ଷାପ୍ରଣୋଦିତ ହୋଇ ସ୍ଵାମୀଜୀଙ୍କୁ ଆକ୍ରମଣ କରିବାକୁ ପଛାଇନାହାନ୍ତି । ସ୍ଵାମୀଜୀ ଯଦିଓ ନିଜର ଦୂର୍ବିନୀତ ସାହସ ଦ୍ଵାରା ହଜାର ହଜାର ଆମେରିକାବାସୀଙ୍କର ଆଶା ଆକାଙ୍‌କ୍ଷାର ପ୍ରତୀକ ହୋଇଛନ୍ତି, ସେ ମଧ୍ୟ କେତେକାଂଶରେ ଖ୍ରୀଷ୍ଟୀୟ ଧର୍ମଯାଜକ ଓ ଧର୍ମପ୍ରଚାରକମାନଙ୍କର ବିରୋଧିତାର ଶିକାର ହୋଇଛନ୍ତି, କାରଣ ସେ ସେମାନଙ୍କର ଭାରତରେ ଧର୍ମପ୍ରଚାର କରିବାର ନିନ୍ଦା କରିଛନ୍ତି ।

 

ତଥାପି ମାସ ମାସ ଧରି ତାଙ୍କର ପବିତ୍ର ଚରିତ୍ର, ଅଦ୍ଭୂତ ପ୍ରତିଭା ଓ ଆଲୋଚନା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେରବାକୁ ଲାଗିଲା ! ହଜାର ହଜାର ଲୋକ ତାଙ୍କୁ ଦେଖିବା ପାଇଁ ଆସିବାକୁ ଲାଗିଲା । ହଜାର ହଜାର ଲୋକ ତାଙ୍କୁ ଦେଖିବା ପାଇଁ ଆସିବାକୁ ଲାଗିଲେ । ଏହି ପ୍ରଭୁତ ସମ୍ମାନରେ ଭୂଷିତ ହୋଇ ମଧ୍ୟ ସେ ନିଜର ପ୍ରିୟ ମାତୃଭୂମିକୁ ଭୁଲିପାରିଲେ ନାହିଁ । ସେ ସନାତନ ଧର୍ମର ଶାଶ୍ଵତ ସତ୍ୟକୁ ଉପସ୍ଥାପିତ କରି କେବଳ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି – ଏହା ତାଙ୍କର ଅନୁଭବ ହୋଇଛି । ସମୟ ସମୟରେ ଭାବାବେଗରେ ସେ କହୁଥିଲେ, “ମୁଁ ଜଣେ ସାମାନ୍ୟ ଦୂତ ମାତ୍ର; ମୋ କାର୍ଯ୍ୟ ହେଲା ସମାଚାର ବହନ କରିବା ।”

 

ଧର୍ମସଭା ଶେଷ ହୋଇଗଲା । ଅନେକ କାର୍ଯ୍ୟ କରିବା ପାଇଁ ଆଗେଇପଡ଼ିଲେ ସ୍ଵାମୀଜୀ । ତାଙ୍କ ଚକ୍ଷୁରେ ଭାସିଉଠୁଥିଲା ନିରନ୍ନ, ନିପୀଡ଼ିତ, ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ଭାରତର ଅଗଣିତ ଜନଗଣଙ୍କର ଶୁଖିଲା ମୁହଁ । କିଏ ଏମାନଙ୍କୁ ଉଠାଇବ ? କିଏ ସମଗ୍ର ମାନବ ସମାଜକୁ ଆଧ୍ୟାତ୍ମିକ ଶିକ୍ଷାରେ ମାନବତ୍ଵ ଦିଗକୁ ଆଗେଇନେବ ? ଏହି ଚିନ୍ତାକୁ ସାକାର ରୂପ ଦେବା ପାଇଁ ସେ ଅବଶିଷ୍ଟ ରହଣି ସମୟତକ ସେଇ ଦିଗରେ ବ୍ୟୟିତ କରିବାକୁ ସ୍ଥିର କଲେ ।

Image

 

ପାଶ୍ଚାତ୍ୟ ଜଗତରେ ବେଦାନ୍ତ ପ୍ରଚାର

 

ଚିକାଗୋ ଧର୍ମମହାସଭା ଶେଷ ହେବା ପରଠାରୁ ପ୍ରାୟ ଏକବର୍ଷ ଧରି ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସ୍ଥାନରେ ସ୍ଵାମୀଜୀ ବକ୍ତୃତା ଦେବାକୁ ଲାଗିଲେ । ଏହି ବକ୍ତୃତା ଦେବାପାଇଁ ତାଙ୍କୁ ଏକ ବକ୍ତୃତା କମ୍ପାନୀ ଅନୁରୋଧ କରିଥିଲେ ଏବଂ ପାରିଶ୍ରମିକ ଦେଉଥିଲେ । ତାଙ୍କର ଗୁରୁଦେବଙ୍କ ବାର୍ତ୍ତାକୁ ଜଗତ୍‌ ସମ୍ମୁଖରେ ଉପସ୍ଥାପିତ କରିପାରିବେ ଏବଂ ଭାରତର ଧର୍ମ ଓ ସଂସ୍କୃତି ସମ୍ପର୍କରେ ସେଠାରେ ପ୍ରଚଳିତ ଭ୍ରାନ୍ତଧାରଣାକୁ ଦୂର କରିପାରିବେ ଭାବି ସ୍ଵାମୀଜୀ ସେମାନଙ୍କର ଅନୁରୋଧ ଗ୍ରହଣ କଲେ । ଏହାଦ୍ଵାରା କିଛି ଅର୍ଥ ଏକାଠି କରି ତାଙ୍କ କଳ୍ପିତ କାର୍ଯ୍ୟ ଭାରତରେ ଆରମ୍ଭ କରିପାରିବେ ବୋଲି ସେ ଭାବିଲେ ।

 

୧୮୯୪ ଫେବୃୟାରୀ ମାସରେ ସେ ଡେଟ୍ରୟଟ୍‍ସ୍ଥିତ ଇଉନିଟାରିଆନ୍‌ ଗୀର୍ଜାରେ ଧାରାବାହିକ ଭାବେ କେତେଗୁଡ଼ିଏ ବକ୍ତୃତା ଦେଇଥିଲେ । କେତେକ ସ୍ଥାନରେ ଅଜସ୍ର ପ୍ରଶଂସା ପାଇଥିବାବେଳେ, ଅନ୍ୟ କେତେକ ସ୍ଥାନରେ ନାନାବିଧ ପ୍ରଶ୍ନ ଓ କୁତ୍ସାର ସମ୍ମୁଖୀନ ହୋଇଥିଲେ । ଡେଟ୍ରୟଟ୍‍ରେ ଭାଷଣଦେବା ଅବକାଶରେ ଭାରତର ଖ୍ରୀଷ୍ଟିୟାନ୍‍ ମିଶନାରୀମାନେ ଖୁବ୍‌ ଉତ୍ତମକାର୍ଯ୍ୟ କରୁଛନ୍ତି ଏବଂ ହିନ୍ଦୁଧର୍ମ ମଧ୍ୟରେ ନାନା ପ୍ରକାର କୁସଂସ୍କାର ପୂରି ରହିଛି ବୋଲି କେତେକ ପ୍ରକାର ମନ୍ତବ୍ୟ ଦେବାରୁ ସ୍ଵାମୀଜୀ ଭୟଙ୍କର ଭାବରେ ଗର୍ଜିଉଠି କହିଥିଲେ, “ତୁମେ ତୁମର ଲୋକମାନଙ୍କୁ ଶିକ୍ଷା, ତାଲିମଦେଇ, ଟଙ୍କା ଓ ବସ୍ତ୍ରଦେଇ କ’ଣ କରିବାକୁ ପଠାଉଛ ? …… ମୋ ଦେଶକୁ ଯାଇ ମୋ ଦେଶର ପୂର୍ବପୁରୁଷମାନଙ୍କୁ, ମୋ ଧର୍ମକୁ ଓ ମୋ ଦେଶର ସବୁକିଛିକୁ ଗାଳି ଓ ଭର୍ତ୍ସନା କରିବେ । ଯଦି ସମଗ୍ର ଭାରତବର୍ଷ ଠିଆ ହୋଇ, ଭାରତ ମହାସାଗରରେ ଥିବା କାଦୁଅକୁ ଏକାଠି କରି ପାଶ୍ଚାତ୍ୟ ଦେଶମାନଙ୍କ ଉପରେ ନିକ୍ଷେପ କରନ୍ତି, ତଥାପି ସେମାନେ ଏକ ଅଂଶ ମଧ୍ୟ କ୍ଷତି କରିବେ ନାହିଁ, ଯେତେ ଅତ୍ୟାଚାର ତୁମେମାନେ ଆମମାନଙ୍କ ଉପରେ କରୁଛ ଏବଂ କେଉଁଥିପାଇଁ ? ଆମେ କେହି ଜଣେ ହେଲେ ଧର୍ମପ୍ରଚାରକ ଧର୍ମାନ୍ତର କରିବା ପାଇଁ ପାଶ୍ଚାତ୍ୟଦେଶକୁ ପଠାଇଛୁ ?”

 

ସମସ୍ତେ ତାଙ୍କର ସମାଲୋଚକ ବା ନିନ୍ଦୁକ ନଥିଲେ । ବହୁ ବିଦ୍ଵାନ୍ ଭଦ୍ରବ୍ୟକ୍ତି ତାଙ୍କର ପ୍ରଶଂସା କରିବା ସହିତ ସମାଲୋଚକମାନଙ୍କୁ ମଧ୍ୟ ଉତ୍ତର ଦେଉଥିଲେ । ସେ ତାଙ୍କର ଭାରତୀୟ ସଂସ୍କୃତି, ଧର୍ମ ଓ ଦର୍ଶନସମ୍ବନ୍ଧୀୟ ବକ୍ତୃତା ଜାରି ରଖିଥାନ୍ତି । ଚିକାଗୋ, ସେଣ୍ଟଲୁଇ, ଡେଟ୍ରୟଟ୍, ବୋଷ୍ଟନ, ଓ ଓ୍ଵାଶିଂଟନ୍ ପ୍ରଭୃତି ଆମେରିକାର ପ୍ରଧାନ ସହରମାନଙ୍କରେ ବକ୍ତୃତାଦେବା ଅବକାଶରେ ସେ ଭାରତର ଯୁଗଯୁଗାନ୍ତଧରି ସଯତ୍ନରକ୍ଷିତ ଅମୂଲ୍ୟ ସମ୍ପଦ ବେଦାନ୍ତର ବାଣୀ ପ୍ରଚାର କରି ଭାରତ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରସମୂହର ଭ୍ରାନ୍ତାଧାରଣାକୁ ଦୂରକରି ଶ୍ରଦ୍ଧା ଆଣିପାରିଲେ ।

 

ପ୍ରାଚୀନ ଋଷିମାନଙ୍କ ପରି ମୁକ୍ତ ହସ୍ତରେ ବେଦାନ୍ତ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇ, ସେ ବକ୍ତୃତା କମ୍ପାନୀଠାରୁ ସମ୍ପର୍କ ଛିନ୍ନ କଲେ ।

 

ଖ୍ରୀଷ୍ଟିୟାନ୍‌ ମିଶନାରୀମାନେ ତାଙ୍କର ଧର୍ମମତକୁ ତର୍କ ଓ ଯୁକ୍ତିଦ୍ଵାରା ଖଣ୍ଡନ କରି ନ ପାରି ପ୍ରତି ପଦକ୍ଷେପରେ ତାଙ୍କୁ ବ୍ୟକ୍ତିଗତ ସମାଲୋଚନା କରିବାକୁ ଆରମ୍ଭ କଲେ । ସେ କିନ୍ତୁ ଥିଲେ ନିର୍ଭୀକ । ସେ ଘୋଷଣା କରି କହିଥିଲେ, “ମୁଁ ସତ୍ୟାଗ୍ରହୀ ଓ ସତ୍ୟର ଉପାସକ । ସତ୍ୟ କେବେ କୌଣସି ଅବସ୍ଥାରେ ମିଥ୍ୟା ସହିତ ସନ୍ଧି କରିବ ନାହିଁ । ଯଦି ସମଗ୍ର ଜଗତ୍ ଆଜି ଏକମତ ହୋଇ ମୋ ବିରୋଧରେ ଦଣ୍ଡାୟମାନ ହୁଏ, ତେବେ ମଧ୍ୟ ସତ୍ୟ ବଳବତ୍ତର ରହିବ ।”

 

ସେ ବିଭିନ୍ନ ସ୍ଥାନ ବୁଲି ବକ୍ତୃତା ଦେବା ଅବକାଶରେ ସେଠାକାର ସଂଗ୍ରହାଳୟ, ବିଶ୍ଵବିଦ୍ୟାଳୟ, ଆର୍ଟ ଗ୍ୟାଲେରୀ, ଅନୁଷ୍ଠାନ ଇତ୍ୟାଦି ବୁଲି ଦେଖିବା ସହିତ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସଂସ୍କୃତି ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ସେଠାକାର ଉନ୍ନତ ବୈଷୟିକ ଜ୍ଞାନ ଓ ଅର୍ଥନୈତିକ ବ୍ୟବସ୍ଥାକୁ କିପରି ନିଜ ଦେଶରେ ପ୍ରୟୋଗ କରାଯାଇ ଲୋକମାନଙ୍କୁ ପ୍ରଗତିମାର୍ଗରେ ନିଆଯାଇପାରିବ, ତାହାର ଅନୁଧ୍ୟାନ କରୁଥିଲେ ।

 

ନାସ୍ତିକ, ଜଡ଼ବାଦୀ, ସନ୍ଦେହବାଦୀ, ଯୁକ୍ତିବାଦୀ ବ୍ୟକ୍ତିବିଶେଷ ‘ସ୍ଵାଧୀନ ଚିନ୍ତକ’ ନାମରେ ଏକ ଗୋଷ୍ଠୀ ଗଠନ କରି ଧର୍ମ ଓ ତତ୍‌ସଂଶ୍ଳିଷ୍ଟ ଯାବତୀୟ ଭାବନାକୁ ଜୁଆଚୋରୀ ଓ କୁସଂସ୍କାର ବୋଲି ଜ୍ଞାନ କରୁଥିଲେ । ସେମାନେ ନ୍ୟୁୟର୍କଠାରେ ଏକ ସଭା ଡାକି ସ୍ଵାମୀଜୀଙ୍କୁ ସମାଜଗୃହରେ ବକ୍ତୃତା ଦେବାକୁ ନିମନ୍ତ୍ରଣ କଲେ ଓ ଭାବିଥିଲେ ଯେ ସେମାନେ ପାଶ୍ଚାତ୍ୟଦର୍ଶନ ସାହାଯ୍ୟରେ ତାଙ୍କର ପ୍ରାଚୀନ ବିଶ୍ଵାସକୁ ଧୂଳିସାତ୍ କରିପାରିବେ ।

 

ସ୍ଵାମୀଜୀ ସେମାନଙ୍କ ଦ୍ଵାରା ଉତ୍‌ଥାପିତ ଯୁକ୍ତିକୁ ଖଣ୍ଡନ କରି ଅଦ୍ଵୈତବାଦର ଶ୍ରେଷ୍ଠତା ପ୍ରମାଣ କଲେ । ବିଜ୍ଞାନ ପରଧିର ସୀମା ରହିଛି– ଏହି କଥାଟିକୁ ବୁଝାଇଦେବା ଦ୍ଵାରା ବହୁ ସ୍ଵାଧୀନଚିନ୍ତକ ସ୍ଵାମୀଜୀଙ୍କ ଉପଦେଶରେ ଅନୁପ୍ରାଣିତ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ସେ ଆମେରିକୀୟ ଭଦ୍ରମହିଳାଙ୍କର ସ୍ନେହ, ଶ୍ରଦ୍ଧା, ସାହାଯ୍ୟ ଓ ଉପଦେଶ ଗ୍ରହଣ କରିବାର ଉତ୍ସୁକତାରେ ମୁଗ୍‌ଧ ହୋଇଥିଲେ ଏବଂ ସେମାନଙ୍କର ତ୍ୟାଗପୁତ ଜୀବନ ସଂପର୍କରେ ବର୍ଣ୍ଣନା କରି ଭାରତକୁ ଅନେକ ଚିଠି ଲେଖିଥିଲେ ।

 

ନିଉୟର୍କଠାରେ ପ୍ରଶ୍ନୋତ୍ତର ଶ୍ରେଣୀରେ ସ୍ଵାମୀଜୀ ରାଜଯୋଗ ଓ ଜ୍ଞାନଯୋଗ ସମ୍ପର୍କରେ ଭାଷଣ ପ୍ରଦତ୍ତ କରୁଥିଲେ ଏବଂ ସେହି ଗୃହଟିରେ ସ୍ଥାନାଭାବ ଘଟୁଥିଲା । ରାଜଯୋଗରେ ଆକୃଷ୍ଟ ଛାତ୍ରଛାତ୍ରୀମାନେ ଯୋଗାଭ୍ୟାସ କରିବାକୁ ଆରମ୍ଭ କଲେ ଏବଂ ଏଥି ନିମିତ୍ତ ବ୍ରହ୍ମଚର୍ଯ୍ୟ ସାତ୍ତ୍ଵିକ ଆହାର ଇତ୍ୟାଦି ନିୟମଗୁଡ଼ିକୁ ମଧ୍ୟ ଶ୍ରଦ୍ଧାର ସହ ପାଳନ କରିବାକୁ ଲାଗିଲେ । ରାଜଯୋଗସମ୍ବନ୍ଧୀୟ ବକ୍ତୃତାଗୁଡ଼ିକ ରାଜଯୋଗ ନାମକ ପୁସ୍ତକରେ ସଙ୍କଳିତ ହୋଇ ପ୍ରକାଶ ପାଇଲା । ଏହି ପୁସ୍ତକ ଅଧ୍ୟୟନ କରି ହାଭାର୍ଡ ବିଶ୍ଵବିଦ୍ୟାଳୟର ଦର୍ଶନ ଅଧ୍ୟାପକ ଉଇଲିୟମ୍ ଜେମ୍‍ସ ଅତ୍ୟନ୍ତ ମୁଗଧ୍‌ ହୋଇ ସ୍ଵାମୀଜୀଙ୍କର ବାସସ୍ଥାନକୁ ଆସି ତାକୁ ସାକ୍ଷାତ୍‍ କରିଥିଲେ ଓ ବନ୍ଧୁତାର ବନ୍ଧନ ସେମାନଙ୍କ ମଧ୍ୟରେ ଗଢ଼ିଉଠିଥିଲା । ଏ ପୁସ୍ତକର ପରିଶିଷ୍ଟରେ ପାତଞ୍ଜଳି ଦର୍ଶନର ସୁବିସ୍ତୃତ ଓ ଯୁକ୍ତିପୂର୍ଣ୍ଣ ଭାଷା ସ୍ଵାମୀଜୀ ଯୋଗ କରିଥିଲେ । ଆମେରିକାବାସୀ ପଣ୍ଡିତମଣ୍ଡଳୀ ଦ୍ଵାରା ପୁସ୍ତକଟିର ବହୁ ଆଦର ଓ ପ୍ରଚାର ହେଲା । ପ୍ରଥମତଃ ସ୍ଵାମୀଜୀ ଏଥିରେ କହିଥିଲେ ଧାର୍ମିକ ଅନୁଭୂତିସମୂହ ବିଜ୍ଞାନଭିତ୍ତିକ ସତ୍ୟ ସହ ସମପର୍ଯ୍ୟାୟଭୁକ୍ତ ଓ ଏହାକୁ ପରୀକ୍ଷା, ନିରୀକ୍ଷା ଏବଂ ପ୍ରମାଣ କରାଯାଇପାରେ । ଦ୍ୱିତୀୟତଃ ଏକାଗ୍ରତାର ବିଭିନ୍ନ ତତ୍ତ୍ଵକୁ ବର୍ଣ୍ଣନା କରାଯାଇ ଉପଯୁକ୍ତ ଗୁରୁଙ୍କ ଦିଗ୍‌ଦର୍ଶନ ଦ୍ଵାରା ଶିକ୍ଷାଲାଭ କଲେ ଉପଯୁକ୍ତ ସତ୍ୟସମୂହକୁ ଲାଭ ହେବ ବୋଲି ବର୍ଣ୍ଣିତ ।

 

୧୮୯୫ ମସିହା ମଧ୍ୟଭାଗ ବେଳକୁ ବିଭିନ୍ନ ଶ୍ରେଣୀଗୃହ ଆଲୋଚନା ଓ ବକ୍ତୃତା ଚିଠିପତ୍ରର ଆଦାନପ୍ରଦାନ, ଘରୋଇଭାବେ ଉପଦେଶ ଇତ୍ୟାଦି କାର୍ଯ୍ୟରେ ତତ୍ପର ରହି ସ୍ଵାମୀଜୀ ଶାରୀରିକ ଓ ମାନସିକ ଭାବେ କ୍ଲାନ୍ତ ହୋଇପଡ଼ିଲେ । ବିଦେଶ ଭୂମିରେ ହିନ୍ଦୁଧର୍ମର ଶାଶ୍ୱତସତ୍ୟର ପରିପ୍ରକାଶ ଓ ପ୍ରଚାର କଠିନ ପୀଡ଼ାଦାୟକ କାର୍ଯ୍ୟ ହୋଇ ପଡ଼ିଥିଲା ଏବଂ ତା’ସହିତ ତ୍ୟାଗ ଆଦର୍ଶରେ ଉଦ୍‌ବୁଦ୍ଧ କରି ବ୍ୟକ୍ତି ଜୀବନରେ ପରିବର୍ତ୍ତନ ଆଣିବାର ପ୍ରଚେଷ୍ଟା ଆମେରିକାର ପ୍ରଚୁର ବିଳାଶ ସନ୍ଦର୍ଶନରେ ତାଙ୍କର ଅନ୍ତରାତ୍ମା ବିଦ୍ରୋହ କରି ଉଠୁଥିଲା । ତାଙ୍କର ଅଦ୍ୟମ କର୍ମଶକ୍ତି, ପ୍ରବଳ ଉତ୍ସାହ, ସମୟ ସମୟରେ ବନ୍ଦ ହୋଇ ଯାଉଥିଲା । ଆଜନ୍ମତ୍ୟାଗୀ ସନ୍ନ୍ୟାସୀ ଗଭୀର କ୍ଷୋଭର ସହିତ ନିଜ ଜୀବନର ଗତ ଦିନଗୁଡ଼ିକୁ ସ୍ମରଣ କରି କହିଉଠୁଥିଲେ, “ମୁଁ ଚାହେଁ ମୋର ସେହି ପୁରୁଣା କୌପୀନ, ଲଣ୍ଡିତ ମୁଣ୍ଡ, ବୃକ୍ଷ ତଳେ ଶୟନ ଓ ଭିକ୍ଷାଲବ୍‌ଧ ପଦାର୍ଥରୁ ଆହାର ।”

 

ବହୁ ପ୍ରତିଷ୍ଠାବାନ୍ ଶିଷ୍ୟ ଓ ବନ୍ଧୁ ପ୍ରଚାରକାର୍ଯ୍ୟରେ ସବୁପ୍ରକାର ସାହାଯ୍ୟ କରିବାକୁ ଆଗେଇଆସିଥିଲେ । ସେମାନଙ୍କ ମଧ୍ୟରେ ମିସେସ୍‌ ମ୍ୟାରୀ ଲୁଇସ୍‌ (ସ୍ଵାମୀ ଅଭୟାନନ୍ଦ) ଡାକ୍ତର ସ୍ୟାଣ୍ଡସ୍‌ବର୍ଗ (ସ୍ଵାମୀ କୃପାନନ୍ଦ), ମିସେସ୍‌ ଓଲିବୁଲ୍‍, ଡାକ୍ତର ଏଲେନ୍‌ଡ଼ି, ମିସ୍‌ ଓ୍ଵାଲଡ଼ୋ, ଅଧ୍ୟାପକ ଓ୍ଵେମାନ୍‌, ପ୍ରଫେସର ରାଇଟ୍‌, ଡାକ୍ତର ଷ୍ଟ୍ରୀଟ୍‌, ସୁବିଖ୍ୟାତ ଗାୟିକା ମିସେସ୍‌ କ୍ୟାଲଭେ, ମିସେସ୍‌ ଓ ମିଷ୍ଟର ଲିଗେଟ୍‌, ମିସ୍‌ ମ୍ୟାକଲିୟଡ଼୍ ପ୍ରମୁଖ ସ୍ଥାନ ଅଧିକାର କରିଥିଲେ ।

Image

 

‘ସହସ୍ର ଦ୍ଵୀପୋଦ୍ୟାନ’ରେ ଶିଷ୍ୟଶିଷ୍ୟାଙ୍କ ସହ

 

ସ୍ଵାମୀଜୀଙ୍କର ବିଶ୍ରାମରେ ଆବଶ୍ୟକତା ଥିଲା । ତାଙ୍କର ସହୃଦୟ ବନ୍ଧୁ ଫ୍ରାନ୍‍ସିସ୍‌ ଏବଂ ଲିଗେଟ୍‌ ପର୍ଶିଠାରେ ଗ୍ରୀଷ୍ମକାଳୀନ ଅବସର ଗୃହରେ ରହିବାର ଅନୁରୋଧକୁ ରକ୍ଷାକରି ସେ ସେଠାରେ ସମୟ କଟାଇ ତାଙ୍କର ଅନ୍ୟଏକ ଶିଷ୍ୟ ମିସ୍‌ ଏଲିଜାବେଥ୍ ଡାରେଙ୍କ ଅନୁରୋଧକ୍ରମେ ସେଣ୍ଟଲରେନ୍‌ସ ନଦୀବକ୍ଷସ୍ଥ ବୃହତ୍ତମ ଦୀପ ‘ସହସ୍ର ଦ୍ଵୀପୋଦ୍ୟାନ’ (Thousand Island Park ) ଠାରେ ରହିବାପାଇଁ ସ୍ଵୀକୃତି ଦେଲେ ଓ ସେଠାରେ ଅବସ୍ଥାନ କଲେ ।

 

ଘରଟି ଏକ ଉଚ୍ଚଭୂମିରେ ଅତି ସୁନ୍ଦର ସ୍ଥାନରେ ଅବସ୍ଥିତ ଥିଲା । ସେଠାରୁ ସୁରମ୍ୟା ନଦୀର ବହୁଅଂଶ ଓ ତାର ବହୁଦୂର ବିସ୍ତୃତ ସହସ୍ର ଦ୍ଵୀପର ବହୁଅଞ୍ଚଳ ଦୃଷ୍ଟି-ଗୋଚର ହେଉଥିଲା । ‘ଗୋଟିଏ ପାହାଡ଼ ଉପରେ ନିର୍ମିତ’ ଏହି ଘରଟି ଗୋଟିଏ ବତିଘର ପରି ଦେଖାଯାଉଥିଲା । ସ୍ଥାନଟି ସତେ ଯେପରି ଏକ ପୁଣ୍ୟ ନିକେତନ ଥିଲା । ନିମ୍ନରେ ଥିବା ବୃକ୍ଷରାଜିର ଘଞ୍ଚ ସବୁଜପତ୍ର ହରିତ୍‌ସାଗରର ଭ୍ରମ ସୃଷ୍ଟି କରୁଥିଲା । ଏଠାରେ ରହିବା ସମୟର କାର୍ଯ୍ୟାବଳୀକୁ ବର୍ଣ୍ଣନା କରିବାକୁ ଯାଇ ମିସ୍‌ ଓ୍ଵାଲ୍ଡ଼ୋ ଲେଖିଛନ୍ତି, “ଏହି ଗନ୍ଧର୍ବ ରାଜ୍ୟରେ ଆମେ ଆଚାର୍ଯ୍ୟଦେବଙ୍କ ସହିତ ଅତି ଆନନ୍ଦରେ ସାତଟି ସପ୍ତାହ ତାଙ୍କ ଅତୀନ୍ଦ୍ରିୟ ରାଜ୍ୟର ବାର୍ତ୍ତାସମନ୍ଵିତ ଅପୂର୍ବ ବଚନାବଳୀ ଶ୍ରବଣ କରି କରି ଅତିବାହିତ କରିଥିଲୁ । ସେତେବେଳେ ଆମେ ମଧ୍ୟ ପୃଥିବୀକୁ ଭୁଲିଯାଇଥିଲୁ, ପୃଥିବୀ ମଧ୍ୟ ଆମକୁ ଭୁଲିଯାଇଥିଲା । ଏହି ସମୟରେ ପ୍ରତ୍ୟେକଦିନ ସାନ୍ଧ୍ୟଭୋଜନ ସମାପନାନ୍ତେ ଆମେ ସମସ୍ତେ ଉପରବାରଣ୍ଡାକୁ ଯାଇ ଆଚାର୍ଯ୍ୟଦେବଙ୍କ ଆଗମନକୁ ପ୍ରତୀକ୍ଷା କରି ରହୁଥିଲୁ । ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ୁ ନ ଥିଲା କାରଣ ଆମେ ସମବେତ ହେଉ ନ ହେଉଣୁ ତାଙ୍କ ପ୍ରକୋଷ୍ଠର ଦ୍ଵାର ଉନ୍ମୁକ୍ତ ହେଉଥିଲା ଏବଂ ସେଥିରେ ଧୀରେ ବାହାରକୁ ଆସି ତାଙ୍କ ଅଭ୍ୟସ୍ତ ଆସନ ଗ୍ରହଣ କରୁଥିଲେ । ସେ ଆମ୍ଭମାନଙ୍କ ସହିତ ପ୍ରତ୍ୟହ ଦୁଇଘଣ୍ଟା ଓ ଅନେକ ସମୟରେ ତତୋଽଧିକ ସମୟ କଟାଉଥିଲେ । ଏକ ଅପୂର୍ବ ସୌନ୍ଦର୍ଯ୍ୟମୟୀ ରଜନୀରେ (ସେଦିନ ପୂର୍ଣ୍ଣମୀ ଥିଲା) କଥା କହୁକହୁ ଚନ୍ଦ୍ରାସ୍ତ ହୋଇଗଲା । ଆମେମାନେ ଯେପରି ଏହି କାଳକ୍ଷେପ ବିଷୟ କିଛି ଜାଣିପାରି ନ ଥିଲୁ, ସ୍ଵାମୀଜୀ ମଧ୍ୟ ଠିକ୍‌ସେହିପରି ଜାଣିପାରି ନଥିଲେ ।”

 

“ଏହିସବୁ କଥୋପକଥନ ଲିପିବଦ୍ଧ କରି ରଖିବା ସମ୍ଭବପର ହୋଇ ନାହିଁ । ସେଗୁଡ଼ିକ କେବଳ ଶ୍ରୋତାବର୍ଗଙ୍କ ହୃଦୟରେ ହିଁ ଗ୍ରଥିତ ହୋଇ ରହିଛି । ଏହି ସବୁ ଦିବ୍ୟ ମୁହୂର୍ତ୍ତରେ ଆମେ ଯେଉଁସବୁ ଉଚ୍ଚାଙ୍ଗ ଗଭୀର ଧର୍ମାନୁଭୂତି ଲାଭ କରୁଥିଲୁ, ତାହା ଆମ୍ଭମାନଙ୍କ ଭିତରୁ କେହି କେବେ ଭୁଲିପାରିବ ନାହିଁ । ସ୍ଵାମୀଜୀ ଏହିସବୁ ମୁହୂର୍ତ୍ତରେ ତାଙ୍କ ହୃଦୟର ଦ୍ଵାର ଖୋଲି ଦେଉଥିଲେ । ଧର୍ମଲାଭ କରିବା ଲାଗି ତାଙ୍କୁ ଯେଉଁସବୁ ବାଧାବିଘ୍ନ ଅତିକ୍ରମ କରିଯିବାକୁ ହୋଇଥିଲା, ସେଗୁଡ଼ିକ ଯେପରି ପୁଣି ଆମମାନଙ୍କ ଦୃଷ୍ଟିଗୋଚର ହେଉଥିଲା । ତାଙ୍କର ଗୁରୁଦେବ ଯେପରି ସୂକ୍ଷ୍ମ ଶରୀରରେ ତାଙ୍କ ମୁଖାବଲମ୍ବନରେ ଆମମାନଙ୍କ ଆଗରେ କଥା କହୁଥିଲେ । ଆମମାନଙ୍କର ସବୁ ସନ୍ଦେହ ଦୂର କରୁଥିଲେ, ସବୁ ପ୍ରଶ୍ନର ଉତ୍ତର ଦେଉଥିଲେ ଓ ସବୁ ଭୟ ଦୂର କରୁଥିଲେ । ଅନେକ ସମୟରେ ସ୍ଵାମୀଜୀ ଯେପରି ଆମମାନଙ୍କ ଉପସ୍ଥିତି ଭୁଲିଯାଉଥିଲେ, ସେତେବେଳେ କାଳେ ଆମେ ତାଙ୍କ ଚିନ୍ତା ପ୍ରଭାହରେ ବାଧାଦେବୁ – ଏହି ଆଶଙ୍କାରେ ଆମେ ଶ୍ୱାସରୁଦ୍ଧ କରି ରହୁଥିଲୁ । ସେ ଆସନରୁ ଉଠି ବାରଣ୍ଡାର ସଂକୀର୍ଣ୍ଣ ସୀମା ଭିତରେ ପଦଚାରଣ କରୁକରୁ ଅନର୍ଗଳ କହିଯାଉଥିଲେ । ଏହି ସମୟଗୁଡ଼ିକରେ ସେ ଯେପରି କୋମଳ ପ୍ରକୃତି ଥିଲେ ଓ ସମସ୍ତଙ୍କ ଶ୍ରଦ୍ଧା ଆକର୍ଷଣ କରୁଥିଲେ, ତାହା ଆଉ କେବେ ଦେଖାଯାଇନାହିଁ । ତାଙ୍କ ଗୁରୁଦେବ ତାଙ୍କର ଶିଷ୍ୟମାନଙ୍କୁ ଯେପରି ଶିକ୍ଷା ଦେଉଥିଲେ, ଏହା ବୋଧହୁଏ ଅନେକ ପରିମାଣରେ ତଦ୍ରୂପ । ସେ ନିଜେ ନିଜେ ହିଁ ଆତ୍ମା ସହିତ ଭାବମୁଖରେ କଥା କହିଯାଉଥିଲେ ଓ ଶିଷ୍ୟମାନେ ଶୁଣୁଥିଲେ ।”

 

“ସ୍ଵାମୀ ବିବେକାନନ୍ଦଙ୍କ ପରି ଜଣେ ଲୋକଙ୍କ ସହିତ କାମ କରିବା ହିଁ ଅବିଶ୍ରାନ୍ତ ଉଚ୍ଚଉଚ୍ଚ ଅନୁଭୂତି ଲାଭ କରିବା । ପ୍ରାତଃକାଳରୁ ରାତ୍ରି ପର୍ଯ୍ୟନ୍ତ ସେହି ଗୋଟିଏ ଭାବ, ଆମେ ଗୋଟିଏ ଘନୀଭୂତ ଧର୍ମରାଜ୍ୟରେ ବାସ କରୁଥିଲୁ ।”

 

ଏହି ସହସ୍ର ଦ୍ଵୀପୋଦ୍ୟାନକୁ ଦ୍ଵାଦଶ ଜଣ ଛାତ୍ରଛାତ୍ରୀ ସ୍ଵାମୀଜୀଙ୍କୁ ଅନୁଗମନ କରିଥିଲେ-। ସେ ସେହି ଛାତ୍ରମାନଙ୍କୁ ପ୍ରକୃତ ଶିଷ୍ୟରୂପେ ଗ୍ରହଣ କରିଛନ୍ତି ବୋଲି କହିଥିଲେ ଓ ସେଇଥିପାଇଁ ପ୍ରାଣଖୋଲି ରାତିଦିନ ତାଙ୍କ ନିକଟରେ ଯାହା କିଛି ଶ୍ରେଷ୍ଠ ବସ୍ତୁ ଥିଲା, ତାହା ଶିକ୍ଷା ଦେଇଥିଲେ । ପ୍ରତ୍ୟେକ ଦିନ ସକାଳେ ନିର୍ଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ ଶେଷ ହେବା ପରେ ପ୍ରଶସ୍ତ ବୈଠକଖାନାରେ କ୍ଲାସ ହେଉଥିଲା । ସେ ପ୍ରତ୍ୟହ ଗୋଟିଏ ବିଷୟ ବାଛି ସେ ସମ୍ପର୍କରେ ଉପଦେଶ ଦେଉଥିଲେ । ଶ୍ରୀମଦ୍‌ ଭଗବତ୍ ଗୀତା, ଉପନିଷଦ ବା ବ୍ୟାସକୃତ ବେଦାନ୍ତ ସୂତ୍ର ପ୍ରଭୃତି ନେଇ ତାହାର ବ୍ୟାଖ୍ୟା କରୁଥିଲେ । ବେଦାନ୍ତ ସୂତ୍ରରେ ବେଦାନ୍ତ ଅନ୍ତର୍ଗତ ମହାସତ୍ୟଗୁଡ଼ିକ ଉପରେ ଶଙ୍କର, ରାମାନୁଜ ଓ ମାଧ୍ଵ ଏହି ତିନିଜଣ ହିନ୍ଦୁ ମହାଦାର୍ଶନିକ ବିସ୍ତୃତ ଭାଷ୍ୟ ଲେଖିଯାଇଛନ୍ତି । ପ୍ରାତଃକାଳର କଥୋପକଥନ ବେଳେ ସ୍ଵାମୀଜୀ ଏହି ଭାଷ୍ୟଗୁଡ଼ିକ ମଧ୍ୟରୁ ଗୋଟିକ ପରେ ଗୋଟିଏ ବ୍ୟାଖ୍ୟା କରୁଥିଲେ ଏବଂ ପ୍ରତ୍ୟେକ ଭାଷ୍ୟକାର କିଭଳି ନିଜ ମତଅନୁଯାୟୀ ସୂତ୍ରଗୁଡ଼ିକର ଅର୍ଥକରି ପ୍ରକୃତରେ କଦର୍ଥ କରିଥିବାର ଦୋଷରେ ଦୋଷୀ, ତାହା ବୁଝାଇ କହୁଥିଲେ ।

 

ସ୍ଵାମୀଜୀ ସେହି ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କର ମହାନ୍‌ ଆଚାର୍ଯ୍ୟ ଶ୍ରୀ ରାମକୃଷ୍ଣ ଦେବଙ୍କ ବିଷୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ସେ ତାଙ୍କ ସହିତ କିଭଳି କାଳାତିପାତ କରୁଥିଲେ ଏବଂ ତାହାଙ୍କୁ କିଭଳି ନିଜ ନାସ୍ତିକ ମତ ପ୍ରତି ରହିଥିବା ଝୁଙ୍କ ଦୂର କରିବାକୁ କଠୋର ଚେଷ୍ଠା କରିବାକୁ ପଡ଼ୁଥିଲା ଏବଂ ସମୟ ସମୟରେ ତାହା ଯେ ଗୁରୁଦେବଙ୍କୁ ସନ୍ତାପିତ କରି କନ୍ଦାଉଥିଲା– ଏସବୁ କଥା ବର୍ଣ୍ଣନା ଗମ୍ଭୀର ହୋଇଯାଇ ଧ୍ୟାନସ୍ଥ ହେଉଥିଲେ ।

 

ଆଉ ଜଣେ ଭଗିନୀ ଲେଖିଥିଲେ, “ଆମ୍ଭେମାନେ ସେଠାରେ ମୋଟ ବାରଜଣ ଥିଲୁ ଏବଂ ମନେ ହେଉଥିଲା ଯେପରିକି ଜ୍ଵାଳାମୟୀ ଐଶୀଶକ୍ତି ଅବତରଣ କରି ପ୍ରାଚୀନ କାଳର ଖ୍ରୀଷ୍ଟଶିଷ୍ୟମାନଙ୍କ ପରି ଆଚାର୍ଯ୍ୟଦେବଙ୍କୁ ମଧ୍ୟ ସ୍ପର୍ଶ କରିଥିଲେ । ଦିନେ ଅପରାହ୍‍ଣରେ ତ୍ୟାଗ ମାହାତ୍ମ୍ୟ କଥା କହୁଥିବାବେଳେ ସେ ଗୈରିକ ବସନଧାରୀ ସନ୍ନ୍ୟାସୀମାନଙ୍କ ଶାନ୍ତ ଓ ମୁକ୍ତି ସମ୍ପର୍କରେ ବର୍ଣ୍ଣନା କରୁକରୁ ଉଠିପଡ଼ିଲେ ଏବଂ ଅଳ୍ପସମୟ ପରେ ତ୍ୟାଗ ବୈରାଗ୍ୟକୁ ଆଧାର କରି ‘ସନ୍ନ୍ୟାସୀଙ୍କ ଗୀତି’ (song of the sannyasin ) ଶୀର୍ଷକ ଏକ କବିତା ଲେଖି ପକାଇଲେ । ମୋର ମନେହୁଏ, ତାଙ୍କ ଅପରିସୀମ ଧୈର୍ଯ୍ୟ ଓ କୋମଳତା ହିଁ ମୋତେ ଏହି ସମୟରେ ସର୍ବାପେକ୍ଷା ମୁଗଧ୍‌ କରିଥିଲା । ପିତା ତା’ର ସନ୍ତାନମାନଙ୍କୁ ଯେଉଁ ଚକ୍ଷୁରେ ଦେଖେ, ସେ ଆମକୁ ଠିକ୍‌ ସେହି ଦୃଷ୍ଟିରେ ଦେଖୁଥିଲେ, ଯଦିଓ ଆମ ଭିତରୁ ଅନେକ ତାଙ୍କଠାରୁ ବୟସରେ ବଡ଼ ଥିଲେ । ପ୍ରାତଃକାଳ କ୍ଲାସର କଥୋପକଥନ ଶୁଣି ସମୟେ ସମୟେ ଆମମାନଙ୍କର ମନେହେଉଥିଲା, ଯେପରି ସେ ବ୍ରହ୍ମକୁ ପ୍ରତ୍ୟକ୍ଷ କରିଛନ୍ତି । ଏହି ସମୟରେ ହୁଏତ ସେ କକ୍ଷତ୍ୟାଗ କରି ଉଠିଯାଉଥିଲେ ଏବଂ ଅଳ୍ପକ୍ଷଣ ପରେ ଫେରିଆସି କହୁଥିଲେ, “ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ପାଇଁ ରାନ୍ଧିବାକୁ ଯାଉଛି ।” ଧୈର୍ଯ୍ୟର ସହିତ ସେ ଚୁଲୀ ପାଖରେ ଠିଆହୋଇ ଆମପାଇଁ କିଛି ଭାରତୀୟ ଖାଦ୍ୟ ତିଆରି କରୁଥିଲେ । ଡେଟ୍ରଏଟ୍‍ରେ ସେ ଶେଷଥର ଆମ ପାଇଁ ଅତି ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିଥିଲେ । ପ୍ରତିଭାସମ୍ପନ୍ନ, ପଣ୍ଡିତମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ବିଶ୍ଵ ବିଖ୍ୟାତ ସ୍ଵାମୀ ବିବେକାନନ୍ଦ ଶିଷ୍ୟଗଣଙ୍କ କ୍ଷୁଦ୍ର କ୍ଷୁଦ୍ର ଅଭାବଗୁଡ଼ିକ ସ୍ଵହସ୍ତରେ ପୂରଣ କରି ଦେଉଛନ୍ତି– ଶିଷ୍ୟମାନଙ୍କ ପକ୍ଷରେ କି ଅପୂର୍ବ ଉଦାହରଣ ! ସେ ଏହିସବୁ ସମୟରେ କେତେ କୋମଳ, କେତେ କରୁଣ ସ୍ଵଭାବ ହେଉଥିଲେ କେତେ କୋମଳତାମୟ ପୁଣ୍ୟ ସ୍ମୃତି ସେ ଆମ୍ଭମାନଙ୍କୁ ଉତ୍ତରାଧିକାର ସୂତ୍ରରେ ଦେଇଯାଇଛନ୍ତି !

 

ସ୍ଵାମୀଜୀ ସହସ୍ର ଦ୍ଵୀପୋଦ୍ୟାନଠାରେ ଦୀର୍ଘ ସାତସପ୍ତାହ କାଳ ଅବସ୍ଥାନ କରି ଅମୂଲ୍ୟ ଉପଦେଶବାଣୀ ପ୍ରଦାନ କରିଥିଲେ । ସଂକ୍ଷପରେ ସେ ଯାହା କହିଥିଲେ, “ଈଶ୍ଵର ଅର୍ନିବଚନୀୟ ପ୍ରେମସ୍ଵରପ – ସେ ଉପଲବ୍‍ଧିର ବସ୍ତୁ! କିନ୍ତୁ ତାଙ୍କୁ କେତେବେଳେ ହେଲେ ମଧ୍ୟ ‘ଇତି ଇତି ’ କହି ନିର୍ଦ୍ଦିଷ୍ଟ କରାଯାଇପାରେ ନାହିଁ ।” ଜଡ଼ର ଯାହା କିଛି ସତ୍ତା; ତାହା ତ କେବଳ ତା ପଛରେ ମନ ରହିଛି ବୋଲି । ଆମେ ଜଗତ୍ ବୋଲି ଯାହା ଦେଖୁଛୁ, ତାହା ଈଶ୍ଵର – ପ୍ରକୃତି ଭିତର ଦେଇ ପ୍ରକାଶ ପାଇଛନ୍ତି । ସାହସୀ ଓ ଅକପଟ ହୁଅ । ତା’ପରେ ତୁମେ ଯେଉଁ ବାଟରେ ଇଚ୍ଛା ଭକ୍ତି ଓ ବିଶ୍ଵାସର ସହିତ ଅଗ୍ରସର ହୁଅ । ନିଜକୁ ସେହି ଅନନ୍ତସ୍ଵରୂପ ବୋଲି ଜାଣ, ତାହାହେଲେ ଭୟ ଏକାବେଳେକେ ଚାଲିଯିବ । ସର୍ବଦା କହ, ‘ମୁଁ ଓ ମୋର ପିତା (ଈଶ୍ଵର) ଏକ ।’ ଆଧ୍ୟାତ୍ମିକ ସତ୍ୟର ଏକମାତ୍ର ପ୍ରମାଣ ପ୍ରତ୍ୟକ୍ଷୀକରଣ, ପ୍ରତ୍ୟେକକୁ ନିଜେ ନିଜେ ପରୀକ୍ଷା କରି ଦେଖିବାକୁ ହେବ, ତାହା ସତ୍ୟ କି ନୁହେଁ ।” ଭକ୍ତି ବା ପ୍ରେମ ଦେଶକାଳର ଅତୀତ, ଏହା ପୂର୍ଣ୍ଣ-ସ୍ଵରୂପ ଓ ନିରପେକ୍ଷ ।’ ଆତ୍ମସ୍ଵରୂପରେ ପ୍ରତିଷ୍ଠିତ ହୁଅ । ତାହାହେଲେ ଆମେ ଠିକ୍‍ରୂପେ ଜଗତକୁ ଭଲ ପାଇପାରିବୁ । ଖୁବ୍‌ ଉଚ୍ଚ ଭାବରେ ନିଜକୁ ପ୍ରତିଷ୍ଠିତ କର । ମୁଁ ଯେ ସେହି ଅନନ୍ତ ଆତ୍ମସ୍ଵରୂପ ଏହା ଜାଣି ଆମକୁ ଜଗତ୍ ପ୍ରପଞ୍ଚ ପ୍ରତି ସମ୍ପୂଣ୍ଣ ଶାନ୍ତଭାବରେ ଦୃଷ୍ଟି ଦେବାକୁ ପଡ଼ିବ ।” ଦୁନିଆଁରେ ଦୁଃଖରହିତ ସୁଖ, ଅଶୁଭରହିତ ଶୁଭ – କେତେବେଳେ ପାଇବାର ସମ୍ଭାବନା ନାହିଁ । କାରଣ, ଜୀବନର ଅର୍ଥ ହେଉଛି ବିନିଷ୍ଟ ସାମ୍ୟଭାବ । ଆମେମାନେ ଚାହୁଁ ମୁକ୍ତି, ଜୀବନ ସୁଖ ବା ଶୁଭ – ଏସବୁ ଭିତରୁ କୌଣସିଟା ନୁହେଁ । ଜଗତ୍‌ ମୋ ପାଇଁ । ମୁଁ କେବଳ ଜଗତପାଇଁ ନୁହେଁ । ଭଲମନ୍ଦ ଆମମାନଙ୍କର ଦାସସ୍ଵରୂପ, ଅମେମାନେ କେବେହେଲେ ସେମାନଙ୍କର ଦାସ ନୋହୁଁ । କିଛି ପାଇବାର ଚେଷ୍ଟା କରନାହିଁ; କିଛି ଛାଡ଼ିବାର ବି ଚେଷ୍ଟା କରନାହିଁ-ହୀନ ଉପାଦେୟ ବର୍ଜିତ ହୁଅ; ଯେତିକି ପାଉଛ, ସେତିକିରେ ସନ୍ତୁଷ୍ଟ ହୁଅ । ନିଜକୁ ଜୟ କର, ତାହାହେଲେ ସମଗ୍ର ଜଗତ୍ ତୁମ ଗୋଡ଼ତଳକୁ ଆସିବ । ପଦ୍ମ ସଦୃଶ ହୁଅ । ପଦ୍ମ ଗୋଟିଏ ଜାଗାରେ ଥାଏ । କିନ୍ତୁ ଯେତେବେଳେ ଫୁଟିଉଠେ, ସେତେବେଳେ ମହୁମାଛି ଚାରିଆଡ଼କୁ ଆସି ମେଳା ବାନ୍ଧନ୍ତି । ବୈଷମ୍ୟ ସୃଷ୍ଟିର ମୂଳ-ଏକରସତା ବା ସାମ୍ୟ ହିଁ ଈଶ୍ଵର । ଯଦି ତୁମର ସ୍ଵାଧିନତାରେ ଅନ୍ୟର କିଛି କ୍ଷତି ହୁଏ, ତେବେ ବୁଝିବାକୁ ହେବ ଯେ ସ୍ଵାଧିନତା ପ୍ରକୃତ ସ୍ଵାଧିନତା ନୁହେଁ । ଅନ୍ୟର କୌଣସି ପ୍ରକାର କ୍ଷତି କେବେ କରନାହିଁ । ବଡ଼ ବଡ଼ ସାଧୁପୁରୁଷଗଣ ଆଦର୍ଶତତ୍ତ୍ଵର (Principles) ଦୃଷ୍ଟାନ୍ତସ୍ଵରୂପ । କିନ୍ତୁ ଶିଷ୍ୟମାନେ ବ୍ୟକ୍ତିଙ୍କୁ ହିଁ ଆଦର୍ଶ ବା ତତ୍ତ୍ଵ ସ୍ଥାନରେ ରଖନ୍ତି ଓ ବ୍ୟକ୍ତିକୁ ଏପଟ ସେପଟ କରୁ କରୁ ସବୁ ତତ୍ତ୍ଵ ଭୁଲିଯାଆନ୍ତି-।” ଇତ୍ୟାଦି ସେ ଏହିପରି ଶିକ୍ଷାପ୍ରଦତତ୍ତ୍ଵ ପ୍ରଦାନ କରିବା ଅବସରରେ ସେଠାରେ ପାଞ୍ଚଜଣଙ୍କୁ ବ୍ରହ୍ମଚର୍ଯ୍ୟ ଓ ଦୁଇଜଣଙ୍କୁ ସନ୍ନ୍ୟାସ ମନ୍ତ୍ରରେ ଦୀକ୍ଷିତ କରିଥିଲେ । କୁହାଯାଏ ଯେ ସେ ସେଠାରେ ଥିବା ସମୟରେ ନିର୍ବିକଳ୍ପ ସମାଧି ଅବସ୍ଥା ପ୍ରାପ୍ତ ହୋଇଥିଲେ ।

 

ଅଗଷ୍ଟ ୭ ତାରିଖ ୧୮୯୫ ଖ୍ରୀଷ୍ଟାଦ୍ଦ । ଉପସ୍ଥିତ ଶିଷ୍ୟଶିଷ୍ୟାଙ୍କଠାରୁ ବିଦାୟନେଇ ନ୍ୟୁୟର୍କ ଅଭିମୁଖେ ଷ୍ଟିମରରେ ଯାତ୍ରା କଲେ । ଆମେରିକାରେ ଥିବା ସମୟରେ ସେ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‍ କରିଥିଲେ । ଦର୍ଶନ ଓ ସାହିତ୍ୟରେ ସୁପଣ୍ଡିତ ଈଙ୍ଗାରସୋଲ ସନ୍ଦେହବାଦୀ ଓ ଭୋଗବାଦୀ ଥିଲେ । ଧର୍ମ, ଈଶ୍ଵର, ଉପାସନା ଇତ୍ୟାଦି ବିଷୟଗୁଡ଼ିକ ସେ ସର୍ବଦା ଉପହାସ କରି ଉପେକ୍ଷା କରୁଥିଲେ । ସେ ଏତେ ଜନପ୍ରିୟ ବକ୍ତା ଥିଲେ ଯେ ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରୁଥିଲେ । ଦିନେ ସେ ସ୍ଵାମୀଜୀଙ୍କ ସହିତ ଆଲୋଚନା କରିବାବେଳେ କହିଲେ, “ଚାଳିଶ ବର୍ଷ ପୂର୍ବେ ତୁମେ ଯଦି ଏହି ଦେଶକୁ ଧର୍ମପ୍ରଚାର କରିବାକୁ ଆସିଥାନ୍ତ, ତେବେ ତୁମକୁ ଫାଶୀଖୁଣ୍ଟରେ ଝୁଲିବାକୁ ପଡ଼ିଥାନ୍ତା କିମ୍ବା ଜୀଅନ୍ତା ପୋଡ଼ି ମାରି ଦିଆଯାଇଥାନ୍ତା । ତୁମକୁ ପଥର ଫିଙ୍ଗି ଗାଁମାନଙ୍କରୁ ବହିଷ୍କାର କରି ଦିଆଯାଇଥାନ୍ତା ଯଦି ଏହାର କିଛିଦିନ ପରେ ଆସିଥାନ୍ତ ।” ଏ କଥା ଶୁଣି ସ୍ଵାମୀଜୀ ଆଶ୍ଚର୍ଯ୍ୟ ଓ ବିସ୍ମିତ ହେଲେ ।

 

ଅନ୍ୟ ଗୋଟିଏ ଦିନରେ ଆଲୋଚନା ସମୟରେ ଈଙ୍ଗାରସୋଲ କହି ପକାଇଲେ, “ଏହି ଜଗତ୍‍ଟି ଗୋଟିଏ କମଳା ଲେମ୍ବୁ ପରି, ଯେତେଦୂର ପାର ଏହାର ରସ ନିଗାଡ଼ି ପିଇବା ଉଚିତ । ପରଲୋକର କୌଣସି ନିଶ୍ଚିତ ପ୍ରମାଣ ନ ଥିବାରୁ ଏହି ଜୀବନକୁ ମିଥ୍ୟା ଆଶାରେ ପ୍ରତାରିତ କରିବାର କୌଣସି ଲାଭ ନାହିଁ । କିଏ ଜାଣେ କେତେବେଳେ ମୃତ୍ୟୁ ହୋଇଯିବ, ତେଣୁ ଯେତେ ଶୀଘ୍ର ଜଗତ୍‍କୁ ଉପଭୋଗ କରିବା ଉଚିତ୍‌ ।”

 

ଏହା ଶୁଣି ମଧୁର ହସ ହସି ସ୍ଵାମୀଜୀ ଉତ୍ତର ଦେଲେ, “କିନ୍ତୁ ଜଗତ୍‍ରୂପକ କମଳାଲେମ୍ବୁର ରସ ବାହାର କରିବା ପ୍ରଣାଳୀ ମୁଁ ତୁମ ଅପେକ୍ଷା ଅଧିକ ଭଲକରି ଜାଣେ । ଫଳରେ ମୁଁ ତୁମ ଅପେକ୍ଷା ବେଶୀ ରସପାଏ । ମୁଁ ଜାଣେ ମୋର ମୃତ୍ୟୁ ନାହିଁ; ମୁଁ ଏତେ ବ୍ୟସ୍ତ ନୁହେଁ । ମୋର ଏହି ଜଗତ୍‌କୁ ଡରିବାପାଇଁ କୌଣସି କାରଣ ନାହିଁ । ସ୍ତ୍ରୀ, ପୁତ୍ର, ପରିବାର, ସମ୍ପତ୍ତି, ଇତ୍ୟାଦିରେ କୌଣସି ବନ୍ଧନ ନାହିଁ । ମୋ ପାଖରେ ଜଗତର ସମସ୍ତ ନରନାରୀ ସମାନ । ସମସ୍ତେ ସ୍ନେହର ପାତ୍ର । ସମସ୍ତେ ମୋ ଦୃଷ୍ଟିରେ ଈଶ୍ଵରସ୍ଵରୂପ । ଭାବିଲ ଦେଖି, ମଣିଷକୁ ଈଶ୍ଵର ବୋଲି ବିଚାର କରି ମୁଁ କେତେ ଆନନ୍ଦିତ ହୁଏ । ମୁଁ ନିରୁଦ୍‍ବେଗରେ ରସ ପାନ କରୁଛି । ତୁମେ ମଧ୍ୟ ମୋ ପ୍ରଣାଳୀ ଅବଲମ୍ବନ କର । ଜଗତ୍‌ରୂପକ କମଳାଲେମ୍ବୁରୁ ରସ ବାହାର କର । ଦେଖିବ ସହସ୍ର ଗୁଣରେ ଅଧିକ ରସ ମିଳିବ । ଗୋଟାଏ ଟୋପା ବି ବାଦ ପଡ଼ିବ ନାହିଁ ।

 

ସ୍ଵାମୀଜୀଙ୍କର ଏପରି ସ୍ପଷ୍ଟ, ସରଳ ଅଥଚ ସେହ୍ନପୂର୍ଣ୍ଣ ଉତ୍ତର ଇଙ୍ଗାରସୋଲଙ୍କ ଦୃଢ଼ ହୃଦୟକୁ ଜୟ କରିପାରିଥିଲା । ବିଶିଷ୍ଟ ବୈଜ୍ଞାନିକ ନିକୋଲା ଟେସଲା, ସାର୍‍ ଉଇଲିୟମ୍ ଅପ୍‌ସନ୍‌, ପ୍ରଫେସର୍‍ହେଲ୍‌ମ ହୋଲ୍‍କ, ଫରାସୀ ଅଭିନେତ୍ରୀ ସାରା ବର୍ଣ୍ଣହାର୍ଡ଼, ମ୍ୟାଡମ୍‍ ଇମା କାଲ୍‍ଭେ ଇତ୍ୟାଦିଙ୍କ ସହିତ ବେଦାନ୍ତ ଦର୍ଶନ, ବିଜ୍ଞାନ ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା ଓ ସେମାନେ ସ୍ଵାମୀଜୀଙ୍କର ପାଣ୍ଡିତ୍ୟ, ପବିତ୍ରତାରେ ମୁଗ୍‌ଧ ଓ ବିସ୍ମିତ ହୋଇଥିଲା ।

 

ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନିକଟରେ ସ୍ଵାମୀଜୀ ନିଜର ବୌଦ୍ଧିକ ଓ ଆଧ୍ୟାତ୍ମିକଜ୍ଞାନର ପରିଚୟ ଦେଇ ପ୍ରଶଂସାର ପାତ୍ର ହୋଇଥିବା ବେଳେ, ତାଙ୍କୁ ସାଧାରଣ ଲୋକମାନେ ‘ନିଗ୍ରୋ’ ବୋଲି ଭାବୁଥିଲେ । ଦିନେ କୌଣସି ଏକ ସହରକୁ ବକ୍ତୃତା ଦେବାକୁ ଯିବା ଅବସରରେ ତାଙ୍କୁ ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା କରାଗଲା । ସେଠାରେ ସହରର ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜଣେ ନିଗ୍ରୋ କୁଲି ତାଙ୍କ ନିକଟକୁ ଆସି ତାଙ୍କର ବଂଶଧର ଭାବେ, ‘ସେ ବିଶିଷ୍ଟ ବ୍ୟକ୍ତି ହୋଇପାରିବା ସେ ଶୁଣିପାରିଛି’, ଏହା କହି ସ୍ଵାମୀଜୀଙ୍କ ସହିତ କରମର୍ଦ୍ଦନ କରିବାକୁ ଅନୁରୋଧ କଲା । ଆନନ୍ଦରେ ସ୍ଵାମୀଜୀ ‘ଧନ୍ୟବାଦ’ ! ଭାଇ ଧନ୍ୟବାଦ !” କହି କରମର୍ଦ୍ଦନ କଲେ-। ତାଙ୍କ ଦେହର ଚମଡ଼ା କଳା ହୋଇଥିବା କାରଣରୁ ବହୁ ସମୟରେ ତାଙ୍କୁ ହୋଟେଲରେ ରହିବାକୁ ସ୍ଥାନ ମିଳୁ ନ ଥିଲା । ସେଲୁନ୍‌ରେ ପଶିବାକୁ ବା ରେଷ୍ଟୁରାଁରେ ଖାଇବାକୁ ମିଳୁ ନ ଥିଲା ।

 

ବକ୍ତୃତା କଲାବେଳେ ବା ଆଲୋଚନା ସମୟରେ ସ୍ଵାମୀଜୀଙ୍କର ହାସ୍ୟରସର ଅବତାରଣା ବେଶ୍‌ ଚମତ୍‍କାର ଥିଲା । ଥରେ ମିନାପୋଲିଠାରେ କୌଣସି ଏକ ଶ୍ରେଣୀଗୃହ ଆଲୋଚନାବେଳେ ଜଣେ ଛାତ୍ରୀ ପ୍ରଶ୍ନ କଲା, ‘ସ୍ଵାମୀଜୀ ! ହିନ୍ଦୁ ମା’ମାନେ ସେମାନଙ୍କର ପିଲାମାନଙ୍କୁ କୁମ୍ଭୀର ଖାଇବା ପାଇଁ ନଦୀଗର୍ଭକୁ ନିକ୍ଷେପ କରନ୍ତି ?” ତତ୍‌କ୍ଷଣାତ୍‌ ସ୍ଵାମୀଜୀ ଉତ୍ତର ଦେଲେ, “ହଁ, ମ୍ୟାଡମ୍‌ ! ସେମାନେ ମୋତେ ମଧ୍ୟ ନିକ୍ଷେପ କରିଦେଇଥିଲେ । କିନ୍ତୁ ମୋର ବେକ ମୋଟା ହୋଇଥିବାରୁ (ତୁମର ଜୋନାହା ଉପକଥା ପରି) ମୁଁ ସେଥିରୁ ବାହାରିଆସିଲି ।”

 

ଚିକାଗୋଠାରେ ମିଷ୍ଟର ଓ ମିସେସ୍‌ ହେଲ୍‌ ଦମ୍ପତ୍ତି ଏବଂ ସେମାନଙ୍କର ଦୁଇଝିଅ ମ୍ୟାରୀ ଓ ହାରିଏଟ୍‌ ଏବଂ ଝିଆରୀ ଈସାବେଲ ଓ ହାରିଏଟ୍‌ ମାକ୍‌କିଣ୍ଡଲିଙ୍କ ସହିତ ବେଶ୍‍ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଥିଲା । ସେ ମିଃ ହେଲ୍‍ଙ୍କୁ ‘ପୋପ୍ ପିତା’ ଓ ମିସେସ୍‍ ହେଲ୍‍ଙ୍କୁ ‘ମା’ ଚର୍ଚ୍ଚ’ କହି ଡାକୁଥିଲେ । ଝିଅମାନଙ୍କୁ ଭଉଣୀ ଓ କନ୍ୟା ସମ୍ବୋଧନ କରୁଥିଲେ । ସେ ବିଭିନ୍ନ ସମୟରେ ବହୁ ଚିଠି ଏମାନଙ୍କୁ ଲେଖିଥିଲେ ଯାହା ହାସ୍ୟରସାତ୍ମକ ଓ ଉତ୍ସାହପ୍ରଦ ଥିଲା ।

Image

 

ଭାରତରେ ବିଜୟୋଲ୍ଲାସ

 

ଚିକଗୋ ଧର୍ମସଭା ପରେ ପରେ ସ୍ଵାମୀଜୀ ଭାରତର ପୁନର୍ଗଠନ ପାଇଁ ତାଙ୍କର ଯୋଜନା ଶିଷ୍ୟମାନଙ୍କୁ ଲେଖିବାକୁ ଆରମ୍ଭ କରି ଦେଇଥିଲେ । ଚିକାଗୋ ଧର୍ମସଭାର ସାଫଲ୍ୟ ବାର୍ତ୍ତା ଯେତେବେଳେ ଭାରତରେ ପହଞ୍ଚିଲା, ସେହିଦିନଠାରୁ ହିନ୍ଦୁଜାତିର ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଆରମ୍ଭ ହେଲା । ରାମନାଦର ରାଜା ଭାସ୍କର ବର୍ମା ସେତୁପତି ଓ ଖେତ୍ଡ଼ି ରାଜା ଅଜିତ ସିଂହ ଗୁରୁଙ୍କର କାର୍ଯ୍ୟାବଳୀର ପ୍ରଶଂସାରେ ଆନନ୍ଦ ପ୍ରକାଶ କରି ତାଙ୍କ ନିକଟକୁ ଜନଗଣଙ୍କର କୃତଜ୍ଞତା ଓ ଧନ୍ୟବାଦ ଦେଇ ପତ୍ର ପ୍ରେରଣ କଲେ । ମନ୍ଦ୍ରାଜଠାରେ ରାଜା ସାର୍ ରାମସ୍ଵାମୀ ମୁଦାଲିୟର ଏବଂ ଦେଓ୍ଵାନ ବାହାଦୂର ସାର୍‍ ସୁବ୍ରମଣ୍ୟ ଆୟରଙ୍କ ନେତୃତ୍ଵରେ ଏକ ବଡ଼ ସଭା ଆହୂତ ହୋଇ ସ୍ଵାମୀଜୀଙ୍କର ପ୍ରଚାର କାର୍ଯ୍ୟକୁ ସମର୍ଥନ କରାଗଲା ଓ ତାହାର ସବିଶେଷ ବିବରଣୀ ତାଙ୍କ ନିକଟକୁ ପଠାଗଲା । କଲିକତାରେ ଉତ୍ସାହ ଓ ଆନନ୍ଦ କହିଲେ ନସରେ-। କଲିକତା ଟାଉନ୍‍ହଲ୍‍ଠାରେ ରାଜା ପ୍ୟାରିମୋହନ ମୁଖାର୍ଜୀଙ୍କ ସଭାପତିତ୍ଵରେ ଏକ ବିରାଟ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଣ୍ଡିତ ରାଜକୁମାର ନ୍ୟାୟରତ୍ନ, ମଧୁସୂଦନ ସ୍ମୃତିତୀର୍ଥ, କାମାକ୍ଷାନାଥ ତର୍କବାଗୀଶ, ରାମନାଥ ତର୍କସିନ୍ଧାନ୍ତ, ମହେଶଚନ୍ଦ୍ର ଶିରୋମଣି, ତାରାପଦ ବିଦ୍ୟାସାଗର, କେଦାରନାଥ ବିଦ୍ୟାରତ୍ନ, ଈଶାନଚନ୍ଦ୍ର ମୁଖୋପାଧ୍ୟାୟ ପ୍ରଭୃତି ଖ୍ୟାତନାମା ପଣ୍ଡିତବର୍ଗ ଓ ମହାରାଜକୁମାର ବିନୟକୃଷ୍ଣଦେ, ମାନନୀୟ ଜଷ୍ଟିସ ଗୁରୁଦାସ ବାନାର୍ଜୀ, ମାନନୀୟ ସୁରେନ୍ଦ୍ରନାଥ ବନ୍ଦୋପାଧ୍ୟାୟ, ବାବୁ ନଗେନ୍ଦ୍ରନାଥ ଘୋଷ୍‌ (ଇଣ୍ଡିଆନ୍‌ ନେସନ୍‌ର ସଂପାଦକ), ନରେନ୍ଦ୍ରନାଥ ସେନ୍‌(ଇଣ୍ଡିଆନ୍‌ ମିରର୍‌ର ସଂପାଦକ) ଡାକ୍ତର ଜେ.ବି. ଡେଲୀ (ଇଣ୍ଡିୟାନ୍‌ ଡେଲି ନିଉଜ୍ ପତ୍ରିକା) ବାବୁ ଭୂପେନ୍ଦ୍ରନାଥ ବସୁ, ରାୟ ଯତୀନ୍ଦ୍ରନାଥ ଚଉଧୁରୀ (ଟାକୀର ଜମିଦାର) ଏବଂ କଲିକତାର ଅନ୍ୟାନ୍ୟ ଖ୍ୟାତନାମା ପଣ୍ଡିତ ଓ ସମ୍ଭ୍ରାନ୍ତ ବ୍ୟକ୍ତିଗଣ ଏହି ସଭାରେ ସମବେତ ହୋଇଥିଲେ ।

ସଭାରେ ସ୍ଵାମୀ ବିବେକାନନ୍ଦଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ଗୃହୀତ ହେଲା ଏବଂ ଏହି ସଭାର ବିବରଣୀ ଓ ଗୃହୀତ ପ୍ରସ୍ତାବ ସ୍ଵାମୀଜୀ ଓ ଚିକାଗୋ ଧର୍ମସଭାର ସଭାପତି ଡକ୍ଟର ବ୍ୟାରୋଜଙ୍କ ନିକଟକୁ ପଠାଯାଇଥିଲା । ଭାରତବାସୀ ଉତ୍‍ଫୁଲ୍ଲ ହୋଇ ସ୍ଵାମୀଜୀଙ୍କୁ ପ୍ରଶଂସା ଓ ଅଭିନନ୍ଦନ ବାର୍ତ୍ତା ପଠାଇବାବେଳେ ମିଶନାରୀମାନେ ସମ୍ଵାଦପତ୍ରରେ ତାଙ୍କର କୁତ୍ସା ବା ନିନ୍ଦାରଟନା କରିବାକୁ ପଛେଇନଥିଲେ । ରକ୍ଷଣଶୀଳ ହିନ୍ଦୁସମ୍ପ୍ରଦାୟର ମୁଖପତ୍ରସ୍ଵରୂପ ‘ବଙ୍ଗବାସୀ’ କାଗଜ ବିବେକାନନ୍ଦଙ୍କର ନିନ୍ଦାକରି ଲେଖିବାକୁ ଅନ୍ୟତମ ମୁଖ୍ୟକାର୍ଯ୍ୟ ଭାବେ ଗ୍ରହଣ କରିଥିଲା ।

ମିଶନାରୀମାନଙ୍କର ସ୍ଵାମୀଜୀଙ୍କ ପ୍ରତି କ୍ରୋଧ ଜାତହେବା ସ୍ଵାଭାବିକ, କାରଣ ଯେଉଁ ଭ୍ରାନ୍ତ ଧାରଣା ଓ ଚିତ୍ର ହିନ୍ଦୁମାନଙ୍କ ସମ୍ପର୍କରେ ସେମାନେ ଦେଉଥିଲେ, ସ୍ଵାମୀଜୀଙ୍କ ଭାଷଣ ପରେ ଅନେକଙ୍କର ମିଶନାରୀଙ୍କ ପ୍ରଚାର ମନଗଢ଼ା କାହାଣୀ ବୋଲି ପ୍ରତୀୟମାନ ହେଲା ଏବଂ ପ୍ରଚାର କାର୍ଯ୍ୟ ପାଇଁ ଅର୍ଥ ସାହାଯ୍ୟ ବନ୍ଦ ହୋଇଯିବାର ଆଶଙ୍କା କରି ସେମାନେ ସ୍ଵାମୀଜୀଙ୍କ ବିରୋଧରେ କୁତ୍ସାରଟନା କାର୍ଯ୍ୟରେ ଲାଗିଥିଲେ । ଏପରିକି ସ୍ଵାମୀଜୀଙ୍କୁ ଜଣେ ରାଜନୈତିକ ବକ୍ତାଭାବରେ ଚିତ୍ରିତ କରାଗଲା । ପାଶ୍ଚାତ୍ୟ ସଭ୍ୟତାର ବିଳାସପ୍ରିୟତା, ପରଧନ ପ୍ରତି ଲୋଲୁପ ଦୃଷ୍ଟି, ସ୍ଵାର୍ଥପରତା ବିରୋଧରେ ସ୍ଵାମୀଜୀଙ୍କର ବକ୍ତବ୍ୟକୁ ଉଦ୍ଧୃତିଭାବେ ଗ୍ରହଣ କରାଯାଇଥିଲା ଏବଂ କଲିକତାର ଏକ ସଭାରେ ପ୍ରକାଶ୍ୟରେ କାଳୀମୋହନ ବାନାର୍ଜୀ ତାଙ୍କୁ ରାଜନୈତିକ ବକ୍ତା କହି ବିଦ୍ରୂପ କରିଥିଲେ ।

ସ୍ଵାମୀଜୀ ଶିଷ୍ୟମାନଙ୍କୁ ଏହାର ପ୍ରତିବାଦ କରିବାକୁ ଲେଖିଥିଲେ, “ମୁଁ ଆଶ୍ଚର୍ଯ୍ୟ ହେଉଛି ସେ ତୁମ୍ଭେମାନେ ମିଶନାରୀ ପ୍ରଚାରିତ ନିର୍ବୋଧ – ବୋଲି ଶୁଣି ବିଚଳିତ ହୋଇପଡ଼ିଛ । ଯଦି କୌଣସି ହିନ୍ଦୁ ମୋତେ ରକ୍ଷଣଶୀଳ ହିନ୍ଦୁମାନଙ୍କପରି ଆହାର ପ୍ରଣାଳୀ ଅବଲମ୍ବନ କରିବାକୁ ଅଯାଚିତ ପରାମର୍ଶ ଦିଏ, ତାହାହେଲେ ସେମାନଙ୍କୁ କହ ସେମାନେ ଯେପରି ଜଣେ ବ୍ରାହ୍ମଣପାଚକ ଓ ତା’ ସଙ୍ଗେ କେତେ ଟଙ୍କା ପଠାନ୍ତୁ । ଗୋଟିଏ ପଇସା ସାହାଯ୍ୟ ଦେବାର କ୍ଷମତା ନାହିଁ ଅଥଚ ବିଜ୍ଞ ଲୋକଙ୍କ ପରି ଉପଦେଶ ଦେବାବେଳକୁ ଖୁବ୍‌ ଯୋଗ୍ୟତା ଅଛି ଦେଖି ମୁଁ ହାସ୍ୟସମ୍ବରଣ କରିପାରୁନାହିଁ । ଅନ୍ୟ ଦିଗରେ ଯଦି ମିଶନାରୀମାନେ କହନ୍ତି ଯେ ମୁଁ କାମ ଓ କାଞ୍ଚନ ତ୍ୟାଗସ୍ଵରୂପ ସନ୍ନ୍ୟାସ ଜୀବନର ମହତ୍ତମ ବ୍ରତ ଭଙ୍ଗକରିଛି, ତେବେ ସେମାନଙ୍କୁ କୁହ, ସେମାନେ ଘୋର ମିଥ୍ୟାବାଦୀ । x x x ମନେରଖ, ମୁଁ କାହାରି ନର୍ଦ୍ଦେଶରେ କରିବାକୁ ପ୍ରସ୍ତୁତ ନୁହେଁ, ମୁଁ ମୋ ଜୀବନର ଉଦ୍ଦେଶ୍ୟ ଭଲଭାବରେ ଜାଣିଛି । ମୁଁ କୌଣସି ପ୍ରକାର ହଟ୍ଟଗୋଳ, ନିନ୍ଦା ଇତ୍ୟାଦିକୁ ଖାତିର କରେନାହିଁ । ମୁଁ କ’ଣ କୌଣସି ବ୍ୟକ୍ତିବିଶେଷ ବା ଜାତିବିଶେଷର କ୍ରୀତଦାସ ? …… ତୁମେ କ’ଣ କହିବାକୁ ଚାହଁ ଯେ କୁସଂସ୍କାରାଚ୍ଛନ୍ନ ନିଷ୍ଠୁର ପ୍ରକୃତି, ଦୁର୍ବଳଚେତା ନାସ୍ତିକଭାବାପନ୍ନ ତଥାକଥିତ ଶିକ୍ଷିତବ୍ୟକ୍ତିଗଣଙ୍କ ମଧ୍ୟରେ ବାସ କରିବା ଲାଗି ମୁଁ ଜନ୍ମଗ୍ରହଣ କରିଛି ? ମୁଁ ସବୁପ୍ରକାର କାପୁରୁଷଗଣକୁ ଘୃଣାକରେ । ଏହି ସମସ୍ତ କାପୁରୁଷ ଓ ରାଜନୈତିକ ନିର୍ବୋଧତା ସହିତ ମୋର କୌଣସି ସଂସ୍ରବ ନାହିଁ । ଈଶ୍ଵର ଏବଂ ସତ୍ୟ ହିଁ ମୋର ଏକମାତ୍ର ରାଜନୀତି-ଏହା ବ୍ୟତୀତ ଆଉ ସବୁ ଆବର୍ଜନା ମାତ୍ର ।”

ହିନ୍ଦୁ ଧର୍ମର ପୁନରୁତ୍‍ଥାନ ପାଇଁ ବିବେକାନନ୍ଦଙ୍କ ମଧ୍ୟରେ ପୁଞ୍ଜୀଭୂତ ହୋଇଥିବା ମହାଶକ୍ତିର ପ୍ରବାହକୁ ରୋକିବାକୁ ଚେଷ୍ଟା କରୁଥିବା ମୁଷ୍ଟିମେୟ ବ୍ରାହ୍ମ ପ୍ରଚାରକ ଓ ମିଶନାରୀ ପ୍ରବାହର କ୍ଷିପ୍ରତାରେ ନିଶ୍ଚିହ୍ନ ହୋଇଯାଇଥିଲେ ।

Image

 

ଲଣ୍ଡନ ଯାତ୍ରା

 

ମିସ୍‌ ହେନେରିଏଟା ମୁଲ୍‌ରଙ୍କ ଅନୁରୋଧ କ୍ରମେ ସ୍ଵାମୀଜୀ ଲଣ୍ଡନ ଯାତ୍ରା କଲେ । ମିଃ. ଇ. ଟି. ଷ୍ଟର୍ଡ଼ି ତାଙ୍କୁ ତାଙ୍କ ଘରେ ରହିବା ପାଇଁ ଅନୁରୋଧ କରିଥାନ୍ତି ଏବଂ ମିଃ ଲିଗେଟ୍ ପ୍ୟାରିସ୍‍ରେ ତାଙ୍କର ଅତିଥି ହେବାକୁ କହିଥାନ୍ତି । ମିଃ ଲିଗେଟ୍‍ଙ୍କ ସହିତ ସ୍ଵାମୀଜୀ ପ୍ୟାରିସ୍‍ ଅଭିମୁଖେ ଯାତ୍ରାକରି ସେଠାରୁ ଲଣ୍ଡନ ଅଭିମୁଖେ ଯାତ୍ରା କଲେ । ଲଣ୍ଡନରେ ତାଙ୍କୁ ମିସ୍ ମୁଲର ଓ ମିଃ ଷ୍ଟର୍ଡ଼ି ସ୍ଵାଗତସମ୍ଭାଷଣ ଜଣାଇଥିଲେ । ବ୍ରିଟିଶ ଅଧୀନରେ ଥିବା ଭାରତର ଧର୍ମ ଓ ସଂସ୍କୃତିକୁ ଇଂରେଜ ଲୋକେ କିପରି ଗ୍ରହଣ କରିବେ, ତାହା ତାଙ୍କ ଭାଵନାର ମୁଖ୍ୟବସ୍ତୁ ହୋଇଥିଲା । ସ୍ଵାମୀଜୀ ଆମେରିକାରେ ରହିବାବେଳେ ଯେଉଁ ଆଲୋଡ଼ନ ସୃଷ୍ଟିକରି “Cyclonic Hindu” ଭାବରେ ପରିଚିତ ହୋଇଥିଲେ ଲଣ୍ଡନର ତିନି ସପ୍ତାହ ରହଣି ମଧ୍ୟରେ ତାଙ୍କର ଯଶ କାହାଣୀ ନାଗରିକମାନଙ୍କର ଚର୍ଚ୍ଚାର ବିଷୟ ହୋଇଗଲା । ଖବରକାଗଜରେ’ ଲଣ୍ଡନରେ ଭାରତୀୟ ଯୋଗୀ’ ଶିରୋନାମାର ଏକ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ପ୍ରକାଶିତ ହେଲା । ଲଣ୍ଡନ ଡେଲି କ୍ରୋନିକ୍ଳ ତାଙ୍କୁ ବୁଦ୍ଧଙ୍କର ପୁନଃ ଆଗମନ ବୋଲି ବର୍ଣ୍ଣନା କଲା ।

 

ସେ ସେଠାରେ କହିଥିଲେ କୌଣସି ନୂତନ ସମ୍ପ୍ରଦାୟ ପ୍ରତିଷ୍ଠା କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ସେ କୌଣସି ବିଶେଷ ଧର୍ମମତର ପ୍ରଚାରକ ମଧ୍ୟ ନୁହଁନ୍ତି । ତାଙ୍କର ବିଶ୍ଵାସ ବେଦାନ୍ତର ଉଦାରଜ୍ଞାନ ସମଷ୍ଟିକୁ ସକଳ ଧର୍ମ ଓ ସମ୍ପ୍ରଦାୟ ନିଜ ନିଜର ଧର୍ମସମ୍ଵନ୍ଧୀୟ ସ୍ଵାତନ୍ତ୍ର୍ୟ ବଜାୟ ରଖି ଗ୍ରହଣ କରିପାରନ୍ତି । ପାଶ୍ଚାତ୍ୟ ସଭ୍ୟତା ଯଦି ବେଦାନ୍ତର ତ୍ୟାଗ, ବିବେକ ଓ ବୈରାଗ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ ନ ହୁଏ, ତେବେ ତାର ଧ୍ଵଂସ ଅପରିହାର୍ଯ୍ୟ ବୋଲି ସୂଚିତ କରି ଦୃଢ଼କଣ୍ଠରେ କହିଥିଲେ, “ସାବଧାନ ! ମୁଁ ଦିବ୍ୟଚକ୍ଷୁରେ ଦେଖୁଛି, ସମଗ୍ର ପାଶ୍ଚାତ୍ୟ ଜଗତ ଗୋଟିଏ ଆଗ୍ନେୟଗିରି ଉପରେ ପ୍ରତିଷ୍ଠିତ ହୋଇଛି, ଏହା ଯେ କୌଣସି ମୁହୂର୍ତ୍ତରେ ଅଗ୍ନି ଉଦ୍‍ଗୀରଣ କରି ପାଶ୍ଚାତ୍ୟଜଗତକୁ ଧ୍ଵଂସ କରିଦେଇପାରେ । ଏବେ ମଧ୍ୟ ଯଦି ତୁମ୍ଭେମାନେ ସାବାଧାନ ନ ହୁଅ, ତାହାହେଲେ ଆଗାମୀ ପଚାଶବର୍ଷ ମଧ୍ୟରେ ତୁମ୍ଭମାନଙ୍କର ଧ୍ଵଂସ ଅବଶ୍ୟମ୍ଭାବୀ ।”

 

ଲଣ୍ଡନରେ ଅବସ୍ଥାନ କାଳରେ ସ୍ଵାମୀଜୀଙ୍କ ସାକ୍ଷାତ୍‍ ମିସ୍‌ ମାର୍ଗାରେଟ୍‌ ନୋବେଲଙ୍କ ସହିତ ଏକ ବକ୍ତୃତା ସଭାରେ ହୋଇଥିଲା ଯେ କି ପରବର୍ତ୍ତୀ ସମୟରେ ଭଗିନୀ ନିବେଦିତା ନାମରେ ସମଗ୍ର ଭାରତର ମହନୀୟା ନାରୀ ହୋଇଥିଲେ । ଏହି ଅସାଧାରଣ ବିଦୂଷୀ ମହିଳା ସ୍ଵାମୀଜୀଙ୍କ ଶିଷତ୍ୱ ଗ୍ରହଣ କରି ଭାରତକୁ ନିଜର ଘର ଭାବରେ ଗ୍ରହଣ କରିଥିଲେ ଓ ସ୍ୱାମୀଜୀଙ୍କ କାର୍ଯ୍ୟ ଶିକ୍ଷାବିସ୍ତାରରେ ଶେଷ ରକ୍ତବିନ୍ଦୁ, ଏଠାରେ ହିଁ ନିଗାଡ଼ି ଦେଇଥିଲେ ।

 

ଇଂଲଣ୍ଡରେ ପ୍ରଚାର କାର୍ଯ୍ୟ କରୁଥିବାବେଳେ ଆମେରିକାର ଶିଷ୍ୟମଣ୍ଡଳୀଙ୍କ ଠାରୁ ଆମେରିକା ଫେରିଯିବାପାଇଁ ପତ୍ର ପାଉଥିଲେ । ଲଣ୍ଡନରେ ନିୟମିତ ଭାବେ ଶାସ୍ତ୍ରାଲୋଚନା କରି ଶ୍ରୀମଦ୍‍ଭଗବତ୍ ଗୀତା ଓ ଅନ୍ୟାନ୍ୟ ହିନ୍ଦୁଧର୍ମଶାସ୍ତ୍ର ଆଲୋଚନା ନିମିତ୍ତ ଏକ ସମିତି ଗଠନ କରିବାକୁ ସେ ଉପଦେଶ ଦେଲେ । ସେଠାରେ ଶିଷ୍ୟମାନେ ଅନୁଭବ କରୁଥିଲେ ଯେ ସ୍ଵାମୀଜୀ ଦୁର୍ବଳତା ଓ ସଂକୀର୍ଣ୍ଣତାରୁ ମାନବକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ଓ ତାଙ୍କର ବାର୍ତ୍ତା ଉଦାର ।

 

ସେ ଆମେରିକା ପ୍ରତ୍ୟାବର୍ତ୍ତନ କଲେ । ତାଙ୍କ ଅନୁପସ୍ଥିତିରେ ଆମେରିକୀୟ ଶିଷ୍ୟ ସ୍ଵାମୀ କୃପାନନ୍ଦ, ଅଭୟାନନ୍ଦ ଓ ମିସ୍‌ୱାଲଡୋ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ । ସ୍ଵାମୀଜୀ ପହଞ୍ଚିବାମାତ୍ରେ ପ୍ରଚାର କାର୍ଯ୍ୟ ଜୋର୍‍ସୋର୍‍ରେ ଚାଲିଲା । ଏଠାରେ ତାଙ୍କର କର୍ମଯୋଗସମ୍ଭନ୍ଧୀୟ ବକ୍ତୃତାଗୁଡ଼ିକ ‘କର୍ମଯୋଗ’ ପୁସ୍ତକରେ ସନ୍ନିବେଶୀତ ହୋଇ ପ୍ରକାଶିତ ହେଲା ।

 

ସ୍ଵାମୀଜୀଙ୍କ ଶିଷ୍ୟଗଣ ତାଙ୍କର ବକ୍ତୃତାଗୁଡ଼ିକ ଟିପି ରଖିବାପାଇଁ ଜଣେ ସାଙ୍କେତିକ ଲେଖକ (ଷ୍ଟେନୋ)ର ଅନୁସନ୍ଧାନ କରୁଥିଲେ । ସେ ପର୍ଯ୍ୟନ୍ତ କୌଣସି ଅଭିଜ୍ଞ ଷ୍ଟେନୋ ମିଳୁ ନ ଥିବାରୁ, ତାଙ୍କ ବକ୍ତୃତା ଠିକ୍‌ ଭାବରେ ଲେଖାଯାଇପାରୁନଥିଲା । ଇଂଲଣ୍ଡକୁ ଶ୍ରୀ ଜେ. ଜେ. ଗୁଡ଼ଉଇନ୍‌ ନାମକ ଜଣେ ଅଭିଜ୍ଞ ସାଙ୍କେତିକ ଲେଖକ ନିଉୟର୍କ ଆସି ସ୍ଵାମୀଜୀଙ୍କ ବକ୍ତୃତା ଲିପିବଦ୍ଧ କଲେ । ସେ ଅଧିକାଂଶ ସମୟରେ ସ୍ଵାମୀଜୀଙ୍କ ସହିତ ରହୁଥିଲେ । କ୍ରମଶଃ ତାଙ୍କର ମନୋଭାବରେ ପରିବର୍ତ୍ତନ ହେଲା ଓ ସେ ସ୍ଵାମୀଜୀଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ମିଃ ଗୁଡ଼ଉଇନ୍‍ଙ୍କର ପ୍ରଚଣ୍ଡ ଗୁରୁନିଷ୍ଠା ସ୍ଵାମୀଜୀଙ୍କ ଉଦାର ହୃଦୟକୁ ସ୍ପର୍ଶ କରିଥିଲା । ତାଙ୍କଦ୍ଵାରା ଲିପିବଦ୍ଧ ହୋଇଥିବା ବକ୍ତୃତା ସ୍ଵାମୀ ବିବେକାନନ୍ଦ ରଚନାବଳୀ ନାମରେ ବର୍ତ୍ତମାନ ସର୍ବଜନାଦୃତ ଓ ପାଠକର ଶ୍ରଦ୍ଧାଲାଭ କରୁଛି । ଏହା ସମ୍ଭବ ହେବାର ମୂଳରେ ମିଃ ଗଡ଼ଉଇନ୍‌ଙ୍କ ଆକ୍ଳାନ୍ତ ପରିଶ୍ରମ ଓ ଗୁରୁ ନିଷ୍ଠାରୂପକ ପ୍ରେମ ନିହିତ ।

 

ସ୍ଵାମୀଜୀ କେମ୍ବ୍ରିଜ୍‌ ଓ ମାସୁଚୁସେଟ୍‍ସ୍‍ରେ ମହିଳାମାନଙ୍କ ସଭାରେ ‘ଭାରତୀୟ, ନାରୀଜାତିର ମହାନ୍‌ ଆଦର୍ଶ’ ଶୀର୍ଷକ ବକ୍ତୃତା ଦେଇଥିଲେ ଓ ନାରୀମାନଙ୍କର ମହାନ ତ୍ୟାଗ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେମାନଙ୍କୁ ବକ୍ତୃତା ଦେବାବେଳେ ତାଙ୍କ ମାଆ କିପରି ଉପବାସ ବ୍ରତ ପାଳନ କରୁଥିଲେ ଓ ଆତ୍ମସଂଯମ ରକ୍ଷା କରୁଥିଲେ, ତାହାର ଉଦାହରଣ ଦେଇ, ଏହା ତାଙ୍କୁ ଉତ୍ସାହିତ କରୁଥିଲା ବୋଲି କହିଥିଲେ ।

 

ଖ୍ରୀଷ୍ଟମାସ୍‌ ପର୍ବ ଉପଲକ୍ଷେ ଏକ ନାରୀସଭା ହେଲା । ସେଠାରେ ଉପସ୍ଥିତ ଥିବା ବିଦୂଷୀ ମହିଳାମାନେ ସ୍ଵାମୀଜୀଙ୍କ ମାଆଙ୍କ ନିକଟକୁ ଏକ ପତ୍ର ଓ ତା ସହିତ ମା’ ମେରୀଙ୍କର ଶିଶୁପୁତ୍ର ଯିଶୁଙ୍କୁ କୋଳରେ ଧରିଥିବାର ଏକ ଚିତ୍ର ପ୍ରେରଣ କରିଥିଲେ ।

 

ସେଥିରେ ସେମାନେ ଲେଖିଥିଲେ, “ଜଗତର କଲ୍ୟାଣନିମିତ୍ତ ଜନନୀ ମେରୀଙ୍କ ଅବଦାନସ୍ଵରୂପ ଖ୍ରୀଷ୍ଟଦେବଙ୍କ ଆବିର୍ଭାବ ଦିବସରେ ଆମେ ଆନନ୍ଦୋତ୍ସବ କରୁଛୁ । ସଙ୍ଗେ ସଙ୍ଗେ ସ୍ମୃତି ଜାଗିଉଠୁଛି। ଆମମାନଙ୍କ ଭିତରେ ଆପଣଙ୍କ ପୁତ୍ରକୁ ପାଇ ଶ୍ରଦ୍ଧାଭିବାଦନ ଜଣାଉଛୁ । ଆପଣଙ୍କ ଶ୍ରୀଚରଣ ଆର୍ଶୀବାଦରୁ ସେ ଦିନ ‘ଭାରତର ମାତୃଭୂମିର ଆଦର୍ଶ’ ସମ୍ବନ୍ଧରେ ବକ୍ତୃତା ଦେଇ ସେ ଆମ ଦେଶର ନରନାରୀ ଓ ଶିଶୁମାନଙ୍କର ମହତ୍ ଉପକାର ସାଧନ କରିଛନ୍ତି । ତାଙ୍କ ମାତୃପୂଜା ଶ୍ରୋତୃବୃନ୍ଦଙ୍କ ହୃଦୟରେ ଶକ୍ତି ସମୁନ୍ନତିର ଉଚ୍ଚାକାଙ୍‌କ୍ଷା ଜଣାଇଦେଇଛି ।”

 

“ଆପଣଙ୍କର ଏହି ସନ୍ତାନଠାରେ ଆପଣଙ୍କ ଜୀବନ ଓ କାର୍ଯ୍ୟର ଯେଉଁ ପ୍ରଭାବ ପ୍ରକାଶ ପାଇଛି, ତାହା ଆମେ ସମ୍ୟକ୍ ଉପଲବ୍‍ଧି କରି ଆପଣଙ୍କ ନିକଟରେ ଆମ୍ଭମାନଙ୍କର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛୁ । ଭ୍ରାତୃତ୍ଵ ଓ ଐକ୍ୟର ସେ ନିୟନ୍ତା, ସେହି ଦେବତାଙ୍କ ପ୍ରକୃତ ଆଶୀର୍ବାଦ ସମଗ୍ର ପୃଥିବୀରେ ବିସ୍ତୃତ ହୋଇଯାଉ । ହୃଦୟରେ ଏହି ବାସ୍ତବ ସ୍ମୃତି ନେଇ ଆପଣଙ୍କ ଜୀବନ୍ତ ଆଦର୍ଶ ଯେପରି ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ଅନୁପ୍ରାଣିତ କରେ, ଏହି କଥା ସ୍ମରଣ କରି ଆମ୍ଭମାନଙ୍କର ଏହି ସାମାନ୍ୟ ନିଦର୍ଶନସ୍ୱରୂପ କୃତଜ୍ଞତା ଯେପରି ଗ୍ରହଣ କରନ୍ତି ।”

 

ଏହି ସମୟରେ ସ୍ଵମୀଜୀ ନିଉୟର୍କରେ ‘ବେଦାନ୍ତ ସୋସାଇଟି’ ସ୍ଥାପନ କଲେ ଓ ତାର ପରିଚାଳନା ପାଇଁ ମିଃ ଫ୍ରାନ୍‍ସିସ୍‌ ଲେଗେଟଙ୍କୁ ତାହାର ସଭାପତି ଦାୟିତ୍ଵ ଅର୍ପଣ କଲେ । ଆମେରିକାରେ ବେଦାନ୍ତ ପ୍ରଚାରର ସ୍ଥାୟୀ ଭିତ୍ତିଭୂମି ପକାଇ ୧୮୯୬ ଖ୍ରୀଷ୍ଟାବ୍ଦରେ ପୁନଶ୍ଚ ଇଂଲଣ୍ଡ ଫେରିଗଲେ । ନିଉୟର୍କ କେନ୍ଦ୍ରର କାର୍ଯ୍ୟଭାର ଗ୍ରହଣ କରିବାପାଇଁ ତାଙ୍କର ଗୁରୁଭାଇ ସ୍ଵାମୀ ସାରାଦାନନ୍ଦ ଆସି ଇଂଲଣ୍ଡରେ ପହଞ୍ଚିଥାନ୍ତି । ତାଙ୍କୁ କାର୍ଯ୍ୟର କଥା ବୁଝାଇ ସ୍ଵାମୀଜୀ ତାଙ୍କୁ ନିଉୟର୍କ କେନ୍ଦ୍ରକୁ ପଠାଇଲେ । ଇଂଲଣ୍ଡରେ ପ୍ରଚାର କାର୍ଯ୍ୟ ଚାଲିଥିବାବେଳେ ସେ ଇଉରୋପ ଭ୍ରମଣରେ ଯାଇ ଜର୍ମାନୀର ବିଖ୍ୟାତ ଦାର୍ଶନିକ ପଲ୍‌ ଡୟସନ୍‍ଙ୍କ ଆମନ୍ତ୍ରଣକ୍ରମେ ତାଙ୍କ ଗୃହରେ ଅତିଥି ହୋଇଥିଲେ ।

 

ଇଂଲଣ୍ଡରେ ଥିବାବେଳେ ଅକ୍‌ସଫୋର୍ଡ଼ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ମ୍ୟାକ୍‌ସ ମୁଲାରଙ୍କ ସହିତ ତାଙ୍କର ସାକ୍ଷାତ୍‍ ହୋଇଥିଲା । ଅଧ୍ୟାପକ ମ୍ୟାକସ୍‌ମୁରାଲଙ୍କର ଭାରତ ପ୍ରତି ଅସୀମ ସ୍ନେହ ଥିଲା । ସେ ଶ୍ରୀ ରାମକୃଷ୍ଣଙ୍କ ସଂପର୍କରେ ‘ପ୍ରକୃତ ମହାତ୍ମା’ ଶୀର୍ଷକ ଏକ ପ୍ରବନ୍ଧ ଲେଖି ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ମିଃ ମ୍ୟାକସ୍‍ମୁଲାର ଶ୍ରୀ ରାମକୃଷ୍ଣଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଥିଲେ । ସ୍ଵାମୀଜୀଙ୍କୁ ବିଦାୟ ଦେବା ପାଇଁ ଷ୍ଟେସନରେ ଉପସ୍ଥିତ ରହି କହିଥିଲେ, “ଶ୍ରୀ ରାମକୃଷ୍ଣଙ୍କର ଜଣେ ଯୋଗ୍ୟତମ ଶିଷ୍ୟଙ୍କ ଦର୍ଶନ ଲାଭର ସୌଭାଗ୍ୟ ପ୍ରତ୍ୟହ ଆସେନାହିଁ ।” ସ୍ଵାମୀଜୀ ଓ ଅଧ୍ୟାପକ ମ୍ୟାକସ୍‌ମୁଲାରଙ୍କ ମଧ୍ୟରେ ବନ୍ଧୁତ୍ଵ ଓ ସୌହାର୍ଦ୍ଦ୍ୟ ଗଢ଼ି ଉଠିଥିଲା ।

 

ସେଭିୟାର ଦମ୍ପତି, ନିବେଦିତା ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରି ଭାରତରେ ତାଙ୍କର କାର୍ଯ୍ୟରେ ଜୀବନ ଉତ୍ସର୍ଗ କରିଥିଲେ । ପରେ ସ୍ଵାମୀଜୀଙ୍କ ନିକଟରୁ ଭାରତୀୟ ପ୍ରଥାରେ ବ୍ରହ୍ମଚର୍ଯ୍ୟ ବ୍ରତରେ ଦୀକ୍ଷିତା ହୋଇ ଭଗିନୀ ବିବେଦିତା ସନ୍ନ୍ୟାସୀ ଜୀବନର ସମସ୍ତ କଠୋରତା ହସି ହସି ବରଣ କରି ନେଇଥିଲେ । ଦ୍ଵିତୀୟଥର ପାଶ୍ଚାତ୍ୟ ଭ୍ରମଣ ସମୟରେ ସ୍ଵାମୀଜୀ ତାଙ୍କୁ ଗେରୁଆ ବସ୍ତ୍ର ଦେଇଥିଲେ । ସେଭିୟାର ଦମ୍ପତି ଓ ଗୁଡ଼ଉଇନ୍‍ଙ୍କୁ ସାଙ୍ଗରେ ନେଇ ୧୮୯୬ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ ଇଟାଲୀ ହୋଇ ଭାରତ ଫେରିବା ପାଇଁ ଲଣ୍ଡନକୁ ଯାତ୍ରା କଲେ ।

 

ପାଶ୍ଚାତ୍ୟରେ ରହିବା ସମୟରେ ସ୍ଵମୀଜୀ ଯେଉଁସବୁ ବକ୍ତୃତା ଦେଇଥିଲେ, ତାହା ଧର୍ମସମ୍ବନ୍ଧୀୟ ହୋଇଥିଲେ ମଧ୍ୟ ସେଥିରେ ବିଶ୍ଵମାନବର ସର୍ବବିଧ ମଙ୍ଗଳବାର୍ତ୍ତା ଯୁକ୍ତିନିଷ୍ଠ ଓ ବିଜ୍ଞାନଭିତ୍ତିକ ହୋଇଥିବାରୁ ପାଶ୍ଚାତ୍ୟ ଚିନ୍ତାଶୀଳ ବ୍ୟକ୍ତିମାନେ ଗ୍ରହଣ କରିଥିଲେ । ଯୌବନର ପ୍ରାରମ୍ଭରେ ଯେଉଁସବୁ ପ୍ରଶ୍ନ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା, ତାର ଉତ୍ତର ସେ ଦକ୍ଷିଣେଶ୍ଵର ମନ୍ଦିରର ପୂଜକ ଶ୍ରୀ ରାମକୃଷ୍ଣଙ୍କ କୃପାରୁ ଲାଭ କରିଥିଲେ । ସେ ପାଶ୍ଚାତ୍ୟ ଜଗତରେ, ନିଜର ଅଭିଜ୍ଞତା ଓ ଅନୁଭୁତିର ଶକ୍ତିମୟୀବାଣୀ ଉପସ୍ଥାପିତ କରି ଆଧୁନିକ ମନର ସହଜଗ୍ରାହ୍ୟ କରାଇଥିଲେ । ସେ ଇଂଲଣ୍ଡରେ ନିଜ ଗୁରୁ ଶ୍ରୀ ରାମକୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, “ତାଙ୍କର ପ୍ରତ୍ୟେକ ବକ୍ତବ୍ୟ ସେହି ପ୍ରଭୁଙ୍କର, ନିଜର ବୋଲି ଗୋଟିଏ ହେଲେ ଶବ୍ଦ ନାହିଁ ।” ସେତେବେଳକୁ ତାଙ୍କର ଗୁରୁଭାଇ ସ୍ଵାମୀ ଅଭେଦାନନ୍ଦ ଲଣ୍ଡନରେ ପହଞ୍ଚି ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଏବଂ ସ୍ଵାମୀଜୀ ତାଙ୍କୁ ଦାୟିତ୍ଵ ସମ୍ପନ୍ନ କରିବାପାଇଁ ଆବଶ୍ୟକ ଶିକ୍ଷା ଓ ଉପଦେଶ ଦେଇଥିଲେ । ସେ ସେଠାରେ ଅଦ୍ଵୈତବାଦର ଶ୍ରେଷ୍ଠତମ ସିଦ୍ଧାନ୍ତଗୁଡ଼ିକୁ ବିଶ୍ଳେଷଣ କରି ଏହା ମାଧ୍ୟମରେ ପାଶ୍ଚାତ୍ୟର ଜଡ଼ବିଜ୍ଞାନସମ୍ଭୂତ ସ୍ଵର୍ଣ୍ଣପୁରୀ ଓ ବିଶ୍ଵଶୋଷୀ ତୃଷାକୁ ଉପଶମ କରିପାରିବ ବୋଲି କହିଥିଲେ । ପୁନରାୟ ଭବିଷ୍ୟତବାଣୀ କରିଥିଲେ, “ଯଦି ତୁମ୍ଭେମାନେ ଏହି ଅଭିନବ ବାର୍ତ୍ତାକୁ ଅସ୍ଵୀକାର କର, ତାହାହେଲେ ଆସନ୍ତା ପଚାଶ ବର୍ଷ ମଧ୍ୟରେ ତୁମ୍ଭମାନଙ୍କର ଧ୍ଵଂସ ଅବଶ୍ୟମ୍ଭାବୀ ।”

 

ସ୍ଵାମୀଜୀ ଭାରତକୁ ଫେରିଆସିବାକୁ ଇଚ୍ଛା ପ୍ରକାଶ କଲେ । ପାଶ୍ଚାତ୍ୟରେ ତାଙ୍କ କାର୍ଯ୍ୟ ପୂର୍ଣ୍ଣ ହୋଇଛି । ପ୍ରଚାର ଦାୟିତ୍ଵ ଗୁରୁଭାଇ ସ୍ଵାମୀ ସାରଦାନନ୍ଦ ଓ ସ୍ଵାମୀ ଅଭେଦାନନ୍ଦ ଗ୍ରହଣ କରିଛନ୍ତି । ମିସେସ୍‌ ଓଲିବୁଲ୍ ଭାରତରେ ସ୍ଵାମୀଜୀଙ୍କ କାର୍ଯ୍ୟ ପାଇଁ ଅର୍ଥ ସାହାଯ୍ୟ କରିବାକୁ ପତ୍ର ଲେଖି ଜଣାଇଥିଲେ । ସ୍ଵାମୀଜୀ ତାଙ୍କର ଏ ପ୍ରକାର ବଦାନ୍ୟତା ପାଇଁ ଏକ ପତ୍ରରେ ଧନ୍ୟବାଦ ଜଣାଇ ଭାରତକୁ ଫେରି ସବିଶେଷ ଲେଖିବେ ବୋଲି ଉଲ୍ଲେଖ କରିଥିଲେ ।

 

ଇଂଲଣ୍ଡର ବନ୍ଧୁ ଓ ଶିଷ୍ୟମଣ୍ଡଳୀ ସ୍ଵାମୀଜୀଙ୍କୁ ବିଦାୟ ଜଣାଇବା ପାଇଁ ପିକାଡ଼େଲୀସ୍ଥିତ ରୟାଲ୍‌ ସୋସାଇଟ୍‌ ଅଫ୍‌ ପ୍ରିଣ୍ଟର୍ସର ଏକ ପ୍ରକାଣ୍ଡ ହଲ୍‍ରେ ରବିବାର ଦିନ ଏକ ସଭାର ଆୟୋଜନ କଲେ । ଅଶ୍ରୁପୂର୍ଣ୍ଣ ନୟନ, ଭାବାବେଶ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସ୍ଵାମୀଜୀ କହିଥିଲେ, “ହୁଏତ ମୁଁ ଶ୍ରେୟଃ ମନେକରି ଏହି ଦେହବନ୍ଧନ ଛିନ୍ନ କରିପାରେ, ଏହାକୁ ଜୀର୍ଣ୍ଣବସ୍ତ୍ର ସଦୃଶ ପରିତ୍ୟାଗ କରିପାରେ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଜଗତର ପ୍ରତ୍ୟେକ ବ୍ୟକ୍ତି ଉଚ୍ଚତମ ସତ୍ୟ ଉପଲବ୍‍ଧି କରିପାରିନାହାନ୍ତି, ସେତେଦିନ ମୁଁ ମାନବଜାତିର କଲ୍ୟାଣ କମାନା କରି ଧର୍ମପ୍ରଚାରରୁ ବିରତ ହେବିନାହିଁ ।”

 

ପାଶ୍ଚାତ୍ୟ ଜଗତକୁ ଯାଇ ଭାରତୀୟ ସନ୍ନ୍ୟାସୀ ଭାରତର ଧର୍ମ ଓ ସଂସ୍କୃତିର ବାଣୀ ପ୍ରଚାର କରି ଆଧ୍ୟାତ୍ମିକ ଭାବ ପ୍ରତି ପାଶ୍ଚାତ୍ୟବାସୀଙ୍କର ଶ୍ରଦ୍ଧା ଜାଗ୍ରତ କରିପାରିଥିଲେ ଏବଂ ଭାରତରେ ନବଜାଗରଣର ଉନ୍ମେଷ ଘଟାଇବାର ପଥ ଉନ୍ମୋଚିତ କରିଥିଲେ । ନିଜର ପ୍ରାଚୀନ ସଂସ୍କୃତି ଉପରେ ଭାରତୀୟମାନଙ୍କର ଶ୍ରଦ୍ଧା ବୃଦ୍ଧି ପାଇବାରେ ଲାଗିଲା ଓ ସେମାନେ ନିଜର ଆତ୍ମଗୌରବ ପ୍ରତି ସଚେତନ ହୋଇଉଠିଲେ । ଭାରତ ସମ୍ପର୍କରେ ତାଙ୍କର ହୃଦୟର ବେଦନାକୁ ପ୍ରକାଶ କରିବାକୁ ଯାଇ ସେ ମାନ୍ଦ୍ରାଜଠାରେ ଥିବା ଶିଷ୍ୟଙ୍କୁ ଲେଖିଥିଲେ, “ଭାରତର ଚିରପତିତ କୋଡ଼ିଏ କୋଟି ନରନାରୀଙ୍କ ପାଇଁ କାହାର ହୃଦୟ କାନ୍ଦୁଛି ? ସେମାନଙ୍କ ଉଦ୍ଧାରର ଉପାୟ କ’ଣ-? ଏହିମାନେ ହିଁ ତୁମ୍ଭାମାନଙ୍କର ଈଶ୍ଵର, ଏହିମାନେ ହିଁ ତୁମ୍ଭମାନଙ୍କର ଦେବତା ହୁଅନ୍ତୁ– ଏହିମାନେ ହିଁ ତୁମ୍ଭମାନଙ୍କର ଇଷ୍ଟ ହୁଅନ୍ତୁ । ସେହିମାନଙ୍କୁ ହିଁ ମହାତ୍ମା କହେ, ଯେଉଁମାନଙ୍କର ହୃଦୟରୁ ଗରିବମାନଙ୍କ ପାଇଁ ରକ୍ତ ଝରେ, ତା’ ନ ହେଲେ ସେ ଦୁରାତ୍ମା । ଯେତେଦିନ ପର୍ଯ୍ୟନ୍ତ ଭାରତର କୋଟି କୋଟି ଲୋକ ଦାରିଦ୍ର୍ୟ ଓ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛନ୍ତି, ସେତେଦିନଯାଏ ଯେଉଁମାନେ ସେମାନଙ୍କ ପଇସାରେ ଶିକ୍ଷିତ ଅଥଚ ସେମାନଙ୍କ ଆଡ଼କୁ ଚାହୁଁନାହାନ୍ତି, ଏପରି ପ୍ରତ୍ୟେକ ବ୍ୟକ୍ତିକୁ ମୁଁ ଦେଶଦ୍ରୋହୀ ବୋଲି ମନେକରେ ।”

 

ତାଙ୍କର ଗୁରୁଭାଇମାନଙ୍କୁ ଲେଖିଥିଲେ, “ଯଦି ଭଲ ଚାହଁ, ତେବେ ସାକ୍ଷାତ୍‍ ଭଗବାନ ନାରାୟଣ ମାନବ ଦେହଧାରୀ ପ୍ରତ୍ୟେକ ମନୁଷ୍ୟକୁ ପୂଜାକର । ସେମାନଙ୍କର ପୂଜାର ଅର୍ଥ ସେମାନଙ୍କର ସେବା – ଏହାର ନାମ କର୍ମ । ଗାଁ କୁ ଗାଁ ଯାଅ, ଘରକୁ ଯାଅ; ଲୋକଙ୍କ ହିତ, ଜଗତର କଲ୍ୟାଣ କର – ନିଜେ ନରକକୁ ଯାଅ, ପରର ମୁକ୍ତି ହେଉ । ତୁମର ଶାନ୍ତି ଦରକାର କ’ଣ ସନ୍ନ୍ୟାସୀ ? ସବୁ ତ୍ୟାଗ କରିଛ, ବର୍ତ୍ତମାନ ଶାନ୍ତିର ଇଚ୍ଛା, ମୁକ୍ତିର ଇଚ୍ଛାଟିକୁ ତ୍ୟାଗ କରିଦିଅ ବାବା-! -– ଠାକୁରେ ଯେପରି ମୋତେ ଭଲପାଆନ୍ତି, ତୁମେମାନେ ସେହିପରି ଜଗତକୁ ଭଲପାଅ-।”

 

ସ୍ଵାମୀଜୀଙ୍କ ପ୍ରେରଣାରେ ମାନ୍ଦ୍ରାଜର ଯୁବକଗଣ ‘ପ୍ରବୁଦ୍ଧ ଭାରତ’ ଓ ‘ବ୍ରହ୍ମ ବାଦିନ୍‌’ ଦୁଇଖଣ୍ଡ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ । ଡିସେମ୍ବର ୧୬ ତାରିଖ ଦିନ ଶିଷ୍ୟଶିଷ୍ୟାଙ୍କଠାରୁ ବିଦାୟ ନେଇ ସେଭିଆର ଦମ୍ପତିଙ୍କ ସହିତ ସେ ଲଣ୍ଡନ ପରିତ୍ୟାଗ କଲେ । ମିଷ୍ଟର ଗଡ଼ଉଇନ୍‌ ନେପୁଲସ୍‌ଠାରେ ସ୍ଵାମୀଜୀଙ୍କ ସଙ୍ଗେ ଯୋଗ ଦେବା ପାଇଁ ସାଉଦାମ୍ପଟନ୍‌ଠାରୁ ଇଟାଲୀ ଅଭିମୁଖେ ଯାତ୍ରାକଲେ । ଲଣ୍ଡନ ପରିତ୍ୟାଗ କରିବାର ଅବ୍ୟବହିତ ପୂର୍ବରୁ ଜଣେ ଇଂରେଜ ବନ୍ଧୁ ତାଙ୍କୁ ପଚାରିଲେ “ସ୍ଵାମୀଜୀ ! ଚାରିବର୍ଷକାଳ ବିଳାସର ଲୀଳାଭୂମି, ମହାଶକ୍ତିଶାଳୀ ପାଶ୍ଚାତ୍ୟ ଭୂମିରେ ଭ୍ରମଣ ପରେ ଆପଣଙ୍କୁ ମାତୃଭୂମି କିପରି ଲାଗିବ ?” ସ୍ଵଦେଶପ୍ରେମିକ ସ୍ଵାମୀଜୀ ତତ୍‍କ୍ଷଣାତ୍ ଉତ୍ତର ଦେଲେ, “ପାଶ୍ଚାତ୍ୟ ଭୂମିକୁ ଆସିବା ପୂର୍ବରୁ ମୁଁ ଭାରତକୁ ଭଲପାଉଥିଲି; ଏହିକ୍ଷଣି ଭାରତର ଧୂଳିକଣା ପର୍ଯ୍ୟନ୍ତ ମୋ ନିକଟରେ ପବିତ୍ର, ଭାରତର ପବନ ମୋ’ ନିକଟରେ ପବିତ୍ରତାପୂର୍ଣ୍ଣ ଏବଂ ଭାରତ ମୋର ତୀର୍ଥସ୍ଵରୂପ ।

Image

 

Unknown

ସ୍ଵଦେଶ ଅଭିମୁଖେ

 

ଦୀର୍ଘ ଚାରିବର୍ଷର ରହଣି ପରେ ୧୮୯୬ ଡିସେମ୍ବର ୩୦ ତାରିଖ ଦିନ ନେପଲସ୍‍ଠାରୁ ସ୍ଵାମୀଜୀ ଜାହାଜରେ ଚଢ଼ିଲେ । କଲମ୍ବୋ ନିକଟବର୍ତ୍ତୀ ହେବାମାତ୍ରେ ସ୍ଵାମୀଜୀ ଅନୁଭବ କଲେ – ଭାରତ ନିକଟବର୍ତ୍ତୀ ହୋଇଆସିଲା । ଭାରତରେ କି ପ୍ରକାର ଅଫୁରନ୍ତ ଉତ୍ସାହ ଓ ଉଦ୍ଧୀପନା ସେ ସୃଷ୍ଟି କରିପାରିଛନ୍ତି ଏବଂ ତାଙ୍କର ପ୍ରତ୍ୟାବର୍ତ୍ତନ କି ପ୍ରକାର ଉଦ୍ଦୀପନା ସୃଷ୍ଟି କରିବ, ସେ ବିଷୟରେ ସେ ସଚେତନ ନଥିଲେ ।

 

ବିଭିନ୍ନ ସହରମାନଙ୍କରେ ତାଙ୍କୁ ସ୍ଵାଗତ କରିବା ପାଇଁ ପ୍ରତିନିଧିସ୍ତରୀୟ କମିଟି ଗଠିତ ହେଲା । ତାଙ୍କର ଗୁରୁଭାଇ ସ୍ଵାମୀ ଚିରଞ୍ଜନାନନ୍ଦ ଶ୍ରୀଲଙ୍କା ଅଭିମୁଖେ ଯାତ୍ରାକଲେ । ସ୍ଵାମୀ ଶିବାନନ୍ଦ ମାନ୍ଦ୍ରାଜରେ ପହଞ୍ଚିଲେ । ଅନ୍ୟ କେତେକ ଶିଷ୍ୟବୃନ୍ଦ କଲିକତା ଓ ଉତ୍ତର ଭାରତରୁ ସ୍ଵାମୀଜୀଙ୍କୁ ସ୍ଵାଗତ କରିବା ପାଇଁ ମାନ୍ଦ୍ରାଜରେ ପହଞ୍ଚିଲେ । ତାଙ୍କର ବିଜୟ ପ୍ରତ୍ୟାବର୍ତ୍ତନ ଉପଲକ୍ଷେ କଲମ୍ବୋଠାରେ ଭବ୍ୟସ୍ଵାଗତ ସମ୍ବର୍ଦ୍ଧନା କରାଗଲା । ସହସ୍ର ସହସ୍ର ନରନାରୀ ସ୍ଵଦେଶପ୍ରେମିକ ସନ୍ନ୍ୟାସୀଙ୍କୁ, ଏହି ବିଜୟୀ ବୀରଙ୍କୁ ଅନ୍ତରର ଶ୍ରଦ୍ଧା ନିବେଦନ କଲେ । ସେ କଲମ୍ବୋ ଅଭିନନ୍ଦନର ଉତ୍ତରରେ କହିଥିଲେ, “ଏହି ଫକୀର ସନ୍ନ୍ୟାସୀଙ୍କୁ ରାଜକୀୟ ସମ୍ବର୍ଦ୍ଧନା ଦେଇ ହିନ୍ଦୁ ଆଧ୍ୟାତ୍ମିକତାକୁ ହିଁ ସମ୍ବର୍ଦ୍ଧିତ କରାଯାଇଛି ।” ଶ୍ରୀଲଙ୍କାରେ ୧୧ ଦିନ ରହି ଜାଫ୍‍ନା ଓ ସେଠାରୁ ‘ପାମ୍ବାନ୍’ରେ ଆସି ପହଞ୍ଚିଲେ । ସେଠାରେ ରାମନାଦର ରାଜା ତାଙ୍କୁ ପାଛୋଟି ନେବାକୁ ଉପସ୍ଥିତ ଥିଲେ । ସମବେତ ଜନତାକୁ ଉଦ୍‌ବୋଧନ ଦେଇ ସ୍ଵାମୀଜୀ କହିଥିଲେ, “ଭାରତର ଜାତୀୟ ଜୀବନ ରାଜନୀତି ବା ସୈନ୍ୟ ଶକ୍ତି ନୁହେଁ, ବ୍ୟବସାୟ ବା ବାଣିଜ୍ୟ ନୁହେଁ, କେବଳ ଧର୍ମ ।”

 

ସ୍ଵାମୀଜୀ ରାମେଶ୍ଵର ମନ୍ଦିରରେ ସହଯୋଗୀ ଶିବଙ୍କୁ ଦର୍ଶନ କରି ଘୋଷଣା କଲେ– ଯତ୍ର ଜୀବ ତତ୍ର ଶିବ । ଏହି ମହାମନ୍ତ୍ରରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ନରନାରୀଙ୍କ ସେବାରେ ଅଗ୍ରସର ହେବା ହେଉଛି ପ୍ରକୃତ ଶିବ ଭକ୍ତି । ରାମନାଦରୁ ଶିବଗଙ୍ଗା, ମନମଦୁରାଇ, ତିରୁଚିରାପଲ୍ଲୀ, ତାଓ୍ଵୋର, କୁମ୍ଭକନ୍‍ମ ଓ ମାୟାଭରମ୍‌ଠାରେ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଲାଭକରି ମାନ୍ଦ୍ରାଜଠାରେ ଉପସ୍ଥିତ ହେଲେ । ମାନ୍ୟବର ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ଆୟାରଙ୍କ ନେତୃତ୍ଵରେ ଅଭ୍ୟର୍ଥନା ସମିତି ଗଠନ ହେଲା । ପ୍ରତ୍ୟେକ ସୌଧଚୂଡ଼ାରେ ବିରଞ୍ଜିତ ପତାକା ସୁବୃହତ ତୋରଣମାଳାରେ ସୁଶୋଭିତ ରାଜପଥସମୂହ ମାନ୍ଦ୍ରାଜ ନଗରୀ ଅପୂର୍ବ ଶୋଭାରେ ସଜ୍ଜିତ ହୋଇ ସ୍ଵାମୀଜୀଙ୍କୁ ସାଦର ଅଭ୍ୟର୍ଥନା କରିବା ନିମିତ୍ତ ଉନ୍ମୁଖ ଆଗ୍ରହରେ ବ୍ୟାକୁଳ ହୋଇଉଠିଲା । ଲୋକାରଣ୍ୟ ପ୍ଲାଟଫର୍ମରେ ଟ୍ରେନ୍ ପହଞ୍ଚିବାମାତ୍ରେ ହଜାର ହଜାର ସଂଖ୍ୟାରେ ନରନାରୀଙ୍କ କଣ୍ଠରୁ ଜୟଧ୍ଵନି ଉଠି ଗଗନପବନ ପ୍ରକମ୍ପିତ କରିଦେଲା । ସ୍ଵାମୀଜୀଙ୍କ ଗାଡ଼ି ଆଟର୍ଣ୍ଣି ବିଲିଗ୍ରାମୀ ଆୟଙ୍ଗାରଙ୍କ ‘କ୍ୟାସଲ କର୍ଣ୍ଣନ’ ନାମକ ପ୍ରାସାଦୋପମ ଅଟ୍ଟଳିକା ଅଭିମୁଖେ ଯିବାବେଳେ ଉତ୍ସାହୀ ଯୁବକବୃନ୍ଦ ଗାଡ଼ିରୁ ଘୋଡ଼ା ଫିଟାଇଦେଇ ନିଜେ ଗାଡ଼ି ଟାଣିବାକୁ ଲାଗିଲେ । ରାସ୍ତାରେ ସ୍ଵାମୀଜୀଙ୍କ ମୁଣ୍ଡ ଉପରେ ଅନବରତ ପୁଷ୍ପବୃଷ୍ଟି ହେବାରେ ଲାଗିଥାଏ । କ୍ୟାସଲ କର୍ଣ୍ଣନ ଠାରେ ତାଙ୍କ ଉଦ୍ଦେଶ୍ୟରେ ସଂସ୍କୃତ ଓ କନ୍ନଡ଼ ଭାଷାରେ ଅଭିନନ୍ଦନ ପତ୍ର ପଢ଼ାଗଲା । ସ୍ଵାମୀଜୀଙ୍କର ମାନ୍ଦ୍ରାଜରେ ପଦାର୍ପଣ କରିବା ସମ୍ପର୍କରେ ହିନ୍ଦୁ ପତ୍ରିକାରେ ଉଲ୍ଲେଖ କରାଯାଇଥିଲା, “ଅଦ୍ୟ ସ୍ଵାମୀ ବିବେକାନନ୍ଦଙ୍କୁ ରେଳଷ୍ଟେସନରେ ଅଭ୍ୟର୍ଥନା କରିବା ନିମିତ୍ତ ସମ୍ମିଳିତ ବିରାଟ ଜନତାର ଉତ୍ସାହୋଚ୍ଛ୍ଵାସ ଓ ଧର୍ମାନୁରାଗ ଅତିରଞ୍ଜିତ କରି ବର୍ଣ୍ଣନା କରିବା ଅସମ୍ଭବ । ମାନ୍ଦ୍ରାଜର ଶ୍ରେଷ୍ଠତମ ବ୍ୟକ୍ତିଗଣ ଉପସ୍ଥିତ ରହି ବିଶ୍ଵବିଖ୍ୟାତ ସନ୍ନ୍ୟାସୀଙ୍କୁ ଯେଉଁ ଗୌରବମୟ ଅଭ୍ୟର୍ଥନା ପ୍ରଦାନ କରିଛନ୍ତି, ସେଥିରେ ଏହି ମହାଦେଶର ଅନ୍ତର୍ନିହିତ ଧର୍ମଶକ୍ତି ସୁସ୍ପଷ୍ଟ । x x x ପାଶ୍ଚାତ୍ୟ ଦେଶରେ ତାଙ୍କର ଅବସ୍ଥାନ ଯେଭଳି ସେଠାକାର ଭ୍ରାତୃଗଣଙ୍କର କଲ୍ୟାଣ ସାଧନ କରିଛି, ସେହିପରି ଏ ଦେଶରେ ତାଙ୍କର ଅବସ୍ଥିତି ମଧ୍ୟ ଜନସାଧାରଣଙ୍କର ପ୍ରଭୁତ କଲ୍ୟାଣ ସାଧନ କରିଛି । ”

 

ସ୍ଵାମୀଜୀ ମାନ୍ଦ୍ରାଜର ନଅଦିନ ରହି ପ୍ରାୟ ଚବିଶଗୋଟି ସାଧାରଣ ସଭାରେ ଭାଷଣ ଦେଇଥିଲେ। ଭିକ୍ଟୋରିଆ ହଲ୍‍ରେ ପାଞ୍ଚ ହଜାର ଶ୍ରୋତାଙ୍କ ସମ୍ମୁଖରେ ସ୍ଵାମୀଜୀ ‘ମୋର ସମରନୀତି’ ନାମରେ ସୁପ୍ରସିଦ୍ଧ ବକ୍ତୃତା ପ୍ରଦାନ କଲେ । ଏହାପରେ କ୍ରମାନ୍ୱୟରେ ସେ ‘ଭାରତୀୟ ଜୀବନରେ ବେଦାନ୍ତର ପ୍ରୟୋଗ’, ‘ଭାରତୀୟ ମହାପୁରୁଷଗଣ’ ‘ଆମ୍ଭମାନଙ୍କ ଉପସ୍ଥିତ କର୍ତ୍ତବ୍ୟ’ ଓ ‘ଭାରତର ଭବିଷ୍ୟତ’ ଶୀର୍ଷକ ଚାରିଗୋଟି ବକ୍ତୃତା ପ୍ରଦାନ କରିଥିଲେ । ମାନ୍ଦ୍ରାଜର ଶିଷ୍ୟଗଣ ସେଠାରେ ଏକ ସ୍ଥାୟୀକେନ୍ଦ୍ର ସ୍ଥାପନ ନିମିତ୍ତ ବ୍ୟଗ୍ର ହୋଇଉଠିଲେ । ସମସ୍ତଙ୍କର ଅତ୍ୟନ୍ତ ଆଗ୍ରହ ଥିବାର ଲକ୍ଷ୍ୟକରି, ସ୍ଵାମୀଜୀ ପ୍ରଚାରକେନ୍ଦ୍ର ପ୍ରତିଷ୍ଠା ସଂକଳ୍ପ ଆନନ୍ଦରେ ଅନୁମୋଦନ କଲେ ଓ ଖୁବ୍‌ ଶୀଘ୍ର ଜଣେ ସୁଯୋଗ୍ୟ ଗୁରୁଭାଇଙ୍କୁ ମାନ୍ଦ୍ରାଜ ପଠାଇବେ ବୋଲି ପ୍ରତିଶ୍ରୁତି ଦେଲେ । ତଦନୁସାରେ କେତେଦିନ ପରେ ସ୍ଵାମୀ ରାମକୃଷ୍ଣାନନ୍ଦ ଆସି ମାନ୍ଦ୍ରାଜରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

 

ଫେବୃୟାରୀ ୧୫ ତାରିଖ ଦିନ ଜାହାଜ ଯୋଗେ ସ୍ଵାମୀଜୀ ମାନ୍ଦ୍ରାଜରୁ କଲିକତା ଅଭିମୁଖେ ଯାତ୍ରା କଲେ । ଖିଦିରପୁରଠାରେ ଜାହାଜ ପହଞ୍ଚିବା ପରେ ତାଙ୍କୁ ଏକ ସ୍ଵତନ୍ତ୍ର ଟ୍ରେନ୍‍ ଯୋଗେ ସିଆଲଦାହ ଷ୍ଟେସନକୁ ନିଆଗଲା । ଭୋର ୭ଟା ବେଳେ ଟ୍ରେନ୍‌ ଷ୍ଟେସନରେ ଲାଗିବାମାତ୍ରେ ହଜାର ହଜାର ଲୋକଙ୍କର ମିଳିତକଣ୍ଠରେ “ଜୟ ରାମକୃଷ୍ଣ ଦେବ କି ଜୟ” “ଜୟ ବିବେକାନନ୍ଦ ସ୍ଵାମୀଜୀ କି ଜୟ” ଧ୍ଵନିରେ ଷ୍ଟେସନ ମୁଖରିତ ହୋଇଉଠିଲା । ଏଠାରେ ମଧ୍ୟ ଯୁବକମାନେ ଗାଡ଼ିରୁ ଅଶ୍ଵକୁ ଖୋଲିଦେଇ ନିଜେ ଗାଡ଼ି ଟାଣି ଟାଣି ନେଇଥିଲେ । ପତ୍ର-ପୁଷ୍ପ-ପଲ୍ଲବ-ପତାକା ପରିଶୋଭିତ ତିନିଗୋଟି ତୋରଣ ଦ୍ଵାରଦେଇ ଗାଡ଼ି ରିପିନ୍‌ କଲେଜରେ ଉପସ୍ଥିତ ହେଲା । କଲିକାତର ଜନସାଧାରଣଙ୍କୁ ତାଙ୍କର ଦର୍ଶନର ସୁଯୋଗ ଲାଭ ପାଇଁ ସମ୍ବର୍ଦ୍ଧନା ସଭାକୁ ସାତଦିନ ଘୁଞ୍ଚାଇ ରଖାଯାଇଥିଲା । ବାଗ୍‌ବଜାରର ରାୟବାହାଦୂର ପଶୁପତିନାଥଙ୍କ ଘରେ ମଧ୍ୟାହ୍ନ ଅତିବାହିତ କରି ଗୋପାଳଲାଲ ସିଲ୍‍ଙ୍କର କାଶୀପୁର ଉଦ୍ୟାନ ଗୃହକୁ ଗଲେ ଏବଂ ରାତିରେ ଆଲାମ ବଜାର ମଠରେ ରାତ୍ରିଯାପନ କଲେ । ଫେବୃୟାରୀ ୨୮ ତାରିଖ ଦିନ ରାଜା ସାର୍‌ ରାଧାକାନ୍ତ ଦେବଙ୍କ ଶୋଭାବଜାରସ୍ଥ ପ୍ରାସାଦର ସୁବିସ୍ତୃତ ପ୍ରାଙ୍ଗଣରେ ଅଭିନନ୍ଦନ ସଭା ଆହୂତ ହେଲା । ସଭାପତି ରାଜା ବିନୟକୃଷ୍ଣ ଦେବ ଅଭିନନ୍ଦନ ପତ୍ର ପାଠ କଲେ । ଅଭିନନ୍ଦନର ଉତ୍ତର ଦେଇ ସ୍ଵାମୀଜୀ କହିଥିଲେ, “ମୁଁ ଆପଣଙ୍କ ନିକଟରେ ସନ୍ନ୍ୟାସୀ ଭାବରେ ଉପସ୍ଥିତ ହୋଇନାହିଁ; କିନ୍ତୁ ପୂର୍ବର ସେହି କଲିକତାବାସୀ ବାଳକ ଭାବରେ ଆଳାପ କରିବାକୁ ଆସିଛି। ଭାଇମାନେ ! ମୋର ଇଚ୍ଛାହୁଏ ଏହି ନଗରୀର ରାଜପଥର ଧୂଳି ଉପରେ ବସି ବାଳକପରି ସରଳ ପ୍ରାଣରେ ଆପଣମାନଙ୍କ ନିକଟରେ ମନର ସବୁ କଥା ଖୋଲିକରି କହନ୍ତି ।”

 

“ଆପଣମାନେ ମୋ ହୃଦୟର ଆଉ ଏକ ତନ୍ତ୍ରୀରେ – ଗଭୀରତମ ତନ୍ତ୍ରୀରେ ଆଘାତ କରିଛନ୍ତି । ମୋର ଗୁରୁଦେବ, ମୋର ଆଚାର୍ଯ୍ୟ, ମୋର ଜୀବନର ଦର୍ଶନ, ମୋର ଇଷ୍ଟ, ମୋର ପ୍ରାଣର ଦେବତା ଶ୍ରୀ ରାମକୃଷ୍ଣଦେବଙ୍କ ନାମ ଗ୍ରହଣ କରି ଯଦି କାୟମନୋବାକ୍ୟ ଦ୍ଵାରା ମୁଁ କୌଣସି ସତ୍‌କାର୍ଯ୍ୟ କରିଥାଏ, ଯଦି ମୋର ମୁଖଦେଇ ଏପରି କୌଣସି କଥା ବାହାରିଥାଏ, ଯଦ୍ଵାରା ଜଗତ୍‍ର କୌଣସି ବ୍ୟକ୍ତି ବିନ୍ଦୁମାତ୍ର ଉପକୃତ ହୋଇଛି, ସେଥିରେ ମୋର କୌଣସି ଗୌରବ ନାହିଁ – ତାହା ତାଙ୍କର ...... ଦେଖୁନାହିଁ, ଦରିଦ୍ର ବ୍ରାହ୍ମଣ ପିତାମାତାଙ୍କଠାରୁ ସୁଦୂର ଗ୍ରାମଜାତ ଏହି ସନ୍ତାନ ବର୍ତ୍ତମାନ ସେହିସବୁ ଦେଶରେ ପୂଜିତ ହେଉଛନ୍ତି, ଯେଉଁ ସବୁ ଦେଶ ଶତାବ୍ଦୀ ଶତାବ୍ଦୀ ଧରି ସାକାର ଉପାସନାର ବିରୋଧରେ ଚିତ୍କାର କରି ଆସିଛନ୍ତି– ଏହା କାହାର ଶକ୍ତି ? ଭାରତବର୍ଷର ପୁନରୁତ୍‍ଥାନ ପାଇଁ ଏହି ଶକ୍ତିର ବିକାଶ ଯଥାସମୟରେ ହିଁ ହୋଇଛି । ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଭାରତରେ ଏପରି ମହାଶକ୍ତିର ବିକାଶ ଆଉ କେବେ ହୋଇ ନ ଥିଲା । ଜଗତର କୌଣସି ଦେଶରେ ସାର୍ବଭୌମ ଧର୍ମ ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଭାତୃଭାବରେ କଥା ଉତ୍‍ଥାପନ ଓ ଆନ୍ଦୋଳନ ହେବାର ବହୁପୂର୍ବରୁ ଏହି ନଗରୀର ସନ୍ନିକଟରେ ଏପରି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କର ସମଗ୍ର ଜୀବନ ଗୋଟିଏ ଧର୍ମ ମହାସଭାସ୍ଵରୂପ ଥିଲା । ମୁଁ ଆନ୍ତରିକ ଭାବରେ ପ୍ରାର୍ଥନା କରେ, ସେହି ରାମକୃଷ୍ଣ ପରମହଂସ ଦେବ ଆମ ଜାତିର କଲ୍ୟାଣ ପାଇଁ, ଆମ ଦେଶର ଉନ୍ନତି ନିମିତ୍ତ, ସମଗ୍ର ମାନବଜାତିର ହିତ ନିମନ୍ତେ ଆପଣମାନଙ୍କର ହୃଦୟ ଖୋଲିଦିଅନ୍ତୁ । ଯେଉଁ ମହାଯୁଗାନ୍ତକାରୀ ପରିବର୍ତ୍ତନ ଅବଶ୍ୟମ୍ଭାବୀ, ତାହାର ସହାୟତା ପାଇଁ ସେ ଆପଣଙ୍କୁ ଅକପଟ ଓ ଦୃଢ଼ବ୍ରତ କରନ୍ତୁ ।”

 

ମାନ୍ଦ୍ରାଜଠାରେ ଯୁବକମାନଙ୍କୁ ଆହ୍ଵାନ କରି ଯେପରି କହିଥିଲେ, “ମୁଁ ଚାହେଁ କେତେ ଜଣ ଯୁବକ । ବେଦ କହିଛି ଅଶିଷ୍ଠ, ବଳିଷ୍ଠ, ଦ୍ରଢ଼ିଷ୍ଠ ମେଧାବୀ ଯୁବକଗଣ ଈଶ୍ଵରଙ୍କୁ ଲାଭ କରିବେ-। ଏହି ସମୟ ତୁମମାନଙ୍କର ଭବିଷ୍ୟତ ଜୀବନ ଗତି ସ୍ଥିର କରିବାର ସମୟ । ଯେତେଦିନ ତୁମମାନଙ୍କ ଭିତରେ ନବୀନତା ଓ ସତେଜଭାବ ରହିଛି କାର୍ଯ୍ୟରେ ଲାଗ, ଏହାହିଁ ସମୟ । କାରଣ ନବପ୍ରସ୍ଫୁଟିତ, ଅସ୍ଫୃଶ୍ୟ, ଅନାଘ୍ରାତ ପୁଷ୍ପ ହିଁ କେବଳ ପ୍ରଭୁଙ୍କ ପାଦପଦ୍ମରେ ଅର୍ପଣଯୋଗ୍ୟ । ସେ ଏହା ଗ୍ରହଣ କରନ୍ତି । …… ତୁମ୍ଭମାନଙ୍କର ଜାତିର କଲ୍ୟାଣ ପାଇଁ, ସମଗ୍ର ମାନବଜାତିର କଲ୍ୟାଣପାଇଁ ଆତ୍ମବଳିଦାନ ହିଁ ଶ୍ରେଷ୍ଠକର୍ମ ।” କଲିକତାର ଯୁବକମାନଙ୍କୁ କହିଥିଲେ, “ଯୁବକଗଣ ! ଉଠ, ଜାଗ, ଶୁଭମୁହୂର୍ତ୍ତ ସମାଗତ । …… ସାହସ ଅବଲମ୍ବନ କର । ଭୟ କର ନାହିଁ । ନିର୍ଭୀକ ହେବାକୁ ହେବ, ତେବେଯାଇ ଆମେ କାର୍ଯ୍ୟରେ ସଫଳତା ଲାଭ କରିବୁ । …… ଉଠ, ଜାଗ, କାରଣ ତୁମମାନଙ୍କର ମାତୃଭୂମି ଏହିଭଳି ଆହ୍ଵାନ କରୁଛି । ଯୁବକମାନଙ୍କ ଦ୍ଵାରା ଏହି କାର୍ଯ୍ୟ ସାଧିତ ହେବ । ……ହୃଦୟରେ ଉତ୍ସାହାଗ୍ନି ଜାଳି ଜାଗ୍ରତ ହୁଅ ।”

 

“ଭାବନାହିଁ ତୁମେ ଦରିଦ୍ର । …… କିଏ କେଉଁଠାରେ ଦେଖିଛ ଟଙ୍କା ମଣିଷ କରିଛି ? ମଣିଷ ହିଁ ଚିରକାଳ ଟଙ୍କା କରିଥାଏ । ଜଗତର ଯାହା କିଛି ଉନ୍ନତି, ସବୁ ମନୁଷ୍ୟର ଶକ୍ତିରେ ହୋଇଛି, ବିଶ୍ଵାସର ଶକ୍ତିରେ ହୋଇଛି ।”

 

“ଶ୍ରଦ୍ଧାର ତାରତମ୍ୟରେ କେହି ବଡ଼ ହୁଏ, କେହି ଛୋଟ ହୁଏ । ……ଏହି ଶ୍ରଦ୍ଧା ତୁମ୍ଭମାନଙ୍କ ଭିତରେ ପ୍ରବେଶ କରୁ । ପାଶ୍ଚାତ୍ୟଜାତି ବଡ଼ଜଗତରେ ଯେଉଁ ଆଧିପତ୍ୟ ଲାଭ କରିଛି, ତାହା ଏହି ଶ୍ରଦ୍ଧା ଫଳରେ । ସେମାନେ ସୋମାନଙ୍କର ଶାରୀରିକ ବଳରେ ବିଶ୍ଵାସୀ । ଆଉ ତୁମେ ଯଦି ତୁମମାନଙ୍କ ଆତ୍ମାରେ ବିଶ୍ଵାସସଂପନ୍ନ ହୁଅ, ତାହାହେଲେ ତାହାର ଫଳ ଆହୁରି ଅଦ୍ଭୁତ ହେବ ।”

 

“ଆମ୍ଭମାନଙ୍କର ଜାତୀୟଜୀବନର ଶରୀରରେ ଏକ ଭୟଙ୍କର ରୋଗର ବୀଜ ରୋପିତ ହୋଇଛି – ସବୁକୁ ହସି ଉଡ଼ାଇଦେବା ଓ ଗାମ୍ଭୀର୍ଯ୍ୟର ଅଭାବ ……ଏହି ଦୋଷ ସଂପୂର୍ଣ୍ଣ ତ୍ୟାଗ କରିବାକୁ ହେବ । ବୀରହୁଅ, ଶ୍ରଦ୍ଧାସଂପନ୍ନ ହୁଅ …… ଆଉ ଯାହାକିଛି ଅବଶ୍ୟ ଆସିବ ।”

 

‘ମୋର ଦୃଢ଼ବିଶ୍ଵାସ ଯେ ବଙ୍ଗଳାର ଯୁବକଗଣଙ୍କ ମଧ୍ୟରେ ସେହି ଶକ୍ତି ପ୍ରକାଶ ପାଇବ, ଯାହା ଭାରତକୁ ତାହାର ଉପଯୁକ୍ତ ଆଧ୍ୟାତ୍ମିକ ଅଧିକାରରେ ପୁନଃପ୍ରତିଷ୍ଠିତ କରିବ । …… ଆଦୌ ଭୟ କର ନାହିଁ । ଯେଉଁ ମୁହୂର୍ତ୍ତରେ ତୁମ ମଧ୍ୟରେ ଭୟର ସଞ୍ଚାର ହେବ, ସେହି ମୁହୂର୍ତ୍ତରେ ହିଁ ତୁମେ ଶକ୍ତିହୀନ । ଭୟ ହିଁ ଜଗତର ସକଳ ଦୁଃଖର କାରଣ । ଭୟ ହିଁ ବସୁଠାରୁ ବଡ଼ କୁସଂସ୍କାର-।”

 

ଏହି ସମୟରେ ସ୍ଵାମୀଜୀ ନିକଟକୁ ଜଣେ ଯୁବକ ଆସି କହିଲେ, “ସ୍ଵାମୀଜୀ ! ମୁଁ ଅନେକ ଦଳରେ ମିଶିଛି, କିନ୍ତୁ ‘ସତ୍ୟ’ ସମ୍ବନ୍ଧରେ ଧାରଣା କରିପାରିଲି ନାହିଁ । ମୁଁ ପ୍ରତିଦିନ କବାଟ ବନ୍ଦ କରି ଧ୍ୟାନରେ ବସେ ଓ ଆଖି ବନ୍ଦ କରି ରହେ । କିନ୍ତୁ ତେବେ ବି ଶାନ୍ତି ପାଏନାହିଁ କାହିଁକି ?” ସ୍ଵାମୀଜୀ କହିଲେ, “ଯଦି ଶାନ୍ତି ଚାହଁ, ତେବେ ଏହାର ବିପରୀତଟି କରିବାକୁ ପଡ଼ିବ । କବାଟ ଖୋଲା ରଖିବାକୁ ହେବ, ଆଉ ଆଖି ଖୋଲି ଚାରିଆଡ଼କୁ ଦେଖିବାକୁ ପଡ଼ିବ । ତୁମ ଚାରିପାଖରେ କେତେଲୋକ ତୁମଠାରୁ ସାହଯ୍ୟ ପାଇବା ଆଶାରେ ଅଛନ୍ତି, ସେମାନଙ୍କୁ ସାହାଯ୍ୟ କର – କ୍ଷୁଧାର୍ତ୍ତକୁ ଅନ୍ନଦିଅ – ତୃଷାର୍ତ୍ତକୁ ଜଳଦିଅ । ଯଥାସାଧ୍ୟ ପରର ଉପକାର କର । ସେଥିରେ ମନରେ ଶାନ୍ତି ଆସିବ ।”

 

ଆଉ ଦିନେ ଗୋରକ୍ଷା ସମିତିର ଜଣେ ପ୍ରଚାରକ ଆସି ପହଞ୍ଚିଲେ ସ୍ଵାମୀଜୀଙ୍କଠାରୁ କିଛି ସାହାଯ୍ୟ ଆଶାକରି । ସେତେବେଳେ ଭୟଙ୍କର ଦୁର୍ଭିକ୍ଷ । ଲୋକମାନେ ଅନାହାରରେ ମରୁଥାନ୍ତି । ସ୍ଵାମୀଜୀ ତାଙ୍କୁ ଏହି ଲୋକମାନଙ୍କୁ ସାହାଯ୍ୟ କରିବାକୁ କହିବାରୁ – ତାହା ସେମାନଙ୍କର କର୍ମଫଳ ବୋଲି କହିଲେ । କିନ୍ତୁ ଗୋରୁ ଆମ୍ଭମାନଙ୍କର ମାତା । ଏହାଶୁଣି ସ୍ଵାମୀଜୀ ତିରସ୍କାର କହି ବହିଲେ, “ତା ନ ହୋଇଥିଲେ ଏଇଭଳି ସବୁ କୃତୀ ସନ୍ତାନ ଆଉ କିଏ ପ୍ରସବ କରିବେ;” ପ୍ରଥମେ ମଣିଷର ସେବାରେ ଅର୍ଥବ୍ୟୟ କରିବାକୁ କହିଥିଲେ ।

 

ଲୋକମାନଙ୍କ ମଧ୍ୟରେ ବେଦାନ୍ତର ବାର୍ତ୍ତା ପ୍ରଚାର କରିବା ସହିତ ସ୍ଵାମୀଜୀ ଚାହୁଁଥିଲେ ରାମକୃଷ୍ଣ ଶିଷ୍ୟ-ସନ୍ନ୍ୟାସୀଗଣ ବେଦାନ୍ତର ସେହି ଭାବକୁ ଗ୍ରହଣ କରି କର୍ମରେ ବ୍ରତୀ ହୁଅନ୍ତୁ । ସେମାନେ ଗୁରୁଭ୍ରାତା ଓ ନେତା ନରେନ୍ଦ୍ରନାଥଙ୍କୁ ସମ୍ମାନର ସହ ଗ୍ରହଣ କରିଥିଲେ ମଧ୍ୟ ଜପ, ଧ୍ୟାନ, ତପସ୍ୟା ଇତ୍ୟାଦି ସାଧନା କରି ମୁକ୍ତିଲାଭର ଚେଷ୍ଟା ହିଁ ସନ୍ନ୍ୟାସର ଆଦର୍ଶ ବୋଲି ସେମାନଙ୍କର ମତ ଥିଲା ଓ ତାହାକୁ ହିଁ ଅନୁସରଣ କରୁଥିଲେ । ସ୍ଵାମୀଜୀ ଜାଗତିକ ସୁଖଦୁଃଖ, ଉନ୍ନତି-ଅବନତି ଇତ୍ୟାଦିକୁ ଅତିକ୍ରମ କରି ନିଜର ସ୍ଵାର୍ଥପର ଭାବନାକୁ ତ୍ୟାଗ କରିବାକୁ କହୁଥିଲେ ଏବଂ ମାଷ୍ଟରଙ୍କ ଜୀବନରେ ଉଦାହରଣ ଦେଇ ସେମାନଙ୍କୁ ଧର୍ମପ୍ରଚାର, ଶିକ୍ଷାବିସ୍ତାର ଓ ସେବା କାର୍ଯ୍ୟରେ ଲାଗିବାକୁ ଅନୁରୋଧ କରୁଥିଲେ । ସେମାନେ ସ୍ଵାମିଜୀଙ୍କ ଉପଦେଶର ମର୍ମ ବୁଝିପାରୁନଥିଲେ । ସେ ସେମାନଙ୍କୁ ବୁଝାଇଦେଲେ ଯେ ଯଦି ଯୁଗଧର୍ମର ପ୍ରଚାର କାର୍ଯ୍ୟରେ ସେମାନେ ବଦ୍ଧପରିକର ନହୁଅନ୍ତି, ତାହା ହେଲେ ଶ୍ରୀଶ୍ରୀଠାକୁର ରାମକୃଷ୍ଣଙ୍କର ପୃଥିବୀ ଆଗମନର ଉଦ୍ଦେଶ୍ୟ ବିଫଳ ହେବ-। ମନ୍ଦିର ଓ ପ୍ରତିମାର ଗଣ୍ଠି ଭିତରୁ ଭଗବାନଙ୍କୁ ବାହାରକୁ ଆଣି ‘ଯତ୍ର ଜୀବ ତତ୍ରଶିବ’ ମନ୍ତ୍ରରେ ‘ବିରାଟ’ର ପୁଜାରେ ଅଗ୍ରସର ହେବାକୁ ହେବ । ସଂସାରର କର୍ମକ୍ଷେତ୍ରରେ ଠିଆହୋଇ ମନୁଷ୍ୟକୁ ଇଚ୍ଚକାର୍ଯ୍ୟ ପାଇଁ ପ୍ରେରଣା ଦେଇ କୋଟି କୋଟି ଭାରତ ବାସୀଙ୍କ ହୃଦୟରୁ ଅନ୍ଧତା ଓ କୁଂସ୍କାରକୁ ଦୂର କରିବାକୁ ହେବ । ସେ ଗୁରୁଭାଇମାନଙ୍କୁ ବୁଝାଇ କହିଲେ ଯେ ଭାରତର କଲ୍ୟାଣ କରିବା ପାଇଁ ଏପରି ଏକ ସନ୍ନ୍ୟାସୀସମ୍ପ୍ରଦାୟ ପ୍ରତିଷ୍ଠା କରିବାକୁ ହେବ, ଯେଉଁମାନେ ମାନବ ସେବାକୁ ନିଜ ଜୀବନର ବ୍ରତରୂପେ ଗ୍ରହଣ କରିବେ ଓ ନିଜର ମୁକ୍ତିକାମାନା ପରିତ୍ୟାଗ କରିବେ । ଜୀବନର ବ୍ରତରୂପେ ଗ୍ରହଣ କରିବେ ଓ ନିଜର ମୁକ୍ତିକାମନା ପରିତ୍ୟାଗ କରିବେ । “ବହୁଜନ ହିତାୟ, ବହୁଜନ ସୁଖାୟ” ପାଇଁ ଶ୍ରୀ ରାମକୃଷ୍ଣ ଯୁଗାବତାର ଭାବେ ଅବତୀର୍ଣ୍ଣ । ଯଦି ଏହି ମହାନ୍ ଯୁଗାଦର୍ଶକୁ ଉପଲବ୍‍ଧି କରିବାକୁ ସେମାନେ ଅସମର୍ଥ, ତେବେ ଅନ୍ୟ ମଣିଷ ଓ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେଉଁଠି ?”

 

ପରିଶେଷରେ ତାଙ୍କର ଗୁରୁଭାଇମାନେ ତାଙ୍କ ସହିତ ସହମତ ହୋଇଥିଲେ । ପୂର୍ବରୁ ସ୍ଵାମୀ ସାରାଦାନନ୍ଦ ଓ ସ୍ଵାମୀ ଅଭେଦାନନ୍ଦ ଆମେରିକା ଓ ଇଂଲଣ୍ଡକୁ ଯାଇ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିଲେ । ସ୍ଵାମୀ ରାମକୃଷ୍ଣାନନ୍ଦ ମାନ୍ଦ୍ରାଜ ଅଭିମୁଖେ ଯାତ୍ରା କଲେ ଓ ସ୍ଵାମୀ ଅଖଣ୍ଡାନନ୍ଦ ମୁର୍ଶୀଦାବାଦ ଯାଇ ଦୁର୍ଭିକ୍ଷପ୍ରପିଡ଼ିତ ଲୋକମାନଙ୍କର ସେବାରେ ବ୍ରତୀ ହେଲେ । ଅନ୍ୟ ଗୁରୁଭାଇମାନେ ଏହି କାର୍ଯ୍ୟ କରିବା ପାଇଁ ନିଜ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଗଲେ ।

 

କଠୋର ପରିଶ୍ରମ ଓ ଜଳବାୟୁର ପରିବର୍ତ୍ତନ ହେତୁ ସ୍ଵାମୀଜୀଙ୍କ ସ୍ଵାସ୍ଥ୍ୟ ଭଲ ରହୁ ନଥାଏ । ତାଙ୍କୁ କିଛିଦିନ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ପରାମର୍ଶ ଦେଲେ । ଦାର୍ଜିଲିଂରେ ସ୍ଵାସ୍ଥ୍ୟ ପରିବର୍ତ୍ତନ ହେବ ବୋଲି ଦାର୍ଜିଲିଂ ଗଲେ ମଧ୍ୟ ଖୁବ୍‌ କମ୍‌ ସମୟରେ ସେଠାରୁ ଫେରିଆସିଲେ ଏବଂ କିଛି ନୂତନ ସନ୍ନ୍ୟାସୀଙ୍କୁ ଦୀକ୍ଷା ପ୍ରଦାନ କଲେ । ଦୀକ୍ଷା ଦେବା ଅବକାଶରେ ସେମାନେ ନିଷ୍ଠାର ସହିତ ଅନୁଶାସନକୁ ପାଳନ କରିବା ଓ ସଂଘ ନେତୃତ୍ଵକୁ ମାନି ଚଳିବାକୁ ଉପଦେଶ ଦେଇଥିଲେ ।

 

୧୮୯୭ମସିହା ମେ ୧ ତାରିଖଦିନ ବଳରାମ ବୋଷଙ୍କ ଘରେ ରାମକୃଷ୍ଣଙ୍କ ଗୃହୀ ଓ ସନ୍ନ୍ୟାସୀ ଭକ୍ତଙ୍କ ସମ୍ମୁଖରେ ଶ୍ରୀ ରାମକୃଷ୍ଣଙ୍କ ନାମ ଅନୁସାରେ ରାମକୃଷ୍ଣ ମିଶନ ସମିତି ଗଠନ କରାଯିବାର ପ୍ରସ୍ତାବ ଗୃହୀତ ହୋଇ ଚିଠା ପ୍ରସ୍ତୁତ ହେଲା । ସେଠାରେ ସେ ସମବେତ ଭକ୍ତମାନଙ୍କୁ ଲକ୍ଷ୍ୟକରି କହିଥିଲେ, “ନାନା ଦେଶ ବୁଲି ମୋର ଧାରଣା ହୋଇଛି, ସଂଘ ବ୍ୟତୀତ ଅନ୍ୟ କୌଣସି ବଡ଼ କାମ ହୋଇପାରିବ ନାହିଁ । ତେବେ ଆମ ଦେଶରେ ପ୍ରଥମରୁ ସଂଘ ଗଠନ କରିବା ବା ସାଧାରଣଙ୍କ ସମ୍ମତି ନେଇ କାମ କରିବା ସେତେ ସୁବିଧାଜନକ ନୁହେଁ । ଏ ଦେଶରେ ଶିକ୍ଷାବିସ୍ତାର ପାଇଁ ଯେତେବେଳେ ବହୁ ଲୋକ ସହୃଦୟ ହେବେ ଏବଂ ମତଫତର ସଂକୀର୍ଣ୍ଣ ସୀମାରୁ ବାହାରକୁ ଆସିବାକୁ ଶିଖିବେ, ସେତେବେଳେ ସାଧାରଣ ମତ ଅନୁସାରେ ସଂଘକାର୍ଯ୍ୟ ଚଳିପାରିବ । ସେଥିପାଇଁ ଏ ସଙ୍ଘର ଜଣେ ପ୍ରଧାନ ପରିଚାଳକ ରହିବେ । ସମସ୍ତଙ୍କୁ ତାଙ୍କ ଆଦର୍ଶ ମାନି ଚଳିବାକୁ ହେବ । ତା’ପରେ ସମସ୍ତଙ୍କ ମତ ନେଇ କାର୍ଯ୍ୟ କରିବାକୁ ପଡ଼ିବ । “ଆମ୍ଭେମାନେ ଯାହାଙ୍କ ନାମରେ ସନ୍ନ୍ୟାସୀ ହୋଇଛୁ, ଆପଣମାନେ ଯାହାଙ୍କୁ ଜୀବନର ଆଦର୍ଶ କରି ସଂସାରାଶ୍ରମର କାର୍ଯକ୍ଷେତ୍ରରେ ରହିଛନ୍ତି, ଯାହାଙ୍କ ଦେହାବସାନ ପରେ କୋଡ଼ିଏ ବର୍ଷ ମଧ୍ୟରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ତାଙ୍କର ପୁଣ୍ୟନାମ ଓ ଅଦ୍ଭୁତ ଜୀବନର ଆଶ୍ଚର୍ଯ୍ୟ ପ୍ରସାର ହୋଇଛି, ଏହି ସଂଘ ତାଙ୍କ ନାମାନୁସାରେ ପ୍ରତିଷ୍ଠିତ ହେବ । ଆମ୍ଭେମାନେ ପ୍ରଭୁଙ୍କ ଦାସ, ଆପଣମାନେ ଏ କାର୍ଯ୍ୟରେ ସାହାଯ୍ୟ କରନ୍ତୁ।”

 

ସ୍ଵାମୀଜୀ ନିଜେ ତାହାର ସାଧାରଣ ସଭାପତି ଓ ସ୍ଵାମୀ ବ୍ରହ୍ମାନନ୍ଦ ଓ ସ୍ଵାମୀ ଯୋଗାନନ୍ଦ କଲିକତା କେନ୍ଦ୍ରର ସଭାପତି ଓ ଉପସଭାପତି ହେଲେ । ଆଟର୍ଣ୍ଣିବାବୁ ନରେନ୍ଦ୍ରନାଥ ମିତ୍ର ଏହାର ସଂପାଦକ, ଡାକ୍ତର ଶଶିଭୂଷଣ ଘୋଷ ଓ ଶ୍ରୀ ଶରତଚନ୍ଦ୍ର ସରକାର ସହକାରୀ ସମ୍ପାଦକ ହେଲେ । ସେତେବେଳକୁ ବେଲୁଡ଼ଠାରେ ମଠ ନିର୍ମାଣ ପାଇଁ ଜାଗା କିଣା ହୋଇଥାଏ । ଏହାର ପରିଚାଳନା ଦାୟିତ୍ଵ ଏକ ପରିଚାଳନା ଟ୍ରଷ୍ଟି ଗଠନ କରାଯାଇ ଟ୍ରଷ୍ଟ ଡିଡ଼୍ ୧୯୦୧ରେ ସମ୍ପାଦନ ହେଲା । ପ୍ରତ୍ୟେକ ରବିବାର ଅପରାହ୍‍ଣରେ ୪ଟା ପରେ ବଳରାମ ବାବୁଙ୍କ ଘରେ ରାମକୃଷ୍ଣ ସମିତିର ବୈଠକ ବସୁଥିଲା । ଏହା ପ୍ରାୟ ତିନିବର୍ଷ ପ୍ରର୍ଯ୍ୟନ୍ତ ସେଠାରେ ହିଁ ଚାଲିଥିଲା ଓ କଲିକତାରେ ଥିବା ସମୟରେ ସ୍ଵାମୀଜୀ ଉପସ୍ଥିତ ରହି ଉପଦେଶ ଦେଉଥିଲେ । ବର୍ତ୍ତମାନ ରାମକୃଷ୍ଣ ମିଶନ୍‌ ସେବାମୂଳକ କାର୍ଯ୍ୟରେ ଅଗ୍ରଗଣ୍ୟ ସଂଗଠନ ଓ ଏହାର କେନ୍ଦ୍ର ବେଲୁଡ଼ ମଠରେ ଅବସ୍ଥିତ ।

 

ଏହି ସମୟରେ କଲିକତାରେ ପ୍ଲେଗରୋଗ ଦେଖାଗଲା ଏବଂ ଏ ଖବର ଶୁଣି ସ୍ଵାମୀଜୀ ଉଦ୍‌ବିଗ୍ନ ହୋଇପଡ଼ିଲେ । ସେ ଦାର୍ଜିଲିଂରୁ ମିସ୍‌ ମ୍ୟାକଲାଇଡ଼୍‍ଙ୍କୁ ଲେଖିଥିଲେ, “ମୁଁ ଯେଉଁ ସହରରେ ଜନ୍ମଗ୍ରହଣ କରିଛି, ସେଠାରେ ଯଦି ପ୍ଲେଗ ଦେଖାଦିଏ, ତେବେ ତାର ପ୍ରତିକାରକଳ୍ପେ ମୁଁ ଆତ୍ମୋତ୍ସର୍ଗ କରିବି ବୋଲି ସ୍ଥିର କରିଛି ।” କଲିକତା ପ୍ଲେଗରେ ଯେତେ ଅଧିକ ଲୋକ ମରିଛନ୍ତି, ତା ଅପେକ୍ଷା ବେଶୀ ଦେଖାଦେଇଛି ମଣିଷ ମନରେ ଆତଙ୍ଗ । ଲୋକମାନେ ପ୍ରାଣଭୟରେ କଲିକତା ଛାଡ଼ି ଚାଲିଯାଇଛନ୍ତି । ଲୋକମାନଙ୍କ ଭିତରେ ସାହସ ଦେବାପାଇଁ, ସ୍ଵାମୀଜୀ ଘୋଷଣାପତ୍ର ବାଣ୍ଟି ଜଣାଇଲେ, “ରାମକୃଷ୍ଣ ମିଶନ ସେମାନଙ୍କ ପାଖରେ ଠିଆ ହୋଇଛି । ସେମାନଙ୍କ ସେବାରେ ମିଶନ୍ ଅକୁଣ୍ଠିତ ଚିତ୍ତରେ ଅର୍ଥ ଓ ସାହାର୍ଯ୍ୟ ନିୟୋଗ କରିବ । ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ସେବାକେନ୍ଦ୍ର ସ୍ଥାପନ କରିବେ ।” ଟଙ୍କା କେଉଁଠୁ ଆସିବ ? ଗୁରୁଭାଇଙ୍କ ପ୍ରଶ୍ନର ଉତ୍ତରରେ ସ୍ଵାମୀଜୀ କହିଥିଲେ, ”କାହିଁକି ? ଦରକାର ପଡ଼ିଲେ ମଠର ନୂଆ ଜମିଜାଗା ସବୁ ବିକିଦେବି । ଆମେ ଫକୀର, ମୁଷ୍ଠିଭିକ୍ଷା କରି ଗଛତଳେ ଶୋଇ ଦିନ ବିତାଇଦେବା । ଯଦି ଜାଗା ଜମି ବିକିଲେ ହଜାର ଲୋକଙ୍କର ପ୍ରାଣରକ୍ଷା କରାଯାଇପାରିବ, ତେବେ ତାହା ତ ଉପଯୁକ୍ତ ହେବ, ନୋହିଲେ କାହା ପାଇଁ ସେ ଜମି ?” ବେଲୁଡ଼ ମଠ ଗଠନ ପାଇଁ, ପ୍ରାଣପଣ ଦେଇ ଅର୍ଥ ସଂଗ୍ରହ କରିଲାବେଳେ ମଧ୍ୟ ମଣିଷର ଦୁଃଖ ଦୁର୍ଦ୍ଦଶାରେ ତାକୁ ବିକ୍ରି କରିଦେବାକୁ କହିବାକୁ ସେ ତିଳେମଧ୍ୟ କୁଣ୍ଠାବୋଧ କରିନାହାନ୍ତି ।

 

ରାମକୃଷ୍ଣ ମିଶନ୍ ପ୍ରତିଷ୍ଠା ହେବା ପରେ ବହୁ ରାମକୃଷ୍ଣ ଭକ୍ତ ସ୍ଵାମୀଜୀଙ୍କର ଏ ପ୍ରକାର କାର୍ଯ୍ୟରେ ସନ୍ଦେହ ପ୍ରକାଶ କରିଛନ୍ତି । ଦିନେ ଗୁରୁଭାଇମାନଙ୍କ ସହିତ ଖୁସିଗପ କରିଲା ସମୟରେ ଜଣେ ଗୁରୁଭାଇ ପଚାରିଲେ, “ସେ କାହିଁକି ଶ୍ରୀ ରାମକୃଷ୍ଣଙ୍କୁ ପ୍ରଚାର କରୁନାହାନ୍ତି ? ଶ୍ରୀ ରାମକୃଷ୍ଣଙ୍କ ଶିକ୍ଷା ସହିତ ତାଙ୍କ ଦ୍ଵାରା ପ୍ରଚାରିତ ଆଦର୍ଶର ସାମଞ୍ଜସ୍ୟ କେଉଁଠି ? ଠାକୁର ଏକାନ୍ତ ଭକ୍ତି ସହିତ ଅନନ୍ୟଚିତ୍ତ ହୋଇ ସାଧନଭଜନ କଲେ ଈଶ୍ଵର ଉପଲବ୍‍ଧି ବା କଥା କହିଛନ୍ତି ଏବଂ ତାହା ହିଁ ତାଙ୍କର ଆଦର୍ଶ ଥିଲା । ସ୍ଵାମୀଜୀ କର୍ମ ଉପରେ ଗୁରୁତ୍ଵ ଦେବାଦ୍ଵାରା ସାଧନଭଜନରେ ମନନ ଲାଗି ଦଳ ବହିର୍ମୁଖ ହେଉଛି । ସ୍ଵାମୀଜୀଙ୍କର ଜନକଲ୍ୟାଣ ଲାଗି ମଠ, ମିଶନ୍, ବେଦାନ୍ତ ସମିତି, ସେବାଶ୍ରମ ଇତ୍ୟାଦି ପ୍ରତିଷ୍ଠା କରିବା, ସ୍ଵଦେଶପ୍ରେମ ମାଧ୍ୟମରେ ମାନବର ସେବା ପ୍ରଚାର କରିବା ଇତ୍ୟାଦି ପାଶ୍ଚାତ୍ୟ ଭାବଧାରା । ଏହାକୁ ଆମେ ଠାକୁର ଶ୍ରୀ ରାମକୃଷ୍ଣଙ୍କର ମୂଳମନ୍ତ୍ର ସର୍ବତ୍ୟାଗ ବୋଲି କହିପାରିବା କି ?”

 

ଗୁରୁଭାଇଙ୍କର ଏ ପ୍ରକାର ପ୍ରଶ୍ନ ଶୁଣି ସ୍ଵାମୀଜୀ ସେହିପରି କୌତୁକ କରି ଗୁରୁଭାଇଙ୍କୁ କହିଲେ, “ତୁମେ କ’ଣ କହିବାକୁ ଚାହଁ ଯେ ଲେଖାପଢ଼ା, ସାଧାରଣ ଧର୍ମପ୍ରଚାର, ଆର୍ତ୍ତ, ରୋଗୀ, ଅନାଥ ଏମାନଙ୍କ ସେବା କରିବା – ଦୁଃଖ ଦୂର କରିବା କରିବା ଲାଗି ଚେଷ୍ଟାକଲେ ଏପରି ମାୟାରେ ବାନ୍ଧି ହୋଇଯିବ ? ଈଶ୍ଵର ଅନ୍ଵେଷଣ କର, ଜଗତର ଉପକାର କରିବାକୁ ଯିବା ଅନଧିକାର ଚର୍ଚ୍ଚା ମାତ୍ର – ଏଭଳି କଥା ଠାକୁର ବ୍ୟକ୍ତି-ବିଶେଷଙ୍କୁ କହୁଥିଲେ ବୋଲି ଯଦି ଏ ସମସ୍ତ କାର୍ଯ୍ୟକୁ ମନ୍ଦ ବୋଲି ଭାବ, ତାହାହେଲେ ତୁମେ ଠାକୁରଙ୍କ ଉଦ୍ଦେଶ୍ୟରୁ ବିନ୍ଦୁଏ ମାତ୍ର ବୁଝି ନାହିଁ ।” କହୁ କହୁ ତାଙ୍କର ସରଳ ଭାବ ଅର୍ନ୍ତହିତ ହୋଇଗଲା । ବେଦାନ୍ତକେଶରୀ ଦୃପ୍ତକଣ୍ଠରେ ଗର୍ଜିଉଠି କହିଲେ, “ତୁମେ କ’ଣ ମନେକରୁଛ ଯେ, ତୁମେ ମୋ’ ଠାରୁ ବେଶୀ ଶ୍ରୀ ରାମକୃଷ୍ଣଙ୍କୁ ବୁଝିଛ ? ତୁମେ କ’ଣ ଭାବୁଛ ଜ୍ଞାନ ଶୁଷ୍କ ପାଣ୍ଡିତ୍ୟ ମାତ୍ର ? ତୁମେ ଯେଉଁ ଭକ୍ତିକୁ ଲକ୍ଷ୍ୟ କରୁଛ, ତାହା ଅହିମିକାର ଭାବୁକତା ମାତ୍ର, ଯାହା ମନୁଷ୍ୟକୁ କାପୁରୁଷ ଓ କର୍ମବିମୁଖ କରିପକାଏ । ଶ୍ରୀ ରାମକୃଷ୍ଣଙ୍କୁ ପ୍ରଚାର କରିବା କଥା କହୁଛ ? ତୁମେ ଆମେ ତାଙ୍କ ଅନ୍ତରଭାବର କେତେ ଟିକିଏ ଇୟତ୍ତା କରିପାରିଛେ ଯେ ଜଗତକୁ କହିବାକୁ ଯିବା ? ଧୈର୍ଯ୍ୟଧର । କିଏ ତୁମ ଶ୍ରୀ ରାମକୃଷ୍ଣଙ୍କୁ ଚାହେଁ ? କିଏ ତୁମ ଭକ୍ତି ମୁକ୍ତି ବିଷୟରେ ମୁଣ୍ଡ ଘୂରାଏ ? ଶାସ୍ତ୍ର କ’ଣ କହୁଛି, କିଏ ଶୁଣେ ? ଯଦି ମୁଁ ତମୋହ୍ରଦରେ ନିମଗ୍ନ ମୋ ସ୍ଵେଦେଶବାସୀଙ୍କୁ କର୍ମଯୋଗରେ ଅନୁପ୍ରାଣିତ କରି ପ୍ରକୃତ ମଣିଷ ପରି ନିଜ ଗୋଡ଼ରେ ଠିଆ କରାଯାଇପାରେ, ତାହାହେଲେ ମୁଁ ଆନନ୍ଦରେ ଲକ୍ଷେ ନରକକୁ ଯିବି । ମୁଁ ତୁମର ରାମକୃଷ୍ଣ ବା ଅନ୍ୟ କାହାରି ଚେଲା ନୁହେଁ; ଯେଉଁମାନେ ନିଜ ଭକ୍ତି ମୁକ୍ତି କାମାନା ତ୍ୟାଗକରି ଦରିଦ୍ର ନାରାୟଣଙ୍କ ସେବାରେ ଜୀବନ ଉତ୍ସର୍ଗ କରିବେ ମୁଁ ସେମାନଙ୍କ ଚେଲା, ଭୃତ୍ୟ ଓ କ୍ରୀତଦାସ ।”

ଏତକ କହିସାରି ସେ ନିଜ ହୃଦୟର ଉଦ୍‌ବେଳନକୁ ସମ୍ଭାଳି ପାରିଲେ ନାହିଁ । ଉଭୟ ହସ୍ତରେ ଛାତିକୁ ଚାପିଧରି ନିଜ କୋଠରିକୁ ଯାଇ ଦୁଆର ବନ୍ଦ କରିଦେଲେ । ଜଣେ ଦୁଇଜଣ ଗୁରୁଭାଇ ଧିରେ ଧିରେ ଯାଇ ଦେଖିଲେ ସ୍ଵାମୀଜୀ ‘ଭାବ ସମାଧିସ୍ଥ’ । ପ୍ରାୟ ଘଣ୍ଟାକ ପରେ ଗୁରୁଭାଇମାନଙ୍କ ନିକଟକୁ ଫେରିଆସି, ସେହିପରି ଗମ୍ଭୀର ମୁଦ୍ରାରେ ବସି ଧୀର ସ୍ଵରରେ କହିବାକୁ ଲାଗିଲେ, “ଯାହାର ହୃଦୟ ଭକ୍ତିରେ ପୁର୍ଣ୍ଣ ହୋଇଛି, ତାର ସ୍ନାୟୁଗୁଡ଼ିକ ଏତେ କୋମଳ ହୋଇପଡ଼େ ଯେ ସାମାନ୍ୟ ଫୁଲର ଆଘାତ ପର୍ଯ୍ୟନ୍ତ ସହ୍ୟ କରିପାରେ ନାହିଁ । ତୁମେ ଜାଣ, ଆଜିକାଲି ମୁଁ ପ୍ରେମଭକ୍ତିସମ୍ବନ୍ଧୀୟ କୌଣସି ପୁସ୍ତକ ପଢ଼ିପାରେ ନାହିଁ । ଶ୍ରୀ ରାମକୃଷ୍ଣଙ୍କ ସମ୍ବନ୍ଧରେ ବେଶୀ ବେଳ କଥା କହିବାକୁ ହେଲେ ଭାବରେ ଅଭିଭୂତ ହୋଇପଡ଼େ । ଅନ୍ତର୍ନିହିତ ଏହି ଭକ୍ତିପ୍ରବାହର ଗତିରୋଧ କରିବା ଲାଗି ମୁଁ କ୍ରମାଗତ ଚେଷ୍ଟାକରୁଛି, କର୍ମର କଠିନ ଶୃଙ୍ଖଳରେ ନିଜକୁ ବାନ୍ଧିରଖୁଛି, କାରଣ ଏବେ ବି ଜଗତକୁ ମୋର ଯେଉଁ ବାର୍ତ୍ତା ଦେବାର ଅଛି, ତାହା ଶେଷ ହୋଇ ନାହିଁ । ତେଣୁ ଯଦି ଦେଖେ, ଭକ୍ତିର ଉଦ୍ଦାମ ପ୍ରବାହ ମୋତେ ଭସାଇ ନେଉଛି, ସେତେବେଳେ କଠୋର ଜ୍ଞାନ ଦ୍ଵାରା ଆଘାତ କରି ଏହିସବୁ ଭାବକୁ ସଂଯତ କରେ । ହାୟ, ତେବେ ବି ମୁକ୍ତି ନାହିଁ । ଏବେମଧ୍ୟ ମୋତେ ଅନେକ କାମ କରିବାକୁ ହେବ । ମୁଁ ଶ୍ରୀ ରାମକୃଷ୍ଣଙ୍କ କ୍ରୀତଦାସ, ସେ ମୋ କାନ୍ଧ ଉପରେ ଯେଉଁ କାର୍ଯ୍ୟର ଭାର ନିକ୍ଷେପ କରି ଯାଇଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ତାହାକୁ ସମାସ୍ତ କରିପାରି ନାହିଁ, ସେ ପର୍ଯ୍ୟନ୍ତ ସେ ମୋତେ ବିଶ୍ରାମ କରିବାକୁ ଦେବେନାହିଁ ।”

ଏ ବିଷୟରେ ଦିନେ ସ୍ଵାମୀ ସାରଦାନନ୍ଦ କହିଥିଲେ, “ଦିନେ ଦକ୍ଷିଣେଶ୍ଵର ଠାରେ ଆମେ ସମନ୍ତେ ବସିଛୁ, ନରେନ୍ଦ୍ରନାଥ ମଧ୍ୟ ସେଦିନ ଉପସ୍ଥିତ ଥିଲେ । ଦୟା, ପରୋପକାର ସମ୍ବନ୍ଧରେ କଥା କହୁ କହୁ ଶ୍ରୀ ଶ୍ରୀ ଠାକୁର ଭାବମୁଖର ହୋଇ କହିଲେ, “ଜୀବେ ଦୟା, ନାମେ ରୁଚି, ବୈଷ୍ଣବ ସେବନ – ଦୟା ? କିଏ କାହାକୁ ଦୟା କରିବ ? ଦୟା ନୁହେଁ-ଦୟା ନୁହେଁ, ସେବା-ସେବା ।” କିଛି ସମୟ ପରେ ନରେନ୍ଦ୍ରନାଥ ବାହାରକୁ ଆସି ମୋତେ କହିଲେ, “ଆଜି ଠାକୁରେ ଯାହାକହିଲେ, ବୁଝିଲ ?” ମୁଁ ବୁଝିପାରିନାହିଁ ବୋଲି ଶୁଣି ସେ କହିଲେ, “ବୁଦ୍ଧି ଥିଲେ ସିନା ବୁଝିବ-? ଓଃ, ଆଜି କି ନୂତନ ଆଲୋକ ପାଇଲି ! ଯଦି ବଞ୍ଚିଥାଏ, ତାହାହେଲେ ଦେଖିପାରିବି ।”

ଏସବୁ ସତ୍ତ୍ଵେ ସ୍ଵାମୀଜୀ ଗୁରୁଭାଇମାନଙ୍କର ଉପଦେଶ ଓ ପରାମର୍ଶ ଗ୍ରହଣ କରୁଥିଲେ-। ନାଗ ମହାଶୟଙ୍କୁ ଠାକୁରଙ୍କ ଉପଦେଶାନୁଯାୟୀ ମଠ ଓ ସେବାଶ୍ରମ ଗଠନ ହେଉଛି କି ନାହିଁ ପଚାରି ତାଙ୍କର ସମ୍ମତିଲାଭ କରିଥିଲେ । ଏପରିକି ଠାକୁରଙ୍କର ଗୃହୀଭୁକ୍ତ ବିଶିଷ୍ଟ ନାଟ୍ୟକାର ଗିରୀଶଚନ୍ଦ୍ର ଘୋଷ କହିଥିଲେ, “ତୁମ ଜରିଆରେ ସେ (ଶ୍ରୀ ରାମକୃଷ୍ଣ) ଲୋକଶିକ୍ଷା ଦେବେ, ଧର୍ମ ପ୍ରଚାର କରାଇବେ ।”

ଜଗତର ଦୁଃଖ କଷ୍ଟ ଦୂର କରିବା ନିମିତ୍ତ, ଏପରିକି ଜଣକର ବେଦନା ଲାଘବ କରିବା ପାଇଁ ସେ ସହସ୍ର ଜନ୍ମ ଗ୍ରହଣ କରିବାକୁ ପ୍ରସ୍ତୁତ । ସେ ନିଜ ମୁକ୍ତି ନଚାହିଁ ପ୍ରତ୍ୟେକଙ୍କୁ ମୁକ୍ତ ହେବା ପାଇଁ ସାହାଯ୍ୟ କରିବେ ବୋଲି କହୁଥିଲେ । ତାଙ୍କ ହୃଦୟରେ ପ୍ରତ୍ୟେକ ମଣିଷ ପାଇଁ କରୁଣାର ସ୍ନିଗ୍‍ଧ ଧାରା ଚିର ପ୍ରଭାବିତ ହେଉଥିଲା । ଏପିରିକି ନାରୀଜାତିର ସର୍ବବିଧ ଉନ୍ନତି ପାଇଁ ସେ ସ୍ତ୍ରୀମାନଙ୍କ ଶିକ୍ଷା ଉପରେ ଗୁରୁତ୍ଵ ଦେଉଥିଲେ ଓ ଏକ ନାରୀ ମଠ ସ୍ଥାପନ କରିବାକୁ ଚାହିଁଥିଲେ ।

Image

 

ଉତ୍ତର ଭାରତ ଭ୍ରମଣ

 

ମଠ, ସେବାଶ୍ରମ କାର୍ଯ୍ୟରେ ବ୍ୟସ୍ତ, ସେଥି ସହିତ ଧର୍ମପ୍ରସଙ୍ଗ ଓ ଶାସ୍ତ୍ରାଦି ଆଲୋଚନା ହେତୁ ତାଙ୍କ ସ୍ଵାସ୍ଥ୍ୟ ଭାଙ୍ଗି ପଡ଼ିବାରୁ ସେ ଜଳବାୟୁ ପରିବର୍ତ୍ତନ ପାଇଁ ଆଲମୋଡ଼ା ଯାତ୍ରା କଲେ । ହିମାଳୟ ବରଫାବୃତ୍ତ ଗମ୍ଭୀର, ଶାନ୍ତ ପରି ବେଶ, ପ୍ରକୃତିର ମନୋରମ ଶୋଭାସମ୍ପଦ ତାଙ୍କର କର୍ମକ୍ଳାନ୍ତ ମନକୁ ଶୀତଳ କଲା । କିନ୍ତୁ ସେଠାରେ ଅବସ୍ଥାନ କରି ମଧ୍ୟ ବାହାର ଜଗତ ସମ୍ପର୍କରେ ଉଦାସୀନ ହୋଇପାରିଲେ ନାହିଁ । ତାଙ୍କର ଭାରତବ୍ୟାପୀ ଖ୍ୟାତି, ପ୍ରତିଷ୍ଠା, ପ୍ରତିପତ୍ତି, ଯଶ, ଆଦର ଓ ସମ୍ମାନ ଦେଖି ମିଶନାରୀମାନେ ପୁନର୍ବାର ଆମେରିକାରେ କୁତ୍ସାରଟନା କରିବାକୁ ଆରମ୍ଭ କଲେ-। ସେହି ସମୟରେ ଧର୍ମ ମହାସଭାର ସଭାପତି ଡକ୍ଟର ବ୍ୟାରୋଜ୍ ଭାରତରୁ ଫେରିଯାଇ ସ୍ଵାମୀଜୀଙ୍କର ନିନ୍ଦା କରିବାକୁ ଲାଗିଲେ । ସେ ସେଠାରେ ଏ ଖବର ପାଇଲାବେଳେ ଗୁରୁଭାଇମାନଙ୍କର ବିଭିନ୍ନ ସ୍ଥାନରେ ସେବାମୂଳକ କାର୍ଯ୍ୟର ଖବର ମଧ୍ୟ ପାଉଥିଲେ ।

 

ଅଲମୋଡ଼ାରୁ ପଞ୍ଜାବ ଓ କାଶ୍ମୀର । ପ୍ରତ୍ୟେକ ସ୍ଥାନରୁ ନିମନ୍ତ୍ରଣ । ରାଉଲପିଣ୍ଡି, ଲାହୋର, ରାଜପୁତନାର ଅଲ୍ଓ୍ଵାର, ଖେତଡ଼ି, କିଶନଗଡ଼, ଆଜମୀର, ଯୋଧପୁର, ଇନ୍ଦୋର ବାଟ ଦେଇ ଖଣ୍ଡଓ୍ଵାରଠାରେ ପହଞ୍ଚିଲେ । ବରୋଦା, ଗୁଜୁରାଟ ଓ ବମ୍ବେ ପ୍ରଦେଶକୁ ଯିବାର ଇଚ୍ଛା ଥିଲେ ମଧ୍ୟ ଅସୁସ୍ଥତା ଏବଂ କଲିକାତାରେ କାର୍ଯ୍ୟ ଥିବା ହେତୁ ସ୍ଵାମୀଜୀ କଲିକତାକୁ ଫେରିଆସିଲେ । ଏହି ପରିଭ୍ରମଣ କାଳରେ ସେ ଯେତେଗୁଡ଼ିଏ ବକ୍ତୃତା ଦେଇଥିଲେ ସେଥିରୁ ତାଙ୍କର ଉଦାରଭାବ, ଧର୍ମର ସର୍ବଭୌମ ଆଦର୍ଶ ଓ ଶିକ୍ଷାଦାନ ପ୍ରଣାଳୀର ମୌଳିକତାରେ ଚମତ୍‍କୃତ ହେବାକୁ ହୋଇଥାଏ ।

 

ଭାଗୀରଥି କୂଳରେ ଏକ ମଠ ସ୍ଥାପନ କରିବାର ସଂକଳ୍ପ ପାଶ୍ଚାତ୍ୟଦେଶରୁ ଫେରି ସେ ତାଙ୍କର ଗୁରୁଭାଇମାନଙ୍କୁ କହିଥିଲେ । ଗଙ୍ଗାର ପଶ୍ଚିମକୂଳରେ ବେଲୁଡ଼ଠାରେ ସ୍ଥାନ ଖୋଜି ପାଇବା ମାତ୍ରେ ମିସ୍‌ ମୁଲାର ଦେଇଥିବା ଅର୍ଥଦେଇ ଏହି ଜମି କ୍ରୟ କଲେ । ସ୍ଵାମୀଜୀଙ୍କର ଅନ୍ୟତମା ଆମେରିକୀୟା ଶିଷ୍ୟା ଓଲିବୁଲ୍‌ ମଧ୍ୟ ଅର୍ଥ ଦେଲେ । ସେଭିଆର ଦମ୍ପତ୍ତି ହିମାଳୟରେ ମଠ ସ୍ଥାପନ କରିବା ପାଇଁ ସ୍ଥାନ ଖୋଜିବାରେ ଲାଗିଥିଲେ । କିଛି ଦିନ ପରେ ପୁନର୍ବାର ସ୍ଵାମୀଜୀ ତାଙ୍କର ବିଦେଶୀ ଶିଷ୍ୟ ଶିଷ୍ୟାମାନଙ୍କ ସହିତ ସେଭିଆର ଦମ୍ପତ୍ତିଙ୍କ ଅନୁରୋଧକ୍ରମେ ଆଲମୋଡ଼ା ଯାତ୍ରା କଲେ । ସେଠାରେ ଥିବାବେଳେ ନିବେଦିତା ଭାରତକୁ ଆସିଥିଲେ ମଧ୍ୟ ଭାରତର ସାଧନ ଓ ଆଦର୍ଶକୁ ଗ୍ରହଣ ଓ ହୃଦୟଙ୍ଗମ କରିବା ନେଇ ମନରେ ଚିନ୍ତିତ ରହୁଥିଲେ । ତାଙ୍କର ଚିତ୍ତ ବିକ୍ଷୁବ୍‌ଧ ହେଉଥିଲା । ଦିନେ ସ୍ଵାମୀଜୀ ଆକାଶରେ ଥିବା କ୍ଷୀଣଚନ୍ଦ୍ରଙ୍କୁ ଚାହିଁ କହିଲେ, “ଆସ ! ଆମେ ନୂତନ ଚନ୍ଦ୍ର ସହିତ ନୂତନ ଜୀବନ ଆରମ୍ଭ କରିବା ।” ସ୍ଵାମୀଜୀ ସସ୍ନେହ ତାଙ୍କର କଲ୍ୟାଣହସ୍ତ ନିବେଦିତାଙ୍କର ମସ୍ତକରେ ସ୍ପର୍ଶ କଲେ । ତାଙ୍କର ଦିବ୍ୟସ୍ପର୍ଶ ଫଳରେ ନିବେଦିତାଙ୍କ ଚିତ୍ତରେ ଉଠୁଥିବା ସମସ୍ତ ଜନ୍ମଗତ ଓ ଜାତିଗତ ସଂସ୍କାର ମୁହୂର୍ତ୍ତକ ମଧ୍ୟରେ ମିଳାଇଗଲା । ଭଗିନୀ ନିବେଦିତା ଏହାକୁ ଉଲ୍ଲେଖ କରି ଲେଖିଛନ୍ତି, “ବହୁ ଆଗରୁ ତାଙ୍କ ଶିଷ୍ୟମାନଙ୍କୁ ଶ୍ରୀ ରାମକୃଷ୍ଣ କହିଥିଲେ– ଏପରି ଦିନ ଆସିବ, ଯେତେବେଳେ ନରେନ୍ଦ୍ରଙ୍କ ସ୍ପର୍ଶ ମାତ୍ରକେ ଅନ୍ୟର ହୃଦୟରେ ଜ୍ଞାନସଞ୍ଚାର ହୋଇଯିବ ।” ଅଲମୋଡ଼ାରେ ଏହି ଭବିଷ୍ୟତବାଣୀ ସଫଳ ହୋଇଥିଲା ! ସେ ସେଠାରେ ରହିଥିବାବେଳେ ପାଓହରୀ ବାବା ଓ ମିଃ ଗୁଡ଼୍‍ଉଇନ୍‍ଙ୍କର ମୃତ୍ୟୁ ସମ୍ବାଦ ଜାଣିବାକୁ ପାଇଥିଲେ । ତାଙ୍କର ପ୍ରିୟ ଶିଷ୍ୟର ବିୟୋଗ ତାଙ୍କୁ ବ୍ୟଥିତ କରିଥିଲା । ମାନ୍ଦ୍ରାଜରୁ ପ୍ରକାଶ ପାଉଥିବା ‘ପ୍ରବୁଦ୍ଧ ଭାରତ’ ପତ୍ରିକାର ସମ୍ପାଦକ ଇହଲୋକ ତ୍ୟାଗ କରିବାରୁ ଏହାର ପ୍ରକାଶ ଅଲମୋଡ଼ାରୁ ହେବାର ସ୍ଥିର ହେଲା । ସ୍ଵାମୀ ସ୍ୱରୂପାନନ୍ଦ ଏହାର ସଂପାଦକ ହେଲେ ଓ ସେଭିଆର ଦମ୍ପତ୍ତି ପରିଚାଳନା ଦାୟିତ୍ଵ ଗ୍ରହଣ କଲେ ।

 

ସେଠାରୁ ସେ ଅମରନାଥ ଦର୍ଶନ କରିବାକୁ ଗଲେ । ଅମରନାଥରୁ ଶ୍ରୀନଗର ଫେରି ତାଙ୍କର ଇଚ୍ଛାହେଲା କ୍ଷୀର ଭବାନୀଙ୍କୁ ଦର୍ଶନ କରିବେ । ସେ କୌଣସି ଶିଷ୍ୟ ଶିଷ୍ୟାଙ୍କୁ ନ ନେଇ କ୍ଷୀର ଭବାନୀରେ ପହଞ୍ଚି ସେଠାରେ ସେହି ଭଗ୍ନ ମନ୍ଦିରକୁ ଦେଖିଲେ ମନରେ ଇଚ୍ଛାହେଲା ମନ୍ଦିରର ଜୀର୍ଣ୍ଣୋଧାର କରିବେ । ସେ ଦୈବୀବାଣି ଶୁଣିବାକୁ ପାଇଲେ – ଜନନୀ କହୁଛନ୍ତି, “ଯଦି ମୋର ଇଚ୍ଛାହୁଏ, ତେବେ ମୁଁ କ’ଣ ସାତମହଲା ସ୍ଵର୍ଣ୍ଣମନ୍ଦିର ଏହି ମୁହୂର୍ତ୍ତରେ ଗଢ଼ିପାରିବି ନାହିଁ ? ମୋ ଇଚ୍ଛାନୁସାରେ ଏହି ମନ୍ଦିର ଭଗ୍ନ ଅବସ୍ଥାରେ ପଡ଼ିରହିଛି ।” ସେ ଅନୁଭବ କଲେ ମହାମାୟାଙ୍କ ବିରାଟ ଇଚ୍ଛାରେ ସେ ଯନ୍ତ୍ରପରି ଚାଳିତ ହେଉଛନ୍ତି । ସେ ଶ୍ରୀନଗରକୁ ଫେରିଆସି ଶିଷ୍ୟମାନଙ୍କୁ କହିଥିଲେ, “ହରି ଓଁ । ମୁଁ ଭୁଲ୍ କରିଥିଲି । ମୁଁ ଯନ୍ତ୍ର, ସେ ଯନ୍ତ୍ରୀ । ମା, ମା, ସେ ସବୁ, ସେ କର୍ତ୍ତା, ମୁଁ କିଏ ? ତାଙ୍କର ଅଜ୍ଞାନ ସନ୍ତାନ ମାତ୍ର ।” ଶ୍ରୀ ରାମକୃଷ୍ଣ ବହୁପୂର୍ବରୁ କହିଥିଲେ, “ନରେନ୍ଦ୍ରଙ୍କ ହୃଦୟରେ ଅଜ୍ଞାନତାର ଗୋଟିଏ ପତଳା ଆବରଣ ମା’ ରଖିଯାଇଛନ୍ତି । ଏହାଦ୍ଵାରା ଅନେକ କାର୍ଯ୍ୟ ତାଙ୍କ ଦ୍ଵାରା କରାଇନେବେ ।”

 

ଅମରନାଥ ଦର୍ଶନ, କ୍ଷୀରଭବାନୀରେ ଯୋଗସ୍ଥ ହୋଇ କାଶ୍ମୀରର ମନୋରମା ପ୍ରାକୃତିକ ପରିବେଶରେ କିଛିଦିନ କଟାଇ ସେ ସ୍ଵାମୀ ସଦାନନ୍ଦଙ୍କ ସହିତ କଲିକାତ ପ୍ରତ୍ୟାବର୍ତ୍ତନ କଲେ । ସ୍ଵାସ୍ଥ୍ୟ ଭଲ ନ ଥିଲା । ବାହାର ବିଷୟରେ ସବୁବେଳେ ଉଦାସୀନ ଓ ନିର୍ବିକାର । ଊର୍ଦ୍ଧ୍ଵଚେତନାରେ ରହିଥିବା ମନ ନିମ୍ନଗାମୀ ହେବାକୁ ବେଶ୍‌ କିଛି ସମୟ ଲାଗିଥିଲା । ବାଗ୍‌ବଜାରରେ ନାରୀଶିକ୍ଷାର ପ୍ରସାର ନିମିତ୍ତ ଭଗିନୀ ନିବେଦେତା ଗୋଟିଏ ବାଳିକା ବିଦ୍ୟାଳୟ ସ୍ଥାପନ କଲେ । ସ୍ଵାମୀଜୀ ସ୍ଵାମୀ ବ୍ରହ୍ମାନନ୍ଦ, ସ୍ଵାମୀ ସାରଦାନନ୍ଦ ଓ ଶ୍ରୀମା ସାରଦାଦେବୀଙ୍କ ଗହଣରେ ବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇଥିଲେ । ସ୍ଵାମୀଜୀଙ୍କ ଅନୁରୋଧକ୍ରମେ ଶ୍ରୀମା ସାରଦା ସେଠାରେ ବିଶେଷ ପୂଜା କରିଥିଲେ ।

 

ବେଲୁଡ଼ଠାରେ ମଠ ପ୍ରତିଷ୍ଠା ହେଲା । ୧୮୯୮ ଖ୍ରୀଷ୍ଟାବ୍ଦ ଡିସେମ୍ବର ୯ ତାରିଖ ଦିନ ଶ୍ରୀ ଶ୍ରୀ ରାମକୃଷ୍ଣଙ୍କର ଦେହାବଶେଷର କିଛି ଭଷ୍ମ ଓ ଅସ୍ଥି, ଯାହା ତାଙ୍କର ଦେହତ୍ୟାଗ ଦିନଠାରୁ ସନ୍ନ୍ୟାସୀ ଶିଷ୍ୟମାନଙ୍କ ଦ୍ଵାରା ପୂଜିତ ହେଉଥିଲା ଏବଂ ବରାହନଗର, ଆଲମବଜାର ମଠ ହୋଇ ନୀଳାମ୍ବରବାବୁଙ୍କ ବଗିଚା ଘରକୁ ଅଣାଯାଇଥିଲା, ସେ ପେଡ଼ିଟିକୁ କାନ୍ଧରେ ବୋହି ସ୍ଵାମୀଜୀ ବେଲୁଡ଼କୁ ଆଣି ମଠରେ ସ୍ଥାପନ କଲେ । ଶ୍ରୀ ରାମକୃଷ୍ଣ ତାଙ୍କୁ କହିଥଲେ, “ତୁ ମୋତେ କାନ୍ଧରେ ନେଇ ଗଛତଳେ ହେଉ ବା କୁଟୀରରେ ଯେଉଁଠାରେ ବସାଇବୁ, ମୁଁ ସେଠାରେ ରହିବି ।” ମଠର ଭବିଷ୍ୟତ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଶିଷ୍ୟ ଶରତଚନ୍ଦ୍ରଙ୍କୁ କହିଥିଲେ, “ଏହିଠାରେ ସାଧୁମାନଙ୍କ ରହଣି ପାଇଁ ବନ୍ଦୋବସ୍ତ ହେବ । ସାଧନ, ଭଜନ, ଜ୍ଞାନଚର୍ଚ୍ଚା ଲାଗି ଏହି ମଠ ପ୍ରଧାନ କେନ୍ଦ୍ର ହେବ, ଏହାହିଁ ମୋର ଅଭିପ୍ରାୟ । ଏଠାରୁ ଯେଉଁ ଶକ୍ତିର ଅଭ୍ୟୁଦୟ ହେବ, ତାହା ଜଗତକୁ ଆଚ୍ଛାଦିତ କରି ପକାଇବ ଓ ମଣିଷର ଜୀବନ ଗତିକୁ ଫେରାଇଦେବ । ଜ୍ଞାନ, ଭକ୍ତି, ଯୋଗ ଓ କର୍ମର ଏକତ୍ର ସମନ୍ଵୟ ହୋଇ ଏଠାରୁ ମାନବ ହିତକର ଉଚ୍ଚ ଆଦର୍ଶ ସମୂହ ବାହାରିବ, ଏହି ମଠଭୁକ୍ତ ବ୍ୟକ୍ତିମାନଙ୍କ ଇଙ୍ଗିତରେ ଏକ ସମୟରେ ଦିଗ୍‍ଦିଗନ୍ତରେ ପ୍ରାଣର ସଞ୍ଚାର ହେବ; ଯର୍ଥାଥ ଧର୍ମାନୁରାଗୀମାନେ ସମସ୍ତେ ଏଠାରେ ଆସି ଜୁଟିବେ – ମନରେ ଏପରି କେତେ ଭାବନା ଜାଗ୍ରତ ହେଉଛି ।”

 

ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କ ଉପଦେଶ ଓ ଆଦର୍ଶକୁ ଜନସାଧାରଣଙ୍କ ଭିତରେ ପ୍ରଚାର ଓ ପ୍ରସାର ପାଇଁ ଉଦ୍‌ବୋଧନ ନାମରେ ଏକ ବଙ୍ଗଳା ପାକ୍ଷିକ ପତ୍ରିକା ପ୍ରକାଶିତ ହେଲା । ସ୍ଵାସ୍ଥ୍ୟ ପରିବର୍ତ୍ତନ ପାଇଁ ସ୍ଵାମୀଜୀ ବେଲୁଡ଼ ମଠରୁ ବୈଦ୍ୟନାଥ ଧାମ ଗଲେ ଓ କିଛିଦିନପରେ ମଠକୁ ଫେରିଆସି ବ୍ରହ୍ମଚାରୀ ଓ ସନ୍ନ୍ୟାସୀମାନଙ୍କୁ ଶିକ୍ଷା ଦେଲେ । ଶ୍ରୀ ଶ୍ରୀ ରାମକୃଷ୍ଣଙ୍କ ମହନୀୟବାଣୀ ସମଗ୍ର ଭାରତରେ ପ୍ରଚାର କରିବା ନିମିତ୍ତ ଗୁରୁଭ୍ରାତାମାନଙ୍କୁ ବିଭିନ୍ନ ସ୍ଥାନକୁ ପ୍ରେରଣ କଲେ । ଶିଷ୍ୟମାନଙ୍କର ମୁକ୍ତିଲାଭ ମନୋବୃତ୍ତିକୁ ଧିକ୍‌କାର କରି କହିଥିଲେ, “ସ୍ଵାର୍ଥପରଙ୍କ ପରି ନିଜର ମୁକ୍ତି ପାଇଁ ଚେଷ୍ଟାକଲେ, ତୁମେ ନରକକୁ ଯିବ । ଯଦି ତୁମେ ସେହି ପୂର୍ଣ୍ଣବ୍ରହ୍ମଙ୍କୁ ଉପଲବ୍‍ଧି ‌କରିବାକୁ ଚାହଁ, ତାହାହେଲେ ଅନ୍ୟର ମୁକ୍ତି ଲାଗି ସାହାର୍ଯ୍ୟ କର; ନିଜର ମୁକ୍ତିଲାଭ ଆକାଙ୍‍କ୍ଷାକୁ ସମୂଳେ ବିନାଶ କରିବା ହିଁ ସର୍ବଶ୍ରେଷ୍ଠ ସାଧନା ।”

 

ବେଲୁଡ଼ ମଠରେ ଅବସ୍ଥାନ କାଳରେ ସ୍ଵାମୀଜୀ ତାଙ୍କୁ ସାକ୍ଷାତ୍‍ କରୁଥିବା ବହୁ ଶିକ୍ଷିତ ଯୁବକ ଓ ଛାତ୍ରମାନଙ୍କୁ ଜାତୀୟ ଜୀବନର ଶ୍ରେଷ୍ଠତମ ଆଦର୍ଶ ଦେଶସେବାକୁ ନିଜ ଜୀବନର ବ୍ରତଭାବେ ଗ୍ରହଣ କରିବାକୁ କହିଥିଲେ, “ଦୁଇ ହଜାର ବୀର ହୃଦୟ, ବିଶ୍ଵାସୀ, ଚରିତ୍ରବାନ ଓ ମେଧାବୀ ଯୁବକ ଏବଂ ତିରିଶକୋଟି ଟଙ୍କା ହେଲେ ମୁଁ ଭାରତକୁ ନିଜଗୋଡ଼ରେ ଠିଆ କରାଇପାରିବି ।” ସନ୍ନ୍ୟାସୀ ଶିଷ୍ୟମାନଙ୍କୁ ବକ୍ତୃତା ଦେବାବେଳେ ବା କଥାବାର୍ତ୍ତା ବେଳେ କହୁଥିଲେ, “ମୁଁ ଏପରି ଏକ ଧର୍ମ ପ୍ରଚାର କରିବାକୁ ଚାହେଁ, ଯହିଁରେ ମଣିଷ ତିଆରି ହେବ ।” ନିଜ ଜନ୍ମଭୂମିର ଉନ୍ନତି ପାଇଁ ସଦାସର୍ବଦା ଚିନ୍ତିତ ସ୍ଵାମୀଜୀ ଶିଷ୍ୟମାନଙ୍କୁ, ଯୁବକମାନଙ୍କୁ କହୁଥିଲେ ଦେଶେ ଦେଶେ ଗ୍ରାମେ ଗ୍ରାମେ ଯାଇ ଦେଶର ଲୋକଙ୍କୁ ବୁଝାଇଦିଅ – ଆଉ ଅଳସୁଆ ହୋଇ ବସି ରହିଲେ ଚଳିବ ନାହିଁ । ଶିକ୍ଷାହୀନ, ଧର୍ମହୀନ, ଓ ବର୍ତ୍ତମାନର ଅବନତି ସମ୍ପର୍କରେ ସେମାନଙ୍କୁ ବୁଝାଇଦେଇ କହିବ, “ଭାଇମାନେ, ଉଠ, ଜାଗ, କେତେଦିନ ଏପରି ଶୋଇ ରହିଥିବ ?” ଜଗତକୁ ଯେତେବେଳେ ଆସିଛ ଗୋଟିଏ ଚିହ୍ନ ରଖିଯାଅ । ତା’ ନହେଲେ ଗଛ ଓ ପଥର ତ ଜନ୍ମ ନେଉଛନ୍ତି, ମରୁଛନ୍ତି – ଏଭଳି ଜନ୍ମ ଲଭି ମରିବାକୁ ମଣିଷର ଇଚ୍ଛାହୁଏ କି ? ସମସ୍ତଙ୍କୁ ଏହିକଥା ଶୁଣାଅ – ତୁମ ଭିତରେ ଅନନ୍ତ ଶକ୍ତି ବିଦ୍ୟମାନ । ସେହି ଶକ୍ତିକୁ ଜଗାଅ । ନିଜର ମୁକ୍ତି ହେଲେ କ’ଣ ହେବ ? ମୁକ୍ତି କାମନା ମହାସ୍ଵାର୍ଥପରତା କେବଳ ମାତ୍ର । ଗୋଟିଏ ମହତ୍ ଉଦ୍ଦେଶ୍ୟ ନେଇ ମର । ନିଶ୍ଚେ ତ ମରିବ, ତେବେ ଭଲ ଉଦ୍ଦେଶ୍ୟ ଲାଗି ମରିବ ନାହିଁ କାହିଁକି ?” ସେ ସବୁକାର୍ଯ୍ୟ ପ୍ରୟୋଗାତ୍ମକ ବେଦାନ୍ତ ଓ ପ୍ରଭୁଙ୍କ କାର୍ଯ୍ୟ ବୋଲି ଗ୍ରହଣ କରି ଆବର୍ଜନା ପାରିଷ୍କାରଠାରୁ ଧର୍ମୋପଦେଶ ପ୍ରଦାନକୁ ସମାନ ଦୃଷ୍ଟିରେ ବିଚାର କରିଥିଲେ ।

 

ବେଲୁଡ଼ ମଠରେ ଅବସ୍ଥାନକାଳରେ ‘ହିତବାଦୀ’ ପତ୍ରିକାରେ ସଂପାଦକ ପଣ୍ଡିତ ସଖାରାମ ଗଣେଶ ଦେଉସ୍କର ଦୁଇଜଣ ବନ୍ଧୁଙ୍କ ସହିତ ତାଙ୍କୁ ସାକ୍ଷାତ୍‍ କରିବାକୁ ଆସିଥିଲେ । ପଣ୍ଡିତଙ୍କର ଜଣେ ବନ୍ଧୁ ଥିଲେ ପଞ୍ଜାବୀ । ସ୍ଵାମୀଜୀ ପଞ୍ଜାବ ପ୍ରଦେଶର ଅଭାବ ଅଭିଯୋଗ ସମ୍ପର୍କରେ ଆଲୋଚନା କରି ଜାତୀୟ ଜୀବନର ସମସ୍ୟା ସମ୍ପର୍କରେ ଆଲୋଚନା କଲେ । ପଞ୍ଜାବୀ ଭଦ୍ରଲୋକ ସ୍ଵାମୀଜୀଙ୍କୁ ଲକ୍ଷ୍ୟକରି କହିଲେ, “ସ୍ଵାମୀଜୀ ! ଆମେ ଆପଣଙ୍କଠାରୁ ଧର୍ମୋପଦେଶ ଶୁଣିବାକୁ ଆସିଥିଲୁ । ମାତ୍ର ସାଧାରଣ ଆଲୋଚନା ହେଲା । ଆଜି ଦିନଟି ବୃଥା ଗଲା । ସ୍ଵାମୀଜୀଙ୍କ ମୁଖମଣ୍ଡଳ କରୁଣାର ଗମ୍ଭୀର ହୋଇଗଲା । ସେ ଧିର ଭାବରେ କହିଲେ, “ମହାଶୟ ! ଯେଉଁଦିନ ପର୍ଯ୍ୟନ୍ତ ମୋ ଜନ୍ମଭୂମିର ଗୋଟିଏ କୁକୁର ଅଭୁକ୍ତ ରହିଥିବ, ସେ ପର୍ଯ୍ୟନ୍ତ ତାକୁ ଆହାର ଦେବା ମୋର ଧର୍ମ ହୋଇ ରହିବ । ଏହା ଛଡ଼ା ଆଉ ଯାହା କିଛି ଅଧର୍ମ ।”

 

ଏହାକୁ ଉଲ୍ଲେଖ କରି ଦେଉସ୍କର ପରବର୍ତ୍ତୀ ସମୟରେ କହିଥିଲେ, “ସ୍ଵାମୀଜୀଙ୍କର ଏହି ଗଭୀର ସମବେଦନାର ଉକ୍ତିରୁ ସେ ‘ପ୍ରକୃତ ସ୍ଵଦେଶ’ ସମ୍ପର୍କରେ ଅବଗତ ହୋଇଥିଲେ ।”

Image

 

ପାଶ୍ଚାତ୍ୟ ଦେଶ ପରିଭ୍ରମଣ

 

ସ୍ଵାମୀଜୀଙ୍କର ଦ୍ଵିତୀୟଥର ବିଦେଶ ଯାତ୍ରାର ଉଦ୍ଦେଶ୍ୟ ବିଶ୍ରାମ ନେବା ପାଇଁ ଉଦ୍ଦିଷ୍ଟ ଥିଲା । ୧୮୯୯ ଜୁନ୍ ୨୦ ତାରିଖରୁ କଲିକତାରୁ ଯାତ୍ରା କରି ସେ ଜୁଲାଇ ୩୧ ତାରିଖରେ ଲଣ୍ଡନରେ ପହଞ୍ଚିଲେ । ସେଠାରୁ ଅଗଷ୍ଟ ୧୬ ତାରିଖରେ ନିଉୟର୍କ ଅଭିମୁଖେ ଯାଇ ମିଷ୍ଟର ଓ ମିସେସ୍‌ ଲିଗେଟ୍‌ଙ୍କର ଉଦ୍ୟାନଗୃହରେ ପ୍ରାୟ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ସେତେବେଳକୁ ନିଉୟର୍କଠାରେ ସ୍ଵାମୀ ଅଭେଦାନନ୍ଦଙ୍କ ଦ୍ଵାରା ବେଦାନ୍ତ ସୋସାଇଟି ଗୃହ ନିର୍ମାଣ ହୋଇଥାଏ । ସେ ସେଠାରୁ ଚିକାଗୋ ଦେଇ କାଲିଫର୍ଣ୍ଣିଆ ଓ ଲସ୍‌ଆଞ୍ଜେଲସ୍‌ଠାରେ ପ୍ରାୟ ଫେବୃୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ରହି ଅନେକଗୁଡ଼ିଏ ବେଦାନ୍ତ ସମ୍ପର୍କୀୟ ବକ୍ତୃତା ଦେଇଥିଲେ ।

 

ସମୁଦ୍ରବକ୍ଷରେ ଯାତ୍ରା କରିବା ସମୟରେ ନିବେଦିତାଙ୍କୁ ଦିନେ କହିଲେ, “ଦେଖ୍‌, ଯେତେଦିନ ଯାଉଛି, ମୁଁ ସେତେ ସ୍ପଷ୍ଟ ଭାବରେ ଉପଲବ୍‍ଧି କରିପାରୁଛି ଯେ ମନୁଷ୍ୟତ୍ଵ (Manliness) ଲାଭ ହିଁ ଜୀବନର ସର୍ବଶ୍ରେଷ୍ଠ ସାଧନା । ଏହି ଅଭିନବ ବାର୍ତ୍ତାକୁ ମୁଁ ଜଗତରେ ପ୍ରଚାର କରୁଛି । ଯଦି ଅନ୍ୟାୟ କାମ କରିବାକୁ ହୁଏ, ତେବେ ତାହା ମଣିଷ ପରି କର । ଯଦି ଦୁଷ୍ଟ ହେବାକୁ ହୁଏ, ତେବେ ମଣିଷ ପରି ଦୁଷ୍ଟ ହୁଅ ।”

 

ଓକ୍‌ଲ୍ୟାଣ୍ଡର ସର୍ବପ୍ରଧାନ ଇଉନିଟେରିୟାନ୍ ଚର୍ଚ୍ଚର ଧର୍ମଯାଜକ ରେଭେରେଣ୍ଡ ଡାକ୍ତର ବେଞ୍ଜାମିନ୍‌ କେ. ମିଲ୍‌ସଙ୍କ ନିମନ୍ତ୍ରଣ କ୍ରମେ ସେହି ଚର୍ଚ୍ଚରେ କର୍ମାଗତ ଆଠଗୋଟି ବକ୍ତୃତା ଦେଇଥିଲେ । ଡାକ୍ତର ବେଞ୍ଜାମିନ୍‌ ସ୍ଵାମୀଜୀଙ୍କ ପବିତ୍ର ଚରିତ୍ର ଓ ଅସୀମ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହିତ ଘନିଷ୍ଠ ପରିଚୟ ହୋଇ କହିଥିଲେ, “ପ୍ରକୃତପକ୍ଷେ ସେ ହେଉଛନ୍ତି ଜଣେ ବିଶାଳ ପ୍ରଜ୍ଞାପୁରୁଷ, ତାଙ୍କ ନିକଟରେ ଆମ ବିଶ୍ଵବିଦ୍ୟାଳୟର ବଡ଼ବଡ଼ ପ୍ରଫେସରମାନେ ଶିଶୁମାତ୍ର ।”

 

କାଲିଫର୍ଣ୍ଣିଆର ରାଜଧାନୀ ସାନ୍‌ଫ୍ରାନ୍‌ସିସ୍‌ସ୍କୋଠାରେ ‘ଗୋଲଡ଼େନ୍‌ ଗେଟ୍‌’ ହଲ୍‌ରେ ‘ସାର୍ବଜନୀନ ଧର୍ମର ଆଦର୍ଶ’ ଶୀର୍ଷକ ବକ୍ତୃତା ଦେଲେ ଓ କୃଷ୍ଣ, ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ ଇତ୍ୟାଦି ମହାପୁରୁଷମାନଙ୍କ ସବନ୍ଧରେ କେତେଗୁଡ଼ିଏ ଧାରାବାହିକ ବକ୍ତୃତା ପ୍ରଦାନ କରିଥିଲେ । ବିଶ୍ରାମ ନିମିତ୍ତ ଆଦୌ ସମୟ ମିଳୁ ନଥିଲା । କର୍ମ ପ୍ରବାହ ମଧ୍ୟରେ ତାଙ୍କର ସମାଧୁପ୍ଳୁତ ମନ ସଦାସର୍ବଦା ଗୋଟିଏ ଅଜ୍ଞାତ ଓ ଅବ୍ୟକ୍ତ ଭାବରାଜ୍ୟରେ ବୁଡ଼ିଯାଉଥିଲା । ସେ ତାଙ୍କ ଶିଷ୍ୟା ମିସ୍‌ ମ୍ୟାକଲିୟଡ଼୍‍ଙ୍କୁ ଏକ ପତ୍ରରେ ଲେଖିଥିଲେ, “ମୁଁ ଯେ ଜନ୍ମ ନେଇଥିଲି, ସେଥିପାଇଁ ମୁଁ ଖୁସି । ଏତେ ଯେ ଦୁଃଖ ଭୋଗୁଛି, ସେଥିରେ ବି ଖୁସି । ଜୀବନରେ ବେଳେବେଳେ ବଡ଼ବଡ଼ ଭୁଲ୍ କରିଛି, ସେଥିରେ ମଧ୍ୟ ଖୁସି ।

 

ପୁଣି ଏବେ ଯେ ନିର୍ବାଣର ଶାନ୍ତି ସମୁଦ୍ରରେ ବୁଡ଼ ପକାଇବାକୁ ଯାଉଛି, ସେଥିରେ ବି ଖୁସି । ମୋ ପାଇଁ ସଂସାରକୁ ଫେରିଆସିବାକୁ ପଡ଼ିବ, ଏଭଳି ବନ୍ଧନରେ ମୁଁ କାହାକୁ ଆବଦ୍ଧ କରିଦେଇ ଯାଉନାହିଁ । ଅଥବା ଏପରି ବନ୍ଧନ ମୁଁ ମଧ୍ୟ କାହା ପାଖକୁ ନେଇଯାଉ ନାହିଁ । ଦେହଟି ଚାଲିଯାଇ ମୋତେ ମୁକ୍ତିଦେଉ, ଅଥବା ଦେହ ଥାଉଁ ଥାଉଁ ମୁକ୍ତ ହୁଏ, ସେହି ପୁରୁଣା ବିବେକାନନ୍ଦ କିନ୍ତୁ ଚାଲିଯାଇଛି, ଚିରଦିନ ପାଇଁ ଚାଲିଯାଇଛି ଆଉ ଫେରୁନାହିଁ । ଶିକ୍ଷାଦାତା, ଗୁରୁ, ନେତା, ଆଚାର୍ଯ୍ୟ, ଚାଲି ଯାଇଛନ୍ତି । ପଡ଼ିରହିଛି କେବଳ ପୂର୍ବର ସେହି ବାଳକ, ପ୍ରଭୁଙ୍କର ସେହି ଚିରଶିଷ୍ୟ, ଚିର-ପଦାଶ୍ରିତ ଦାସ ।’’ କର୍ମପ୍ରବଣତା, ଜଗଦ୍‍ବ୍ୟାପୀ ଖ୍ୟାତି, ସମ୍ମାନ, ପ୍ରତିପତ୍ତି ମଧ୍ୟରେ ମଧ୍ୟ ତାଙ୍କ ଅନାସକ୍ତ ଅନ୍ତର ପୁରୁଷ ଏକ ନିରୁଦ୍‌ ବିଗ୍ନ ପ୍ରଶାନ୍ତି ମଧ୍ୟରେ ଆତ୍ମସ୍ଥ ହୋଇ ରହିଥିଲା ।

 

ସ୍ଵାମୀଜୀ କାଲିଫର୍ଣ୍ଣିଆ ତ୍ୟାଗ କରିବା ପୂର୍ବରୁ ତାଙ୍କର ଶିଷ୍ୟା ମିସ୍ ମିନି.ସି.ବୁକ୍‌ ସେଠାରେ ସ୍ଥାୟୀ ମଠ ନିର୍ମାଣ କରିବା ପାଇଁ ୧୬୦ ଏକର ପରିମିତ ଖଣ୍ଡିଏ ଜମି କିଣିଦେଲେ । ସ୍ଵାମୀଜୀ ଏହାକୁ ଆନନ୍ଦର ସହ ସ୍ଵୀକାର କରି ମଠ ସ୍ଥାପନ କରି ରହିବାକୁ ସ୍ଵାମୀ ତୁରିୟାନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲଣ୍ଡନରୁ ନିଉୟର୍କ ଓ ପରେ ଡେଟ୍ରୟଟ୍‌ ଦେଇ ପ୍ୟାରିସ୍‌ ଅଭିମୁଖେ ଯାତ୍ରା କଲେ । ସେଠାରେ ସ୍ଵାମୀଜୀ ଲିଗେଟ୍ ଦମ୍ପତ୍ତିଙ୍କର ଅତିଥି ହେଲେ । ମିସେସ୍‌ ବୁଲ୍‍ଙ୍କ ଘରେ ଫ୍ରାନ୍ସର ପ୍ରସିଦ୍ଧ ଲେଖକ ଓ ଦାର୍ଶନିକ ମିଷ୍ଟର ଜୁଲବୋୟାଙ୍କ ସହିତ ପରିଚୟ ହେଲା । ପ୍ୟାରିସ୍ ଠାରେ ଚିକାଗୋ ମହାମେଳା ପରି ପ୍ୟାରୀ ପ୍ରଦର୍ଶନୀ ଉପଲକ୍ଷେ ଏକ ଧର୍ମ ମହାସଭା ଅଧିବେଶନ ହେବାର ସ୍ଥିର ହୋଇଥିଲା । କିନ୍ତୁ ରୋମାନ୍‌ କ୍ୟାଥଲିକ୍‍ ଖ୍ରୀଷ୍ଟିୟାନ୍‍ମାନଙ୍କର ଆପତ୍ତି ଯୋଗୁ ଏହା ସମ୍ଭବ ହେଲାନାହିଁ । ଅବଶ୍ୟ ସ୍ଵାମୀଜୀ ଏହି ସଭାରେ ଯୋଗଦେଇ ବକ୍ତୃତା ଦେଇଥିଲେ । ପ୍ୟାରୀ ପ୍ରଦର୍ଶନୀ ଉପଲକ୍ଷେ ସମାଗତ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ସ୍ଵାମୀଜୀଙ୍କର ପରିଚିତ ହୋଇଥିଲା । ଯେଉଁମାନଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା, ସେମାନଙ୍କ ମଧ୍ୟରେ ମିଷ୍ଟର ଜୁଲ୍‍ବୋୟା, ଏଡ଼ିନ୍‌ବରା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପ୍ୟାଟ୍ରିକଗେଡ଼ିସ୍‌, ପିଅର ହିଆସନ, ବିଖ୍ୟାତ କମାଣ ନିର୍ମାତା ମିଷ୍ଟର ହିରମ୍‌ ମାକ୍‌ସିମ୍‌, ଇଉରୋପର ସର୍ବଶ୍ରେଷ୍ଠା ଗାୟିକା ମିସେସ୍‌ କାଲ୍‍ଭେ ଏବଂ ତାଙ୍କର ସ୍ଵଦେଶବାସୀ ବୈଜ୍ଞାନିକ ଡକ୍ଟର ଜଗଦୀଶଚନ୍ଦ୍ର ବୋଷ । ସ୍ଵାମୀଜୀ ଭାରତର ଏହି ନବଯୁବକ ଡକ୍ଟର ବୋଷଙ୍କ ପ୍ରତିଭାରେ ମୁଗଧ୍‌ ହୋଇ ତାଙ୍କର ପ୍ରଶଂସା କରିଥିଲେ ।

 

ପ୍ରାୟ ତିନିମାସ ପ୍ୟାରୀ ନଗରୀରେ ବିତାଇ ସ୍ଵାମୀଜୀ ପୂର୍ବ ଇଉରୋପ ଓ ମିଶର ଭ୍ରମଣରେ ଗଲେ । ସେ ଗ୍ରୀକ୍‌ ସଭ୍ୟତାର ସ୍ମୃତିସ୍ଥାନ ଏଥେନ୍‍ସରେ ପହଞ୍ଚିଲେ । ଇଉରୋପ ଭ୍ରମଣବେଳେ ଧନସମ୍ପଦରେ ପରିପୂର୍ଣ୍ଣ ପାଶ୍ଚାତ୍ୟ ଜଗତର ଅହଙ୍କାର ଓ ଭୋଗବାଦରୂପକ ବିଳାସିତାରେ ମଗ୍ନହୋଇ ନ୍ୟାୟ, ନୀତି ଓ ଧର୍ମ ଉପରେ ହେଉଥିବା ଆଘାତକୁ ନିର୍ଲିପ୍ତ ଭାବେ ଦେଖିଥିଲେ । ମିଶରରେ ପହଞ୍ଚି ଭାରତକୁ ଫେରିଯିବା ପାଇଁ ତାଙ୍କର ମନ ବ୍ୟାକୁଳ ହୋଇଉଠିଲା-। ୧୯୦୦ ଖ୍ରୀଷ୍ଟାବ୍ଦ ଡିସେମ୍ବର ୯ ତାରିଖ ରାତ୍ରିରେ ସେ ଅପ୍ରତ୍ୟାଶିତ ଭାବେ ବେଲୁଡ଼ ମଠରେ ପହଞ୍ଚିଲେ । ସେତେବେଳେକୁ ମୟାବତୀଠାରେ ଥିବା ମିଷ୍ଟର ସେଭିୟାରଙ୍କ ମୃତ୍ୟୁ ସମ୍ବାଦ ସେ ଜାଣିବାକୁ ପାଇଥିଲେ । ତେଣୁ ମିସେସ୍‌ ସେଭିୟାରଙ୍କୁ ସାନ୍ତ୍ଵନା ଦେବା ପାଇଁ ସେ କଲିକତାରୁ ମାୟାବତୀ ଅଭିମୁଖେ ଯାତ୍ରାକଲେ । ମାୟାବତୀ ଅଦ୍ଵୈତାଶ୍ରମରେ ଠାକୁର ଶ୍ରୀ ରାମକୃଷ୍ଣଙ୍କର ପୂଜାର୍ଚ୍ଚନା ନକରିବା ଥିଲା ତାଙ୍କର ମତ । ସେଠାରେ ପ୍ରବଳ ଥଣ୍ଡା । ବାହାରକୁ ବୁଲି ବାହାରିବା କଷ୍ଟ । ବେଶୀଦିନ ସେଠାରେ ନରହି ୧୯୦୧ ଜାନୁୟାରୀ ଚବିଶ ତାରିଖରେ ସେ ବେଲୁଡ଼ ମଠକୁ ଫେରିଆସିଲେ । ଢାକା ଯିବାପାଇଁ ସେ ଦେଓଭୋଗ ଓ ଆସାମର କାମାକ୍ଷା ପୀଠ ଓ ଚନ୍ଦ୍ରନାଥ ଦର୍ଶନ କରିବାକୁ ଗଲେ । ଶିଲଂଠାରେ ତାଙ୍କର ସ୍ଵାସ୍ଥ୍ୟ କ୍ରମଶଃ ଖରାପ ହେବାକୁ ଲାଗିଲା । ଦିନେ ରାତ୍ରିରେ ତାଙ୍କର ଶ୍ଵାସକଷ୍ଟ ବହୁଗୁଣ ବଢ଼ିଗଲା । ତାଙ୍କର ଶିଷ୍ୟମାନେ କ’ଣ କରିବେ ଭାବିପାରିଲେ ନାହିଁ । ସେମାନେ ପ୍ରତି ମୁହୂର୍ତ୍ତରେ ତାଙ୍କର ଦେହତ୍ୟାଗ କରିବାର ଆଶଙ୍କାରେ ବିବ୍ରତ ହୋଇଉଠିଲେ ।

 

ସେଠାରୁ ଅସୁସ୍ଥ ଦେହ ନେଇ ବେଲୁଡ଼ ମଠକୁ ସେ ପ୍ରତ୍ୟାବର୍ତ୍ତନ କଲେ । ଆଗରୁ ବହୁମୂତ୍ର ରୋଗ ଭୋଗ କରୁଥିଲେ, ଏବେ ଶୋଥରୋଗ ଦେଖାଗଲା । କବିରାଜି ଚିକିତ୍ସାରେ କିଛିଟା ଉପକାର ହେଲା କିନ୍ତୁ ଦେହ ପାଇଁ କବିରାଜଙ୍କ ନିୟମପାଳନ ତାଙ୍କ ପାଇଁ କଷ୍ଟକର ହେଲା-। ସେ ଅନେକ ଲୋକଙ୍କୁ ଭେଟୁଥିଲେ ଓ ସେମାନଙ୍କୁ ଶ୍ରଦ୍ଧାର ସହ ଉପଦେଶ ଦେଉଥିଲେ ।

 

ବେଲୁଡ଼ ମଠରେ ପ୍ରତିଷ୍ଠା ହିନ୍ଦୁ ସମାଜର ଦୃଷ୍ଟି ଏଡ଼ାଇ ପାରିଲା ନାହିଁ । ସନ୍ନ୍ୟାସୀମାନଙ୍କର ଉଦାରଭାବ, ଦେଶାଚାର ଓ ଲୋକାଚାର ପ୍ରତି ଉଦାସୀନତା ଇତ୍ୟାଦି ବିଷୟ ନେଇ ନାନା ଆଲୋଚନା ହେଲା । ମଠକୁ ଆସୁଥିବା ଭକ୍ତମାନେ ଏହି ସମାଲୋଚନା ବିଷୟ ସ୍ଵାମୀଜୀଙ୍କୁ କହୁଥିଲେ । ସ୍ଵାମୀଜୀ ଏହାକୁ ଉପେକ୍ଷା କରି କହୁଥିଲେ, “ଦେଶରେ କୌଣସି ନୂତନ ଭାବ ପ୍ରଚାରିତ ହେବାବେଳେ ତାହା ବିରୋଧରେ ପ୍ରାଚୀନପନ୍ଥୀମାନେ ବିରୋଧ କରିବେ, ଏହାହିଁ ପ୍ରକୃତିର ନିୟମ । ଜଗତର ଧର୍ମ ସଂସ୍ଥାପକମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟାୟ ଅତ୍ୟାଚାର ନହେଲେ ଜଗତର କଲ୍ୟାଣକର ଭାବଗୁଡ଼ିକ ସମାଜ ଭିତରେ ସହଜରେ ପ୍ରବେଶ କରିପାରେ ନାହିଁ ।”

 

ତେଣୁ ସ୍ଵାମୀଜୀ ଏଥିରେ ତିଳେମାତ୍ର ବିଚଳିତ ହେଲେନାହିଁ କିମ୍ବା ପ୍ରତିବାଦ କଲେନାହିଁ-। ସେ କେବଳ କହୁଥିଲେ, “ଫଳାଭିସନ୍ଧିହୀନ ହୋଇ କାମ କରିଯାଅ, ଦିନେ ଏହାର ଫଳ ନିଶ୍ଚୟ ମିଳିବ ।”

Image

 

ବେଲୁଡ଼ ମଠରେ ଦୁର୍ଗାପୂଜା

 

ସ୍ଵାମୀଜୀ ବେଲୁଡ଼ ମଠରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିବାକୁ ସ୍ଥିର କଲେ । ଏଥିନିମିତ୍ତ ଶ୍ରୀ ଶ୍ରୀ ମା ସାରଦାଦେବୀଙ୍କର ଅନୁମତି ମଧ୍ୟ ପ୍ରାପ୍ତହେଲା । ତାଙ୍କ ନାଁରେ ସଂକଳ୍ପ ହେବ ବୋଲି ସେ ସମ୍ମତି ଦେଲେ । କୁମାର ଟୁଲୀରୁ ମଠକୁ ଏକ ମୂର୍ତ୍ତି ଅଣାଗଲା । ପୂଜା ପୂର୍ବ ଦିନ ଶ୍ରୀମା ସାରଦାଦେବୀ ବାଗ୍‍ବଜାରରୁ ବେଲୁଡ଼ ମଠକୁ ଆସିଲେ । ଈଶ୍ଵରଚନ୍ଦ୍ର ଭଟ୍ଟାଚାର୍ଯ୍ୟ ତନ୍ତ୍ରଧାରକ ଓ ବ୍ରହ୍ମଚାରୀ କୃଷ୍ଣଲାଲ ମହାରାଜ ପୂଜକ ଆସନରେ ବସି ପୂଜା କଲେ । ଶ୍ରୀମା ସାରଦାଦେବୀଙ୍କ ମତ ଅନୁସାରେ ପଶୁବଳି ଦିଆ ନ ଯାଇ ଚିନିର ନୈବେଦ୍ୟ ଓ ମିଷ୍ଟାନ୍ନ ପ୍ରତିମାର ଦୁଇ ପାଖରେ ଶୋଭା ପାଉଥିଲା ।

 

ଏ ପ୍ରସଙ୍ଗରେ ସ୍ଵାମୀ ଶିଷ୍ୟ ସମ୍ବାଦରେ କୁହାଯାଇଛି, “ଗରିବ, ଦୁଃଖୀ, କାଙ୍ଗାଳୀମାନଙ୍କୁ ଦେହଧାରୀ ଈଶ୍ଵର ବୋଲି ବିଚାରି ସେମାନଙ୍କୁ ଭୁରି ଭୋଜନ ଦେଇ ସନ୍ତୁଷ୍ଟ କରିବା ଏହି ପୂଜାର ପ୍ରଧାନ ଅଙ୍ଗ ରୂପେ ପରିଗଣିତ ହୋଇଥିଲା । ଏହା ଛଡ଼ା ବେଲୁଡ଼, ବାଲି ଓ ଉତ୍ତରପଡ଼ାର ପରିଚିତ ଓ ଅପରିଚିତ ଅନେକ ବ୍ରାହ୍ମଣ ପଣ୍ଡିତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେମାନେ ମଧ୍ୟ ଆନନ୍ଦରେ ଯୋଗଦେଲେ । ସେହିଦିନଠାରୁ ମଠ ପ୍ରତି ସେମାନଙ୍କର ପୂର୍ବ ବିଦ୍ଵେଷ ଦୂରୀଭୂତ ହୋଇ ଧାରଣା ହେଲା ଯେ ମଠର ସନ୍ନ୍ୟାସୀମାନେ ଯଥାର୍ଥ ହିନ୍ଦୁ ସନ୍ନ୍ୟାସୀ ।”

 

ଦୁର୍ଗାପୂଜା ପରେ ସ୍ଵାମୀଜୀଙ୍କ ଇଚ୍ଛାନୁସାରେ ମଠରେ ପ୍ରତିମା ପ୍ରତିଷ୍ଠା ହୋଇ ଲକ୍ଷ୍ମୀପୂଜା ଓ ଶ୍ୟାମାପୂଜା ଶାସ୍ତ୍ରବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଶ୍ୟାମାପୂଜା ପରେ ନିଜ ମା’ଙ୍କ ଅନୁରୋଧ କ୍ରମେ ସେ କାଳୀଘାଟର ଆଦିଗଙ୍ଗାରେ ସ୍ନାନ କରି ଓ ଓଦାଲୁଗାରେ ମନ୍ଦିରରେ ପ୍ରବେଶ କରି ଶ୍ରୀ ଶ୍ରୀ କାଳୀମାତାଙ୍କ ପାଦପଦ୍ମରେ ତିନିଥର ଗଡ଼ିଲେ । ମନ୍ଦିରକୁ ସାତଥର ପ୍ରଦକ୍ଷିଣ କରି ସେ ନାଟ ମନ୍ଦିରର ପଶ୍ଚିମପାଖ ଚଉତରାରେ ବସି ହୋମ କଲେ । ହୋମବେଳେ ତାଙ୍କ ତେଜୋଦୀପ୍ତ ଶରୀର ଓ ଧ୍ୟାନସ୍ଥ ମୁଦ୍ରା ତାଙ୍କୁ ଦ୍ଵିତୀୟ ବ୍ରହ୍ମାସଦୃଶ ପ୍ରତୀୟମାନ ହେଉଥିଲା । ସେ ବିଲାତ ଫେରନ୍ତା ଜାଣିସୁଦ୍ଧା ମନ୍ଦିରର ପୂଜକମାନେ ତାଙ୍କୁ ପୂଜାର୍ଚ୍ଚନା କରିବାକୁ କୌଣସି ବାଧା ନ ଦେଇ ପରମ ଆଦର ସହକାରେ ମନ୍ଦିରକୁ ନେଇ ପୂଜା କରିବାରେ ସାହାଯ୍ୟ କରିଥିଲେ ।

 

ସ୍ଵାମୀଜୀ ଥିଲେ ଅଦ୍ଵୈତବାଦୀ ସନ୍ନ୍ୟାସୀ । କିନ୍ତୁ ଶାସ୍ତ୍ରମତରେ ମୂର୍ତ୍ତିପୂଜା ଓ ଦେବଦେବୀ ଆରାଧନା କରି ଏଥିରେ ଗଭୀର ସତ୍ୟ ନିହିତ ରହିଛି ବୋଲି କହିଥିଲେ । ସେ ଦୃଢ଼ତାର ସହ କହିଥିଲେ, “ମୁଁ ଶାସ୍ତ୍ରମର୍ଯ୍ୟାଦା ନଷ୍ଟ କରିବାକୁ ଆସିନାହିଁ – ପୂର୍ଣ୍ଣ କରିବାକୁ ଆସିଛି-।” ସ୍ଵାମୀଜୀଙ୍କ ଦେହ ପୁନର୍ବାର ଖରାପ ଆଡ଼କୁ ଗତିକଲା । ମଠର ସନ୍ନ୍ୟାସୀମାନେ ସ୍ଵାମୀଜୀ ଯେପରି କୌଣସି ଦୈହିକ ବା ମାନସିକ କାର୍ଯ୍ୟ ନ କରନ୍ତି ସେଥିପ୍ରତି ସାବଧାନ ରହିଲେ-। କଲିକତାର ପ୍ରସିଦ୍ଧ ଡାକ୍ତର ସ୍ୟାଣ୍ଡର୍ସ ତାଙ୍କର ଚିକିତ୍ସା ଦାୟିତ୍ଵ ନେଲେ । ତଥାପି ମଝିରେ ମଝିରେ ମଠ ପରିସର ମଧ୍ୟରେ ସେ କ୍ଷୁଦ୍ର କ୍ଷୁଦ୍ର କାର୍ଯ୍ୟ ସ୍ଵହସ୍ତରେ ସମ୍ପାଦନ କରୁଥିଲେ । ନୂତନ ଭାବରେ ଏଇ ଭାରତକୁ ଗଢ଼ିବାକୁ କେତେକ ଚରିତ୍ରବାନ, ବୁଦ୍ଧିମାନ, ସର୍ବତ୍ୟାଗୀ, ଅନୁଭକ୍ତ ଯୁବକ ଆବଶ୍ୟକ ବୋଲି ସଦାସର୍ବଦା ତାଙ୍କର ଭାବନା ଥିଲା ।

 

ଜାତୀୟ କଂଗ୍ରେସର ଅଧିବେଶନ କଲିକତାଠାରେ ଡିସେମ୍ବର ଶେଷଭାଗରେ ଅନୁଷ୍ଠିତ ହେଲା । ବହୁ ବିଶିଷ୍ଟ କଂଗ୍ରେସ ନେତୃବର୍ଗ ସ୍ଵାମୀଜୀଙ୍କୁ ସାକ୍ଷାତ୍‍ କରିବାକୁ ବେଲୁଡ଼ ମଠ ଯାଇଥିଲେ-। ଦେଶର ବର୍ତ୍ତମାନର ଦୂରାବସ୍ଥା, ଅଭାବ ଓ ତାର ପ୍ରତିକାରର ଉପାୟ ସମ୍ବନ୍ଧରେ ସ୍ଵାମୀଜୀଙ୍କର ସିନ୍ଧାନ୍ତଗୁଡ଼ିକ ଅନେକଙ୍କର ହୃଦୟସ୍ପର୍ଶୀ ହୋଇଥିଲା । ସେତେବେଳେ ସ୍ଵାମୀଜୀ ଗୋଟିଏ ବେଦ ବିଦ୍ୟାଳୟ ସ୍ଥାପନା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ଏବଂ ଏଥିପାଇଁ ଉଦ୍‌ବୋଧନ ପ୍ରେସ୍‌ଟିକୁ ବିକ୍ରୟ କରି କିଛି ଟଙ୍କା ବିଦ୍ୟାଳୟ ସ୍ଥାପନ ଉଦ୍ଦେଶ୍ୟରେ ଜମା ରହିଥିଲା । ସ୍ଵାମୀଜୀଙ୍କର ଏହି ସଂକଳ୍ପ କାର୍ଯ୍ୟରେ ପରିଣତ ନ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସଂସ୍କୃତ ଶିକ୍ଷା ଦେବାପାଇଁ ବେଲୁଡ଼ ମଠରେ ବ୍ୟବସ୍ଥା କରାହୋଇଥିଲା ।

 

ଜାପାନରେ ଧର୍ମ ମହାସଭା କରିବା ଉଦ୍ଦେଶ୍ୟରେ ଦୁଇଜଣ ଜାପାନ ପଣ୍ଡିତ ସ୍ଵାମୀଜୀଙ୍କୁ ଅନୁରୋଧ କରିବାକୁ ଆସିଥିଲେ । ସ୍ୱାମୀଜୀଙ୍କଠାରୁ ବୁଦ୍ଧ ଓ ବୌଦ୍ଧଧର୍ମ ସମ୍ବନ୍ଧରେ ଶୁଣି ସେମାନେ ତାଙ୍କୁ ବୌଦ୍ଧ ଶ୍ରମଣ ବା ହିନ୍ଦୁ ସନ୍ନ୍ୟାସୀ କହିବେ, ତାହା ବୁଝିପାରି ନଥିଲେ । ସ୍ଵାମୀଜୀ ଡାକ୍ତର ଓକାକୁରାଙ୍କ ସହିତ ବୁଦ୍ଧଗୟା ଯାଇ ପୁନର୍ବାର ବୋଧିଦ୍ରୁମ ତଳେ ଧ୍ୟାନସ୍ଥ ହୋଇଥିଲେ । ସେଠାରୁ ବାରାଣସୀ ଉଦ୍ଦେଶ୍ୟରେ ଯାତ୍ରା କଲେ । କାଶୀରେ କେତେଜଣ ଉତ୍ସାହୀ ଯୁବକ ରୋଗୀମାନଙ୍କର ସେବାକାର୍ଯ୍ୟରେ ଆତ୍ମନିୟୋଗ କରିଥିବାର ଦେଖି ସ୍ଵାମୀଜୀ ଅତ୍ୟନ୍ତ ପ୍ରୀତ ହେଲେ ଏବଂ ସେମାନଙ୍କୁ ଆଶୀର୍ବାଦ କରି କହିଲେ, “ବତ୍ସଗଣ, ତୁମୋନେ ପ୍ରକୃତ ପନ୍ଥା ବୁଝିଛ । ମୋ ସ୍ନେହ ଆଶୀର୍ବାଦ ସର୍ବଦା ତୁମ୍ଭମାନଙ୍କର ମଙ୍ଗଳ କରୁ । ସାହସ ସହିତ ଅଗ୍ରସର ହୁଅ-। ତୁମେ ଗରିବ ବୋଲି ହତାଶ ହୁଅନାହିଁ । ଟଙ୍କା ମିଳିବ । ତୁମର ଏହି କ୍ଷୁଦ୍ର ଅନୁଷ୍ଠାନର ଭିତ୍ତି ଉପରେ ଭବିଷ୍ୟତରେ ଯାହା ହେବ, ତାହା ତୁମ ବର୍ତ୍ତମାନର କଳ୍ପନାଠାରୁ ଢେର ବେଶୀ ।” ସ୍ଵାମୀଜୀ ସର୍ବସାଧାରଣଙ୍କ ସାହାଯ୍ୟ ପାଇଁ ଗୋଟିଏ ଆବେଦନ ପତ୍ର ନିଜେ ଲେଖିଥିଲେ । ଏହି ସେବା ପ୍ରତିଷ୍ଠାନଟି କ୍ରମବର୍ଦ୍ଧିତ ହୋଇ ବର୍ତ୍ତମାନ କାଶୀ ସେବାଶ୍ରମର ରୂପ ନେଇଛି । କାଶୀରୁ ଫେରିବା ପରେ ସ୍ଵାମୀଜୀ ଆଉ କେଉଁଠି ବାହାରକୁ ଯାଇନାହାନ୍ତି । ଏ ସମୟରେ ସେଠାକୁ ବହୁ ବ୍ୟକ୍ତିବିଶେଷ ଆସି ତାଙ୍କର ସଙ୍ଗଲାଭ କରି ନିଜକୁ ଧନ୍ୟ କରିଛନ୍ତି । ମଠରେ ସ୍ଵାମୀଜୀ କେତେଗୁଡ଼ିଏ ପଶୁପକ୍ଷୀ ପୋଷିଥିଲେ । ତାଙ୍କ ପାଳିତ ଛେଳିର ନାମ ମଟୁରୁ ଓ କୁକୁର ନାମ ବାଘା-। କେତେଗୋଟି ରାଜହଂସ, ଗୋଟିଏ କୋଇଲି ମଧ୍ୟ ରହିଥିଲା । ଅବସର ସମୟରେ ସେମାନଙ୍କ ସହିତ ସମୟ କଟାଇ ସ୍ଵାମୀଜୀ ଆନନ୍ଦ ପାଉଥିଲେ ।

 

ଦିନେ ଦିନେ ମଠ ବଗିଚାରେ ବୁଲୁଥିଲାବେଳେ କାମ କରୁଥିବା ସାନ୍ତାଳ କୁଲିମାନଙ୍କ ସହିତ ଭଲମନ୍ଦ କଥା ହୋଇ, ସେମାନଙ୍କ ପରିବାର ସମ୍ପର୍କରେ ବୁଝି ସ୍ଵାମୀଜୀ ସମୟ କଟାଉଥିଲେ । ସେମାନଙ୍କ ଦୁଃଖପୂର୍ଣ୍ଣ ଜୀବନର କରୁଣ ଗାଥା ଅନୁଭବ କରୁଥିଲେ । ଆଖିରେ ଲୁହ ଆସିଯାଉଥିଲା । ତାଙ୍କ ଭିତରେ ଥିବା କେଷ୍ଟା କହେ, “ସ୍ଵାମୀ ! ଆପଣ ଏଠୁ ଯା’ନ୍ତୁ । ଆମେ ଆମ ଦୁଃଖ ତୁମ ଆଗରେ କହିବୁ ନାହିଁ । ତୁମେ ଆମ କଥା ଶୁଣି କାନ୍ଦୁଛ ।” ଦିନେ ଭଲ ଖାଇବା ଜିନିଷ ପ୍ରସ୍ତୁତ କରାଇ ନିଜେ ଉପସ୍ଥିତ ରହି ତାଙ୍କୁ ଖୁଆଇଥିଲେ । ଗଭୀର ପରିତୃପ୍ତିରେ ଜଣେ ସାନ୍ତାଳ କହିଲା, “ହାଁରେ ସ୍ଵାମୀବାବା । ତୁ ଏପରି ଜିନିଷ ସବୁ କେଉଁଠୁ ପାଇଲୁ ? ଆମେ ଏପରି କେବେ ଖାଇନୁ ।” ସେମାନଙ୍କ ମୁହଁରେ ତୃପ୍ତି ଲକ୍ଷ୍ୟକରି ସ୍ଵାମିଜୀ କହିଲେ, “ତୁମେମାନେ ଯେ ନାରାୟଣ, ଆଜି ମୋର ନାରାୟଣଙ୍କୁ ଭୋଗ ଦିଆଗଲା ।” ପରେ ଶିଷ୍ୟଙ୍କୁ କହିଥିଲେ, “ମୁଁ ପ୍ରକୃତରେ ସେମାନଙ୍କ ଭିତରେ ନାରାୟଣଙ୍କୁ ଦେଖୁଥିଲି । କେଡ଼େ ସରଳ ସେମାନେ !” ପରେ ମଠର ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନଙ୍କୁ ଏ ଘଟଣାକୁ ମନେପକାଇ କହିଥିଲେ, “କେଡ଼େ ସରଳ ପ୍ରକୃତିର ଏହି ନିରକ୍ଷର ମଣିଷମାନେ । ତୁମେ ତାଙ୍କ ଦୁଃଖ କିଛି ଲାଘବ କରିପାରିବ କି ? ଯଦି ନପାରିବ, ତେବେ ତୁମେ ଗେରୁଆ ପିନ୍ଧିବାର ମୁଲ୍ୟ କ’ଣ ? ଅନ୍ୟ ପାଇଁ ସର୍ବତ୍ୟାଗ କରିବା ହିଁ ସନ୍ନ୍ୟାସ । ଏମାନେ କେବେ ଭଲ ଜିନିଷ ଦେଖିନାହାନ୍ତି । ଇଚ୍ଛା ହୁଏ, ମଠଫଠ ସବୁ ବିକ୍ରି କରିଦେବି । ଏହିସବୁ ଗରିବ, ଦୁଃଖୀ, ଦରିଦ୍ରନାରାୟଣଙ୍କୁ ବାଣ୍ଟିଦେବି । ଆମେ ତ ଗଛତଳକୁ ଆଶ୍ରା କରିଛେ । ଆହା, ଦେଶଲୋକେ ଖାଇବା ପିନ୍ଧିବାକୁ ପାଉନାହାନ୍ତି – ଆମେ କେଉଁ ହୃଦୟରେ ମୁହଁରେ ଅନ୍ନ ଦେଉଛେ ? x x x “ମୁଁ ଦିବ୍ୟଚକ୍ଷୁରେ ଦେଖୁଛି, ଏମାନଙ୍କ ଭିତରେ ଓ ଆମ ଭିତରେ ଏକ ବ୍ରହ୍ମ ଅଛି, ଏକା ଶକ୍ତି ରହିଛି । କେବଳ ବିକାଶରେ ଯାହା ତଫାତ୍‌। ସର୍ବାଙ୍ଗରେ ରକ୍ତସଞ୍ଚାର ନ ହେଲେ କୌଣସି ଦେଶ କୌଣସି ସମୟରେ କେଉଁଠି ଉଠିଛି ଦେଖିଛ ? ଗୋଟିଏ ଅଙ୍ଗ ପଡ଼ିଗଲେ, ଅନ୍ୟ ଅଙ୍ଗ ସବଳ ଥିଲେ ମଧ୍ୟ ଏହି ଦେହ କୌଣସି ବଡ଼କାମ କରିପାରିବ ନାହିଁ, ଏହା ନିଶ୍ଚିତ ବୋଲି ଜାଣିବ ।”

 

କାଶୀରୁ ଫେରି ବେଲୁଡ଼ ମଠରେ ଶ୍ରୀ ଶ୍ରୀ ରାମକୃଷ୍ଣଙ୍କର ଜନ୍ମୋତ୍ସବ ଖୁବ୍‌ ଧୁମ୍‌ଧାମ୍‌ରେ ପାଳିତ ହେଲା । ସେ ଅସୁସ୍ଥତା କାରଣରୁ ତଳକୁ ଆସି ଲୋକମାନଙ୍କ ସହିତ ମିଶିପାରିଲେ ନାହିଁ । ଝରକାର ରେଲିଂ ନିକଟରେ ଚାହିଁ ରହିଥିଲେ ସେହି ବିଶାଳ ଜନତାକୁ । ଧାରାବାହିକ ଭାବେ ଔଷଧ ଏବଂ ନିୟମ କାନୁନ୍‍ରେ ବାନ୍ଧିହେବା ଅସମ୍ଭବ ଥିଲା । ବହୁଲୋକ ତାଙ୍କୁ ସାକ୍ଷାତ୍‍ କରିନପାରି ଫେରିଯିବାକୁ ବାଧ୍ୟ ହେଉଥିଲେ । ଦିନେ ସେ ଗୁରୁଭାଇମାନଙ୍କୁ କହିଲେ, “ଦେଖ ! ଏହି ଦେହ ରଖି କ’ଣ ହେବ ? ପରକଲ୍ୟାଣ ପାଇଁ ପତନ ହୋଇଯାଉ । ଠାକୁର ଅସହ୍ୟ ରୋଗ ଯନ୍ତ୍ରଣା ଭୋଗକରି ମଧ୍ୟ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ପରର ମଙ୍ଗଳ ବିଷୟରେ ଉପଦେଶ ଦେଉଥିଲେ, ମୋର କ’ଣ ତାହା କରିବା ଉଚିତ୍‌ ନୁହେଁ ? ଆମ ଦେଶର ଭାଇମାନଙ୍କ ଆତ୍ମାର ଅନ୍ତର୍ନିହିତ ଶକ୍ତି ଜାଗ୍ରତ କରିବାରେ ସାହାଯ୍ୟ କରିବା ନିମିତ୍ତ ମୁଁ ବାରମ୍ବାର ଜନ୍ମଗ୍ରହଣ କରିବାକୁ ପଶ୍ଚାତ୍‍ପଦ୍ ନୁହେଁ ।”

 

ସେ ମଠର ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନଙ୍କର ଆଧ୍ୟାତ୍ମିକ ବିକାଶ ପ୍ରତି ଦୃଷ୍ଟିଦେଇ ଉପନିଷଦ, ବ୍ରହ୍ମସୂତ୍ର, ବେଦାନ୍ତଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା ଇତ୍ୟାଦି କରାଉଥିଲେ । ନିଜେ ଆଲୋଚନାରେ ଅଂଶଗ୍ରହଣ କରୁଥିଲେ । ସେମାନଙ୍କ ସହିତ ଧ୍ୟାନରେ ବସୁଥିଲେ । ସେ ଯେପରି ଦୟାଳୁ, ଉଦାର ଓ ସ୍ନେହପରାୟଣ ଥିଲେ, ସେହିପରି କଠୋର ମଧ୍ୟ । ଯେ କେହି ପ୍ରିୟତମ ବ୍ୟକ୍ତିଙ୍କର ଦୋଷତ୍ରୁଟିକୁ ସେ କ୍ଷମା କରୁ ନଥିଲେ । ସେ ବହିର୍ଜଗତର ଯଶ, ସମ୍ମାନ ଓ ପ୍ରତିପତ୍ତି ଇତ୍ୟାଦି ବିଷୟ ସମ୍ପୂର୍ଣ୍ଣ ଭୁଲିଯାଇ ତାଙ୍କର ସମସ୍ତ ଶକ୍ତି ‘ମଣିଷ ଗଠନ’ ଲାଗି ନିୟୋଜିତ କରିଥିଲେ । ସେ ମଠ ଓ ରାମକୃଷ୍ଣ ମିଶନ କାର୍ଯ୍ୟରେ ଉଦାସୀନ ରହି ଶିଷ୍ୟମାନେ ନିଜେ ସିଦ୍ଧାନ୍ତ ଗ୍ରହଣ କରନ୍ତୁ – ଏହା ଚାହୁଁଥିଲେ । ସେ ପ୍ରାୟତଃ ଧ୍ୟାନମଗ୍ନ ରହୁଥିଲେ । କୌଣସି କାର୍ଯ୍ୟ ସହିତ ସେ ସଂଶ୍ଳିଷ୍ଟ ନହେବା ହେତୁ ଗୁରୁଭାଇମାନଙ୍କର ଚିନ୍ତା ବଢ଼ିଯାଇଥିଲା । ଶ୍ରୀ ରାମକୃଷ୍ଣ କହିଥିଲେ, “ଇଏ ଯେଉଁଦିନ ନିଜକୁ ଚିହ୍ନିପାରିବ, ସେଦିନ ଆଉ ବଞ୍ଚିରହିବ ନାହିଁ ।” ଦେହତ୍ୟାଗର ସପ୍ତାହକ ପୂର୍ବରୁ ସ୍ଵାମୀଜୀ ସ୍ଵାମୀ ଶୁଦ୍ଧାନନ୍ଦଙ୍କୁ ପଞ୍ଜିକା ଆଣିବାକୁ କହିଲେ । ପାଞ୍ଜି ଦେଖିସାରି ଘର ଭିତରେ ରଖିଦେଲେ । ମଝିରେ ମଝିରେ ପାଞ୍ଜି ଦେଖୁଥିଲେ । ଶ୍ରୀ ରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ଜଣେ ଶିଷ୍ୟକୁ ପଞ୍ଜିକା ପଢ଼ିବାକୁ କହିଥିଲେ ଓ କିଛିଦିନ ପରେ ସେହି ପଢ଼ିବା ବନ୍ଦ କରି ଦେଇଥିଲେ । ସ୍ଵାମୀଜୀ ଶ୍ରୀ ଗୁରୁଙ୍କ ପଦାଙ୍କ ଅନୁସରଣ କରି ନିଜ ମହାଯାତ୍ରାର ଦିନ ସ୍ଥିର କରି ନେବାବେଳେ, କେହି ଗୁରୁଭାଇ ଏକଥା ବୁଝିପାରି ନଥିଲେ ।

 

ଦେହତ୍ୟାଗର ତିନିଦିନ ପୂର୍ବରୁ ମଠର ବିସ୍ତୃତ ପ୍ରାଙ୍ଗଣରେ ବୁଲିବାବେଳେ ସହସା ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଥିଲେ, “ମୋର ମୃତ୍ୟୁ ହେଲେ ଏଇଠି ମୋତେ ପୋତିବ-।” ସେହି ସପ୍ତାହର ବୁଧବାର ଏକାଦଶୀ ଦିନ ସେ ନିଷ୍ଠାର ସହ ଏକାଦଶୀ ବ୍ରତ ପାଳନ କଲେ । ଭୋଜନ ସମୟରେ କିଛି ନିର୍ଦ୍ଧିଷ୍ଟ ଶିଷ୍ୟମାନଙ୍କୁ ଖାଦ୍ୟ ପରିବେଷଣ କରିବାକୁ କହିଲେ । ପଣସ ମଞ୍ଜି ସିଝା, ଆଳୁସିଝା, ସାଧାଭାତ ଏବଂ ଥଣ୍ତା ଦୁଧର ଖାଦ୍ୟ ଖାଇବାବେଳେ ସେମାନଙ୍କ ସହିତ ହସି ହସି କଥା ହେଲେ । ଖାଇ ସାରିବା ପରେ, ସେ ସେମାନଙ୍କ ହାତକୁ ପାଣି ଢାଳିଲେ ଏବଂ ତଉଲିଆରେ ନିଜେ ପୋଛିଦେଲେ । ଯେତେବେଳେ ଶିଷ୍ୟ ଏପରି କାର୍ଯ୍ୟରୁ ନିବୃତ୍ତ ରହିବାକୁ ତାଙ୍କୁ ନମ୍ରତାର ସହ କହିଲେ, ସେଥିର ଉତ୍ତରରେ ସେ ଦୃଢ଼ ଅଥଚ ଧୀର ଭାବରେ କହିଥିଲେ, “କାହିଁକି, ଯିଶୁ କ’ଣ ତାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଦେଇନାହାନ୍ତି ?’’ ଏକଥା ଶୁଣି ଶିଷ୍ୟ ଚମକି ପଡ଼ିଲେ, କାରଣ ସେ ଜାଣିଥିଲେ ଯୀଶୁ ତାଙ୍କ ଜୀବନର ଶେଷଦିନ ଏହା କରିଥିଲେ-। ସେ ସ୍ଵାମୀଜୀଙ୍କ ମୁହଁକୁ ଚକିତ ହୋଇ ଚାହିଁ ରହିଲେ କିନ୍ତୁ କିଛି କହିପାରିଲେ ନାହିଁ ।

Image

 

ମହାସମାଧି

 

୧୯୦୨ ଖ୍ରୀଷ୍ଟାଦ୍ଦ ଜୁଲାଇ ୪ ତାରିଖ । ଚା’ପାନ ପରେ ସେ ଠାକୁର ଘରେ ପ୍ରବେଶ କଲେ । ଘରର ସମସ୍ତ କବାଟ ଓ ଝରକା ବନ୍ଦ କରି ସ୍ଵାମୀଜୀ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଧ୍ୟାନରେ ମଗ୍ନ ହେଲେ । ଧ୍ୟାନ ଶେଷ କରି ତାଙ୍କର ପ୍ରିୟ ସଙ୍ଗୀତ “ମନ ଚାଲ ନିଜ ନିକତନେ” ଗାଇ ଗାଇ ତଳକୁ ଓହ୍ଲାଇଲେ । ମଠ ପ୍ରାଙ୍ଗଣରେ ବୁଲିବାବେଳେ ସ୍ଵଗତୋକ୍ତି କରୁଥିଲେ, “ଆଉ ଗୋଟିଏ ବିବେକାନନ୍ଦ ଥିଲେ ବୁଝିପାରନ୍ତା, ଏହି ବିବେକାନନ୍ଦ କ’ଣ କରିଗଲା ।” ନିକଟରେ ଥିବା ସ୍ଵାମୀ ପ୍ରେମାନନ୍ଦ ଏକଥା ଶୁଣିପାରିଥିଲେ । ସ୍ଵାମୀଜୀ ସେଦିନ ଅଧିକ ସୁସ୍ଥ ଥିବା ଦେଖି, ସ୍ଵାମୀ ପ୍ରେମାନନ୍ଦ ତାଙ୍କର ଏ ପ୍ରକାର ସ୍ଵଗତୋକ୍ତିର ଅର୍ଥ ବୁଝିପାରିନଥିଲେ ।

 

ନିୟମିତ ସମୟରେ ମଧ୍ୟାନ୍ନ ଭୋଜନର ଘଣ୍ଟା ଦିଆଗଲା । ସ୍ଵାମୀଜୀ ଭୋଜନ କକ୍ଷକୁ ଆସି ସନ୍ନ୍ୟାସୀ ଓ ବ୍ରହ୍ମଚାରୀଙ୍କ ମେଳରେ ଭୋଜନ କଲେ । ସାଧାରଣତଃ ଦେହ ଖରାପ ହେବା ଦିନଠାରୁ ସେ କେବେ ଭୋଜନରେ ବସିବାକୁ ଭୋଜନକକ୍ଷକୁ ଆସୁ ନଥିଲେ । ସେ ଅତ୍ୟନ୍ତ ଆଗ୍ରହର ସହିତ ଭୋଜନ କରୁଥିବାର ଦେଖି ସମସ୍ତେ ଆନନ୍ଦିତ ହେଲେ । ସ୍ଵାମୀ ଶ୍ରଦ୍ଧାନନ୍ଦଙ୍କୁ ଲାଇବ୍ରେରୀରୁ ଶୁକ୍ଳ ଯଜୁର୍ବେଦ ଆଣିବାକୁ ଅନୁରୋଧ କଲେ ଏବଂ ତାହାର ଗୋଟିଏ ଶ୍ଳୋକର ଅର୍ଥ ଶୁଣି ସେହି ଭାବାର୍ଥ ତାଙ୍କର ମନଃପୁତ ହେଲା ନାହିଁ । ତେଣୁ ସେ ଶିଷ୍ୟମାନଙ୍କୁ “ଏହାର ପ୍ରକୃତ ଭାବାର୍ଥ କରି ଶାସ୍ତ୍ର ଉପରେ ମୌଳିକ ଚିନ୍ତା ପ୍ରସ୍ତୁତ କରିବାକୁ” କହିଲେ ।

 

କିଛି ସମୟ ବିଶ୍ରାମ ପରେ ସେ ବ୍ରହ୍ମଚାରୀମାନଙ୍କୁ ଡାକି ସଂସ୍କୃତ ବ୍ୟାକରଣ ଅଧ୍ୟାପନା କରିବାକୁ ସେମାନଙ୍କ ସହିତ ବସିଲେ । ପ୍ରାୟ ତିନିଘଣ୍ଟା ଧରି ଆଲୋଚନା ଚାଲିଲା । ସେ ଶ୍ରେଣୀର ଅଧ୍ୟାପନାକୁ ଆମୋଦଦାୟକ କରି ରଖିବା ପାଇଁ ମଝିରେ ମଝିରେ ହସକୌତୁକ କରୁଥିଲେ ଓ ଗପ କହୁଥିଲେ । ସେଠାରୁ ସେ ସ୍ଵାମୀ ପ୍ରେମାନନ୍ଦଙ୍କ ସହିତ ମଠର ପ୍ରଶସ୍ତ ପ୍ରାଙ୍ଗଣରେ ବୁଲିବାକୁ ଲାଗିଲେ । ଉଭୟ ଚାଲିବାବେଳେ ସ୍ଵାମୀ ପ୍ରେମାନନ୍ଦଙ୍କୁ ମଠରେ ସଂସ୍କୃତ କଲେଜ ସ୍ଥାପନ କରିବା ଉପରେ ଗୁରୁତ୍ଵ ଦେଇଥିଲେ, କାରଣ ଏହା କୌଣସି ଉଦ୍ଦେଶ୍ୟ ସାଧନ ନକଲେ ମଧ୍ୟ ବେଦାଧ୍ୟୟନ ‘କୁସଂସ୍କାରର ମୃତ୍ୟୁ ଘଣ୍ଟା ବଜାଇବ’ ବୋଲି ମତଦେଲେ ।

 

ସଂଧ୍ୟାର ଆଗମନ ହେଲା । ମନ୍ଦିରରେ ସଂଧ୍ୟା ଆରତି ନିମନ୍ତେ ଘଣ୍ଟା ବାଜିଲା । ସେ ବିଶ୍ରାମ କରିବା ପାଇଁ ନିଜ କୋଠରିକୁ ଯାଇ ସେଠାରେ ଧ୍ୟାନସ୍ଥ ହେଲେ । ସେ ନ ଡାକିବା ପର୍ଯ୍ୟନ୍ତ କେହି ଆସିବାକୁ ମନାକଲେ । ପ୍ରାୟ ରାତି ୮ଟା ବେଳେ ସେବକ ସନ୍ନ୍ୟାସୀଙ୍କୁ ଡାକି ତାଙ୍କ ମୁଣ୍ଡକୁ ବିଞ୍ଚିବାକୁ କହିଲେ । ସେ ଧୀରସ୍ଥିର ଭାବରେ ବିଛଣା ଉପରେ ଶୋଇ ରହିଥିଲେ । ସେବକ ସନ୍ନ୍ୟାସୀ ଭାବିଲେ ବୋଧହୁଏ ସ୍ଵାମୀଜୀ ନିଦରେ ଶୋଇପଡ଼ିଲେଣି କମ୍ବା ଧ୍ୟାନସ୍ଥ ହୋଇଛନ୍ତି । ପ୍ରାୟ ଘଣ୍ଟାକ ପରେ, ତାଙ୍କ ହାତ ଥରିବାକୁ ଲାଗିଲା ଓ ସେ ଗଭୀର ଭାବେ ନିଶ୍ଵାସ ନେଲେ । ପୁନର୍ବାର ଏକ ଦୀର୍ଘଶ୍ଵାସ ନେବାବେଳେ ତାଙ୍କର ଚକ୍ଷୁଦ୍ଵୟ ଭ୍ରୂଲତା ମଧ୍ୟରେ କେନ୍ଦ୍ରୀଭୂତ ହେଲା । ମୁଖମଣ୍ଡଳରେ ଏକ ଦିବ୍ୟଜ୍ୟୋତି ଉଦ୍ଭାସିତ ହେଲା । ସବୁ ଶେଷ । ନୀରବରେ ଅନନ୍ତ ନିଦ୍ରାରେ ମହାନ ଯୋଗୀ ଶୋଇଗଲେ ।

 

ସ୍ଵାମୀଜୀଙ୍କର ଏପରି ଅବସ୍ଥା ଦେଖି ସେବକ ସନ୍ନ୍ୟାସୀ ଅନ୍ୟାନ୍ୟ ସନ୍ନ୍ୟାସୀମାନଙ୍କୁ ଏ ଖବର ଦେଲେ । ସେମାନେ ଆସି ପରୀକ୍ଷା କରି ଦେଖିଲେ, ତାଙ୍କର ପ୍ରିୟ ଗୁରୁଦେବ, ଆଚାର୍ଯ୍ୟ, ବିଜୟୀବୀର ଅନନ୍ତ ନିଦ୍ରାରେ ଶାୟିତ ।

 

ସ୍ଵାମୀ ବ୍ରହ୍ମାନନ୍ଦ ସେତେବେଳେ କଲିକତାରେ ଥିଲେ । ଖବର ପାଇବାମାତ୍ରେ ସେ ଓ ସ୍ଵାମୀ ସାରଦାନନ୍ଦ ରାତି ସାଢ଼େ ଦଶଟା ସମୟରେ ମଠରେ ଆସି ପହଞ୍ଚିଲେ । ଭଗିନୀ ନିବେଦିତା ଏହି ଦାରୁଣ ସମ୍ବାଦ ପାଇ ପରଦିନ ସକାଳେ ମଠରେ ପହଞ୍ଚିଥିଲେ । ସେ ସ୍ଵପ୍ନ ଦେଖିଥିଲେ, “ଶ୍ରୀ ରାମକୃଷ୍ଣ ଦେବ ଦ୍ଵିତୀୟଥର ଦେହତ୍ୟାଗ କଲେ ।” ତା’ ପରଦିନ ଦୁଇଟାବେଳେ ଶେଷକୃତ୍ୟ ଆରମ୍ଭ ହେଲା । ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାତୀରରେ ବୁଲିବା ସମୟରେ ସ୍ଵାମୀ ପ୍ରେମାନନ୍ଦଙ୍କୁ ଯେଉଁ ସ୍ଥାନ ଦେଖାଇ କହିଥିଲେ, “ମୋର ଶରୀରକୁ ଏହି ସ୍ଥାନରେ ଦାହ କରିବ,” ସେହି ନିର୍ଦ୍ଧିଷ୍ଟ ସ୍ଥାନରେ ତାଙ୍କର ଶେଷାକୃତ୍ୟ ସମ୍ପନ୍ନ ହେଲା । ବର୍ତ୍ତମାନ ସେଠାରେ ସ୍ଵାମୀଜୀଙ୍କର ମନ୍ଦିର ବିଦ୍ୟମାନ । ବହୁପୂର୍ବରୁ ସେ ନିଜେ ଭବିଷ୍ୟବାଣୀ କରି କହିଥିଲେ ଯେ ସେ ୪୦ ବର୍ଷରେ ପଦାର୍ପଣ କରିବେ ନାହିଁ । ସେ ୩୯ ବର୍ଷ ୫ ମାସ ୨୪ ଦିନରେ ଦେହତ୍ୟାଗ କଲେ ।

Image

 

ଉପସଂହାର

 

ଭାରତର ଆଧ୍ୟାତ୍ମିକତା, ପବିତ୍ରତା, ପ୍ରଜ୍ଞା, ଶକ୍ତି, ସ୍ଵପ୍ନ ଓ ଭବିଷ୍ୟତର ପ୍ରତୀକ ପୁରୁଷ, ଭାରତବର୍ଷର ଘନୀଭୂତ ରୂପର ସେହି ସ୍ଵର ଏବେ ବି ଗୁଞ୍ଜରିତ ହୋଇଉଠୁଛି ପ୍ରତ୍ୟେକ ଭାରତୀୟଙ୍କ କର୍ଣ୍ଣଗହ୍ଵରରେ, “ହେ ଭାରତ, ଏହି ପରାନୁବାଦ, ପରାନୁକରଣ, ପରମୁଖାପେକ୍ଷିତା, ଏହି ଦାସସୁଲଭ ଦୁର୍ବଳତା, ଏହି ଘୃଣିତ ଜଘନ୍ୟ ନିଷ୍ଠୁରତା – ଏତିକିମାତ୍ର ସମ୍ବଳରେ ତୁମେ କ’ଣ ଉଚ୍ଚାଧିକାର ଲାଭ କରିବ ? ହେ ଭାରତ, ଭୁଲ ନାହିଁ – ତୁମର ନାରୀଜାତିର ଆଦର୍ଶ – ସୀତା, ସାବିତ୍ରୀ, ଦମୟନ୍ତୀ; ଭୁଲନାହିଁ – ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର; ଭୁଲ ନାହିଁ –ତୁମର ବିବାହ, ତୁମର ଧନ, ତୁମର ଜୀବନ, ଇନ୍ଦ୍ରିୟ ସୁଖ – ନିଜର ବ୍ୟକ୍ତିଗତ ସୁଖ ପାଇଁ ନୁହେଁ; ଭୁଲ ନାହିଁ – ତୁମେ ଜନ୍ମରୁ ମା’ଙ୍କ ପାଇଁ ବଳିପ୍ରଦତ୍ତ; ଭୁଲନାହିଁ ତୁମର ସମାଜ ସେହି ବିରାଟ ମହାମାୟାଙ୍କର ଛାୟା ମାତ୍ର; ଭୁଲନାହିଁ – ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି, ମେହେନ୍ତର ତୁମର ରକ୍ତ, ତୁମର ଭାଇ । ହେ ବୀର ! ସାହସ ଅବଲମ୍ବନ କର, ସଦର୍ପ କୁହ – ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ ! କୁହ – ମୂର୍ଖ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ ଭାରତବାସୀ, ଚଣ୍ଡାଳ ଭାରତବାସୀ ମୋ ଭାଇ; ତୁମେ ମଧ୍ୟ କଟୀମାତ୍ର ବସ୍ତ୍ରାବୃତ ହୋଇ ସଦର୍ପ ଡାକି କୁହ – ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭରତର ଦେବଦେବୀ ମୋର ଈଶ୍ଵର – ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ । କୁହ ଭାଇ ! ଭାରତର ମୃତ୍ତିକା ମୋର ସ୍ଵର୍ଗ, ଭାରତର କଲ୍ୟାଣ ମୋର କଲ୍ୟାଣ, ଆଉ ଦିନରାତି କୁହ, “ହେ ଗୌରୀନାଥ, ହେ ଜଗଦମ୍ଵେ, ମୋତେ ମନୁଷ୍ୟତ୍ଵ ଦିଅ; ମା, ମୋର ଦୁର୍ବଳତା, କାପୁରୁଷତା ଦୂରକର । ମୋତେ ମନୁଷ୍ୟ କର ।”

 

ଯୁବଚେତନାର ପ୍ରତୀକ, ମହାନ୍‌ ଦେଶପ୍ରେମୀ ସନ୍ନ୍ୟାସୀ ବୀରଙ୍କର ସେହି ମହନୀୟ ପ୍ରାର୍ଥନା, “ତୁମେମାନେ ଯେପରି ଜଗତର ଯୁଦ୍ଧକ୍ଷେତ୍ରରେ ମରିପାର,” ଯୁବଶକ୍ତିର ଧ୍ୟେୟ ହେଉ ।

Image